କ୍ରିକେଟପ୍ରେମୀଙ୍କ ପାଗଳାମି

  • 16/09/2015

ବଙ୍ଗଳାଦେଶଠାରୁ ଭାରତୀୟ କ୍ରିକେଟ ଦଳ ହାରିଗଲା । ଚହଳ ପଡ଼ିଲା । କି୍ରକେଟପ୍ରେମୀ ଏତେ ଉତ୍କ୍ଷିପ୍ତ ଯେ,କହିଲେ ଯଦି ସେହିଦିନ ଫେରିଥାନ୍ତେ ଭାରତୀୟଦଳ ଭାରତଭୂଇଁକୁ-ତା’ହେଲେ ସେମାନେ ତାଙ୍କୁ ଚପଲରେ ବାଡ଼ାନ୍ତେ । ଗ୍ରେଗ ଚାପେଲଙ୍କୁ ଧକ୍କାଟିଏ ମାରି ଯେଉଁ ହନ୍ତସନ୍ତ ପୁଲିସ ହତାରେ ଯୁବକଦ୍ୱୟ ଓଡ଼ିଶାରେ ହୋଇଛନ୍ତି-ତାହା ବୋଧହୁଏ ଜାଣନ୍ତି ନାହିଁ-ଏହି କ୍ରିକେଟପ୍ରେମୀଗଣ । ତେବେ ଏପରି ଚରମ ପ୍ରତିକ୍ରିୟା ଦୁର୍ଭାଗ୍ୟଜନକ । ଖେଳରେ ହାର ଜିତକୁ ମର୍ଯ୍ୟାଦାର ସହ ଗ୍ରହଣ କରିନେବାକୁ ଖେଳୁଆଡ଼ ମନୋବୃତ୍ତ ବୋଲି କୁହାଯାଏ । ଦର୍ଶକମାନଙ୍କର ଏଭଳି ପ୍ରତିକ୍ରିୟା ଆଦୌ ଖେଳୁଆଡ଼ ମନୋବୃତ୍ତର ପରିଚାୟକ ନୁହେଁ । କିନ୍ତୁ ଏହି ପ୍ରତିକ୍ରିୟା ପ୍ରକାଶ ସମୟରେ ଯେଉଁ ଦାବିଗୁଡ଼ିକ ଉତ୍ଥାପିତ ହୋଇଛି ତାହା କିଛି ଗଭୀର ବିଚାରର ବିଷୟ । ଝାଡ଼ଖଣ୍ଡରେ ଦର୍ଶକ ଦାବି କଲେ ଯେ, ଝାଡ଼ଖଣ୍ଡ ସରକାର ଯେଉଁ ଜମି, ପୁରସ୍କାର ଇତ୍ୟାଦି ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି – ତାହା ଫେରାଇ ନିଅନ୍ତୁ । ଦାବି ତ କେବଳ କଲେନାହିଁ – ତାଙ୍କୁ ଦିଆଯାଇଥିବା ଜମି ଉପରେ ତିଆରି ହେଉଥିବା ପଞ୍ଚତାରକା ଘରକୁ ଭାଙ୍ଗିଦେଲେ । ସେହିଭଳି ଆଉ କେତେକ ଅଞ୍ଚଳରେ ଦର୍ଶକ କହିଛନ୍ତି ଯେ, ଖେଳାଳୀମାନେ ବିଜ୍ଞାପନ ଇତ୍ୟାଦି ଅର୍ଥ ପଛରେ ଧାଇଁ ଧାଇଁ କ୍ଲାନ୍ତ ହୋଇପଡ଼ିଥିବାରୁ କ୍ରିକେଟ ପଡ଼ିଆରେ ସେମାନେ ବଲପଛରେ ବା ୱିକେଟ ମଝିରେ ଧାଇଁପାରିଲେ ନାହିଁ । ଆଉ କେତେକ କହିଲେ ଯେ, ଆମ କ୍ରିକେଟଖେଳାଳୀ ଯେଉଁ ସାମଗ୍ରୀର ବିଜ୍ଞାପନ କରିବେ ତାହା ଆମେ କିଣିବୁ ନାହିଁ । କହିବା ବାହୁଲ୍ୟ ଯେ, କ୍ରିକେଟଖେଳାଳୀଙ୍କର ଅର୍ଥ ପଛରେ ଅନୁଧାବନକୁ ଦର୍ଶକମାନେ ଦାୟୀ କରୁଛନ୍ତି ତାଙ୍କର ଅସଫଳତା ପାଇଁ । ଅର୍ଥାତ୍ ଅର୍ଥ ହିଁ କ୍ରିକେଟରୁ ଖେଳଦକ୍ଷତାକୁ କାଢ଼ିଦେଉଛି – ଏହାହିଁ ଯେପରି ସମ୍ବାଦ ।
କିନ୍ତୁ ଏତେ ଅର୍ଥ କାହିଁକି ସେମାନଙ୍କୁ ଦିଆଯାଉଛି? କିଏ ଦେଉଛି? ଏହା ଯଦି ଏହି କ୍ରିକେଟ ପାଗଳ ଜନତା ପ୍ରଶ୍ନକରନ୍ତେ – ତା’ହେଲେ ସେମାନଙ୍କର ପାଗଳାମି ହିଁ ଏଥିପାଇଁ ଦାୟୀ ବୋଲି ସେମାନେ ଜାଣନ୍ତେ । ଯେଉଁମାନେ ଟିଭି ଚ୍ୟାନେଲରେ କ୍ରିକେଟ ଖେଳ ଦେଖନ୍ତି ସେମାନେ ଜାଣନ୍ତି, ସେମାନେ କେବଳ ନିରୋଳା ଖେଳ ମୂଳରୁ ଶେଷ ଯାଏଁ ଦେଖନ୍ତିନାହିଁ । ସେମାନେ ଦେଖନ୍ତି ଏହା ଭିତରେ ଅସଂଖ୍ୟ ବିଜ୍ଞାପନ-ବିଭିନ୍ନ ସାମଗ୍ରୀର ଓ ବିଜ୍ଞାପନ କରୁଥିବା ଖେଳାଳୀଗଣଙ୍କୁ । ବିଜ୍ଞାପନରେ ପୁଞ୍ଜି ଲଗାଉଥିବା କମ୍ପାନୀ ସାମଗ୍ରୀ ବିକ୍ରିରୁ ଲବ୍ଧ ଆୟକୁୁ ହିଁ ବିଜ୍ଞାପନରେ ନିବେଶ କରିଥାଏ ପୁଞ୍ଜି । ଏହି ସାମଗ୍ରୀକୁ ବହୁ ଉଚ୍ଚଦରରେ (ପ୍ରସ୍ତୁତି ପାଇଁ ଖର୍ଚ୍ଚ ତୁଳନାରେ) କିଣିଥାଏ କ୍ରିକେଟ ଦେଖୁଥିବା ଜନତା । ତେଣୁ ଜନତା ହିଁ ବିପୁଳ ଅର୍ଥ ଖେଳାଳୀମାନଙ୍କୁ ପରୋକ୍ଷରେ ଦିଏ । ଏହି କ୍ରିକେଟ ପାଗଳ ଜନତା ହିଁ ଅର୍ଥ ପାଇଁ ମୋହ ଖେଳାଳୀଭିତରେ ସୃଷ୍ଟି କରେ ଓ ଖେଳାଳୀକୁ ଭ୍ରଷ୍ଟ କରେ । ତେଣୁ ଅର୍ଥ ପଛରେ ଦଉଡ଼ିବାକୁ ଦାୟୀ କରି କି୍ରକେଟ ଖେଳାଳୀଙ୍କୁ ଜୋତାରେ ବାଡ଼େଇବା ଉଚିତ ବୋଲି ଅଶୋଭନୀୟ ମନ୍ତବ୍ୟ କ୍ରିକେଟ ପାଗଳଜନତା ଦେବା ପୂର୍ବରୁ ନିଜକୁ ଦାୟୀକରି ସ୍ୱହସ୍ତରେ ଅନୁରୂପ ବ୍ୟବହାର କରିବା ଉଚିତ ।

Print Friendly, PDF & Email