ଚାପେଲଙ୍କୁ ମାଡ଼

  • 16/09/2015

୧-୧୬ ଫେବୃୟାରୀ ୨୦୦୭

ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲୀୟ କୋଚ୍ ଗ୍ରେଗ ଚାପେଲଙ୍କୁ ପୁଲିସ କର୍ଡନ ଭାଙ୍ଗି ଜଣେ ଯୁବକ ମାଡ଼ ମାରିବା ଘଟଣା ସାରା ଓଡ଼ିଶା ଓ ଓଡ଼ିଆଜାତି ପାଇଁ ଲଜ୍ଜାର ବିଷୟ ବୋଲି ସମ୍ବାଦପତ୍ର ଓ ଉଚ୍ଚ-ମଧ୍ୟମବର୍ଗୀୟ କଥୋପକଥନରେ ବହୁଳ ପ୍ରକାଶ ପାଇଛି । ପ୍ରଥମ ଅବସ୍ଥାରେ ସ୍ଥାନୀୟ ପୁଲିସ ଏହି ଘଟଣାକୁ ଅସ୍ୱୀକାର କଲେ ମଧ୍ୟ ପରବର୍ତ୍ତୀ ତଦନ୍ତରୁ ଏହିଭଳି ଘଟଣା ପାଇଁ ସ୍ଥାନୀୟ ପୁଲିସର ସୁରକ୍ଷାଜନିତ ତ୍ରୁଟିକୁ ଦାୟୀ କରି ପୁଲିସ ମହାନିଦେ୍ର୍ଧଶକ ଏଥିପାଇଁ ନିଜକୁ ନୈତିକତା ଦୃଷ୍ଟିରୁ ଦାୟୀ ବୋଲି ଘୋଷଣା କରିଛନ୍ତି । ଇତ୍ୟବସରରେ ଏହି ଘଟଣା ପାଇଁ ସ୍ଥାନୀୟ ଏସ୍.ପି. ଓ ଡି.ଆଇ.ଜି ଙ୍କୁ କୈଫିୟତ ମଗାଯାଇଛି ।
ଯେକୌଣସି ଅତିଥିଙ୍କୁ ଅସମ୍ମାନିତ କରିବା ଆମର ପରମ୍ପରା ବିରୋଧୀ -ସେ ଦେଶୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ ବା ତାଙ୍କ ସମ୍ପର୍କରେ ଆମର ଧାରଣା ଅନୁକୂଳ ହେଉ ବା ପ୍ରତିକୂଳ ହେଉ । କିନ୍ତୁ ଓଡ଼ିଶାର ଖେଳାଳୀ ଜାତୀୟ ଦଳରେ ସାମିଲ ନ ହେବା ପାଇଁ କୋଚ ଚାପେଲ କିପରି ଦାୟୀ? ଯଦି ଦାୟୀ ମୁଖ୍ୟତଃ କିଏ – ସେ ହେଉଛନ୍ତି ଜାତୀୟ ଦଳର ଚୟନ କମିଟି -ଯାହାର ସଭାପତି ଅଛନ୍ତି ଦିଲ୍ଲୀପ ଭେଙ୍ଗସରକାର, ସଭ୍ୟ ପୁଣି ଓଡ଼ିଶାର ରଞ୍ଜିବ ବିଶ୍ୱାଳ । ତେଣୁ ଅଭିଯୋଗ ଯଦି କାହା ବିରୁଦ୍ଧରେ କରାହେବା କଥା – ତାହା ଏହି ଚୟନ କମିଟି ବିରୁଦ୍ଧରେ । ତେଣୁ ଯେଉଁ ବ୍ୟକ୍ତି ଚାପେଲଙ୍କୁ ମାରିଲେ – ସେ ଆଦୌ ଶୋଭନୀୟ କାର୍ଯ୍ୟ କରିନାହାନ୍ତି ।
କିନ୍ତୁ ଜଣେ ବିଦେଶୀଙ୍କୁ ସାମାନ୍ୟ ମାଡ଼ ଯଦି ସାରା ଓଡ଼ିଶାକୁ ଏତେଦୂର ଲଜ୍ଜିତ କରିପାରେ – ତା’ହେଲେ ୧୩ଜଣ ଆଦିବାସୀଙ୍କର ମୃତୁ୍ୟ ସାରା ଓଡ଼ିଶାକୁ କେଉଁ ପରିମାଣରେ ଲଜ୍ଜିତ କରୁଛି? ଏ ପ୍ରଶ୍ନ ମନ ଭିତରକୁ ଆସୁଛି ।
ପୁଣି ପୁଲିସ ଗୁଳିରେ ନିହତ ୧୩ଜଣ ଆଦିବାସୀଙ୍କର ମୃତୁ୍ୟ ପାଇଁ ଗତ ଏକବର୍ଷ ଭିତରେ ପୁଲିସକୁ ଦାୟୀ କରିପାରୁ ନଥିବା ପୁଲିସ ପ୍ରଶାସନ, ଗୌରକାୟ ବିଦେଶୀ ଚାପେଲଙ୍କୁ ମାଡ଼ ପାଇଁ ସହସା ଉଚ୍ଚ ପଦସ୍ଥ ପୁଲିସ କର୍ମଚାରୀଙ୍କୁ ଦାୟୀ କରିବା ଓ ଏଥିପାଇଁ ପୁଲିିସ ମହାନିଦେ୍ର୍ଧଶକ ନିଜ ମୁଣ୍ଡକୁ ନୈତିକତା ଦୃଷ୍ଟିରୁ ଦୋଷ ଦେବା, କେଉଁ ସମ୍ବାଦ ଦେଉଛି? ଚମଡ଼ାର ରଙ୍ଗ ଏବେ ବି ନିଷ୍ପତ୍ତକୁ ପ୍ରଭାବିତ କରୁନାହିଁ କି?

Print Friendly, PDF & Email