ଇନ୍ଫୋସିସ୍ର ନାରାୟଣ ମୂର୍ତ୍ତି ହେବେ ଭାରତର ରାଷ୍ଟ୍ରପତି !

  • 16/09/2015

ଅବଦୁଲ କାଲାମଙ୍କ ପରେ ରାଷ୍ଟ୍ରପତି କିଏ ହେବ- ତା’ପାଇଁ ଲୋକ ଖୋଜା ଆରମ୍ଭ ହେଲାଣି । ରାଜନୈତିକ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ନ କରିବା ପାଇଁ ରାଜନୀତିରେ ସକ୍ରିୟ ଥିବା ଲୋକମାନେ ମଧ୍ୟ ଚାହିଁଲେଣି । ଏହାହିଁ କାରଣ ଯେ ଅବଦୁଲ କାଲାମ ଭାରତର ରାଷ୍ଟ୍ରପତି ହୋଇଗଲେ । ଅବଶ୍ୟ ଏଥିପାଇଁ ଅବଦୁଲ କାଲାମଙ୍କର ସବୁ ଶକ୍ତିଶାଳୀ ରାଜନୈତିକ ଦଳଗୁଡ଼ିକ ସହ ସୁସମ୍ପର୍କ ଯେ ବିଶେଷ ଭାବରେ ଦାୟୀ- ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ସେ ତାଙ୍କ ବିଷୟରେ ଜଣେ କୁଶଳୀ କାରିଗର ହେବା ସହିତ କ୍ଷମତାର ଶୁଭଦୃଷ୍ଟିରେ ନିଜକୁ ରଖିପାରିବାରେ ମଧ୍ୟ ସେ ବେଶ କୁଶଳୀ । ତେଣୁ ରାଷ୍ଟ୍ରପତି ପଦ ପାଇଁ ଲକ୍ଷ୍ମୀ ସେହଗଲଙ୍କ ଭଳି ଜଣେ ଆଗଧାଡ଼ିର ସ୍ୱାଧୀନତା ସେନାନୀଙ୍କୁ ସେ କରିଦେଇ ପାରିଲେ ପରାସ୍ତ । ଏବେ ନାଁ ଉଠୁଛି ନାରାୟଣ ମୂର୍ତ୍ତିଙ୍କର । ସେ ବହୁ ପ୍ରଚାରିତ, ବିଦେଶୀ କମ୍ପାନୀମାନଙ୍କ ସେବାରେ ନିୟୋଜିତ ବାଙ୍ଗାଲୋରସ୍ଥିତ ଇନ୍ଫୋସିସ୍ ଲିମିଟେଡର ପ୍ରତିଷ୍ଠାତା । ଏହି ନାଁ କିଛିଦିନ ହେଲାଣି ଉଠିଲାଣି । ଶୁଦ୍ରକର ସନେ୍ଦହ ହେଉଥିଲା ଯେ ଏହି ନାଁ ଉଠିବା ପଛରେ ସୁଚିନ୍ତିତ ଉଦ୍ୟମ ହେଉ ନାହିଁତ? ସନେ୍ଦହ ତ ଅମୂଳକ ନୁହେଁ, ପ୍ରମାଣିତ ହୋଇଗଲା- ଯେତେବେଳେ ଇନଫୋସିସ୍ କମ୍ପାନୀର ଗ୍ଲୋବାଲ ଏଜୁକେସନ ସେଣ୍ଟରର ଶିକ୍ଷାନବିସମାନଙ୍କୁ ଉଦ୍ବୋଧନ ଦେଉଥିବା କାଲାମଙ୍କୁ ଜଣେ ଶିକ୍ଷାନବିସ ଠିଆ ହୋଇ ପଚାରିଲେ ନାରାୟଣ ମୂର୍ତ୍ତି ଭାରତର ଭାବୀ ରାଷ୍ଟ୍ରପତି-ଏହା ଉପରେ ତାଙ୍କର ମନ୍ତବ୍ୟ କ’ଣ? କାଲାମ ଏକ ଶବ୍ଦରେ ଉତ୍ତର ଦେଲେ ‘ଫାଣ୍ଟାସ୍ଟିକ’ (ଦ୍ରଷ୍ଟବ୍ୟ ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ ତାରିଖ ୯ ଏପ୍ରିଲ ୨୦୦୭) । କହିବା ବାହୁଲ୍ୟ ନିଜପ୍ରାର୍ଥୀତ୍ୱ ସପକ୍ଷରେ ମତ ସଂଗ୍ରହ କରୁଥିବା ନାରାୟଣ ମୂର୍ତ୍ତି ଯେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଅନୁକୂଳ ମନ୍ତବ୍ୟ ଅତ୍ୟନ୍ତ ଚତୁରତାର ସହ ଆଦାୟ କରିନେଇପାରିଲେ ।
ୱିପ୍ରୋର ଅଜିମ ପ୍ରେମ୍ଜି ବା ଅମ୍ବାନୀ କମ୍ପାନୀ ଦ୍ୱୟର ମାଲିକ ମୁକେଶ ବା ଅନୀଲ ଅମ୍ବାନୀ ବା ସେହିଭଳି ଭାରତର ବହୁ ବିଶାଳ କମ୍ପାନୀମାନଙ୍କର ମାଲିକମାନେ ଏହିଭଳି ଏକ କୌଶଳ ଅବଲମ୍ବନ କରିବା ପୂର୍ବରୁ ନାରାୟଣ ମୂର୍ତ୍ତି ଆଗୁଆ ଏହି କୌଶଳଟି ଅବଲମ୍ବନ କରି ସେ ଯେ ଅନ୍ୟମାନଙ୍କ ଠାରୁ ଅଧିକ ଚତୁର ତାହା ପ୍ରମାଣିତ କରିଦେଲେ ।
ଅନେକେ ହୁଏତ ମାନ୍ୟବର ରାଷ୍ଟ୍ରପତି ଅବଦୁଲ କାଲାମଙ୍କର ବିଭିନ୍ନ ଘରୋଇ ପ୍ରତିଷ୍ଠାନମାନଙ୍କ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପଢ଼ୁଥିବା ବା ତାଲିମ ପାଉଥିବା ତରୁଣ ଛାତ୍ରଛାତ୍ରୀ ବା ଶିକ୍ଷାନବିସମାନଙ୍କ ସହ ମିଳାମିଶା କରିବା ପାଇଁ ବ୍ୟାକୁଳତାକୁ ଏଥିପାଇଁ ଦାୟୀ କରିବେ । ଏହାର ସୁଯୋଗ ନେଇ ଶିକ୍ଷାନୁଷ୍ଠାନର ମାଲିକମାନେ ଏଭଳି ନିଜର ସପକ୍ଷରେ ମତାମତ ସଂଗ୍ରହ କରି ନେଉଛନ୍ତି ବୋଲି କହିବେ । ତେବେ ଏଭଳି ଅନୁଷ୍ଠାନରେ ଆତିଥ୍ୟ ସ୍ୱୀକାର କଲାପରେ-ତା’ର ଉଦ୍ୟୋକ୍ତାଙ୍କ ସପକ୍ଷରେ ମତାମତ କଲାମ ନଦେବେ କିପରି? ଏହା ମଧ୍ୟ ଅନେକ ଭାବିପାରନ୍ତି । ତେଣୁ ରାଷ୍ଟ୍ରପତି ମହୋଦୟଙ୍କର ଗସ୍ତର ଏଭଳି ଦୁରୁପଯୋଗର ଯେଉଁଠି ସମ୍ଭାବନା ରହିଛି, ଯାହା ଆଦୌ ଅପ୍ରତ୍ୟାଶିତ ନୁହେଁ, ବିଶେଷତଃ ଘରୋଇ ପ୍ରତିଷ୍ଠାନର ମାଲିକମାନଙ୍କ ଦ୍ୱାରା, ସେଠି ତରୁଣମାନଙ୍କ ସହ ମିଶିବାର ବ୍ୟାକୁଳତାକୁ ରାଷ୍ଟ୍ରପତି ଏଡ଼ାଇଦେଇ ପାରିଲେ, ଏହି ମାଲିକମାନଙ୍କର ଉଦେ୍ଧଶ୍ୟ ବ୍ୟର୍ଥ ହୋଇଯିବ । ଯେଉଁ ଅନୁଷ୍ଠାନଗୁଡ଼ିକୁ ସେ ଯାଇ ତରୁଣମାନଙ୍କର ଭାବନାକୁ ପ୍ରଜ୍ୱଳିତ କରୁଛନ୍ତି ବୋଲି ଭାବୁଛନ୍ତି- ସେମାନେ ସମସ୍ତେ ଉଚ୍ଚ ମଧ୍ୟମବର୍ଗର ତରୁଣ-ପୂର୍ବରୁ ହିଁ ପ୍ରଜ୍ୱଳିତ, କିନ୍ତୁ ସେ ଯାଇ ସେ ଉଚ୍ଚଗୋଷ୍ଠୀର ଅନୁଷ୍ଠାନମାନଙ୍କୁ କେବଳ ବିଜ୍ଞପିତ କରୁଛନ୍ତି- ଯାହା ଅନାୟାସରେ ସେମାନଙ୍କର ବ୍ୟବସାୟକୁ ହିଁ ପ୍ରଜ୍ୱଳିତ କରୁଛି ।

Print Friendly, PDF & Email