୧୮-୧୯ ଡିସେମ୍ବର ୨୦୧୦, ଦୁଇ ଦିନ ବ୍ୟାପି ଏକ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର କେନ୍ଦ୍ରୀୟ ବିଷୟବସ୍ତୁ ଥିଲା ‘ନବ୍ୟ ଉଦାର ଭାରତରେ ଗ୍ରାମୀଣ ଶ୍ରମିକ’ ଏହି ଶିରୋନାମାରେ ଗ୍ରାମୀଣ ଶ୍ରମିକର ସ୍ଥିତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଦେଶ ଭିତରୁ ଓ ବିଦେଶରୁ ଅନେକ ଗବେଷକ ଯୋଗ ଦେଇଥିଲେ ଓ ସମାଜକର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହାର ଉଦ୍ଘାଟନ କରିଥିଲେ ପ୍ରତିଷ୍ଠାନର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଯେଉଁଠାରେ ପ୍ରତିଷ୍ଠାନର ପଦସ୍ଥ ଅଧିକାରୀ ଓ ପ୍ରଫେସରମାନେ ଉପସ୍ଥିତ ଥିଲେ । ଆଲୋଚନାଚକ୍ରର ଶେଷ ଅଧିବେଶନର ମାର୍କ୍ସୀୟ ଦର୍ଶନର ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ମୋଟ ଉପରେ ଏହି ଆଲୋଚନାଚକ୍ର ସବୁ ଅଂଶଗ୍ରହଣ-କାରୀଙ୍କ ପାଇଁ ଥିଲା ସନ୍ତୋଷଜନକ । କିନ୍ତୁ ଯାହା ଶୁଦ୍ରକକୁ ଚକିତ କରୁଥିଲା-ତାହାହେଉଛି ନବ୍ୟ ଉଦାରବାଦ, ମାର୍କ୍ସବାଦ ଉପରେ ଆଲୋଚନା ଯେଉଁଠାରେ ପୁଞ୍ଜିବାଦ ପ୍ରତି ଆକ୍ଷେପ ଅବଶ୍ୟମ୍ଭାବୀ, ସେଭଳି ଆଲୋଚନାକୁ ବିଶ୍ୱ ପୁଞ୍ଜିବାଦର ବାହକ କର୍ପୋରେସନମାନଙ୍କୁ ମାନବ ସମ୍ବଳ ଯୋଗାଉଥିବା ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ ମ୍ୟାନେଜମେଣ୍ଟ ପୃଷ୍ଠପୋଷକତା କରିବା । ଏହି ପୃଷ୍ଠପୋଷକତା ଦେଇ ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ ମ୍ୟାନେଜମେଣ୍ଟ୍ର ପରିଚାଳକବୃନ୍ଦ ତଥା ଅଧିକାରୀ ଯେ ମାର୍କ୍ସୀୟ ଦର୍ଶନର ସୌନ୍ଦର୍ଯ୍ୟରେ ବିମୁଗ୍ଧ ଅଂଶଗ୍ରହଣକାରୀମାନଙ୍କର ସଦିଚ୍ଛାର ପାତ୍ର ହୋଇଛନ୍ତି- ଏହା କହିବା ବାହୁଲ୍ୟ ମାତ୍ର । ମାର୍କ୍ସୀୟଦର୍ଶନର ସୌନ୍ଦର୍ଯ୍ୟରେ ଯେ ସମ୍ମୋହିତ- ସେ ଯେ କଦାପି ଧର୍ମାନ୍ଧ ହୋଇପାରେନା -ବରଂ ଯେ କୌଣସି ଧର୍ମୀୟ ମୌଳବାଦ ବିରୋଧରେ ଏକ ଶକ୍ତି ଭାବେ କାର୍ଯ୍ୟ କରିପାରେ- ଏହା ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ ମ୍ୟାନେଜମେଣ୍ଟର ପରିଚାଳନା ଦାୟିତ୍ୱରେ ଥିବା ଖ୍ରୀଷ୍ଟିୟ ମିଶନାରୀମାନେ ନିଶ୍ଚିତ ବୁଝିଛନ୍ତି । ତେଣୁ ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ ବଡ଼ ବଡ଼ କର୍ପୋରେସନ୍ମାନଙ୍କ ପାଇଁ ମାନବ ସମ୍ବଳର ଉତ୍ସ୍ୱ ହେଲେ ହେଁ ଓ ନବ୍ୟ ଉଦାରବାଦକୁ ବିରୋଧ ତଥା ମାର୍କ୍ସବାଦକୁ ସମର୍ଥନ କର୍ପୋରେଟ୍ବିରୋଧୀ ହେଲେ ହେଁ ହିନ୍ଦୁ ମୌଳବାଦକୁ ବିରୋଧର ମଞ୍ଜି ଯେ ମାର୍କ୍ସବାଦରେ ରହିଛି ଓ ଏହା ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ସ୍ଥିତି ଓ ଅସ୍ତିତ୍ୱପାଇଁ ଅନୁକୂଳ-ଏହା ହୃଦୟଙ୍ଗମ କରି ଜେଭିଅର ପ୍ରତିଷ୍ଠାନର ପରିଚାଳକମାନେ ଉପରୋକ୍ତ ଆଲୋଚନାଚକ୍ରର ପୃଷ୍ଠପୋଷକତା କରିଛନ୍ତି ବୋଲି ଶୁଦ୍ରକ ଅନୁମାନ କରୁଛି ।
ତେବେ ଏହି ଆଲୋଚନା ସଭାର ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଯେ ସେମାନେ ଏହିଭଳି ଏକ ସୁଯୋଗ ସୃଷ୍ଟି କରିପାରିଲେ ।