କୋର୍ଟ ପରିସରରେ ମାଡ଼

  • 16/09/2015

ନିଠାରୀ ନରକଙ୍କାଳ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ମନିନ୍ଦର ସିଂହ ପାନେ୍ଧର ଓ ତାଙ୍କର ଭୃତ୍ୟ ସୁରେନ୍ଦ୍ର କୋଲିଙ୍କୁ ସି.ବି.ଆଇ. କୋର୍ଟ ପରିସରରେ ଓକିଲ ଓ ଦେଖଣାହାରୀ ନିର୍ମମ ବାଡ଼େଇବା ଓ ମନିନ୍ଦର ଚେତା ହରାଇବା ଦୃଶ୍ୟ ଟି.ଭି. ପର୍ଦ୍ଧାରେ ୨୫/୧/୨୦୦୭ ଦିନ ପ୍ରାୟଃ ଅନେକେ ଦେଖିଥିବେ । ଏହା ଲୋକମାନଙ୍କର କ୍ରୋଧର ଅଭିବ୍ୟକ୍ତି ବୋଲି କୁହାଯାଉଛି – ଯାହା ସେଠାରେ ଉପସ୍ଥିତ ଥିବା ପୁଲିସ ଦଳ ପକ୍ଷରେ ଅଟକାଇବା ସମ୍ଭବ ହୋଇନାହିଁ । କିନ୍ତୁ ସେହି ଗଣମାଧ୍ୟମରେ ନିକଟ ଅତୀତରେ ସମସ୍ତେ ଦେଖିଥିଲେ ନିଠାରୀ ଗାଁର ନିଜ ନିଜ ପିଲାଙ୍କୁ ହରାଇଥିବା ବିକ୍ଷୁବ୍ଧ ଅଧିବାସୀଙ୍କ ଉପରେ ପୁଲିସ କିପରି ନିର୍ମମ ଲାଠି ଚାଳନା କରୁଥିଲେ ।
ତେଣୁ ବିସ୍ମିତ ହେବାକୁ ପଡ଼େ ଯେ ଯେଉଁମାନେ ପ୍ରଭାବିତ ତାଙ୍କର ବିକ୍ଷୋଭକୁ ପୁଲିସ କଠୋର ହସ୍ତରେ ଦମନ କରିପାରେ ଅଥଚ ଯେଉଁମାନେ ଆଦୌ ପ୍ରଭାବିତ ନୁହନ୍ତି ତାଙ୍କ ଦ୍ୱାରା ମନିନ୍ଦର ସିଂହ ପାନେ୍ଧର ଉପରେ ମରଣାତ୍ମକ ଆକ୍ରମଣକୁ ପ୍ରତିହତ କରିପାରେନା ।
ମନିନ୍ଦରଙ୍କର ଐଶ୍ଚର୍ଯ୍ୟ ଓ କ୍ଷମତା ଅଳିନ୍ଦରେ ପ୍ରଭାବକୁ ଦେଖିଲେ ତାଙ୍କ ମଉଜମସ୍ତିରେ ଯେ ବହୁ ପ୍ରଭାବଶାଳୀ ଓ ବିତ୍ତଶାଳୀ ବ୍ୟକ୍ତି ସାମିଲ ନଥିବେ ଏହା କୁହାଯାଇ ନପାରେ । କିଏ ଏହି ବ୍ୟକ୍ତିମାନେ? କେବଳ ମନିନ୍ଧର ଓ ସୁରେନ୍ଦ୍ର ହିଁ କହିପାରିବେ । ଏହା ପ୍ରଘଟ ହେଲେ ସାଂଘାତିକ – ଏହା ସାମିଲ ହୋଇଥିବା ବ୍ୟକ୍ତିମାନେ ବୁଝୁଥିବେ ଓ ଆତଙ୍କରେ ଥିବେ ।
ପ୍ରଭାବିତ ହୋଇଯିବାର ଆଶଙ୍କାରେ ଥିବା ବ୍ୟକ୍ତିମାନଙ୍କର ଭୟର ଶିକାର ମନିନ୍ଦର ହେଲେ ନାହିଁ ତ? ଯଦି ଏହି ଆକ୍ରମଣରେ ମନିନ୍ଦରଙ୍କର ପ୍ରାଣବାୟୁ ଉଡ଼ି ଯାଇଥାନ୍ତା – ତା’ହେଲେ ଅନୁସନ୍ଧାନର ଗତି କ’ଣ ହୋଇଥାନ୍ତା? ମଉଜ ମସ୍ତିରେ ସାମିଲ ପ୍ରଭାବୀ ବ୍ୟକ୍ତିଗଣଙ୍କ ଉପରେ ଭୟର ବାଦଲ ନିଶ୍ଚିତ ଅପସରି ଯାଇଥାନ୍ତା ।

Print Friendly, PDF & Email