ଏଡସ୍ ଓ ଆଲିଙ୍ଗନ

  • 16/09/2015

ଶିଳ୍ପା ସେଟ୍ଟୀ ହିନ୍ଦି ଚଳଚ୍ଚିତ୍ର ଜଗତର ଜଣେ ଅସଫଳ ତାରକା ହେଲେ ହେଁ – ଗତ କିଛି ମାସ ହେଲା ବହୁ କାରଣରୁ ସେ ବେଶ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ କେନ୍ଦ୍ର କରି ଯେତେ ବିତର୍କ ହେଉଛି – ତାହା ତାଙ୍କର ପ୍ରମୋଦ ଜଗତରେ (enertainment world) ଚାହିଦାକୁ ବଢ଼ାଇ ଦେଇଛି । ଏହାହିଁ ତ ପ୍ରତ୍ୟେକ ଚିତ୍ରତାରକାର ଆଜି କାମ୍ୟ । ତେଣୁ ମଞ୍ଚ ଉପରେ ଦର୍ଶକମାନଙ୍କ ସମ୍ମୁଖରେ ଜଣେ ବିଦେଶୀ ଅଭିନେତା ରିଚାର୍ଡ ଗେର ତାଙ୍କୁ ଚୁମ୍ବନ ଦେବା ଓ ନିବିଡ଼ ଆଲିଙ୍ଗନ ପୂର୍ବକ ଭିନ୍ନ ଭିନ୍ନ ଭଙ୍ଗୀରେ ଚୁମ୍ବନ ଦେବା ଦୃଶ୍ୟକୁ ସେ ଆଦୌ ଅଶାଳୀନ ଭାବେ ବିଚାର କରନ୍ତି ନାହିଁ । (ଦ୍ରଷ୍ଟବ୍ୟ -ଏପ୍ରିଲ ୧୭, ୨୦୦୭,The New Indian Express) । ରିଚାର୍ଡ ଗେରଙ୍କୁ ତାଙ୍କ ଆଚରଣ ପାଇଁ କ୍ଷମା ଦାବୀ କରୁଥିବା ଜନତାଙ୍କୁ ପାଲଟା ଜବାବ ଦେଇ ଶିଳ୍ପା କୁହନ୍ତି ଯେ, ସେଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟକରି ଆସିଥିବା ଗେରଙ୍କ ପ୍ରତି ଭାରତୀୟମାନେ ବରଂ କୃତଜ୍ଞ ହେବା ଉଚିତ । ଏହା ଆଦୌ ବୁଝିବାକୁ ଅସୁବିଧା ହେଉନାହିଁ ଯେ ବିଗ୍ବ୍ରଦର ସେଲିବ୍ରିଟି ସୋ’ରେ କୌଶଳପୂର୍ଣ୍ଣ ବିଜୟ ପରେ ହଲିଉଡ଼ରେ ପ୍ରବେଶ ପାଇଁ ବାଟ ତିଆରି କରୁଛନ୍ତି ଶିଳ୍ପା, ରିଚାର୍ଡ଼ ଗେର ଏକ ଭଲ ମାଧ୍ୟମ ହୋଇପାରେ । କାରଣ ରିଚାର୍ଡ଼ ଗେର ମଞ୍ଚ ଉପରେ ଯାହା କଲେ ତାର ସ୍ଥିର ଚିତ୍ର କେଣାର୍କ ବା ଅଜନ୍ତାର ଚିତ୍ର ଭଳି କହିବା ଭୁଲ ହେବ ନାହିଁ । ତେବେ ସେ ଏପରି କଲେ ଶିଳ୍ପାଙ୍କର ତାଙ୍କୁ କରାଯାଉଥିବା ଉତ୍ସାହିତ ପ୍ରଶଂସାର ପ୍ରତିଦାନରେ । ଯାହା ହେଲା ତାହା ତ ନିଶ୍ଚିତ ଭାବରେ ଥିଲା କାମୁକତାର ଅଭିବ୍ୟକ୍ତି । ଏହାକୁ ଟିଭିର ଚ୍ୟାନେଲ ମାନଙ୍କରେ ୧୫/୪/୨୦୦୭ ପରଠାରୁ ଯେପରି ବାରମ୍ବାର ଦେଖା ଯାଉଥିଲା – ତାହା ତ ଲୋକଙ୍କ ଭିତରେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ ଥିଲା ଯଥେଷ୍ଟ । ଫଳସ୍ୱରୂପ ବିଭିନ୍ନ ଜାଗାରେ ହୋଇଥିଲା ବିକ୍ଷୋଭ । କିନ୍ତୁ ରିଚାର୍ଡ଼ ଗେରଙ୍କ ସପକ୍ଷରେ ଏକ ଯୁକ୍ତି ଆସିଲା ଯେ, ସେ ଶିଳ୍ପାସେଟ୍ଟିଙ୍କୁ ଏପରି ଆଲିଙ୍ଗନ କରି ଦର୍ଶାଇ ଦେବାକୁ ଚାହୁଁଥିଲେ ଯେ, ଚୁମ୍ବନ ଦ୍ୱାରା ଏଡସ ବ୍ୟାପେ ନାହିଁ । ଏଭଳି ଯୁକ୍ତି ଯେ, କେତେ ସାଂଘାତିକ ତାହା ଯେକୌଣସି ବ୍ୟକ୍ତି ସାମାନ୍ୟ ଚିନ୍ତା କଲେ ବୁଝିପାରିବ । ଏଡସ୍ କେଉଁ କେଉଁ ଅବସ୍ଥାରେ ବ୍ୟାପେ ନାହିଁ – ତାହାକୁ ଯଦି ମଞ୍ଚଉପରୁ ପ୍ରଦର୍ଶନ କରାଯାଇ ସଚେତନତା ସୃଷ୍ଟି କରାଯିବାର ଉଦ୍ୟମ ହୁଏ, ତା’ହେଲେ – କଣ୍ଡୋମ୍ କମ୍ପାନୀ ତାର ବଜାର ପାଇଁ ମଣିଷକୁ କିଭଳି ସ୍ତରକୁ ନେଇଯିବାର ଉଦ୍ୟମ କରୁଛି ତାହା ସହଜରେ ଅନୁମେୟ ।

Print Friendly, PDF & Email