୧-୧୫/୧୬-୩୦ ଅକ୍ଟୋବର, ୨୦୧୦
୧୬ଜଣ ପୂର୍ବତନ ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ୮ଜଣ ନିଶ୍ଚିତଭାବରେ ଦୁର୍ନୀତିଗ୍ରସ୍ତ (definitely corrupt) ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଶାନ୍ତିଭୂଷଣ ଏକ ସତ୍ୟପାଠ ଜରିଆରେ ଘୋଷଣା କରିଛନ୍ତି । ସେମାନେ କିଏ-ତାହା ସେ ଗଣମାଧ୍ୟମକୁ ଜଣାଇନଥିଲେ ମଧ୍ୟ-ଏକ ବନ୍ଦ ଲଫାଫାରେ ଏହି ନାଁଗୁଡ଼ିକୁ ସେ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସେହି ବିଚାରପତିମାନଙ୍କର ଅବଗତି ପାଇଁ ଯେଉଁମାନେ ପ୍ରଶାନ୍ତ ଭୂଷଣଙ୍କ ବିରୁଦ୍ଧରେ ଚାଲିଥିବା କୋର୍ଟ ଅବମାନନାର ଶୁଣାଣି କରୁଛନ୍ତି । ପ୍ରଶାନ୍ତ ଭୂଷଣ ତେହଲ୍କା ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ କହିଥିଲେ ଯେ, ‘୧୬ ବା ୧୭ଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କ ମଧ୍ୟରୁ ଅଧା ହେଉଛନ୍ତି ଦୁର୍ନୀତିଗ୍ରସ୍ତ ।’ ଏହି ନିବନ୍ଧଟି ପ୍ରକାଶିତ ହେବା ପୂର୍ବରୁ ଯେଉଁ ୧୬ଜଣ ମୁଖ୍ୟ ବିଚାରପତି ପଦବୀ ଅଳଙ୍କୃତ କରିଥିଲେ ସେମାନେ ହେଉଛନ୍ତି- ରଙ୍ଗନାଥ ମିଶ୍ର, କେ.ଏନ୍.ସିଂହ, ଏମ୍.ଏଚ୍ କାନିଆ, ଏଲ୍.ଏମ୍.ଶର୍ମା,ଏମ୍.ଏନ୍.ଭେଙ୍କଟଚାଲିଆ, ଏ.ଏମ୍. ଅହମଦି, ଜେ.ଏସ୍.ବର୍ମା, ଏମ୍.ଏମ୍.ପୁଞ୍ଚô, ଏ.ଏସ୍.ଆନନ୍ଦ, ଏସ୍.ପି. ଭରୁଚା, ବି.ଏନ୍.କ୍ରିପାଳ, ଜି.ବି ପଟ୍ଟନାୟକ, ରାଜେନ୍ଦ୍ରବାବୁ, ଆର୍.ସି.ଲାହୋଟି. ଭି.ଏନ୍.ଖେର୍ ଓ ୱାଇ.କେ. ସଭରୱାଲ । ଶାନ୍ତିଭୂଷଣ ଏହି ୧୬ଜଣଙ୍କ ଭିତରୁ ୮ଜଣଙ୍କୁ ନିଶ୍ଚିତ ଦୁର୍ନୀତିଗ୍ରସ୍ତ ତାଲିକାଭୁକ୍ତ କରି -ପୁତ୍ର ପ୍ରଶାନ୍ତ ଭୂଷଣଙ୍କ ମନ୍ତବ୍ୟକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବା ପାଇଁ ଉଦ୍ୟମ କରିଛନ୍ତି ଓ ତାଙ୍କ ବିରୋଧରେ ମଧ୍ୟ କୋର୍ଟ ଅବମାନନା ମାମଲା ଦାଏର କରିବା ପାଇଁ ଅନୁରୋଧ କରିଛନ୍ତି । ୮୫ବର୍ଷୀୟ ଶାନ୍ତିଭୂଷଣ ଏଥିପାଇଁ ଜେଲଦଣ୍ଡ ଭୋଗିବାକୁ ମଧ୍ୟ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି । ତାଙ୍କରି ଭାଷାରେ, ‘ଭାରତର ଜନସାଧାରଣଙ୍କୁ ଏକ ସାଧୁ ଓ ସ୍ୱଚ୍ଛ ନ୍ୟାୟବ୍ୟବସ୍ଥା ଦେବାର ପ୍ରୟାସ କରିବାକୁ ଯାଇ ଯଦି ମୋତେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼େ ତା’ହେଲେ ମୁଁ ନିଜକୁ ଗୌରବାନ୍ୱିତ ମନେକରିବି ।’
(The applicant would consider it a great honour to spend time in jail for making an effort, to get the people of India, an honest and clean judiciary) (New Indian Express, 17/9/2010)
ଅତୀତରେ ଏହିଭଳି ଏକ ଅବମାନନା ମାମଲା ଦାଏର ହୋଇଥିଲା ବିନିତ୍ ନାରାୟଣ ନାମକ ଜଣେ ଯୁବକଙ୍କ ବିରୋଧରେ । ବିନିତ୍ ନାରାୟଣ ଜୈନ ହାୱାଲାକାଣ୍ଡର ପର୍ଦ୍ଧାଫାସ କରି ସେତେବେଳେ ବହୁଚର୍ଚ୍ଚିତ ହୋଇଥିଲେ । ବିନିତ୍ ନାରାୟଣଙ୍କ ବିରୋଧରେ ଅଭିଯୋଗକାରୀ ଥିଲେ ସୁପ୍ରିମକୋର୍ଟର ବାର କାଉନସିଲ୍ । କିନ୍ତୁ ସୁପ୍ରିମକୋର୍ଟ ଏହି ଅବମାନନା ଅଭିଯୋଗଟିକୁ ଖାରଜ କରିଦେଇଥିଲେ ଓ ବିନିତ୍ ନାରାୟଣ ଦାୟିତ୍ୱହୀନ ଦୋଷରେ ଦୋଷୀ ବୋଲି ମନ୍ତବ୍ୟ କରିଥିଲେ ।
ବର୍ତ୍ତମାନ ଯିଏ ୮ଜଣ ବିଚାରପତି ନିଶ୍ଚିତ ଭାବେ ଦୁର୍ନୀତିଗ୍ରସ୍ତ ବୋଲି ସତ୍ୟପାଠ ଜରିଆରେ ଘୋଷଣା କରୁଛନ୍ତି-ସେ ଭାରତର ପୂର୍ବତନ ଆଇନମନ୍ତ୍ରୀ-ତାହା ପୁଣି ରାଢ଼ ମୋରାରଜୀ ଦେଶାଇଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ । ତାଙ୍କର ଏତାଦୃଶ ହଲପନାମାକୁ ସୁପ୍ରିମକୋର୍ଟ ଅଣଦେଖା କରିପାରିବ ନାହିଁ ।
ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୫, ୨୦୦୯ଦିନ ତେହଲ୍କାକୁ ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ ଯେ, ‘ମୋ ମତରେ, ୧୬ରୁ ୧୭ଜଣ ମୁଖ୍ୟ ବିଚାରପତିଙ୍କ ଭିତରୁ ଅଧା ହେଉଛନ୍ତି ଦୁର୍ନୀତିଗ୍ରସ୍ତ । ମୁଁ ଏହାକୁ ପ୍ରମାଣ କରିପାରିବି ନାହିଁ, ଯଦିଓ ପୁଞ୍ଚô, ଆନନ୍ଦ, ସବରୱାଲଙ୍କ ବିରୁଦ୍ଧରେ ବହୁ ପ୍ରମାଣ ରହିଛି ଯାହାକୁ ଆଧାର କରି ଆମେ ସେମାନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଉ ବୋଲି ଦାବିକରିଛୁ ।’ ସେ ପୁଣି କହିଥିଲେ, ‘ବିଚାରପତି କାପାଡ଼ିଆଙ୍କ କଥା ଦେଖନ୍ତୁ । ସେ ଓଡ଼ିଶାର ନିୟମଗିରି ଖଣିର ଲିଜ୍ ବ୍ୟାପାରଟିକୁ ନିଷ୍ପତ୍ତ କରିଦେଲେ । ସେ କହିଲେ ବେଦାନ୍ତକୁ ଲିଜ୍ ଦେବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ କାରଣ ନରୱେ ସରକାର ଦ୍ୱାରା ଏହି କମ୍ପାନୀ କଳାତାଲିକାଭୁକ୍ତ ହୋଇଛି-କିନ୍ତୁ ଏହାର ଏକ ସହବନ୍ଧିତ (subsidiary) କମ୍ପାନୀ ଷ୍ଟେରିଲାଇଟ ଇଣ୍ଡଷ୍ଟ୍ରିଜ ଲିଜ୍ ନେଇପାରିବ-କାରଣ ଏହା ଏକ ପବ୍ଲିକ ଲିଷ୍ଟେଡ଼ କମ୍ପାନୀ (public listed company) । ବିଚାରପତି କାପାଡ଼ିଆ ଏହାକୁ ପବ୍ଲିକ ଲିଷ୍ଟେଡ଼ କମ୍ପାନୀ ବୋଲି ଅଭିହିତ କଲେ କାରଣ ଏହି କମ୍ପାନୀରେ ତାଙ୍କର ଅଂଶଧନ (Share) ଥିଲା । ଏହା ସତ୍ତ୍ୱେ ସେ ଷ୍ଟେରିଲାଇଟ ସପକ୍ଷରେ ରାୟ ଦେଲେ । ଆଇନ ଅଛି ଯେ ବିଚାରପତିମାନେ ସେସବୁ ମାମଲାର ଶୁଣାଣି କରିବେ ନାହିଁ ଯେଉଁଥିରେ ସେମାନଙ୍କର ସ୍ୱାର୍ଥ ନିହିତ (conflict of interest) ଅଛି । କିନ୍ତୁ ସେମାନେ ଏହାକୁ ଆଡ଼େଇ ଦେଇ ଚାଲିଛନ୍ତି । ଆପଣ ଏହା ବିରୁଦ୍ଧରେ ଅଭିଯୋଗ କରିପାରିବେ ନାହିଁ କାରଣ ଏହାଦ୍ୱାରା ଅବମାନନା (contempt) ହେବ । (“There is justice Kapadia who decided in Niyamgiri mining lease case in Orissa. He said Vedanta can’t be given lease because it has been blacklisted by the Norwegian government; but its subsidiary company sterilite can get lease because it is a publicly listed company. Justice Kapadia said it is a publicly listed company because he had shares in it and yet he passed an order in favour of Sterilite. There is a law against Judges hearing cases where there is a conflict of interest but they just by pass it and you can’t complain because that would be contempt.’)
(From Tehelka magazine, Vol 6, issue 35, 5/9/2009) ବିଚାରପତି କାପାଡ଼ିଆଙ୍କ ସମ୍ପର୍କରେ ଏହି ମନ୍ତବ୍ୟର ପ୍ରତିବାଦ କରିଥିଲେ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଏମ୍.ଏଚ୍.କୃଷ୍ଣମଣି । କୃଷ୍ଣମଣିଙ୍କର ଯୁକ୍ତିଥିଲା ଯେ ଷ୍ଟେରିଲାଇଟ୍ରେ କାପାଡ଼ିଆ ମହାଶୟଙ୍କର ଅଂଶଧନ ଅଛି ବୋଲି ସେ ଅଦାଲତରେ ଶୁଣାଣି ବେଳେ ଘୋଷଣା କରିଥିଲେ କିନ୍ତୁ ଯେହେତୁ ଏଥିପାଇଁ ସେ ଶୁଣାଣିରୁ ଓହରିଯିବା ପାଇଁ କେହି ଅନୁରୋଧ କରିନଥିଲେ- ତେଣୁ ସେ ଶୁଣାଣି କଲେ । ଏହି ଦୃଷ୍ଟିରୁ କାପାଡ଼ିଆ ମହାଶୟଙ୍କର ଭୂମିକାକୁ ପ୍ରଶ୍ନ କରାଯାଇ ନପାରେ । ଏହାର ଉତ୍ତରରେ (ନଭେମ୍ବର ୨୧, ୨୦୦୯) ପ୍ରଶାନ୍ତ ଭୂଷଣ ଯାହା କହିଛନ୍ତି ତାହା ବାସ୍ତବିକ ଚକ୍ଷୁ ଉନ୍ମେଷକାରୀ । ତାଙ୍କ ଦୃଷ୍ଟିରେ, ‘ବିଚାରପତି କାପାଡ଼ିଆ ଏହି ବିଷୟର ଶୁଣାଣିକୁ ଯଦି କେହି ବିରୋଧ କରିଥାନ୍ତେ, ସେ ହେଉଛନ୍ତି ଆଦିବାସୀମାନଙ୍କୁ ଏ ସମ୍ପର୍କିତ ମାମଲାରେ ପ୍ରତିନିଧିତ୍ୱ କରୁଥିବା ଓକିଲ ସଞ୍ଜୟ ପାରିଖ । କିନ୍ତୁ ଏହା କରିବାକୁ ତାଙ୍କୁ ତିନି ତିନି ଥର ବାଧା ଦେଲେ ଶୁଣାଣି କରୁଥିବା ସହବିଚାରପତି ପଶାୟତ । ସେ (ପାରିଖ) ଯେତେବେଳେ ଠିଆ ହେଉଥିଲେ କହିବା ପାଇଁ ତାଙ୍କୁ ସ୍ପଷ୍ଟ କୁହାଗଲା ଯେ ଏହି ମାମଲାରେ କୋର୍ଟକୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ ଓକିଲ ((amicus curie)) ଆଦିବାସୀମାନଙ୍କର ସ୍ୱାର୍ଥର ଠିକ ନ୍ୟାୟ ଦେବେ । ସେଥିପାଇଁ ତାଙ୍କୁ (ପାରିଖଙ୍କୁ) ଅଲଗା ଶୁଣିବାର ଆବଶ୍ୟକତା ନାହିଁ ।’ (The only lawyer who could have objected to justice Kapadias hearing the matter was Sanjaya Parikh who was representing the tribals in connected petition. He was however prevented from making by justice Pasayat on the bench on three occasions when he tried to get up to speak. He was told in no uncertain terms that amicus curie would take care of the interests of the tribals and he would not be separately heard.)
ହରିଶ ସାଲଭେ, ଯିଏ କି ବେଦାନ୍ତ କମ୍ପାନୀର ମଧ୍ୟ ଓକିଲ, ସେ ଥିଲେ ବରିଷ୍ଠ ଆମିକସ କୁ୍ୟରି (amicus curie) ଓ ୟୁ.ଲଳିତ ହେଉଛନ୍ତି କନିଷ୍ଠ ଆମିକସ କୁ୍ୟରି । ହରିଶ ସାଲଭେ ହିଁ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଉପରୋକ୍ତ ମନ୍ତବ୍ୟ ପାଇଁ ଦାୟର କରିଛନ୍ତି ଅବମାନନା ମକଦ୍ଧମା, ଯାହା ସୁପ୍ରିମକୋର୍ଟର ଅକ୍ଟୋବର ୨୦୦୯ରେ ଗ୍ରହଣ କରିଛି । ପ୍ରଶାନ୍ତ ଭୂଷଣଙ୍କର ଅବମାନନାକୁ ତଥ୍ୟଗତ ଭିତ୍ତ ଯୋଗାଇବା ପାଇଁ ପିତା ଶାନ୍ତିଭୂଷଣ ଦାଖଲ କରିଛନ୍ତି ସେହି ୮ଜଣ ମୁଖ୍ୟ ବିଚାରପତିଙ୍କ ନାଁ ଯେଉଁମାନେ ନିଶ୍ଚିତ ଭାବରେ ଦୁର୍ନୀତିଗ୍ରସ୍ତ । ମକଦ୍ଧମା ଚାଲିଛି- ଦେଖାଯାଉ ଏହାର ସର୍ବଶେଷ ପରିଣତି କ’ଣ ହେଉଛି?
ବିଚାର ବିଭାଗ ସହ ଦୁର୍ନୀତି ଯୋଡ଼ିହେବା ବାସ୍ତବିକ ଦୁର୍ଭାଗ୍ୟଜନକ । କଥାରେ ଅଛି ଯେ ଖାଲି ସାଧୁ ହେଲେ ହେବନାହିଁ, ସାଧୁ ବୋଲି ଦୃଶ୍ୟମାନ ମଧ୍ୟ ହେବାକୁ ପଡ଼ିବ ଅର୍ଥାତ ସାଧାରଣଙ୍କ ମନରେ ସାଧୁତା ସମ୍ପର୍କରେ ତିଳେମାତ୍ର ସନେ୍ଦହ ଯେପରି ନଥିବ । ବିଚାରପତିମାନେ କେତେ ଦୁର୍ନୀତିଗ୍ରସ୍ତ ତାହାର ତଥ୍ୟଗତ ପ୍ରମାଣ ଯେତିକି ବେଦନା ଦାୟକ, ସେତିକି ବା ତା’ଠାରୁ ଅଧିକ ବେଦନାଦାୟକ ହେଉଛି ବ୍ୟାପକ ହେଉଥିବା ଧାରଣା ଯେ ବିଚାରପତିମାନେ ଦୁର୍ନୀତିର ଊଦ୍ଧ୍ୱର୍ରେ ନାହାନ୍ତି । ୨୦୦୬ରେ ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ବିଚାର ବିଭାଗ, ପୁଲିସ ବିଭାଗ ପରେ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ । (A 2006 Transparency International Report said the Judiciary in India is the 2nd most corrupt institution after the police
ବିଚାର ବିଭାଗର ଏତାଦୃଶ ଛବିକୁ ବଦଳାଇବାର କ’ଣ ଉପାୟ ହୋଇପାରେ ତାହା ବିଚାର କରିବା ପ୍ରତ୍ୟେକ ଚିନ୍ତାଶୀଳ ନାଗରିକ ପାଇଁ ଏକ ବିରାଟ ଆହ୍ୱାନ । -ଶୁଦ୍ରକ