ଏକଦା ରକ୍ଷଣଶୀଳ ଓଡ଼ିଆ ସମାଜ ଯେ ଆଧୁନିକ ହୋଇଚାଲିଛି, ତା’ର ସଦ୍ୟତମ ପ୍ରମାଣ ହେଉଛି ରାସ୍ତାକଡ଼ ମଦଦୋକାନ ପାଖରେ ମଦ୍ୟପାନ କରିବା ପାଇଁ ଅନୁମତି । ପୂର୍ବରୁ ଅବକାରୀ ବିଭାଗ ଏହାକୁ ନିଷେଧ କରିଥିଲା । କିନ୍ତୁ ମଦ୍ୟାସକ୍ତ ବ୍ୟକ୍ତି/ଯୁବକମାନେ ଏହି ନିଷେଧାଜ୍ଞାକୁ ଅବମାନନା କରି ପୁଲିସ ଦ୍ୱାରା ଅପମାନିତ ହେବା, ଜୋରିମାନା ଦେବା ଅବକାରୀ ଦ୍ୱାରା ସହ୍ୟ ହେଲାନାହିଁ । ବରଂ ଏହି ନିଷେଧାଜ୍ଞା ଉଠାଇଦେବାରେ ସେମାନେ ରାଜସ୍ୱ ଆୟର ଏକ ବିରାଟ ସୁଯୋଗ ଦେଖିଲେ । ଏହି ମଦଦୋକାନ ଗୁଡ଼ିକ ବାର୍ଷିକ ୨ଲକ୍ଷ ଟଙ୍କା ଫିସ୍ ଆକାରରେ ଦେଲେ ସେମାନଙ୍କ ପାଖରେ ମଦ୍ୟାସକ୍ତମାନେ ମଦ୍ୟପାନ କରିପାରିବେ ବୋଲି ଅନୁମତି ଦିଆଯିବ-ଏହିଭଳି ଏକ ବ୍ୟବସ୍ଥା କଲେ । ନିଶ୍ଚିତଭାବରେ ଏହି ବ୍ୟବସ୍ଥା ଦ୍ୱାରା ମଦ୍ୟାସକ୍ତମାନେ ପୁଲିସ ହସ୍ତକ୍ଷେପର ଆଶଙ୍କାରୁ ମୁକ୍ତ ରହି ଏକାଗ୍ରତା ସହ ମଦ୍ୟପାନରେ ନିଜକୁ ନିୟୋଜିତ ରଖିପାରିବେ । ପୁନଶ୍ଚ ଏହି ବ୍ୟବସ୍ଥା ଦ୍ୱାରା ପୁଲିସ ଦୁର୍ନୀତି କରିବାର ଏକ ସୁଯୋଗରୁ ବଞ୍ଚôତହୋଇ ଅଧିକ ସ୍ୱଚ୍ଛ ଦିଶିବ । ଘରେ, ପରିବାର ଭିତରେ ବସି ମଦ୍ୟପାନ ହ୍ରାସ ପାଇବ ।
ସରକାରଙ୍କର ଏହିଭଳି ପଦକ୍ଷେପକୁ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି ବିଚାର କରାଯାଇପାରେ-କାରଣ ଏତ୍ଦ୍ୱାରା ସ୍ୱାଧୀନତା ଉପରେ ଥିବା ଗୋଟିଏ ଅଙ୍କୁଶ ଉଠିଗଲା । ତେବେ, ଯେଉଁଦିନ ମଦକୁ ମାଦକଦ୍ରବ୍ୟ ତାଲିକାରୁ ଅପସାରିତ କରିଦିଆଯିବ-ସେହିଦିନ ହିଁ ସରକାର ସବୁଠାରୁ ବଡ଼ ପ୍ରଗତିଶୀଳ ପଦକ୍ଷେପ ନେଲେ ବୋଲି କୁହାଯିବ । ସମ୍ବିଧାନର ଧାରା ୪୭ରେ ଥିବା ବ୍ୟବସ୍ଥାର ଦ୍ୱାହି ଦେଇ ରାଷ୍ଟ୍ର ତା’ର ଲକ୍ଷ୍ୟର ବିପରୀତ ଦିଗରେ ଗତି କରୁଛି ବୋଲି କହିବାର ସୁଯୋଗ ଆଉ ରହିବ ନାହିଁ । -ଶୁଦ୍ରକ