୧୬-୩୦ଜୁନ୍ ୨୦୦୭
ଶୁଦ୍ରକ ପୃଷ୍ଠାରେ ଆଗରୁ ଲେଖିଥିଲୁ ଯେ, ସାଧାରଣ ଲୋକର ଦୃଷ୍ଟିରେ ନ୍ୟାୟପାଳିକା, କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ସମସ୍ତେ ଲକ୍ଷ୍ମଣରେଖା ଟପି ଯାଇଛନ୍ତି । ତେଣୁ ବ୍ୟବସ୍ଥାପିକା ମତରେ ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପିବା ଉଚିତ ନୁହେଁ ଓ ଅପରପକ୍ଷରେ ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପିବ ବୋଲି ଦମ୍ଭୋକ୍ତି ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ଅହଂ ଯୁଦ୍ଧ ଓ କ୍ଷମତା ବଣ୍ଟନ ପାଇଁ ଯୁଦ୍ଧ ବୋଲି ଉଲ୍ଲେଖ କରିଥିଲୁ । ଏହି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ସାଧାରଣ ଲୋକମାନଙ୍କର ବିଶ୍ୱାସଭାଜନ ନ ହୋଇପାରିଲେ – ଏମାନେ କ୍ରମଶଃ ନିଜର ପ୍ରାସଙ୍ଗିକତା ହରାଇ ଦେବେ ବୋଲି ନମ୍ରତା ସହ କହିଥିଲୁ । ଏହା କହିବା ଅତିଶୟୋକ୍ତି ହେବ ନାହିଁ ଯେ, ଏହି ତିନୋଟି ଅନୁଷ୍ଠାନ ଉପରେ ଆସ୍ଥା ଓ ବିଶ୍ୱାସ କ୍ରମଶଃ କମିବାରେ ଲାଗିଛି । ତୁଳନାତ୍ମକ ଭାବେ କେଉଁ ଅନୁଷ୍ଠାନ କ୍ଷେତ୍ରରେ ଏହା କ୍ଷୀପ୍ରତର, ତାହାତ ଭିନ୍ନ କଥା । ଅବଶ୍ୟ ନ୍ୟାୟପାଳିକା ଉପରେ ଏହି ଆସ୍ଥା ଯେ ଅନ୍ୟମାନଙ୍କ ତୁଳନାରେ କମ୍ବେଗରେ ହ୍ରାସ ପାଉଛି ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ଯଦିଓ ଏହି ବେଗ ଗତ କିଛିବର୍ଷ ଧରି ବିଶେଷତଃ ଉଦାର ଅର୍ଥନୀତିର ପରିବେଗରେ ଅଧିକ କ୍ଷୀପ୍ରତର ହୋଇଛି ବୋଲି ମନେ ହେଉଛି ।
ସାଧାରଣ ଲୋକଙ୍କର ଧାରଣା ବଢ଼ିବାରେ ଲାଗିଛି ଯେ, ବଡ଼ବଡ଼ୁଆଙ୍କର, ପଇସାବାଲାଙ୍କର ଅନ୍ୟାୟ ବିରୁଦ୍ଧରେ ସେମାନେ ନ୍ୟାୟ ପାଇପାରିବେ ନାହିଁ । ଦେଶର ସବୁ ଆଇନ, ଆଇନର ବୁ୍ୟପôତ୍ତ ଓ ଏହି ବୁ୍ୟପôତ୍ତକୁ ଆଧାର କରି ନିଷ୍ପତ୍ତ ସବୁ ଯେପରି ବଡ଼ ବଡ଼ୁଆଙ୍କର, ପଇସାବାଲାଙ୍କର ସପକ୍ଷରେ ଯିବ ସେହିପରି ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେଉଁମାନେ ଚତୁର ସେମାନେ ଏହି ଧାରଣା ସପକ୍ଷରେ ସବୁବେଳେ ମାଗନ୍ତି ପ୍ରମାଣ । କାରଣ ସେମାନେ ଜାଣନ୍ତି ଏପରି ଧାରଣା ସପକ୍ଷରେ ପ୍ରମାଣ ପାଇବା ଏତେ ସହଜ ନୁହେଁ । ପ୍ରମାଣ ନ ମିଳିବାର ଆପାତତଃ ସମ୍ଭାବନା ଏମାନଙ୍କୁ ବେପରୁଆ କରିଦିଏ । ଏହି ବେପରୁଆ ହୋଇଯିବା ବେଳେ ହିଁ ପ୍ରମାଣ ମିଳିଯାଇଥାଏ । ଏହାହିଁ ବି.ଏମ୍.ଡବ୍ଲୁ୍ୟ ମାମଲାରେ ନିକଟ ଅତୀତରେ ହୋଇଛି । ଦିଲ୍ଲୀର ଏକ ବଡ଼ ଅସ୍ତ୍ରଶସ୍ତ୍ର ବ୍ୟବସାୟୀଙ୍କର ପୁଅ ଓ ଏକଦା ନୌସେନା ମୁଖ୍ୟଙ୍କର ନାତି ଗୋଟିଏ ବହୁମୂଲ୍ୟ ଚାରିଚକିଆ ବି.ଏମ୍.ଡବ୍ଲୁ୍ୟ(BMW) ଗାଡ଼ିରେ ସାଙ୍ଗମାନଙ୍କ ସହ ଫୁର୍ତ୍ତ କରି ବେପରୁଆ ଗାଡ଼ି ଚଳାଉଥିବା ବେଳେ ଏକ ଦୁର୍ଘଟଣା ହୁଏ ଓ ଏଥିରେ ୬ଜଣ ବ୍ୟକ୍ତିଙ୍କର ମୃତୁ୍ୟ ହୁଏ । ଏହା ୧୯୯୯ ମସିହାର ଘଟଣା । ବ୍ୟବସାୟୀଙ୍କର ପୁଅକୁ ଗିରଫ କରାଯାଏ ଓ ୯ମାସ ଜେଲରେ ରହିବା ପରେ ଜାମିନରେ ଛଡ଼ାଯାଏ । ଯେଉଁମାନେ ଏହି ଦୁର୍ଘଟଣା ବ୍ୟବସାୟୀଙ୍କ ପୁଅର ବି.ଏମ୍.ଡବ୍ଲୁ୍ୟ ଗାଡ଼ି ଦ୍ୱାରା ହୋଇଛି ବୋଲି ସାକ୍ଷୀ ଦିଅନ୍ତି ସେମାନେ ଗୋଟିଏ ପରେ ଗୋଟିଏ ଅଦାଲତରେ ତାଙ୍କର ବୟାନ ବଦଳାଇ ଦିଅନ୍ତି । ଏପରି ହୁଏ ଯେ ବି.ଏମ୍.ଡବ୍ଲୁ୍ୟ ଗାଡ଼ି ଦ୍ୱାରା ନୁହେଁ ବରଂ ଏକ ଟ୍ରକ ମାଡ଼ିଯିବା ଫଳରେ ୯ଜଣଙ୍କର ମୃତୁ୍ୟ ହୋଇଛି ବୋଲି କୁହାଯାଏ । ଅର୍ଥାତ୍ ବି.ଏମ୍.ଡବ୍ଲୁ୍ୟ କାର୍ ଏକ ଟ୍ରକ୍ରେ ପରିଣତ ହୋଇଯାଏ ।
ତଥାପି ଜଣେ ସାକ୍ଷୀ (ସୁନୀଲ କୁଲକର୍ଣ୍ଣୀ) ରହିଯାଏ, ଯିଏ ବୟାନ ବଦଳାଇବାକୁ ରାଜି ହୁଏନାହିଁ । ଏଇଠି ଉପୁଜେ ସମସ୍ୟା । ସରକାରୀ ଓକିଲ ଆଇ.ୟୁ ଖାନ ଓ ବ୍ୟବସାୟୀଙ୍କ ପୁଅର ଓକିଲ ଆର୍.କେ. ଆନନ୍ଦ ଏକାଠି ହୁଅନ୍ତି – ଏହି ସାକ୍ଷୀଟିକୁ କୌଣସି ଉପାୟରେ କରାୟତ୍ତ କରିବା ପାଇଁ – ଯେପରିକି ଏହି ସାକ୍ଷୀଟି ତାର ବୟାନ ବଦଳାଇଦେବ ଓ ବ୍ୟବସାୟୀଙ୍କ ପୁଅ ନିଦେ୍ର୍ଧାଷରେ ଖଲାସ ହୋଇପାରିବ । ସେମାନଙ୍କର ଏହିପରି ପ୍ରଚେଷ୍ଟା ଲୋକଲୋଚନକୁ ଆଣେ ଏନ୍.ଡି.ଟିଭି-ଗୋପନୀୟ କ୍ୟାମେରା ଦ୍ୱାରା କଥାବାର୍ତ୍ତାର ଚିତ୍ର ଉତ୍ତୋଳନ କରି ।
ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସାକ୍ଷୀର ତ ନିର୍ଣ୍ଣାୟକ ଭୂମିକା । ପ୍ରମାଣ ଅଭାବରୁ ନିଦେ୍ର୍ଧାଷରେ ଖଲାସ ହେବାର ତ ଅନେକ ଅନେକ ଉଦାହରଣ ରହିଛି । ଆଉ ପ୍ରମାଣର ଅଭାବ ସୃଷ୍ଟି କରିବାର ଦାୟିତ୍ୱ ହେଉଛି ଓକିଲଙ୍କର । ଅପର ପକ୍ଷରେ ବହୁ ନିଦେ୍ର୍ଧାଷ ଲୋକ ଜେଲରେ ବନ୍ଦୀ ଜୀବନ କାଟୁଥିବାର ଦୃଷ୍ଟାନ୍ତମାନ ମଧ୍ୟ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି । ତେବେ ଏହିଭଳି ନିଦେ୍ର୍ଧାଷ ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ଓକିଲମାନଙ୍କର ସଂଖ୍ୟା ଯେତେବେଳେ ହ୍ରାସ ପାଇବାରେ ଲାଗିଛି ସେତେବେଳେ ବଡ଼ ବଡ଼ ଲୋକଙ୍କର ଅପରାଧୀ ସନ୍ତାନସନ୍ତତିମାନଙ୍କର କୃତ ଅପରାଧ ବିରୁଦ୍ଧରେ ପ୍ରମାଣର ଅଭାବ ସୃଷ୍ଟି କରି ପାରୁଥିବା ଓକିଲମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାର ଏହିଭଳି ଦକ୍ଷତା ରହିଛି ସେ ହିଁ ସବୁଠାରୁ ସଫଳ ଓକିଲ ଭାବେ ପ୍ରଚାରିତ ହେଉଛି । ସୁପ୍ରିମକୋର୍ଟଠାରୁ ଆରମ୍ଭ କରି ତଳକୋର୍ଟ ପର୍ଯ୍ୟନ୍ତ ଏହି ଭଳି ‘ଦକ୍ଷ’ ଓକିଲ ଅଛନ୍ତି । ଏମାନେ ଅଧିକ ପଇସା ନିଅନ୍ତି ପ୍ରମାଣର ଅଭାବ ସୃଷ୍ଟି କରିବା ପାଇଁ । ପ୍ରମାଣର ଅଭାବ ସୃଷ୍ଟି କରିବା କିନ୍ତୁ ଏକ ଯୌଥ ପ୍ରକ୍ରିୟା । ପୁଲିସ, ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲ ଏକ ଉଦେ୍ଧଶ୍ୟମୁଖୀ ନହେଲେ ଏହା ସମ୍ଭବ ନୁହେଁ । ଏହା ହୁଏ ସମସ୍ତଙ୍କ ଜାଣତରେ । ଏହିଭଳି ‘ଦକ୍ଷ’ ଓକିଲମାନେ ହିଁ ବିଚାରର ଦଣ୍ଡ ଧରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ଅନେକ ସମୟରେ ।
ତେଣୁ ଆଜି ଯେତେବେଳେ ଆଇ.ୟୁ. ଖାନ୍ ଓ ଆର.କେ. ଅନନ୍ଦ ବି.ଏମ.ଡବ୍ଲୁ୍ୟ ମାମଲାରେ ସାକ୍ଷୀ ସୁନୀଲ କୁଳକର୍ଣ୍ଣୀଙ୍କୁ ଖରିଦ କରିବାର ଉଦ୍ୟମ ଗୋପନୀୟ କ୍ୟାମେରା ଦ୍ୱାରା ଧରିନିଆଯାଇ ସର୍ବସାଧାରଣଙ୍କୁ NDTV ଦ୍ୱାରା (୩୦/୩୧ ମଇ ୨୦୦୭) ପ୍ରଦର୍ଶିତ ହୋଇଛି, ସେତେବେଳେ ସାଧାରଣ ଲୋକଙ୍କର ପ୍ରତିକ୍ରିୟା ଓ ଆଇନଜୀବୀ ସମ୍ପ୍ରଦାୟର ପ୍ରତିକ୍ରିୟାକୁ ସୂକ୍ଷ୍ମ ଭାବରେ ଦେଖିବାର ସୁଯୋଗଟିଏ ସୃଷ୍ଟି ହୋଇଛି ।
କୌଣସି ସାଧାରଣ ଲୋକ ଏହିଭଳି ଉଦ୍ୟମ ଦ୍ୱାରା ବିସ୍ମିତ ହୋଇନାହିଁ ବା ହତଚକିତ ହୋଇନାହିଁ । ବରଂ ସେ କହୁଛି ଯେ ଏହି ଭଳି ପର୍ଦ୍ଧାଫାସ କେବଳ ଓକିଲଙ୍କ ଭିତରେ ସୀମିତ ନରହି ବିଚାରପତି ମହଲକୁ ପ୍ରସାରିତ ହେଉ । ତାର ଯେପରି ବିଶ୍ୱାସ ଯେ ଏହିଭଳି କାରବାର ବିଚାରପତିମାନଙ୍କ ସ୍ତରରେ ମଧ୍ୟ ହେଉଛି ।
ଅଥଚ ଓକିଲମାନଙ୍କର ପ୍ରତିକ୍ରିୟାରୁ ମନେ ହୁଏ ଯେପରି ଏହିଭଳି ଘଟଣା ତାଙ୍କ ସମ୍ପ୍ରଦାୟରେ କଦାପି ଘଟେ ନାହିଁ । ଯଦି ଘଟିଛି ତାହା ଏକ ବ୍ୟତିକ୍ରମ । ତେଣୁ ଏନ.ଡ଼ି.ଏ ସରକାରଙ୍କର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ ତାଙ୍କର ପରିଣତ ବୟସ ସତ୍ତ୍ୱେ ଗଣମାଧ୍ୟମରେ ଚିକ୍ରାର କରି କୁହନ୍ତି-ଏହିଭଳି ଯେଉଁମାନେ କରୁଛନ୍ତି ତାର ଯଦି ପ୍ରମାଣ ହୋଇଯାଏ (ଏହାକୁ ସେ ଦୋହରାଇଛନ୍ତି ବାରମ୍ବାର) ସେମାନଙ୍କୁ ବୃତ୍ତରୁ ଓପାଡ଼ି ଫୋପାଡ଼ି ଦିଆଯାଉ । (୩୦ ମଇ ୨୦୦୭, NDTV) ଅଥଚ ଏହି ସୋରାବଜୀ ହଲିଉଡ୍ÿ ଚିତ୍ରତାରକା ରିଚାର୍ଡ଼ ଗେରଙ୍କ ସର୍ବସାଧାରଣରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଚୁମ୍ବନ ବିରୁଦ୍ଧରେ ଜୟପୁରର ଜଣେ ବିଚାରପତି ଦେଇଥିବା ଜାମିନ ବିହୀନ ପରୱାନାକୁ ନ୍ୟାୟିକ ଅଶାଳୀନତା (Judicial indecency) ବୋଲି ଅଭିହିତ କରିଥିଲେ ।
କହିବା ବାହୁଲ୍ୟ ଯେ, ସାଧାରଣ ଲୋକର ଆଜିର ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଧାରଣା, ନ୍ୟାୟ ବ୍ୟବସ୍ଥା ଭିତରେ ଥିବା ବ୍ୟକ୍ତିମାନଙ୍କର ଧାରଣାଠାରୁ ଭିନ୍ନ । ଯଦିଓ ସମସ୍ତେ ଏକସ୍ୱରରେ କୁହନ୍ତି ଯେ ବ୍ୟବସ୍ଥାର ପ୍ରାସଙ୍ଗିକତା ଓ ଅସ୍ତିତ୍ୱ ସାଧାରଣ ଲୋକର ଧାରଣା, ଆସ୍ଥା ଓ ବିଶ୍ୱାସ ଉପରେ ହିଁ ନିର୍ଭରଶୀଳ ।
ସାଧାରଣ ଲୋକର ଧାରଣାକୁ ଭୁଲ ପ୍ରମାଣିତ କରିବା ପାଇଁ ବ୍ୟବସ୍ଥା ଭିତରର ମୁଣ୍ଡିଆଳମାନେ ସବୁବେଳେ ଚେଷ୍ଟା କରନ୍ତି । ଯାହା ଘଟୁଛି ବୋଲି ସାଧାରଣ ଲୋକ କୁହେ ତାହାକୁ ଜାଣିଶୁଣି ଅସ୍ୱୀକାର କରନ୍ତି । ଏହି ମୁଣ୍ଡିଆଳମାନଙ୍କର ଅର୍ଥବଳ, କ୍ଷମତା ଓ ପ୍ରଭାବ ଓ ବୋଲକରା ବୁଦ୍ଧିଜୀବୀଙ୍କର ବ୍ୟପôତ୍ତ ଏହି ଧାରଣାକୁ ଅମୂଳକ ବୋଲି ପ୍ରମାଣିତ କରିବାପାଇଁ ଅହର୍ନିଶି ଚେଷ୍ଟା କରୁଥିବା ବେଳେ, ଏନ.ଡ଼ି.ଟିଭିର ପର୍ଦ୍ଧାଫାସ ସାଧାରଣ ଲୋକର ଧାରଣା କେତେ ଠିକ ତାହା ପ୍ରତିପାଦିତ କରିବା ସହ ମୁଣ୍ଡିଆଳମାନଙ୍କ ପାଇଁ ନିଶ୍ଚେତକ ଭଳି କାର୍ଯ୍ୟକରେ । ତେବେ ଏହି ନିଶ୍ଚେତକର ପ୍ରଭାବ ଚାଲିଗଲେ ଏହି ମୁଣ୍ଡିଆଳମାନେ କିପରି ଏକଜୁଟ ହେଉଛନ୍ତି ଓ କ’ଣ ରଣନୀତି ଗ୍ରହଣ କରୁଛନ୍ତି ତାହା ପ୍ରତି ସତର୍କ ଦୃଷ୍ଟି ରଖିବା ଉଚିତ ।
ସାଧାରଣ ଜନତାର ଦୁର୍ବଳ ସ୍ମରଣଶକ୍ତି ଉପରେ ଏହି ମୁଣ୍ଡିଆଳମାନଙ୍କର ଖୁବ୍ ଭରସା । ତେଣୁ ପ୍ରଚାର ବାତ୍ୟା କ୍ରମଶଃ ଦୁର୍ବଳ ହୋଇଗଲେ, ଯାହା ହେବାକୁ ବାଧ୍ୟ, ଏହି ନିଶ୍ଚେତ ମୁଣ୍ଡିଆଳମାନେ ପୁନର୍ବାର ମୁଣ୍ଡ ଟେକିବେ ଓ କୌଣସି ନା କୌଣସି କୌଶଳ କରି ଖସିଯିବେ, କାରଣ ଖସାଇବା ଲୋକ ତାଙ୍କରି ଶ୍ରେଣୀର, ତାଙ୍କରି ବିରାଦରୀର, ଏଯାବତ୍ ଧରା ପଡ଼ିନଥିବା ନିଷ୍ପତ୍ତକାରମାନେ । ଅପରପକ୍ଷରେ ଯେଉଁ ଗଣମାଧ୍ୟମରେ ଏହା ପ୍ରଚାରିତ ହେଉଛି-ସେ ମଧ୍ୟ ଏହି ଶ୍ରେଣୀର ପୃଷ୍ଠପୋଷକତା ଉପରେ ନିର୍ଭରଶୀଳ, ତେଣୁ ଶ୍ରେଣୀସ୍ୱାର୍ଥ ଦୃଷ୍ଟିରୁ ଗଣମାଧ୍ୟମ କ୍ରମଶଃ ନୀରବ ହୋଇଯିବ-ଯେଉଁ ସାମ୍ବାଦିକ ଏଭଳି ପର୍ଦ୍ଧାଫାସ କରିଛନ୍ତି-ତାଙ୍କ ଉପରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଏ ତାହେଲେ ନୈତିକତା ପ୍ରତି କିଛିଟା ସମ୍ମାନ ରହିଛି ବୁଝାଯିବ । ଯଦି ହୁଏ, ତାହେଲେ ଏହାଏକ ଆଶ୍ଚର୍ଯ୍ୟର ବିଷୟ ଆଦୌ ହେବ ନାହିଁ ।