ସମ୍ମାନଜନକ ଡକ୍ଟରେଟ୍!

  • 12/09/2015

ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ସମ୍ମାନଜନକ ଡକ୍ଟରେଟ ପ୍ରଦାନ ସମ୍ପ୍ରତି ବେଶ ବିତର୍କିତ ହୋଇପଡ଼ିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟର ଷ୍ଟାଚୁ୍ୟଟ୍ ୧୩୧(୧) ଅନୁସାରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ, କୁଳାଧିପତିଙ୍କର ଅନୁମୋଦନ ପରେ ହିଁ ସେହି ବ୍ୟକ୍ତିମାନଙ୍କୁ ସମ୍ମାନଜନକ ଡକ୍ଟରେଟ (Doctor of Law (LL.D), Doctor of Literature (D.Litt), Doctor of Science (D.sc)) ଦ୍ୱାରା ଭୂଷିତ କରିପାରିବ ଯେଉଁମାନେ ନାମକରା ବ୍ୟକ୍ତି ହୋଇଥିବେ ବା ଶିକ୍ଷା ଓ ଅଧ୍ୟୟନର ଉନ୍ନତି ଦିଗରେ ତାଙ୍କର ଅବଦାନ ଥିବ ବା ଯାହାକୁ ସିଣ୍ଡିକେଟ ଯୋଗ୍ୟ ବୋଲି ବିଚାର କରିବ । କିନ୍ତୁ ଏପରି କୌଣସି ପ୍ରସ୍ତାବ କୁଳାଧିପତିଙ୍କ ସମ୍ମୁଖରେ ଉପସ୍ଥାପିତ ହେବନାହିଁ ଯାହା ସିଣ୍ଡିକେଟର ଦୁଇ ତୃତୀୟାଂଶ ସଭ୍ୟଙ୍କ ଦ୍ୱାରା ପାରିତ ହୋଇନଥିବ । ଇତ୍ୟବସରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଯଥାକ୍ରମେ ୨/୩/୨୦୧୨ ଓ ୨୫/୪/୨୦୧୨ଦିନ ଅନୁଷ୍ଠିତ ହୋଇଯାଇଛି । ୨/୫/୨୦୧୨ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତାବିତ ୭ଜଣ ସମ୍ମାନିତ ବ୍ୟକ୍ତିଙ୍କ ଭିତରୁ ୬ଜଣଙ୍କୁ ଏହି ପଦବୀ ଦ୍ୱାରା ଭୂଷିତ କରାଯାଇଥିବା ବେଳେ ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ମନୁଭାଇ ପଟେଲଙ୍କୁ ଏହି ସମ୍ମାନ ପ୍ରଦାନ ସ୍ଥଗିତ ରଖାଯାଇଛି । କାରଣ ମନୁଭାଇଙ୍କ ନାମରେ ଫୌଜଦାରୀ ମାମଲା ରହିଛି ବୋଲି ଅଭିଯୋଗ ଉଠିଛି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତାବିତ ୮ଜଣ ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତାବିତ ୧୧ଜଣ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରୁ ସୁପ୍ରିମକୋର୍ଟର ବିଚାରପତି ମାନ୍ୟବର ଦୀପକ ମିଶ୍ର- ଏହି ସମ୍ମାନ ଗ୍ରହଣ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।
ଏହି ସମୁଦାୟ ପ୍ରସଙ୍ଗରେ ଯାହା ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଛି ତାହା ହେଉଛି ଆଇନଜ୍ଞମାନଙ୍କୁ ସମ୍ମାନିତ କରିବା-ବିଶେଷତଃ ଯେଉଁମାନେ ସୁପି୍ରମକୋର୍ଟ ସହ ସମ୍ପୃକ୍ତ । ସମୁଦାୟ ପ୍ରସ୍ତାବିତ ୨୬ଟି ନାଁ ଭିତରୁ ୧୧ଜଣ ହେଉଛନ୍ତି- ସୁପି୍ରମକୋର୍ଟ ସହ ସମ୍ପୃକ୍ତ ଆଇନଜ୍ଞ । ଯେପରି ମାନ୍ୟବର ବିଚାରପତି ଅନଙ୍ଗ ପଟ୍ଟନାୟକ, ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ, ଇୟୁ ଲଳିତ, ବର୍ତ୍ତମାନ ସଲିସିଟର ଜେନେରାଲ ରୋହିନ୍ଟନ୍ ନରିମାନ (ଉକ୍ରଳ ବିଶ୍ୱବିଦ୍ୟାଳୟରୁ), ଅରୁଣ ଜେଟଲୀ, ପିନାକୀ ମିଶ୍ର, ଇକବାଲ ଚଗଲା, ମାନ୍ୟବର ବିଚାରପତି ଦୀପକ ମିଶ୍ର (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ), ତେହେମତାନ ରୁସ୍ତମଜୀ ଅନ୍ଧ୍ୟାରୁଜିନା, ଆର.କେ.ଶଙ୍କର ଦାସ ଓ ମହାରାଜପୁରମ୍ ନଟରାଜନ କ୍ରିଷ୍ଣମଣି (ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ) ।
ନିଶ୍ଚିତଭାବରେ ଦୁଇ ତୃତୀୟାଂଶ ସିଣ୍ଡିକେଟ ସଭ୍ୟଙ୍କ ଦ୍ୱାରା ପାରିତ ଏହି ନାଁଗୁଡ଼ିକୁ ସୁପ୍ରିମକୋର୍ଟର ପୂର୍ବତନ ଓକିଲ, ରାଜ୍ୟସଭା ସଦସ୍ୟ ଓ ଆମର ପ୍ରିୟ ରାଜ୍ୟପାଳ ତଥା କୁଳାଧିପତି ମାନ୍ୟବର ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଅନୁମୋଦନ କରିବା ପାଇଁ ଆଦୌ କୁଣ୍ଠିତ ହୋଇନଥିବେ- ବରଂ ଆନନ୍ଦିତ ହୋଇଥିବେ ଆମ ସିଣ୍ଡିକେଟ ସଭ୍ୟମାନଙ୍କର ସୁପି୍ରମକୋର୍ଟର ଆଇନଜ୍ଞମାନଙ୍କ ସମ୍ପର୍କରେ ସୂଚନାର ବ୍ୟାପକତା ଦେଖି । ଯଦିଓ ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଓଡ଼ିଶା ବାହାରର ।
ଏହା ତ ଭିନ୍ନ କଥା ଯେ, ସୁପ୍ରିମକୋର୍ଟର ବିଚାରପତି ମାନ୍ୟବର ଦୀପକ ମିଶ୍ର ବ୍ୟକ୍ତିଗତ କାରଣରୁ ଏହି ସମ୍ମାନଜନକ ଡକ୍ଟରେଟ ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି । କାର୍ଯ୍ୟରତ ବିଚାରପତି ଏହିଭଳି ସମ୍ମାନଜନକ ଡକ୍ଟରେଟ ଗ୍ରହଣ କରିବାର ଔଚିତ୍ୟ ଦ୍ୱାରା ମାନ୍ୟବର ମିଶ୍ର ଦଂଶିତ ହେଲେ କି? ଯଦିଓ ଆଇନତଃ କୌଣସି ବାରଣ ନାହିଁ ।
ହରିଶ ସାଲଭେ ଓ ରୋହିନଟନ୍ ନରିମାନ ସମାବର୍ତ୍ତନ ଉତ୍ସବ ଦିନ ଆସିପାରିଲେ ନାହିଁ । ସେଥିପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ- କୁଳାଧିପତି ଭଣ୍ଡାରେଙ୍କ ସମେତ ଯାଇ ୨୨/୪/୨୦୧୨ଦିନ ଦିଲ୍ଲୀର ଓଡ଼ିଶା ଭବନରେ ଏକ ବିଶେଷ ଉତ୍ସବରେ ଏହି ଦୁଇ ଆଇନଜ୍ଞଙ୍କୁ ସମ୍ମାନଜନକ ଡକ୍ଟରେଟ ଦେଇ ଆସିଲେ । ସେହିଭଳି ପିନାକୀ ମିଶ୍ର ଓ ଇକବାଲ ଚଗଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ଆସିପାରିବେ ନାହିଁ ବୋଲି ଜଣାଇଛନ୍ତି । ଅପେକ୍ଷା କରିବା ଦିଲ୍ଲୀଯାଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ କେଉଁଦିନ ଏହି ଦୁଇଜଣଙ୍କୁ ଏକ ବିଶେଷ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ କରିବେ ।
ତେବେ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ସୁପ୍ରିମକୋର୍ଟର ବଡ଼ ବଡ଼ ଓକିଲମାନେ ସମ୍ମାନଜନକ ଡକ୍ଟରେଟରେ ଭୂଷିତ ହୋଇଥିବା ଦେଖି, ଓଡ଼ିଶାର ମକଦ୍ଧମାଖୋର ବ୍ୟକ୍ତି ନିଶ୍ଚିତ ଭାବରେ ଗର୍ବ ଅନୁଭବ କରିବେ, ଏଥିରେ ସନେ୍ଦହ ନାହିଁ । ଏଥିପାଇଁ ଆମର ସିଣ୍ଡିକେଟଗୁଡ଼ିକ ଓ ମାନ୍ୟବର କୁଳାଧିପତି ଭଣ୍ଡାରେ ଧନ୍ୟବାଦାର୍ହ । ଏହା ତ ଭିନ୍ନକଥା ଯେ ଏହି ଓକିଲ ମାନଙ୍କର ଫିସ୍ ଦେବାପାଇଁ କେତୋଟି ଓଡ଼ିଆ ସକ୍ଷମ ହେବେ!
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଡକ୍ଟରେଟ ପାଇଁ ପ୍ରକାଶିତ ତାଲିକା; ବ୍ରହ୍ମପୁରବାସୀଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି କରିଛି । ସେମାନେ କ୍ଷୁବ୍ଧ ଯେ ଦକ୍ଷିଣଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇ ନାହିଁ । ସେମାନଙ୍କର ଅଭିଯୋଗ ଯେ ଯେଉଁମାନଙ୍କର ସେପରି କୌଣସି ଅବଦାନ ନାହିଁ, ତାଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ ଦିଆଯାଉଛି । (ଦ୍ରଷ୍ଟବ୍ୟ: The Times of India, April 30, 2012) ।
ତେବେ ସମୁଦାୟ ପ୍ରସଙ୍ଗକୁ ଯେଉଁମାନେ ତୀକ୍ଷ୍ଣଦୃଷ୍ଟିରେ ଦେଖୁଛନ୍ତି ସେମାନେ ପ୍ରଶ୍ନ କରିଥାନ୍ତି: ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ସମ୍ମାନସୂଚକ ଡକ୍ଟରେଟର ବିତରଣ କେନ୍ଦ୍ର ହୋଇଗଲା କି?

Print Friendly, PDF & Email