୨୮ଏପ୍ରିଲ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଦିନ । ଏହି ଦିନଟିରେ ପାଳନ ହୁଏ ମଧୁଜୟନ୍ତି । ଇତ୍ୟବସରରେ ଏହି ଦିନଟିକୁ ସ୍ୱାଭିମାନ ଦିବସ ବୋଲି କୁହାଗଲାଣି । କେବେଠାରୁ ଏହିଭଳି ନାମକରଣ ହେଲା ତାହା ଏ ଲେଖକର ସାଧାରଣ ଜ୍ଞାନ ଭିତରେ ନାହିଁ । କିନ୍ତୁ ବର୍ତ୍ତମାନ ଯେତେବେଳେ ଓଡ଼ିଶାର ଜମି, ଜଳ, ଜଙ୍ଗଲ, ଖଣି, ଚାଷକୁ ବାହାରଲୋକଙ୍କ ହାତକୁ ଟେକି ଦେବାର ବିରାମହୀନ ପ୍ରକ୍ରିୟା ଚାଲିଛି ଓ ତାହାକୁ ଗର୍ବର ସହ ଗଣମାଧ୍ୟମରେ ଘୋଷଣା କରାଯାଉଛି-ସେତେବେଳେ ସ୍ୱାଭିମାନର ବିରାଗହୀନ ଉଚ୍ଚାରଣ ବାଧ୍ୟ କରୁଛି ସ୍ୱାଭିମାନର ଏକ ନୂତନ ପରିଭାଷା ଖୋଜିବା ପାଇଁ । ଯଦି ନିଜକୁ ବନ୍ଧାପକାଇ ଦେବା-ନିଜର କତ୍ତୃତ୍ୱକୁ ଅନ୍ୟ ହାତରେ ଟେକିଦେବା, ନିଜର ଅସ୍ତିତ୍ୱ ପାଇଁ ଅନ୍ୟର ଦୟାକୁ ଅନାଇରହିବା ଇତ୍ୟାଦି ସ୍ୱାଭିମାନକୁ ସଂଜ୍ଞାକୃତ କରନ୍ତି-ତା’ହେଲେ ବର୍ତ୍ତମାନ ସମୟରେ ସ୍ୱାଭିମାନର ଉଚ୍ଚାରଣ ସଠିକ ଅଛି ବୋଲି କୁହାଯାଇ ପାରିବ । ତେବେ ଏହା ମଧୁସୂଦନୀୟ ସ୍ୱାଭିମାନ ନୁହେଁ ।
ମଧୁସୂଦନୀୟ ସ୍ୱାଭିମାନର ଚରିତ୍ର ହେଲା ନିଜକୁ ଅନ୍ୟ ପାଖରେ ବିକି ନଦେବା । ସେଇଥିପାଇଁ ମଧୁସୂଦନ ଉକ୍ରଳ ଟ୍ୟାନେରୀ ଅନ୍ୟ କାହାରି ହାତକୁ ଟେକିଦେବା ପାଇଁ କଦାପି ରାଜି ହେଲେନାହିଁ-ଋଣଗ୍ରସ୍ତ ହୋଇପଡ଼ିଲେ ଯଦିଓ ଟ୍ୟାନେରୀକୁ ବନ୍ଦ କରିଦେଲେ ଯଦିଓ-ଶେଷକୁ ସେ ହୋଇଗଲେ ଦେବାଳିଆ । ଓଡ଼ିଶା ମାଟିରେ ଓଡ଼ିଆର ସଫଳତା ଦେଖିବାକୁ ଚାହୁଁଥିଲା ତାଙ୍କର ସ୍ୱାଭିମାନୀ ବ୍ୟକ୍ତିତ୍ୱ । ଓଡ଼ିଶା ମାଟିରେ ବାହାରୁ ଆସି ଓଡ଼ିଶାର ସମ୍ପଦ ଉପରେ ମାଲିକାନା ଜମାଇ ବସିବ-ତାହା ତାଙ୍କପାଇଁ ଗ୍ରହଣୀୟ ନଥିଲା କୌଣସି ପରିସ୍ଥିତିରେ ।
ନିଜକୁ ନ ବିକିବା ଲୋକ ହିଁ ଦେବାଳିଆ ହୋଇଯିବାର ସାହସ ଦେଖାଇପାରେ-ଏହାହିଁ ମଧୁସୂଦନୀୟ ସ୍ୱାଭିମାନ । ତେଣୁ ମଧୁଜୟନ୍ତି ନାମରେ ହିଁ ୨୮ଏପ୍ରିଲକୁ ପାଳନ କରାଯାଉ-ତାହାକୁ ସ୍ୱାଭିମାନ ଦିବସ କହି-ସ୍ୱାଭିମାନ ଶବ୍ଦକୁ ନିନ୍ଦିତ ନ କରାଯାଉ ।