ଶିକ୍ଷା ଅଧିକାର ଆଇନ-୨୦୦୯ରେ ଏକ ବ୍ୟବସ୍ଥା ଅଛି ଯେ ପ୍ରତ୍ୟେକ ସରକାରୀ ଓ ଘରୋଇ ସରକାରୀ ଅନୁଦାନ ପାଉନଥିବା ବିଦ୍ୟାଳୟଗୁଡ଼ିକରେ ଶତକଡ଼ା ୨୫ଟି ସ୍ଥାନ ଗରିବପିଲାଙ୍କୁ ଦିଆଯିବ ଯେଉଁମାନେ ସେଠାରେ ମାଗଣାରେ ଶିକ୍ଷାଲାଭ କରିବେ । ଏହି ବ୍ୟବସ୍ଥା ଅସାମ୍ବିଧାନିକ ବୋଲି ଦାବି କରି ଘରୋଇ ବିଦ୍ୟାଳୟଗୁଡ଼ିକର ସଂଘ ସୁପ୍ରିମକୋର୍ଟରେ ଏକ ମକଦ୍ଧମା ଦାଏର କରିଥିଲେ- ଯାହା ଉପରେ ରାୟ ଗତବର୍ଷ ଅଗଷ୍ଟମାସରୁ ସଂରକ୍ଷିତ ଥିଲା । ପ୍ରକାଶ ପାଇଲା ଚଳିତମାସ(ଏପ୍ରିଲ) ୧୨ ତାରିଖ ଦିନ । ମାନ୍ୟବର ବିଚାରପତିଗଣ ଏହି ବ୍ୟବସ୍ଥା ସମ୍ବିଧାନର ପରିପନ୍ଥୀ ନୁହେଁ ବୋଲି ତାଙ୍କର ରାୟ ଶୁଣାଇ ଘରୋଇ ବିଦ୍ୟାଳୟର ଆବେଦନକୁ ଖାରଜ କରି ଦେଇଛନ୍ତି । ସେମାନଙ୍କ ମତରେ ଏହି ବ୍ୟବସ୍ଥାର ଉଦେ୍ଧଶ୍ୟ ହେଉଛି ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ପିଲାଙ୍କୁ ନେଇ ଏକ ସମ୍ମିଶ୍ରିତ ଶ୍ରେଣୀ ସୃଷ୍ଟି ଦିଗରେ ଅଗ୍ରସର ହେବା, ସମଜାତୀୟ ବା କେବଳ ଏକ ଅପହଞ୍ଚ ଗୋଷ୍ଠୀର ବିଦ୍ୟାଳୟ ଦିଗକୁ ନୁହେଁ । (‘Moving towards composite class rooms with children from diverse backgrounds, rather than homogeneous and exclusivist schools’- The New Indian Express, 13/4/2012) । କହିବା ବାହୁଲ୍ୟ ଯେ, ମାନ୍ୟବର ବିଚାରପତିଗଣ ବଡ଼ଘରର ପିଲାଙ୍କ ବିଦ୍ୟାଳୟରେ ଗରିବଘରର ପିଲାଙ୍କୁ ବସିବାର ସୁଯୋଗକୁ କାଏମ ରଖିବା ପଛରେ ସମାଜରେ ଏହି ଦୁଇଗୋଷ୍ଠୀ ମଧ୍ୟରେ ବ୍ୟବଧାନ ହ୍ରାସକରିବାର ମହତ୍ ଉଦେ୍ଧଶ୍ୟକୁ ହିଁ ବ୍ୟକ୍ତ କରିଛନ୍ତି । କିନ୍ତୁ ଏହିଭଳି ବ୍ୟବଧାନ ହ୍ରାସ ଯଦି ମୂଳ ଲକ୍ଷ୍ୟ ହୁଏ, ତା’ହେଲେ ଆମେ ସରକାରୀ ବିଦ୍ୟାଳୟଗୁଡ଼ିକରେ ବଡ଼ବଡ଼ିଆଙ୍କ ପିଲାମାନଙ୍କର ଶିକ୍ଷା ବାଧ୍ୟତାମୂଳକ କରିଦେବା ପାଇଁ ଏକ ଆଇନ କରିବା ଅଧିକ ପ୍ରାସଙ୍ଗିକ ହେବ ନାହିଁ କି? ଏହାଦ୍ୱାରା ବଡ଼ବଡ଼ିଆମାନେ ସେମାନଙ୍କର ପିଲାଙ୍କ ସ୍ୱାର୍ଥରେ ଏହି ସରକାରୀ ବିଦ୍ୟାଳୟଗୁଡ଼ିକୁ ଉନ୍ନତ କରାଇବେ ଯାହା ଫଳରେ ସାଧାରଣ ଘରର ପିଲାମାନେ ଗୁଣାତ୍ମକ ଶିକ୍ଷା ଏକ ଉନ୍ନତ ପରିବେଶରେ ପାଇପାରିବେ । ଏହିଭଳି ଏକ ଆଇନ କରିବା ପାଇଁ ଆମର ମାନ୍ୟବର ବିଚାରପତିଗଣ ଯଦି ସରକାରଙ୍କୁ ନିଦେ୍ର୍ଧଶ ଦିଅନ୍ତି- ତା’ହେଲେ ଭାରତରେ କ୍ରମବର୍ଦ୍ଧମାନ ବୈଷମ୍ୟକୁ ପ୍ରତିହତ କରିହେବ । -ଶୁଦ୍ରକ