ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ସମନ୍ୱୟ ରହିବା ଉଚିତ ବୋଲି ବିଭିନ୍ନ ମହଲରେ ବିଚାର ଆଲୋଚନା ଚାଲିଛି । ପୂର୍ବେ ଏହିଭଳି ଆଲୋଚନା ହେବାର କୌଣସି ନଜିର ମିଳୁନାହିଁ । ଅର୍ଥାତ ଭାରତ ସ୍ୱାଧୀନ ହେବାପରେ ବହୁଦିନ ଧରି ଆବଶ୍ୟକୀୟ ସମନ୍ୱୟର ଅଭାବ -ଅନୁଭୂତ ହୋଇନଥିଲା । କେବେଠାରୁ ଏହିଭଳି ସମନ୍ୱୟର ଅଭାବ ଦେଖାଗଲା ବା ଏହି ସମନ୍ୱୟକୁ କିଏ ପ୍ରଥମେ ଭାଙ୍ଗିଲା, ତାହା ତ ଗବେଷଣା ସାପେକ୍ଷ । କିନ୍ତୁ ଇତ୍ୟବସରରେ ସୁପ୍ରିମକୋର୍ଟର ଦୁଇ ବିଚାରପତି ମାନ୍ୟବର ଏ.କେ.ମାଥୁର ଓ ମାନ୍ୟବର ମାର୍କେଣ୍ଡୟ କାଟଜୁ ସୁପ୍ରିମକୋର୍ଟର ଅନେକଗୁଡ଼ିଏ ରାୟ ଉପରେ ଟିପ୍ପଣୀ ଦେଇ ଯେତେବେଳେ କୁହନ୍ତି ଯେ ସମ୍ବିଧାନରେ କ୍ଷମତା ବିଭାଜନର ବ୍ୟବସ୍ଥା ଦୃଷ୍ଟିରୁ ଏହି ରାୟଗୁଡ଼ିକରେ ତ୍ରୁଟିବିଚୁ୍ୟତିର ବହୁ ଜ୍ୱଳନ୍ତ ନିଦର୍ଶନ (Glaring Examples of Deviation) ରହିଛି, ସେତେବେଳେ ସେ ସୂଚନା ଦେଉଛନ୍ତି ଯେ ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାର କ୍ଷମତା ପରିସରରେ ହସ୍ତକ୍ଷେପ କରିଛି । (The statesman,14th,Dec2007) ସତେ ଯେପରି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନ୍ୟାୟପାଳିକା ପାଇଁ ଏକ ଲକ୍ଷ୍ମଣରେଖାର ଯେଉଁ ସୂଚନା ଏକଦା ଦେଇଥିଲେ, ତାହାହିଁ ମାନ୍ୟବର ବିଚାରପତିଦ୍ୱୟଙ୍କର ଟିପ୍ପଣୀରେ ପ୍ରତିଫଳିତ ହୋଇଛି । ଏହି ଟିପ୍ପଣୀ ସୂଚିତ କରୁଛି ଯେ, ନ୍ୟାୟପାଳିକା ଭିତରେ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାରେ ନ୍ୟାୟପାଳିକାର ହସ୍ତକ୍ଷେପ ପ୍ରତି ଏକ ଅସମ୍ମତିଭାବ ରହିଛି । ଏହି ଟିପ୍ପଣୀ ଦୁଇ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଦ୍ୱାରା ଦିଆଯାଇଥିବାରୁ ଏହାକୁ ତିନି ବିଚାରପତି ବିଶିଷ୍ଟ ଖଣ୍ଡପୀଠ ମାନିବେ କି ନାହିଁ ତାହା ନ୍ୟାୟପାଳିକା ଭିତରର ଆଭ୍ୟନ୍ତରୀଣ ପ୍ରଶ୍ନ । ତିନି ବିଚାରପତି ବିଶିଷ୍ଟ ଖଣ୍ଡପୀଠର ମତ ଦ୍ୱାରା ଦୁଇ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ପ୍ରଭାବିତ ନ ହେବାର ନଜିର ରହିଛି । ଯେପରି କାର୍ଯ୍ୟରତ ବିଚାରପତି କମିଶନ୍ ଅଫ୍ ଇନ୍କ୍ୟୋରୀ ହୋଇପାରିବା ପ୍ରସଙ୍ଗରେ । ଏହା ନ୍ୟାୟପାଳିକାର ଆଭ୍ୟନ୍ତରୀଣ ପ୍ରଶ୍ନ । ଏହାଦ୍ୱାରା କିନ୍ତୁ ସାମ୍ବିଧାନିକ କ୍ଷମତା ବିଭାଜନକୁ କେନ୍ଦ୍ର କରି ଉଠିଥିବା ମୂଳପ୍ରଶ୍ନ ଅବାନ୍ତର ହୋଇଯାଉ ନାହିଁ ।
ତେବେ ଏହି ତିନି ସାମ୍ବିଧାନିକ ଅଙ୍ଗମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଯେଉଁ ଗୁରୁତ୍ୱ ଦିଆଯାଉଛି, ତାହାର କେନ୍ଦ୍ରରେ ଯଦି ସାଧାରଣ ମଣିଷର ସ୍ୱାର୍ଥ ନ ରୁହେ ତା’ହେଲେ ଏହି ସମନ୍ୱୟ ଦ୍ୱାରା ଏହି ତିନିଅଂଶ ମଧ୍ୟରେ ଚାଲିଥିବା କ୍ଷମତା ସଂଘର୍ଷ ଅବସାନର ସୀମିତ ଲକ୍ଷ୍ୟ ହାସଲ ହୋଇପାରେ, କିନ୍ତୁ ସାଧାରଣମଣିଷର ସ୍ୱାର୍ଥ ସୁରକ୍ଷାର ଯେଉଁ ବୃହତ୍ତର ଲକ୍ଷ୍ୟ ସମ୍ବିଧାନରେ ରହିଛି ତାହା ହାସଲ କରିବା ଦିଗରେ ବେଶି ବାଟ ଯିବା ସମ୍ଭବ ହେବନାହିଁ । ଗତ ଦୁଇଦଶନ୍ଧି ଧରି ଭାରତୀୟ ଅର୍ଥନୀତି ଯେପରି ଅଧିକରୁ ଅଧିକ ଧନୀକ ଶ୍ରେଣୀର ଅକ୍ତିଆର ଭିତରକୁ ଚାଲିଯିବାରେ ଲାଗିଛି ଓ ଅର୍ଥରେ ବଳଶାଳୀ ଏହିଗୋଷ୍ଠୀ ସବୁପ୍ରକାର ନିଷ୍ପତ୍ତକୁ ପ୍ରଭାବିତ କରିବା ପାଇଁ ନିର୍ଲ୍ଲଜ ଉଦ୍ୟମ ଆରମ୍ଭ କରିଦେଇଛି, ସେତେବେଳେ ସମ୍ବିଧାନରେ ଏହି ତିନୋଟି ସ୍ୱୀକୃତ ଅଂଶ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି ହୋଇଛି ଜନବାଦୀ ଚରିତ୍ରକୁ ବଜାୟ ରଖିବା ପାଇଁ ।