ଏହା ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଅରିଜିତ ପଶାୟତ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରସାରିତ ହୋଇଛି । (ଧରିତ୍ରୀ, ଜାନୁଆରୀ, ୨୮, ୨୦୦୯) ଓ ସେଥିପାଇଁ ‘ସେମାନଙ୍କୁ ମାନବାଧିକାରର ଫାଇଦା ଉଠାଇବାର ସୁଯୋଗ ଦିଆଯିବା ଉଚିତ ନୁହେଁ’ ବୋଲି କହିଛନ୍ତି ।
ପଶୁର ଅଧିକାର ମାନବାଧିକାରର ପରିସୀମା ଭିତରେ ଯେ ଆସେ ନା – ଏହା ସହିତ ସମସ୍ତେ ଏକମତ ହେବେ । ପଶୁର ଅଧିକାର କେତେ କ’ଣ, ତାହା ଏ ସମ୍ପର୍କରେ ବିଶେଷ ଆଲୋଚନା କରୁଥିବା ସଂରକ୍ଷଣବାଦୀ ବିଶେଷଜ୍ଞମାନେ ବା ଶ୍ରୀମତୀ ମେନକା ଗାନ୍ଧୀ ହିଁ ଭଲଭାବରେ କହିପାରିବେ । ତେଣୁ ଆତଙ୍କବାଦୀଙ୍କୁ ପଶୁ ବୋଲି ଘୋଷଣା କରିଦେବା ପରେ ଆତଙ୍କବାଦୀଙ୍କର ଅଧିକାର ଏହି ସଂରକ୍ଷଣବାଦୀ ବିଶେଷଜ୍ଞଙ୍କ ଦାୟିତ୍ୱ ପରିସରକୁ ଆସିଯିବାର ଏକ ସମ୍ଭାବନା ସୃଷ୍ଟି ହୋଇଯାଉ ନାହିଁ ତ?
ଆତଙ୍କବାଦୀ ସନେ୍ଦହରେ ଗିରଫ ହେବା ଓ ଆତଙ୍କବାଦୀ ବୋଲି ସର୍ବଶେଷରେ ପ୍ରମାଣିତ ହେବା ଭିତରେ ଦୂରତା ବହୁତ । ପୁଲିସ ଗିରଫ କରେ ଆତଙ୍କବାଦୀ ବୋଲି ଅଭିହିତ କରି – କିନ୍ତୁ ବିଚାରାଳୟରେ ବିଚାର କରି ପୁଲିସର ଅଭିଯୋଗକୁ ଭିତ୍ତହୀନ ବୋଲି ବିଚାରପତିମାନେ ସେମାନଙ୍କର ରାୟ ଦେବା ଅସମ୍ଭବ ନୁହେଁ । ଅଭିଜ୍ଞ ବିଚାରପତି ଜଷ୍ଟିସ ପଶାୟତ ଯେତେବେଳେ ‘ଆତଙ୍କବାଦୀମାନେ ପଶୁ’ ଏହିଭଳି ଏକ ଘୋଷଣା କରୁଛନ୍ତି, ସେ ନିଶ୍ଚିତଭାବେ ବିଚାରପରେ ପ୍ରମାଣିତ ଆତଙ୍କବାଦୀମାନଙ୍କୁ ହିଁ ଏପରି କହୁଥିବେ । ତା’ ନହେଲେ ପୁଲିସର କାର୍ଯ୍ୟଧାରା ଓ ବିଚାରାଳୟର କାର୍ଯ୍ୟଧାରା ଭିତରେ ଯେ ପ୍ରଭେଦ ରହିଛି – ତାହା ସାବ୍ୟସ୍ତ ହେବ ନାହିଁ ।
ଆତଙ୍କବାଦୀ କିଏ – ତା’ର ଏକ ପରିଭାଷା ମାନ୍ୟବର ବିଚାରପତି ପଶାୟତ ଦେଇଛନ୍ତି ଯାହା ସମ୍ବାଦପତ୍ରରେ ପ୍ରକାଶ ପାଇଛି । ତାଙ୍କ ଅନୁସାରେ ‘ଆତଙ୍କବାଦୀ ହେଉଛନ୍ତି ସେହି ଲୋକ ଯେଉଁମାନେ କି ଏ.କେ. ୪୭ ଓ ଏ.କେ. ୫୬ରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି’ ଓ ‘ନିରୀହ ଲୋକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀମାନେ ପଶୁ’ ଏହି ପରିଭାଷା ୨୬ନଭେମ୍ବର ଦିନ ବିଳାସମୟ ତାଜ୍ ହୋଟେଲ ଭିତରେ ପଶିଥିବା ଓ ତାଙ୍କ ଭିତରୁ ଧରା ପଡ଼ିଯାଇଥିବା କାସବର ଟିଭି ପର୍ଦ୍ଧାରେ ବନ୍ଧୁକ ସହ ଦେଖାଯାଉଥିବା ଚିତ୍ରକୁ ହିଁ ପୁନର୍ଜୀବିତ କରୁଛି ଓ ଅତ୍ୟନ୍ତ ହାଲୁକା ପରିବେଶରେ ଉପଭୋଗ କରୁଥିବା ନିରସ୍ତ୍ର ବ୍ୟକ୍ତି ମାନଙ୍କର ହତ୍ୟାକୁ ହିଁ ସ୍ମରଣ କରାଇ ଦେଉଛି ।
ଯଦି ଏକ ବ୍ୟାପକ ଅର୍ଥରେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରୁଥିବା ବ୍ୟକ୍ତିକୁ ଆତଙ୍କବାଦୀ ବୋଲି କୁହାଯାଏ, ତା’ହେଲେ ଆମସମାଜର ସବୁଠାରୁ ନିରୀହ ଆଦିବାସୀମାନଙ୍କୁ ଯେଉଁମାନେ ତାଙ୍କର ଜୀବନ ଜୀବିକାରୁ ଉଚ୍ଛେଦ କରି ମୃତୁ୍ୟମୁଖକୁ ଠେଲି ଦେଉଛନ୍ତି – ସେମାନଙ୍କୁ କ’ଣ କୁହାଯିବ? ଆତଙ୍କବାଦ ଦ୍ୱାରା ବିବ୍ରତ ବୁଦ୍ଧିଜୀବୀ/ବୌଦ୍ଧିକ ଗୋଷ୍ଠୀଠାରୁ ଏହାର ଉତ୍ତର ଅପେକ୍ଷା କରାଯାଇ ପାରେ ।