ହେ ରାମ!

  • 12/09/2015

ଗାନ୍ଧୀ ବ୍ୟବହାର କରୁଥିବା ଚଷମା, ପକେଟ ଘଡ଼ି, ହଳେ ଚପଲ, ଥାଳି ଓ ତାଟିଆକୁ ଜେମସ୍ ଓଟିସ (James Otis)ନାମକ ଜଣେ ଆମେରିକୀୟ ସଂଗ୍ରାହକ (ସେ ମଧ୍ୟ ଜଣେ ଶାନ୍ତିକର୍ମୀ (Peace Activist) ଓ ବୃତ୍ତଚିତ୍ର ନିର୍ମାତା) ନିଲାମ କରିବେ ବୋଲି ଘୋଷଣା କରିବା ଫଳରେ ଭାରତରେ ଯେ ଏକ ହଲଚଲ ସୃଷ୍ଟିହେଲା-ତାହା ସମ୍ବାଦପତ୍ରରୁ ଜଣାପଡ଼େ । ଏହି ନିଲାମ କିପରି ନ ହୋଇପାରିବ – କେନ୍ଦ୍ର ସରକାର ସେଥିପାଇଁ ଅତ୍ୟନ୍ତ ବ୍ୟଗ୍ର ହୋଇଉଠିଲେ । କାରଣ କେନ୍ଦ୍ର ସରକାର ଅନୁଭବ କଲେ ଯେ ଏହିଭଳି ନିଲାମର ଅର୍ଥ ଗାନ୍ଧୀଙ୍କର ନିଜସ୍ୱ ବ୍ୟବହୃତ ଜିନିଷର ବେପାର, ଯାହା ଗାନ୍ଧୀଙ୍କର ନୀତି ପ୍ରତି ଅବମାନନା । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ଅମ୍ବିକା ସୋନି ତ କହିଲେ, ‘ଏହି ସ୍ମାରକୀ ସାମଗ୍ରୀଗୁଡ଼ିକ ଯେପରି ନିଲାମ ଦ୍ୱାରା ହସ୍ତାନ୍ତରିତ ନହୁଏ-ତାହା ଦେଖିବା ପାଇଁ ମୋତେ ପ୍ରଧାନମନ୍ତ୍ରୀଙ୍କଠାରୁ ନିଦେ୍ର୍ଧଶ ମିଳିଛି । ଯଦି ଏହା ନ ହୋଇପାରେ -ତା’ହେଲେ ଶେଷରେ ଆମେ ହିଁ ଏହି ସାମଗ୍ରୀଗୁଡ଼ିକୁ ସଂଗ୍ରହ କରିବୁ । ଆମେ ଦେଖିବୁ ଯେପରି ଏହି ସାମଗ୍ରୀଗୁଡ଼ିକ ଗାନ୍ଧୀଙ୍କ ଦେଶକୁ ହିଁ ଫେରିବ । ଯଦି ଆବଶ୍ୟକ ପଡ଼େ ଆମେ ନିଲାମରେ ଅଂଶଗ୍ରହଣ କରିବୁ । (The Statesman, 6/3/2009, ‘PM wants Gandhis Belongings at any cost’) । ଏକଦା ବ୍ରିଟିଶ୍ ଶାସନକୁ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ଉଚ୍ଛ୍ୱସିତ ପ୍ରଶଂସା କରି ବିତର୍କିତ ହୋଇପଡ଼ିଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଗାନ୍ଧୀଙ୍କ ସାମଗ୍ରୀ ଭାରତକୁ ଫେରାଇ ଆଣିବା ପାଇଁ ଏପରି ନଛୋଡ଼ବନ୍ଧା ନିଦେ୍ର୍ଧଶ ବାସ୍ତବିକ ସ୍ୱାଗତଯୋଗ୍ୟ ଯଦିଓ ଏହାକୁ କେହି କେହି ଏକ ପ୍ରାକ୍ ନିର୍ବାଚନ କୌଶଳ ବୋଲି କହିବା ଅସ୍ୱାଭାବିକ ନୁହେଁ । ପ୍ରଧାନମନ୍ତ୍ରୀଙ୍କର ଏପରି ନିଦେ୍ର୍ଧଶ ସତ୍ତ୍ୱେ ଅମ୍ବିକା ସୋନୀ ମହୋଦୟଙ୍କର ଦୃଢ଼ୋକ୍ତି ସତ୍ତ୍ୱେ-ଗାନ୍ଧୀ ସାମଗ୍ରୀଗୁଡ଼ିକର ନିଲାମ ହେଲା – ଯେଉଁଥିରେ ପ୍ରାୟଃ ୪୦ଜଣ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ଓ ସଙ୍ଗଠନ ଅଂଶଗ୍ରହଣ କରିଥିଲେ ଯାହାଙ୍କ ଭିତରେ କିଛି ପ୍ରବାସୀ ଭାରତୀୟ ମଧ୍ୟ ଥିଲେ । ଏହି ପ୍ରବାସୀ ଭାରତୀୟଙ୍କ ଭିତରେ ଥିଲେ କାନାଡ଼ାର ନାଗରିକ ୭୨ବର୍ଷ ବୟସ୍କ ଇଞ୍ଜିନିୟର ହିମାଦ୍ରି ଶେଖର ରାୟ ଯିଏ ଦଶବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ଆସାମ ଗସ୍ତବେଳେ ଫୁଲମାଳ ପିନ୍ଧାଇଥିଲେ ବୋଲି ଦାବି କରନ୍ତି । ତେବେ ସର୍ବଶେଷରେ ଭାରତର ବିଶିଷ୍ଟ ମଦ ବେପାରୀ, ଶିଳ୍ପପତି ବିଜୟ ମାଲ୍ୟା ହିଁ ଗାନ୍ଧୀଙ୍କର ଏହି ସମାଗ୍ରୀଗୁଡ଼ିକୁ ୯କୋଟି ୩୬ଲକ୍ଷ ଟଙ୍କାରେ (ବା ୧୮ଲକ୍ଷ ଆମେରିକୀୟ ଡଲାର) ନିଲାମ ଡାକି କିଣିଲେ । ଭାରତ ସରକାର ନିଲାମରେ ଅଂଶଗ୍ରହଣ ନ କରି ମଧ୍ୟ ଗାନ୍ଧୀଙ୍କ ସାମଗ୍ରୀ ଯେ ଭାରତକୁ ଫେରିବା ସମ୍ଭବ ହୋଇପାରିଲା, ତାହା ଅନେକଙ୍କୁ ଉଲ୍ଲସିତ କରିଛି-ଏହା ଯଦିଓ ଏକ ବିଡ଼ମ୍ବନା ଯେ ଜୀବନସାରା ମଦ ବିରୋଧରେ ଜନମତ ସୃଷ୍ଟିକରିଥିବା ଗାନ୍ଧୀଙ୍କର ସାମଗ୍ରୀ ଭାରତକୁ ଫେରୁଛି ମଦ ବେପାରୀଙ୍କର ସୌଜନ୍ୟରୁ । ଗାନ୍ଧୀ ବଞ୍ଚôଥିଲେ ଏହାକୁ ବିରୋଧ କରିଥାନ୍ତେ-ଏହା ଗାନ୍ଧୀ ଦୃଢ଼ତା ସହ ପରିଚିତ ଯେ କେହି କହିବ ।
ଏଭଳି ବିଡ଼ମ୍ବନାରୁ ଭାରତ ସରକାର ଗାନ୍ଧୀ ସାମଗ୍ରୀକୁ ରକ୍ଷା କରିପାରିଥାନ୍ତେ ଯଦି ସଂଗ୍ରାହକ ଜେମସ୍ ଓଟିସ୍ଙ୍କର ସର୍ତ୍ତକୁ ମାନିଯାଇଥାନ୍ତେ । ଜେମସ୍ ଓଟିସ୍ଙ୍କର ସର୍ତ୍ତ ଥିଲା ଯେ ଯଦି ଭାରତ ସରକାର ଗରିବଙ୍କ ଉପରେ ଖର୍ଚ୍ଚକୁ ମୋଟ ଘରୋଇ ଉପôାଦନ (GDP)ର ଶତକଡ଼ା ୧ଭାଗରୁ ଶତକଡ଼ା ୫ଭାଗକୁ ବୃଦ୍ଧି କରିବାର ପ୍ରତିଶ୍ରୁତି ଦିଅନ୍ତି ଓ ୭୮ଟି ରାଷ୍ଟ୍ରରେ ଗାନ୍ଧୀଙ୍କର ଅହିଂସାର ବାର୍ତ୍ତାର ପ୍ରଚାର ପ୍ରସାରକୁ ପ୍ରାୟୋଜିତ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି, ତା’ହେଲେ ସେ ଗାନ୍ଧୀ ସାମଗ୍ରୀକୁ ନିଲାମ କରିବାରୁ ନିବୃତ୍ତ ହେବେ । ଓଟିସ୍ଙ୍କର ଏତାଦୃଶ ଗାନ୍ଧୀ ଦର୍ଶନ ସହ ସୁସଙ୍ଗତ ସର୍ତ୍ତକୁ କେନ୍ଦ୍ର ସରକାର ରାଷ୍ଟ୍ର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି ବିଚାର କଲେ ଓ ଓଟିସ୍ଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ଯଦି ଏହି ସର୍ତ୍ତ ଭାରତ ସରକାର ମାନିଥାନ୍ତେ – ତା’ହେଲେ ଗାନ୍ଧୀ ସାମଗ୍ରୀର ନିଲାମଡକା ବନ୍ଦ ହୋଇଥାନ୍ତା । ବିଜୟ ମାଲ୍ୟାଙ୍କ ସୌଜନ୍ୟରୁ ଗାନ୍ଧୀ ସାମଗ୍ରୀ ଭାରତକୁ ଫେରିବା ଘଟଣାକୁ ଏକ ଦୁର୍ଗନ୍ଧମୟ ଗଳି ପଥର ଯାତ୍ରା ସହ ତୁଳନା କରିବାର ଅବସର ସୃଷ୍ଟି ହୁଅନ୍ତା ନାହିଁ ।
ଯାହା ଆହୁରି ଦୁର୍ଭାଗ୍ୟଜନକ ତାହା ହେଉଛି – ମନ୍ତ୍ରୀ ମହୋଦୟଙ୍କର ବକ୍ତବ୍ୟ ଯେ ଭାରତ ସରକାରଙ୍କର ଅନୁରୋଧ ରକ୍ଷାକରି ବିଜୟ ମାଲ୍ୟା ଏହି ନିଲାମରେ ଅଂଶଗ୍ରହଣ କଲେ ଓ ଗାନ୍ଧୀ ସାମଗ୍ରୀର ନିଲାମ ଧରିଲେ । ଅବଶ୍ୟ ଏହାକୁ ଖଣ୍ଡନ କରିଛନ୍ତି ସ୍ୱୟଂ ବିଜୟ ମାଲ୍ୟା । ଏପରି କୌଣସି ଅନୁରୋଧ ଭାରତ ସରକାର କରିନାହାନ୍ତି ବୋଲି ସେ କହିଛନ୍ତି ଓ ଗାନ୍ଧୀଙ୍କ ସାମଗ୍ରୀ ଦେଶକୁ ଉପହାର ଦେଲି ବୋଲି ଏକ ସ୍ପର୍ଦ୍ଧିତ ଘୋଷଣା କରିଛନ୍ତି । (ଧରିତ୍ରୀ, ମାର୍ଚ୍ଚ୭, ୨୦୦୯) ।
ପ୍ରଥମେ ନିଲାମଡାକି ଗାନ୍ଧୀ ସାମଗ୍ରୀର ବେପାର, ଏହି ନିଲାମ ଡାକରେ ଏକ ଭାରତୀୟ ମଦ ବ୍ୟବସାୟୀ ଗାନ୍ଧୀ ସାମଗ୍ରୀକୁ କିଣିପାରିବାର ଦୁର୍ଘଟଣା ଓ ପରିଶେଷରେ ଭାରତ ସରକାର ଓ ମଦ ବ୍ୟବସାୟୀଙ୍କ ଦ୍ୱାରା ପରସ୍ପର ବିରୋଧୀ ବକ୍ତବ୍ୟ – ଗାନ୍ଧୀଙ୍କର ସରଳ ଜୀବନଯାପନ ଶୈଳୀକୁ ପ୍ରତିଫଳିତ କରୁଥିବା ଏହି ସାମଗ୍ରୀଗୁଡ଼ିକୁ ଏକ ଅତ୍ୟନ୍ତ ଜଟିଳ ପରିବେଶ ଭିତରକୁ ନେଇଯାଇଛି ।
ଗାନ୍ଧୀ ବିଚାର ସହ ସୁସଙ୍ଗତ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିବା ଅଥଚ ଗାନ୍ଧୀ ବ୍ୟବହୃତ ସାମଗ୍ରୀକୁ ଭାରତ ଭୂଇଁକୁ ଆଣିବାପାଇଁ ବ୍ୟାକୁଳତା ଦେଖାଇବା-ଭାରତ ସରକାରଙ୍କର ଗାନ୍ଧୀଙ୍କ ପ୍ରତି ଫମ୍ପା ଅନୁରକ୍ତିକୁ ସୂଚିତ କରୁନାହିଁ କି?

Print Friendly, PDF & Email