ଓଡ଼ିଶା ହାଇକୋର୍ଟରେ ଇତ୍ୟବସରରେ ଓକିଲମାନେ ଆନେ୍ଦାଳନ କରିଛନ୍ତି ବିଚାରପତିଙ୍କର ବଦଳି ବିରୋଧରେ । ସେମାନଙ୍କର ଯୁକ୍ତିହେଉଛି ଯେ ତାଙ୍କର ବାର୍ ଆସୋସିଏସନ୍ ଚାହେଁ ନା ଯେ ତାଙ୍କ ହାଇକୋର୍ଟରୁ କୌଣସି ବିଚାରପତି ଯାଆନ୍ତୁ ବା ବାହାରୁ କେହି ଆସନ୍ତୁ, କେବଳ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ । ଆନେ୍ଦାଳନର ଡାକରା ଦିଆ ହୋଇଥିଲା ଏହି ଖବର ଶୁଣି ଯେ, ଓଡ଼ିଶା ହାଇକୋର୍ଟରୁ କେତେକ ବିଚାରପତିଙ୍କର ବଦଳିହେଉଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଏସ୍.ଏଚ୍ କପାଡ଼ିଆ ଜନସ୍ୱାର୍ଥ ଦୃଷ୍ଟିରୁ ୨୦ଜଣ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କର ବଦଳି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ୨୦ଜଣଙ୍କ ଭିତରେ ଓଡ଼ିଶା ହାଇକୋର୍ଟର ମଧ୍ୟ କେତେକ ବିଚାରପତି ଅଛନ୍ତି । ଏମାନଙ୍କର ସଂଖ୍ୟା କେତେ ସ୍ପଷ୍ଟ ହୋଇନାହିଁ । ମାନ୍ୟବର ବିଚାରପତି କାପାଡ଼ିଆ ଏହା କହିଛନ୍ତି ବିଚାରବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବାପାଇଁ । ଯେଉଁମାନେ ବଦଳିବେ ସେମାନଙ୍କର ବିଚାରପତି ଭାବେ ଭୂମିକା ଯେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦୃଷ୍ଟିରେ ବିଚାର ବ୍ୟବସ୍ଥା ପ୍ରତି ଅନୁକୂଳ ନୁହେଁ, ତାହା ସ୍ପଷ୍ଟ । କିନ୍ତୁ ଏହାକୁ ବିରୋଧ, ଅନ୍ୟ କୌଣସି ହାଇକୋର୍ଟରେ ଏହାର ଖବର ଏଯାବତ୍ ଆମ ପାଖରେ ନାହିଁ ଯେପରି କି ଓଡ଼ିଶାରେ ହୋଇଛି । ଏଥିରୁ ବୁଝାପଡ଼ୁଛି ଯେ ଓଡ଼ିଶାର ହାଇକୋର୍ଟ ଓକିଲମାନେ ବିସ୍ଥାପନର ବେଦନା ବୁଝିଛନ୍ତି ଏହା ସାମୟିକ ବଦଳିଜନିତ ହେଉ ପଛେ କିନ୍ତୁ ଏହା କେବଳ ବିଚାରପତିମାନଙ୍କ ବଦଳିରେ ସୀମିତ ନରହି ଯଦି ଆଦିବାସୀ-ସାଧାରଣ ଲୋକଙ୍କର ବିସ୍ଥାପନକୁ ବ୍ୟାପି ଯା’ନ୍ତା-ତା’ହେଲେ ଏକ ନୂତନ ଇତିହାସ ସୃଷ୍ଟି ହୁଅନ୍ତା । ବିଚାରପତିମାନେ ମଧ୍ୟ ବିସ୍ଥାପିତ ସାଧାରଣ ମଣିଷର ବେଦନା ସହିତ ନିଜକୁ ଏକାତ୍ମ କରିପାରନ୍ତେ ରାୟ ଲେଖିବା ସମୟରେ ।
-ଶୁଦ୍ରକ