ଲକ୍ଷ୍ମଣରେଖା

  • 12/09/2015

ଇତ୍ୟବସରରେ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ମଧ୍ୟରେ ଦ୍ୱନ୍ଦ୍ୱ ରାସ୍ତା ଉପରକୁ ଆସିଛି । ପ୍ରଧାନମନ୍ତ୍ରୀ, ଆଇନମନ୍ତ୍ରୀ, ସୁପ୍ରିମକୋର୍ଟର ବିଚାରପତି, ମୁଖ୍ୟ ବିଚାରପତି – ଏହି ପ୍ରସଙ୍ଗରେ ଖୋଲା ଖୋଲି ମୁହଁ ଖୋଲିଛନ୍ତି । କିଏ କିପରି ଏହି ପ୍ରସଙ୍ଗ ଉପରେ ମତ ପରିବେଷଣ କରିଛନ୍ତି ତାହା ତ’ ଭିନ୍ନକଥା । ପ୍ରଧାନମନ୍ତ୍ରୀ କହିଛନ୍ତି ନ୍ୟାୟପାଳିକାକୁ- ସୀମା ଟପ ନାହିଁ । ମୁଖ୍ୟ ବିଚାରପତି ଏହାର ଉତ୍ତରରେ କହିଛନ୍ତି ଯେ, ଏହିଭଳି ଟେନସନ ଆବଶ୍ୟକ । (ଦ୍ରଷ୍ଟବ୍ୟ-୯ଏପ୍ରିଲ ୨୦୦୭, The Indian Express) । ଯେଉଁ ସମୟରେ ଏହିଭଳି ମତ ମନ୍ତବ୍ୟ ପ୍ରକାଶ ପାଇଲା – ତାହା ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟବିଚାରପତି ମାନଙ୍କର ସମ୍ମିଳନୀ । କଟକଠାରେ ଭାରତୀୟ ବାର କାଉନ୍ସିଲ ଓ ରାଜ୍ୟ ବାର କାଉନ୍ସିଲର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଏହି ବିତର୍କ ପ୍ରତିଧ୍ୱନିତ ହେଲା ଯେତେବେଳେ ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଅରଜିତ୍ ପଶାୟତ କହିଲେ – ‘ଦୁଷ୍ଟ ଶକ୍ତିଙ୍କ ବିନାଶ ସକାଶେ ଲକ୍ଷ୍ମଣ-ରେଖା ଟପିବା ଜରୁରୀ’ ଓ ଆଇନମନ୍ତ୍ରୀ ଏଚ୍.ଆର.ଭରଦ୍ୱାଜ ଦର୍ଶାଇଲେ ଯେ, ‘ସୀତା ଲକ୍ଷ୍ମଣରେଖା ଟପିବା ଦ୍ୱାରା କିପରି ଯୁଦ୍ଧ ହେଲା – କେତେ ରକ୍ତପାତ ହେଲା ଓ ଜୀବନ ହାନି ହେଲା । (ଦ୍ରଷ୍ଟବ୍ୟ ଏପ୍ରିଲ ୧୫, ୨୦୦୭, ଧରିତ୍ରୀ)
ତେବେ ଏହି ବିତର୍କରୁ ଗୋଟିଏ କଥା ସ୍ପଷ୍ଟ ବାହାରି ଆସିଲା ଯେ, ନ୍ୟାୟପାଳିକା ପାଇଁ ଏକ ଲକ୍ଷ୍ମଣରେଖା ରହିଛି ଓ ଏହାକୁ ନ୍ୟାୟପାଳିକା ସ୍ୱୀକାର କରୁଛି – ତା’ ନହେଲେ ଏହାକୁ ଟପିବା ଜରୁରୀ ବୋଲି, ଯେଉଁ ଉଦେ୍ଧଶ୍ୟରେ ହେଉ ନା କାହିଁକି, ମାନ୍ୟବର ବିଚାରପତି କଦାପି କହିନଥାନ୍ତେ ।
କହିବା ବାହୁଲ୍ୟ ଯେ, ‘ଲକ୍ଷ୍ମଣରେଖା’ର ଏକ ଜୋରଦାର ପ୍ରୟୋଗର ଆମେ ସାମ୍ନାସାମ୍ନି ହୋଇଛନ୍ତି । ଏହା ଅବଶ୍ୟ ସମସ୍ତେ ଜାଣନ୍ତି ଯେ, ଲକ୍ଷ୍ମଣ କିଏ ଓ ଜାଣନ୍ତି ସେ କାହିଁକି ଏ ରେଖା ଟାଣି ଯାଇଥିଲା । ଅଥଚ ଦିଅର ଟାଣି ଯାଇଥିବା ରେଖାକୁ ଭାଉଜ ଡେଇଁ ଗଲେ ଓ ବିପଦରେ ପଡ଼ିଲେ । ଏହି ବିପଦରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଆବଶ୍ୟକ ପଡ଼ିଲା ଏକ ବିରାଟ ଯୁଦ୍ଧର । ଭାରତୀୟ ସାହିତ୍ୟକୁ ରାମାୟଣ ଭଳି ଏକ ଅନବଦ୍ୟ କାବ୍ୟ ଉପଲବ୍ଧ ହେଲା । ଯଦି ସୀତା ଲକ୍ଷ୍ମଣରେଖା ଟପି ନଥାନ୍ତେ – ତା’ହେଲେ ‘ରାମାୟଣ’ କ’ଣ ଭାରତୀୟ ସାହିତ୍ୟ ପାଇଥାନ୍ତା? ରାବଣ କେତେ ଦୁଷ୍ଟ ଥିଲା – ତାହା ଆଇନଜ୍ଞମାନେ ହିଁ ନିର୍ଦ୍ଧିଷ୍ଟ ଭାବରେ କହିପାରିବେ । କିନ୍ତୁ ଏତେ ପରାକ୍ରମୀ ରାବଣ, ସୀତାଙ୍କୁ ଅପହରଣ କରିଲେ ମଧ୍ୟ ଧର୍ଷଣ ଭଳି ସେ ଅପରାଧ କରିନାହିଁ -ତାହା ରାବଣର ଏକ ଉନ୍ନତ ଚରିତ୍ରର ପ୍ରମାଣ – ଏହା କେହି ଅସ୍ୱୀକାର କରିବେ ନାହିଁ । ବୋଧହୁଏ ସେଇଥିପାଇଁ ଅନେକେ ବ୍ୟପôତ୍ତ କରି କୁହନ୍ତି ଯେ, ମହାଜ୍ଞାନୀ ରାବଣ ପରମପୁରୁଷ ରାମଙ୍କ ହାତରେ ମରିବାର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସୀତାଙ୍କୁ ଅପହରଣ କରିଥିଲା । ଆଜିକାଲି ଟଙ୍କା ପଇସା ପାଇଁ ପଣବନ୍ଦୀ ରଖାଯାଉଛି-ସେତେବେଳେ ରାମଙ୍କ ହାତରେ ମୃତୁ୍ୟବରଣ କରିବା ପାଇଁ ରାବଣ ସୀତାଙ୍କୁ ପଣବନ୍ଦୀ ରଖିଥିଲା । ଏହି ପଣବନ୍ଦୀ ରଖିବା ଅଭିଯୋଗରେ, ଉଦେ୍ଧଶ୍ୟ ଯାହା ହେଉନା କାହିଁକି, ନିଶ୍ଚିତ ଭାବରେ ରାବଣ ଅପରାଧୀ ବା ଦୁଷ୍ଟ ।
ତେଣୁ ଲକ୍ଷ୍ମଣରେଖା ଯଦି ସୀତା ଟପି ନଥାନ୍ତେ – ତା’ହେଲେ ଅପହରଣ ଅଭିଯୋଗରେ ଅପରାଧୀ ମହାଜ୍ଞାନୀ ରାବଣର ପରମପୁରୁଷ ରାମଙ୍କ ହାତରେ ମୃତୁ୍ୟ ସମ୍ଭବ ହୋଇନଥାନ୍ତା-ତାର ଏହିଭଳି ଏକ ଗୋପନୀୟ ଇଚ୍ଛା ପୂରଣ ହୋଇନଥାନ୍ତା । ସୀତା ଲକ୍ଷ୍ମଣରେଖା ଟପିବା ଦ୍ୱାରା ଏହା ସମ୍ଭବହେଲା । କିନ୍ତୁ ଏହା ଫଳରେ ଯୁଦ୍ଧଯେ ଅବଶ୍ୟମ୍ଭାବୀ ହୋଇପଡ଼ିଲା ତାହାକୁ କିଏ ବା ଅସ୍ୱୀକାର କରିବ । ଏହାଦ୍ୱାରା କେତେ ସାଧାରଣ ଲୋକଙ୍କର ଜୀବନହାନି ହେଲା – କେତେ ଗୃହ ଉଜୁଡ଼ିଗଲା – କେତେ ଯେ ରକ୍ତପାତ ନହେଲା । କହିବା ବାହୁଲ୍ୟ ଯେ, ସୀତା ଲକ୍ଷ୍ମଣରେଖା ଟପିବା ଦ୍ୱାରା ଦୁଷ୍ଟ ରାବଣର ସଂହାର ଯେପରି ହେଲା, ତାର ଗୋପନୀୟ ଇଚ୍ଛା ମଧ୍ୟ ସେପରି ପୂରଣ ହେଲା । ତେଣୁ ଲକ୍ଷ୍ମଣରେଖା ଟପିବା ଦୁଷ୍ଟଶକ୍ତିଙ୍କ ବିନାଶ ପାଇଁ ଜରୁରୀ ବୋଲି ମନେ ହୋଇପାରେ – କିନ୍ତୁ ଏହି ଶକ୍ତିମାନଙ୍କର ଗୋପନୀୟ ଇଚ୍ଛା ଯଦି ଏହାଦ୍ୱାରା ପୂରଣ ହେଉଥାଏ – ତା’ହେଲେ ଲକ୍ଷ୍ମଣରେଖା ଟପିବା ପୂର୍ବରୁ ଜରୁରୀ ହୋଇପଡ଼େ ବାରମ୍ବାର ବିବେକ ସହ ପରାମର୍ଶ ।
ସୀତା ଥରେ ମାତ୍ର ଲକ୍ଷ୍ମଣରେଖା ଟପି ଥିଲେ ଯାହାର ପରିଣତି ହେଲା ଭୟାବହ – ରାବଣ ନିହତ ହେଲା ଓ ତା’ ସହିତ ତାର ରାମଙ୍କ ହାତରେ ମୃତୁ୍ୟର ଇଚ୍ଛା ମଧ୍ୟ ପୂରଣ ହୋଇଗଲା । କିନ୍ତୁ ଲକ୍ଷ୍ମଣରେଖା ଟପିବା ଯଦି ଏକ ଅଭ୍ୟାସ ହୋଇଯାଏ ତା’ହେଲେ ଏହା କେତେଦୂର ଦୁଷ୍ଟଶକ୍ତିମାନଙ୍କର ବିନାଶ କରିବ ବା କେତେଦୂର ସେମାନଙ୍କର ଗୋପନୀୟ ଇଚ୍ଛାକୁ ପୂରଣ କରିବ – ତାହାର ଆକଳନ ଏକ ଉନ୍ନତ ବିଚାରକୁ ହିଁ ଅପେକ୍ଷା କରେ ।
ବ୍ୟାପକ ଅର୍ଥରେ ଲକ୍ଷ୍ମଣରେଖା ଏକ ନିଦେ୍ର୍ଧଶ ବା ନିଦେ୍ର୍ଧଶାବଳୀର ପ୍ରତୀକ – ଯାହାକୁ ଉଲ୍ଲଂଘନ କରିବା ଅର୍ଥ ବିପଦରେ ପଡ଼ିବା । ଏହାକୁ ଉଲ୍ଳଂଘନ କରିବା ଆଇନତଃ ଅପରାଧ ନୁହେଁ ଠିକ ଯେପରି ସମ୍ବିଧାନର ନିଦେ୍ର୍ଧଶିକା ନୀତି (ଧାରା ୩୬ରୁ ୫୧) ପାଳନ ନ ହେଲେ ସରକାର ଆଇନତଃ ଦୋଷୀ ହୁଅନ୍ତି ନାହିଁ । ତେଣୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ବା ସେହିଭଳି ଯେଉଁମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି – ସେମାନେ ଯଦି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦ୍ୱାରା ଟଣା ହେଉଥିବା ଲକ୍ଷ୍ମଣରେଖାକୁ ଉଲ୍ଲଂଘନ କରନ୍ତି -ତା’ହେଲେ ସୁରକ୍ଷା ପାଉଥିବା ବ୍ୟକ୍ତିମାନେ ଆଇନତଃ ଦୋଷୀ ହେବେ ନାହିଁ – କିନ୍ତୁ ଏହା ଫଳରେ ବିପଦରେ ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ । ବୋଧହୁଏ, ଲକ୍ଷ୍ମଣରେଖାକୁ ଏହିଭଳି ଏକ ମର୍ଯ୍ୟାଦା ଦେଇ ରଖାଯାଇଛି – କାରଣ ଯେଉଁମାନଙ୍କ ପାଇଁ ଲକ୍ଷ୍ମଣରେଖା ସେମାନଙ୍କ ଠାରୁ ଆଶା କରାଯାଏ ଯେ, ବିପଦର ଗମ୍ଭୀରତାକୁ ସେମାନେ ଅନୁମାନ କରପାରିବେ ଓ ଲକ୍ଷ୍ମଣରେଖା ଟପିବା କ୍ଷେତ୍ରରେ ସଂଯମ ଆଚରଣ କରିବେ ।
ତେଣୁ ଆଜି ଯଦି ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପୁଛି ବୋଲି ଅଭିଯୋଗ ହେଉଛି ଓ ଏହା ଟପିବା ଜରୁରୀ ବୋଲି ଯୁକ୍ତି ସେହି ନ୍ୟାୟପାଳିକା ଭିତରୁ ହିଁ ଆସୁଛି – ସେତେବେଳେ, ସୀତା ଲକ୍ଷ୍ମଣରେଖା ଟପି ବିପଦରେ ପଡ଼ିଲା ଭଳି, ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପି କୌଣସି ବିପଦରେ ପଡ଼ିଯିବ ନାହିଁ ତ? – ଏଭଳି ଆଶଙ୍କା ସ୍ୱାଭାବିକ ମନଭିତରକୁ ଆସୁଛି । ନ୍ୟାୟପାଳିକା ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯିବାଠାରୁ ବିପଦ ନ୍ୟାୟପାଳିକା ପ୍ରତି କ’ଣ ହୋଇପାରେ? ଏହା ନହେଲେ ତାହା ସମସ୍ତେ ଚାହିଁବେ ଓ ନ୍ୟାୟପାଳିକା ଏଥିପ୍ରତି ସଜାଗ ରହିବେ ବୋଲି ଆଶା କରିବେ । କିନ୍ତୁ ଏହି ଆଶଙ୍କାର କାରଣ ପଢ଼ିପାରୁଥିବା ଲୋକ ପାଇଁ କାନ୍ଥରେ ଯେ ଲେଖାଗଲାଣି – ତାହାକୁ ବିସ୍ତାରିବା ଏଠାରେ ଅନାବଶ୍ୟକ ।
ଲକ୍ଷ୍ମଣରେଖା ଟପିବା ନ ଟପିବା ଏକ ତର୍କ ପ୍ରତିଯୋଗିତାର ବିଷୟ ନୁହେଁ । ଏହା ଏକ ଗମ୍ଭୀର ବିଷୟ । ସବୁ ଭାରତୀୟଙ୍କ ପାଇଁ ଲେଖା ହୋଇଥିବା ସମ୍ବିଧାନ ଦ୍ୱାରା ସୃଷ୍ଟ ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା – ଏକ ସଂଖ୍ୟାନୁ୍ୟନ ପ୍ରଭାବୀ ଧନୀବର୍ଗର ସ୍ୱାର୍ଥରକ୍ଷା ପାଇଁ ଉଦ୍ଧିଷ୍ଟ ନୁହେଁ – ତାହାହିଁ ପ୍ରମାଣ କରିବା ଆଜି ବ୍ୟବସ୍ଥା ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ।
ସାଧାରଣ ମଣିଷର ବିଚାରରେ ଲକ୍ଷ୍ମଣରେଖା ସମସ୍ତେ ଟପି ଯାଇଛନ୍ତି । ତାର ଶୋଷଣ ତୀବ୍ରରୁ ତୀବ୍ରତର ହୋଇଚାଲିଛି । ତାର ଜୀବନ ଜୀବିକାର ସୁରକ୍ଷା ପାଇଁ ତାକୁ ପ୍ରତିନିୟତ ସଂଘର୍ଷ କରିବାକୁ ପଡ଼ୁଛି – ପ୍ରାଣବଳି ଦେବାକୁ ପଡ଼ୁଛି, ତାର ଅସହାୟ ବୋଧ ବଢ଼ୁଛି । କେବଳ କ୍ଷମତାର ଭାଗବଣ୍ଟା ପାଇଁ ପରସ୍ପର ଭିତରେ ଯଦି ଆରମ୍ଭ ହୋଇଛି ଦ୍ୱନ୍ଦ୍ୱ – ତେବେ ଲକ୍ଷ୍ମଣରେଖା ହୋଇଛି ଅସ୍ଥିର ଏଥିରେ ସାଧାରଣ ମଣିଷର ଯାଏ କେତେ, ଆସେ କେତେ?

Print Friendly, PDF & Email