‘ଗାନ୍ଧୀଗିରି’ – ବିଭିନ୍ନ ବିଚାର

  • 12/09/2015

୧୬-୩୦ ଜାନୁଆରୀ ୨୦୦୭

‘ଲଗେ ରହୋ ମୁନ୍ନା ଭାଇ’ ଏକ ହିନ୍ଦି ସିନେମା ଯାହା ଆଜି ବହୁଳଭାବେ ଚର୍ଚ୍ଚିତ । କୁହାଯାଉଛି ଯେ ଯୁବସମାଜ ଏହି ସିନେମା ଦେଖି ଗାନ୍ଧୀଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ବହୁତ । କ୍ରମଶଃ ବିସ୍ମୃତ ହୋଇଯାଉଥିବା, ମୁଖ୍ୟତଃ ଯୁବ ମାନସରୁ, ଗାନ୍ଧୀ ଏହି ସିନେମା ଦ୍ୱାରା ପୁନଶ୍ଚ ଯୁବ ମାନସକୁ ଫେରି ଆସିବେ ଓ ‘ଗାନ୍ଧୀଗିରି’ କରିବେ । ‘ଗାନ୍ଧୀଗିରି’ ଶବ୍ଦକୁ ବିଶୁଦ୍ଧ ଗାନ୍ଧୀବାଦୀମାନେ ନାପସନ୍ଦ କରନ୍ତି । ଏହା ‘ଦାଦାଗିରି’ର ବ୍ୟବହାର ପରି ତାଙ୍କୁ ମନେହୁଏ । ‘ଦାଦାଗିରି’ଶବ୍ଦରୁ ଶକ୍ତିଶାଳୀର ଜୋର ଜବରଦସ୍ତର ଧ୍ୱନି ଶୁଭେ । ପ୍ରଚ୍ଛନ୍ନ ହିଂସ୍ରଭାବର ସୂଚନା ମିଳେ । ‘ଗାନ୍ଧୀଗିରି’ କ’ଣ ଏକ ଜୋର ଜବରଦସ୍ତ ବ୍ୟବହାର? ଏହା ଭିତରେ କେଉଁ ହିଂସ୍ରଭାବ ଲୁକ୍କାୟିତ? ଅସହଯୋଗ, ଅହିଂସା ଆନେ୍ଦାଳନ, ଶୋଷଣ ବିରୁଦ୍ଧରେ ଉପôୀଡ଼ନ ବିରୁଦ୍ଧରେ ଆହ୍ୱାନକୁ କ’ଣ ଏକ ଶକ୍ତିଶାଳୀର ଜୋର ଜବରଦସ୍ତ ବ୍ୟବହାର ବୋଲି କୁହାଯିବ?
ବା ଯଦି ଆଉ ଏକ ବହୁ ବ୍ୟବହୃତ ଶବ୍ଦ ‘ଚାମଚାଗିରି’ର ପୃଷ୍ଠଭୂମିରେ ‘ଗାନ୍ଧୀଗିରି’କୁ ବିଚାର କରାଯାଏ ତାହାହେଲେ ‘ଗାନ୍ଧୀଗିରି’ କ’ଣ ଶକ୍ତିଶାଳୀକୁ ଖୋସାମତି ବୁଝାଇବ? ଅବଶ୍ୟ ମହାତ୍ମା ଗାନ୍ଧୀଙ୍କର ଅଣନାତି ତୁଷାର ଗାନ୍ଧୀ ଏହି ଚଳଚ୍ଚିତ୍ର ଦେଖିବା ପରେ ଗାନ୍ଧୀବାଦ ଶବ୍ଦ ବ୍ୟବହାର ବନ୍ଦ କରି ଦେଇଛନ୍ତି । ତାଙ୍କର ନୂଆ ଶବ୍ଦ ହେଉଛି ‘ଗାନ୍ଧୀଗିରି’ । ତୁଷାର ଭାବନ୍ତି ଯେ ଯୁବପିଢ଼ି ଆଉ ଗାନ୍ଧୀଙ୍କ ବୌଦ୍ଧିକ ସଂଜ୍ଞା ଖୋଜିବାରେ ବ୍ୟସ୍ତ ରହିବେ ନାହିଁ । ମୁନ୍ନାଭାଇ ବ୍ରାଣ୍ଡର ହାସ୍ୟରସ ମାଧ୍ୟମରେ ସେମାନେ ଆବିଷ୍କାର କରିବେ ଜଣେ ନୂଆ ଗାନ୍ଧୀଙ୍କୁ । ତାଙ୍କର ବିଶ୍ୱାସ ଯେ ଆଜି ବାପୁ ବଞ୍ଚôଥିଲେ ଗାନ୍ଧୀଗିରିର ବୋଲି ବା ଭାଷା ହିଁ ବ୍ୟବହାର କରିଥାନ୍ତେ ।
ତେବେ ସିନେମାର କଥାବସ୍ତୁ କ’ଣ? ସିନେମାର ନାୟକ ଯିଏ ନିଜେ ଏଯାବତ୍ ଦାଦାଗିରି କରି ଆସୁଥିଲେ – ସିଏ ଦାଦାଗିରି ଛାଡ଼ି ‘ଗାନ୍ଧୀଗିରି’ର ଆହ୍ୱାନ ଦିଅନ୍ତି । ଶୋଷକର, ଅତ୍ୟାଚାରୀର ହୃଦୟ ପରିବର୍ତ୍ତନ ପାଇଁ ଅତ୍ୟାଚାରୀକୁ ଦୈନନ୍ଦିନ ପୁଷ୍ପଗୁଚ୍ଛ ପଠାନ୍ତି – ତାର ହୃଦୟ ପରିବର୍ତ୍ତନ ନ ହେଲାଯାଏ ମଧ୍ୟ ‘ଗାନ୍ଧୀଗିରି’ କରିବାକୁ ଯାଇ ଗୋଟିଏ ଗାଲରେ ଚାପୁଡା ଖାଇଲା ପରେ ଆର ଗାଲଟିକୁ ଚାପୁଡ଼ା ପାଇଁ ଦେଖାଇ ଦିଅନ୍ତି ।
ଦକ୍ଷିଣ ଆଫ୍ରିକାରେ ‘ଭାଇ’ ବୋଲି ସମ୍ବୋଧିତ ମୋହନଦାସ କରମଚାନ୍ଦ ଗାନ୍ଧୀ ପରବର୍ତ୍ତୀ କାଳରେ ମହାତ୍ମାଗାନ୍ଧୀ ହେଲେ । ସିନେମାରେ ନାୟକ ବମ୍ବେଇଆ ‘ଭାଇ’ ସଞ୍ଜୟ ଦତ୍ତ ‘ଗାନ୍ଧୀଗିରି’ କଲେ । ସାଦୃଶ୍ୟ ଦର୍ଶାଇବା ପାଇଁ ମନେହୁଏ ଏହି ସିନେମାରେ ହୋଇଛି ଉଦ୍ୟମ । ଦାଦାଗିରି କରୁଥିବା ସିନେମାର ନାୟକ ମୁହଁରେ ‘ଗାନ୍ଧୀଗିରି’ ଶବ୍ଦ ପଶିବା ସ୍ୱାଭାବିକ । ଏବଂ ଏହା ମଧ୍ୟ ସ୍ୱାଭାବିକ ଯେ ଏହି କାଟର ଯୁବକମାନଙ୍କ ମୁହଁରେ ହିଁ ‘ଗାନ୍ଧୀଗିରି’ ଶବ୍ଦ ବିଶେଷ ଭାବେ ଶୁଭିବ, ଏହା ସଞ୍ଜୟ ଦତ୍ତ ମାର୍କା ‘ଗାନ୍ଧୀଗିରି’ର ପ୍ରୟୋଗରେ କି ଗାନ୍ଧୀବାଦକୁ ପରିହାସ କରିବାରେ, ତାହା ତ’ ଭିନ୍ନ କଥା । କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯୁବସମାଜ ଏହି ସିନେମା ଦେଖି ଗାନ୍ଧୀଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହେବେ ଓ ଗାନ୍ଧୀଙ୍କ ମାର୍ଗକୁ ଫେରିଆସିବେ, ସେମାନେ ନିଶ୍ଚିତ ସିନେମାକୁ ମନୋରଞ୍ଜନ ଟିକସ ଛାଡ଼ ପାଇଁ ଦାବି କରିବେ ଓ ଗାନ୍ଧୀଙ୍କ ପ୍ରତି ଭକ୍ତି ଓ ଆନୁଗତ୍ୟ ଦର୍ଶାଇବାକୁ ଯାଇ ଆମର କ୍ଷମତାହୀନ ନେତୃତ୍ୱ ଏହି ଦାବୀକୁ ସହସା ମାନିଯିବେ । ସିନେମାଟି ଗାନ୍ଧୀଙ୍କୁ ଆୟୁଧ କରି କରମୁକ୍ତ ହୋଇଯିବ ।
‘ଗାନ୍ଧୀଗିରି’କୁ ଅନେକେ ଗାନ୍ଧୀବାଦର ପ୍ରୟୋଗାତ୍ମକ ଦିଗ ବୋଲି ବିଚାର କରନ୍ତି । ଗାନ୍ଧୀବାଦର ତତ୍ତ୍ୱ ଭିତରକୁ ନ ଯାଇ ଗାନ୍ଧୀଗିରି ଶିଖିଗଲେ ଯଥେଷ୍ଟ ବୋଲି ସେମାନେ ଭାବନ୍ତି – ଠିକ ବିଜ୍ଞାନ ନ ଜାଣି କୌଶଳ ଜାଣିଲା ପରି । ଆଜିକାର ସୂଚନା-ପ୍ରଯୁକ୍ତି ବିଦ୍ୟା ଯୁଗରେ ବିଶେଷତଃ ଯେଉଁ ଦେଶମାନଙ୍କରେ ଶ୍ରମ ଶସ୍ତା, ସେହି ଦେଶମାନଙ୍କରେ କିଛି କୌଶଳ ଶିଖାଇବା ଉପରେ ହିଁ ଗୁରୁତ୍ୱ । ଏହି ସମସାମୟିକ ପରିବର୍ତ୍ତିତ ଦୃଷ୍ଟିକୋଣ ସହ ଖାପ ଖାଉଛି ‘ଗାନ୍ଧୀଗିରି’ର ତାଲିମ । ଯେଉଁମାନେ କୌଶଳକୁ ଲଘୁ ଦୃଷ୍ଟିରେ ଦେଖନ୍ତି – ସ୍ୱାଭାବିକ ସେମାନେ ‘ଗାନ୍ଧୀଗିରି’ ଶବ୍ଦକୁ ଶସ୍ତା କରିବେ ଓ ଗାନ୍ଧୀବାଦର ମର୍ଯ୍ୟାଦା କଦାପି ଦେବେ ନାହିଁ ।
ସିନେମାରେ ‘ଗାନ୍ଧୀଗିରି’ ସଞ୍ଜୟଦତ୍ତ ଜଣେ ପ୍ରଭାବଶାଳୀ ଅଭିନେତା । ସେ ‘ଦାଦାଗିରି’ରୁ ଆରମ୍ଭ କରି ‘ଗାନ୍ଧୀଗିରି’ରେ ଲିପ୍ତ ହେବା କେତେ ବାସ୍ତବ ହୋଇପାରେ ତାହା କେବଳ ପ୍ରତିଷ୍ଠିତ ଦାଦା/ ଗୁଣ୍ଡା/ ଭାଇ ମାନେ ହିଁ କହିପାରିବେ । ଏହା କାଁ ଭାଁ କୌଣସି ‘ଦାଦା’ଙ୍କ ଜୀବନରେ ଘଟିପାରେ – ଦସୁ୍ୟ ରନôାକର ବାଲ୍ମିକୀ ହେଲାପରି । ତେଣୁ ଏହାକୁ ଦେଖି ଅସଲ ‘ଦାଦା’ ମାନେ ଯଦି ମୁରୁକି ହସା ଦେଉଥାନ୍ତି ତା’ହେଲେ ଏଥିରେ କୌଣସି ଅସ୍ୱାଭାବିକତା ନାହିଁ ।

Print Friendly, PDF & Email