ଅସହାୟତା ବ୍ୟାପୁଛି: ସହରତଳିରୁ ସୁପ୍ରିମକୋର୍ଟ ଯାଏଁ

  • 12/09/2015

ଜୀବନ-ଜୀବିକାକୁ ବିପନ୍ନ କରୁଥିବା ଶକ୍ତିଗୁଡ଼ିକ ସମ୍ମୁଖରେ ସାଧାରଣ ଲୋକର ଅସହାୟତା କିଛି ନୂଆ କଥା ନୁହେଁ-ବିଶେଷତଃ ବର୍ତ୍ତମାନର ଉଦାର ଅର୍ଥନୀତି ପର୍ଯ୍ୟାୟରେ-ଯେତେବେଳେ ଜମି,ଜଳ,ଜଙ୍ଗଲ,ଖଣି,ଖାଦାନ ସବୁକୁ ବଡ଼ ବଡ଼ କମ୍ପାନୀମାନଙ୍କ ହାତକୁ ଟେକିଦେବା ପାଇଁ ଲୋକଙ୍କ ନାଁରେ ତିଆରି ସମ୍ବିଧାନର ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ଏହି ଅସହାୟତା ଗୋପାଳପୁର, କାଶୀପୁର, ଲାଞ୍ଜିଗଡ଼, କଳିଙ୍ଗନଗର, ନନ୍ଦିଗ୍ରାମ ଓ ସିଙ୍ଗୁର ଅଞ୍ଚଳରେ ଯେପରି ଦେଖାଦେଇଛି, ରାସ୍ତାକଡ଼ରେ ବସି ବିକୁଥିବା ଉଠାଦୋକାନୀ ବା ସହରତଳିରେ ବସ୍ତି କରି ରହୁଥିବା ଶ୍ରମିକ ମଧ୍ୟରେ ସେହିପରି ଦେଖାଦେଇଛି । କିନ୍ତୁ ଏହି ଅସହାୟତାବୋଧ ସର୍ବୋଚ୍ଚ ନ୍ୟାୟ୍ୟାଳୟ ସୁପ୍ରିମକୋର୍ଟକୁ ଗ୍ରାସ କରିବ-ତାହା ବାସ୍ତବିକ ଏକ ଅଶ୍ରୁତପୂର୍ବ ସମ୍ବାଦ । (ଦ୍ରଷ୍ଟବ୍ୟ-The Statesman, 6thAugust 2008) ପୁଣି ସର୍ବୋଚ୍ଚ ନ୍ୟାୟାଳୟର ଯେଉଁ ଖଣ୍ଡପୀଠ ନିଜକୁ ଅସହାୟ, (we are helpless)ବୋଲି ଘୋଷଣା କରୁଛି-ସେ ଖଣ୍ଡପୀଠରେ ଅଛନ୍ତି ଶକ୍ତିଶାଳୀ ଓ ବରିଷ୍ଞଷର ଠତାରେ ଦ୍ୱିତୀୟ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଯିଏ ତାଙ୍କର ସହ ବିଚାରପତି (ଜି.ଏସ୍.ସଂଘୱୀ)ଙ୍କ ସହ କହିପାରନ୍ତି ଯେ, ଅଳସୁଆ ସରକାରୀବାବୁଙ୍କୁ ଚାବୁକ ଦରକାର (ଦ୍ରଷ୍ଟବ୍ୟ-The Statesman, 9th August 2008) ଶାନ୍ତିଭୂଷଣଙ୍କ ଭଳି ଜଣେ ବରିଷ୍ଠ ଅଧିବକ୍ତା, ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଓ ନ୍ୟାୟପାଳିକାରେ ହେଉଥିବା ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବର୍ଷିୟାନ, ସମ୍ମାନସ୍ପଦ ନାଗରିକଙ୍କୁ କହିପାରନ୍ତି ରାସ୍ତାକଡ଼ର ପିଲାଙ୍କ ଭଳି ଯୁକ୍ତି କରୁଛ । (You are arguing like a sweet urchin- \âÁaý- The Economic Times, 8th August 2008) । ଏହିଭଳି ଶକ୍ତିଶାଳୀ ବିଚାରପତି ଅସହାୟତା ବୋଧରେ ଆକ୍ରାନ୍ତ ଏବଂ ଏପରି ଆକ୍ରାନ୍ତ ଯେ ଭଗବାନ ମଧ୍ୟ ଏଠି ଅସହାୟ ହେବେ ବୋଲି ସେ ଆମକୁ ସୂଚନା ଦେବାପାଇଁ ପଶ୍ଚାତ୍ପଦ ହୋଇନାହାନ୍ତି । ସାଧାରଣତଃ ମଣିଷ ଯେଉଁଠି ଅସହାୟ ହୋଇପଡ଼େ -ସେତେବେଳେ ସେ ଭଗବାନଙ୍କ ସାହାରା ପାଇଁ ପ୍ରାର୍ଥନା କରେ-ଏହି ବିଶ୍ୱାସରେ ଯେ ଭଗବାନ କୌଣସି ପରିସ୍ଥିତିରେ ଅସହାୟ ନୁହନ୍ତି । କିନ୍ତୁ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଓ ଜି.ଏସ୍. ସଂଘୱୀଙ୍କର ରାୟ ଯେ ଭଗବାନ ମଧ୍ୟ ଏ ଦେଶକୁ ରକ୍ଷା କରିପାରିବେ ନାହିଁ-ଭଗବାନଙ୍କର ଅସହାୟତା ଉପରେ ସୁପ୍ରିମକୋର୍ଟର ମୋହର ବସାଇ ଦେଇଛି । ଯଦି ଏହାପରେ କେହି କୁହେ ଯେ, ଭଗବାନ ଏହି ଦେଶକୁ ରକ୍ଷା କରିପାରିବେ-ତା’ହେଲେ କୋର୍ଟ ଅବମାନନାରେ ଦୋଷୀ ହେବେନାହିଁ ତ?

Print Friendly, PDF & Email