ବିଟି-ପୂରା ନାଁ ହେଉଛି ବିତିହୋତ୍ର ମହାନ୍ତି । ପିତା ବିଦ୍ୟାଭୂଷଣ ମହାନ୍ତି-ଓଡ଼ିଶା ସରକାରଙ୍କ ଅଧୀନରେ ଡି.ଜି ପାହ୍ୟା ଆଇ.ପି.ଏସ୍ ଅଫିସର ।
ଟଣ୍ଡନ-ପୂରା ନାଁ ହେଉଛି ମଧୁକର ଟଣ୍ଡନ-ରାଜସ୍ଥାନ ସରକାର ଅଧୀନସ୍ଥ ନିଖୋଜ ବରିଷ୍ଠ ଆଇ.ପି.ଏସ୍ ଅଫିସର ।
ରାଠୋର-ଏସ୍.ପି.ଏସ୍.ରାଠୋର୍ ହରିଆନା ସରକାର ଅଧୀନସ୍ଥ ଅବସରପ୍ରାପ୍ତ ଡି.ଜି ।
ରାଠୋରଙ୍କ ବିରୋଧରେ ଅଭିଯୋଗ ଯେ ସେ ଆଇ.ଜି ଥିବା ବେଳେ ୧୪ବର୍ଷ ବୟସ୍କା ନାବାଳିକା ରୁଚିକା ଗିରିହୋତ୍ରଙ୍କୁ ୧୨ଅଗଷ୍ଟ ୧୯୯୦ ମସିହାରେ ଅସଦାଚରଣ/ଧର୍ଷଣ କରିଥିଲେ । ରାଠୋର ତାଙ୍କର ପଦର ଅପବ୍ୟବହାର କରି ରୁଚିକାଙ୍କ ପରିବାରକୁ ଏପରି ହଇରାଣ ହରକତ କଲେ ଯେ ରୁଚିକା ଗିରିହୋତ୍ର ୧୯୯୩ ମସିହାରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ।
ଟଣ୍ଡନଙ୍କ ବିରୋଧରେ ଅଭିଯୋଗ ଯେ ସେ ରାଜସ୍ଥାନ ସରକାରଙ୍କ ଅଧୀନରେ ଡି.ଆଇ.ଜି ଥିବା ବେଳେ ୨୧ଜାନୁଆରୀ ୧୯୯୭ ମସିହାରେ ତାଙ୍କର ଅଧୀନରେ କାର୍ଯ୍ୟକରୁଥିବା ଏକ କନଷ୍ଟେବଲର ପତ୍ନୀକୁ ଧର୍ଷଣ କରିଥିଲେ ।
ବିଟିଙ୍କ ବିରୋଧରେ ଅଭିଯୋଗ ଯେ ସେ ଦିଲ୍ଲୀରେ ଛାତ୍ର ଥିବାବେଳେ ରାଜସ୍ଥାନର ଅଲୱାର ସ୍ଥିିତ ଏକ ହୋଟେଲରେ ତାଙ୍କର ଜଣେ ସମବୟସ୍କା ଜର୍ମାନ ଯୁବତୀଙ୍କୁ ବଳାକ୍ରାର କରିଥିଲେ ୨୧ମାର୍ଚ୍ଚ ୨୦୦୬ ମସିହାରେ ।
ଏହି ତିନୋଟି ଧର୍ଷଣମାମଲାରେ ବିଚାରର ବେଗ ବେଶ୍ ଚକ୍ଷୁ ଉନ୍ମେଷକାରୀ । ୨୫ବର୍ଷ ବୟସ୍କ ଯୁବକ ବିଟିଙ୍କୁ ଘଟଣା ଘଟିବାର ମାତ୍ର ୨୩ଦିନ ଭିତରେ ଅର୍ଥାତ୍ ୧୨ଏପ୍ରିଲ୨୦୦୬ ଦିନ ରାଜସ୍ଥାନରେ ଜୟପୁରସ୍ଥିତ ଫାଷ୍ଟଟ୍ରାକ୍ କୋର୍ଟ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରେ ।
ଟଣ୍ଡନଙ୍କୁତ ଏଯାବତ୍ ପୋଲିସ ଗିରଫ କରିବାରେ ସମର୍ଥ ହେଲା ନାହିଁ-ଦଣ୍ଡ ଦେବା ତ’ ଦୂରର କଥା-ଇତ୍ୟବସରରେ ଯଦିଓ ୧୩ବର୍ଷ ବିତିଗଲାଣି ।
ରାଠୋର ଘଟଣା ଘଟିବାର ଦୀର୍ଘ ୧୯ବର୍ଷ ପରେ ଅର୍ଥାତ୍ ୨୧ ଡିସେମ୍ବର ୨୦୦୯ ଦିନ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବହୁ ଶକ୍ତିଶାଳୀ ସିବିଆଇ କୋର୍ଟ ଦ୍ୱାରା ମାତ୍ର ୬ମାସ କାରାଦଣ୍ଡ ଓ ୧୦୦୦ଟଙ୍କା ଜୋରିମାନାରେ ଦଣ୍ଡିତ ହୁଅନ୍ତି ଓ ତତ୍କ୍ଷଣାତ୍ ଜାମିନରେ ମୁକୁଳି ଯାଆନ୍ତି ।
ଏହା ତ’ ଭିନ୍ନ କଥା ଯେ ଗଣମାଧ୍ୟମ ରାଠୋରଙ୍କର ଅପରାଧ ତୁଳନାରେ ହାଲୁକା ଦଣ୍ଡ ବିରୋଧରେ ସ୍ୱର ଉତ୍ତୋଳନକୁ ତୀବ୍ର କରେ ଓ ସରକାର ପୁନର୍ବାର ଏହି ମାମଲାକୁ ବିଚାର କରିବା ପାଇଁ ନିଷ୍ପତ୍ତ ନିଅନ୍ତି ଓ ରାଠୋର ଗିରଫ ଭୟରେ ଆଗୁଆ ଜାମିନ ପାଇଁ କୋର୍ଟ ପରେ କୋର୍ଟ ଦ୍ୱାରସ୍ଥ ହୁଅନ୍ତି ।
ରାଠୋର ପ୍ରସଙ୍ଗ ଜୋର ଧରିବା ବେଳେ ଟଣ୍ଡନକୁ ଗିିରଫ କରିବା ପାଇଁ ଦାବୀରେ ରାଜସ୍ଥାନ ମୁଖରିତ ହୁଏ । ଟଣ୍ଡନକୁ ଧରିବା ପାଇଁ ୧୩ବର୍ଷ ଧରି ବିଫଳ ହୋଇଥିବା ରାଜସ୍ଥାନ ସରକାର କିନ୍ତୁ ଏହି ଅବସରରେ ଘୋଷଣା କରିଦିଏ ପାରୋଲରେ ଯାଇ ଉଭାନ ହୋଇଯାଇଥିବା ବିଟିହୋତ୍ରଙ୍କ ସନ୍ଧାନ ପାଇଁ ଏକ ବିଶେଷ ସନ୍ଧାନୀ ଦଳର ଗଠନ । କେହି କେହି ଏହାକୁ ଯଦି ଟଣ୍ଡନଙ୍କ ଉପରୁ ଦୃଷ୍ଟିକୁ ବିଚୁ୍ୟତ କରିବାର ଏକ ଚାଲ୍ ବୋଲି ଭାବୁଛନ୍ତି-ତାହାଲେ ଏହାକୁ ସମ୍ପୂର୍ଣ୍ଣ ଭିତ୍ତହୀନ ବୋଲି କୁହାଯାଇପାରିବ ନାହିଁ ।