ଭିଟାମାଟି ଛାଡ଼ିବେ ନାହିଁ । ସରକାର ତାଙ୍କୁ କିନ୍ତୁ କରୁଛନ୍ତି ବାଧ୍ୟ । ସେମାନେ ବହୁତ ନେହୁରା ହେଲେ – ଗୁହାରୀ କଲେ । ଦୁର୍ବଳ ହିଁ ତ ନେହୁରା, ଗୁହାରୀ କରେ – ଭାବିଲେ ସରକାର । ତା’ପରେ କମ୍ପାନୀ ଆରମ୍ଭକଲା ଦଖଲ ଅଭିଯାନ । ସଂଘର୍ଷ ହେଲା । କମ୍ପାନୀ ପାଇଁ ଲୋକ ପ୍ରତିନିଧି ସରକାରଙ୍କ ତରଫରୁ ଲୋକଙ୍କ ଉପରେ ଗୁଳି ଚାଲିଲା – ଜଣେ ନୁହେଁ ଦୁଇଜଣ ନୁହେଁ; ୧୩ଜଣ ଆଦିବାସୀ ଟଳିପଡ଼ିଲେ – ଜଣେ ଗୁଳିଚାଳନା ବାହିନୀର ସଦସ୍ୟ ବି ଟଳିପଡ଼ିଲେ – ସାରା ପୃଥିବୀପାଇଁ ଏକ ବିରାଟ ଖବରଟିଏ ହୋଇଗଲା ଏ ଘଟଣା । ଜମି ଆହରଣ ଓ ଜମି ଦେବାପାଇଁ ବାରଣ ଭିତରେ ସଂଘର୍ଷର ଏକ ରକ୍ତାକ୍ତ ଇତିବୃତ୍ତର ଆରମ୍ଭ ହେଲା – ୨୦୦୬ର ଜାନୁଆରୀ ୨ତାରିଖ ଏକ କଳଙ୍କିତ ଦିନ ଭାବରେ ଖ୍ୟାତ ହୋଇଗଲା । କଳିଙ୍ଗନଗର ଏକ ସ୍ଥାନର ଆଉ ନାମ ନୁହେଁ – ଥିବାବାଲା ଓ ନଥିବାବାଲା ଭିତରେ ସଂଘର୍ଷର ପ୍ରତୀକ ହୋଇଗଲା ।
ଭାରତବର୍ଷର ପ୍ରାୟ ସବୁ ରାଜନୈତିକ ନେତା (କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି) ଏହି ଅଞ୍ଚଳକୁ ଚାଲିଲେ – ଏକ ବିରାଟ ଜନଜାଗରଣର ସମ୍ଭାବନାଟିଏ ସୃଷ୍ଟି ହେଲା – ଇତିହାସ ଏକ ନୂତନ ମୋଡ଼ ନେଉଛି ବୋଲି ମନେହେଲା । ପ୍ରଭାବିତ ଆଦିବାସୀମାନେ ସଡ଼କ ଉପରେ ବସିଲେ – ଭିଟାମାଟିରୁ ଉଚ୍ଛେଦ ହେବା ଲୋକ ଆଉ କେଉଁଠି ବସନ୍ତା ଯେ! ଗାଡ଼ି ଚଳାଚଳ ବନ୍ଦ ହେଲା । ସଡ଼କରୁ ଉଠିବା ପାଇଁ ସେମାନେ ସରକରଙ୍କ ପାଖରେ ରଖିଲେ ୩ଟି ଦାବି । ଆଲୋଚନା ପରେ ଆଲୋଚନା ଚାଲିଲା – ସବୁ ହେଲା ବିଫଳ । ଯେଉଁ ସରକାରମାନେ ଏହି ନରସଂହାର ପାଇଁ ଦାୟୀ ତାଙ୍କୁ ନିଲମ୍ବନ କରାଯାଉ – ଏକ ଦାବି ଥିଲା । ସରକାର ବସାଇଦେଲେ ଏକ ତଦନ୍ତ କମିଶନ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କର ଅଧ୍ୟକ୍ଷତାରେ । କହିଲେ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ – କାରଣ ତଦନ୍ତ କମିଶନ ବସିଛି । ଅବଶ୍ୟ ଏହି ଯୁକ୍ତି ମୃତ ଆଦିବାସୀମାନଙ୍କ ପାପୁଲିକଟା ପାଇଁ ଦାୟୀକରି ଡାକ୍ତରମାନଙ୍କୁ ନିଲମ୍ବନ କଲାବେଳେ ପ୍ରୟୋଗ କରାଗଲା ନାହିଁ । ଜାଣିବା ଶୁଣିବା ଲୋକ କହିଲେ ଯେ ନିଲମ୍ବନ ପାଇଁ ତଦନ୍ତ କମିଶନର ରିପୋର୍ଟକୁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ପୂର୍ବେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲାବେଳେ ଚିଲିକା ଅଞ୍ଚଳରେ ସୋରଣ ଗ୍ରାମରେ ହୋଇଥିବା ଗୁଳିକାଣ୍ଡ ଓ ତଦ୍ଜନିତ ମୃତୁ୍ୟ ପାଇଁ ତକ୍ରାଳୀନ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି.ଙ୍କୁ ତ ପୁଣି ନିଲମ୍ବିତ କରାଯାଇ ଥିଲା । ପରେ ବସିଥିଲା ତ୍ରିପାଠୀ କମିଶନ । ଏ ଉଦାହରଣ କାଟୁ କଲାନାହିଁ । କରନ୍ତା ବା କିପରି ? ପ୍ରଚଳିତ ରାଜନୀତିରେ ଲୋକ ପ୍ରତିନିଧିଙ୍କ ପତିଆରା ତ’କ୍ରମଶଃ ଫିକା ହୋଇଚାଲିଛି – ଅମଲାଙ୍କର ପତିଆରା ହିଁ ବୃଦ୍ଧିପାଉଛି । ତେଣୁ ଲୋକସ୍ୱାର୍ଥ ଅପେକ୍ଷା ଅମଲାର ସ୍ୱାର୍ଥ ସୁରକ୍ଷା ସ୍ୱାଭାବିକ ଗୁରୁତ୍ୱ ପାଉଛି । ଅପରପକ୍ଷରେ କ୍ରିକେଟ କୋଚ ଅଷ୍ଟ୍ରେଲୀୟ ଗ୍ରେଗ୍ ଚାପେଲଙ୍କୁ ଚାପୁଡ଼ାଟିଏ ମାତ୍ର ପୁଲିସ ବିଭାଗର ସର୍ବୋଚ୍ଚ କର୍ତ୍ତାଙ୍କର ବିବେକକୁ ଆନେ୍ଦାଳିତ କରିଦେଇଛି । ଏଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟୀ କରାଯାଇଛି ବୋଲି ଖବର ମଧ୍ୟ ପ୍ରକାଶିତ ହୋଇଛି । ପୁଲିସ ଗୁଳିରେ ନିହତ ହୋଇଥିବା ୧୩ଜଣ ଆଦିବାସୀଙ୍କ ପରିବାର ଓ ଘଟଣାରେ ସ୍ତବ୍ଧ ଜନସାଧାରଣ ୧୪ମାସ ଧରି ଅପେକ୍ଷା କରିଥିଲେ ଏହି ମୃତୁ୍ୟ ପାଇଁ ସରକାରଙ୍କର ବିବେକ ଏବେ ବି ଆନେ୍ଦାଳିତ ହୋଇନାହିଁ ।
ତଥାପି ଅନେକେ ଆଶା ବାନ୍ଧି ବସିଥିଲେ ସେ ତଦନ୍ତ କମିଶନର ରିପୋର୍ଟକୁ । ମାନ୍ୟବର ସୁପ୍ରିମକୋର୍ଟଙ୍କର ଇତ୍ୟବସରରେ ଆସିଲା ନିଦେ୍ର୍ଧଶ ଯେ କୌଣସି ହାଇକୋର୍ଟର କାର୍ଯ୍ୟରତ ବିଚାରପତି କମିଶନ ଭାବେ କାର୍ଯ୍ୟ କରିପାରିବେ ନାହିଁ । ଏହା ଫଳରେ ବନ୍ଦ ହୋଇଗଲା କଳିଙ୍ଗନଗର ଘଟଣା ଉପରେ ବସିଥିବା କମିଶନର ତଦନ୍ତ । କାରଣ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଏ.ଏସ୍.ନାଇଡ଼ୁଙ୍କୁ ନିଯୁକ୍ତି ଦିଆ ଯାଇଥିଲା କମିଶନ ଭାବେ । ଯଦିଓ ସୁପ୍ରିମକୋର୍ଟଙ୍କର ଏହି ସଦ୍ୟତମ ନିଦେ୍ର୍ଧଶ ପୂର୍ବରୁ ୨୦୦୨ ମସିହାରେ କାର୍ଯ୍ୟରତ ବିଚାରପତିଙ୍କର କମିଶନ ଭାବେ ନିଯୁକ୍ତି ପ୍ରସଙ୍ଗ ଉପରେ ରାୟ ଦେଇ ସୁପ୍ରିମକୋର୍ଟର ତକ୍ରାଳୀନ ବିଚାରପତି ମାନ୍ୟବର ବି.ଏନ୍.କ୍ରିପାଳ, ୱାଇ.କେ. ସଭରୱାଲ ଏବଂ କେ.ଜି. ବାଲକ୍ରିଷ୍ଣନ୍ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ କମିଶନ ଇନକ୍ୱାରୀ ଆକ୍ଟ ଅନୁସାରେ କୌଣସି କାର୍ଯ୍ୟରତ ବିଚାରପତିଙ୍କୁ କମିଶନ ଭାବରେ ନିଯୁକ୍ତିକୁ ଅସ୍ୱୀକାର କରାଯାଇ ନପାରେ । (Appointment of a sitting Judge to the following offices may not be objectionable( a) As a commission of Inquiry under commissions of Inquiry Act) । ବର୍ତ୍ତମାନ କେ.ଜି. ବାଲକ୍ରିଷ୍ଣନ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ତେବେ ଏକ ବିତର୍କିତ ପରିବେଶ ସୃଷ୍ଟି ହୋଇଛି । କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କର କମିଶନ ଭାବେ ନିଯୁକ୍ତିକୁ ନେଇ । ଫଳସ୍ୱରୂପ ବନ୍ଦ ହୋଇଛି ତଦନ୍ତ କମିଶନର କାର୍ଯ୍ୟ । ତେଣୁ ଗୁଳିକାଣ୍ଡ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୁଦ୍ଧରେ ତଦନ୍ତ କମିଶନ ରିପୋର୍ଟ ଭିତ୍ତରେ ସରକାରଙ୍କ ଦ୍ୱାରା କାର୍ଯ୍ୟନୁଷ୍ଠାନର ସମ୍ଭାବନା ଆଉ ଯେ ନାହିଁ – ଏହା ହିଁ ଜଣାଯାଉଛି । ଆଇନ ଆଙ୍ଗୁଳିରେ ତଦନ୍ତ ଆଜି ନୀରବ ।
ପ୍ରତିବାଦ ଅବ୍ୟାହତ ରହିଛି ଯଦିଓ ଇତ୍ୟବସରରେ ୧୪ମାସ ଧରି ଚାଲିଥିବା ସଡ଼କ ଅବରୋଧକୁ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଧଶକୁ ସମ୍ମାନ ଜଣାଇ ଉଠାଇ ଦିଆଯାଇଛି । ଯଦି ଏହି ନିଦେ୍ର୍ଧଶର ଅନ୍ୟ ଆଚରଣ ହୋଇଥାନ୍ତା ତା’ହେଲେ ସଡ଼କ ଅବରୋଧ ଉଠାଇବା ପାଇଁ ପୁଲିସର ବଳପ୍ରୟୋଗ ସ୍ୱାଭାବିକ ଆଇନ ସମ୍ମତ ହୋଇଯାଇଥାନ୍ତା ।
କମ୍ପାନୀକୁ ଜମି ଦେବାପାଇଁ ଲୋକଙ୍କ ଉପରେ ପୁଲିସର ଗୁଳି ପ୍ରୟୋଗ ଆଇନସମ୍ମତ ଥିଲା କି ନାହିଁ – ତାହା ପ୍ରମାଣ ଅପେକ୍ଷାରେ ଥିବାବେଳେ – ଏହି ବଳପ୍ରୟୋଗକୁ ବିରୋଧ କରି ସଡ଼କ ଉପରେ ବସିଥିବା ଆଦିବାସୀମାନଙ୍କୁ ଉଠାଇବାକୁ ଯାଇ ପୁଲିସର ବଳପ୍ରୟୋଗ ଆଇନ ସମ୍ମତ ହୋଇଯାଇଥାନ୍ତା – ଏହାଠାରୁ ବଳି ବିଡ଼ମ୍ବନା କ’ଣ ବା ହୋଇଥାନ୍ତା ।
ବିଚାରାଳୟର ନିଦେ୍ର୍ଧଶକୁ ସମ୍ମାନ ଜଣାଇ ପ୍ରତିବାଦୀ ଆଦିବାସୀମାନେ ଯେ ଏଭଳି ଏକ ବିଡ଼ମ୍ବିତ ପରିସ୍ଥିତିକୁ ଏଡ଼ାଇ ଦେଲେ ତାହା ସେମାନଙ୍କର ପରିପକ୍ୱତାର ପରିଚୟ ଦିଏ ।
ତେବେ ସମୁଦାୟ ଘଟଣାକୁ ଏକ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ମନକୁ ପ୍ରଶ୍ନ ଆସେ ଯେ ତିନୋଟି ସାମ୍ବିଧାନିକ ସ୍ତମ୍ଭ – ବ୍ୟବସ୍ଥାପିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା ଉପରେ ଦଣ୍ଡାୟମାନ ପ୍ରଚଳିତ ଶାସନ ବ୍ୟବସ୍ଥା ବାହାରେ ଲୋକମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାର ଅବସର ସୃଷ୍ଟି ହୋଇଛି କି? ଏକ ଔପନିବେଶିକ ଶାସନ ବ୍ୟବସ୍ଥାରେ ଲୋକ ନିଜକୁ ବାହାରର ମଣିଷ ବୋଲି ଭାବେ । ବ୍ରିଟିଶ ଶାସନ ବ୍ୟବସ୍ଥାରେ ଭାରତୀୟମାନେ ନିଜକୁ ବାହାରର ମଣିଷ ବୋଲି ଭାବୁଥିଲେ – ନିଜର ଶାସନ ବ୍ୟବସ୍ଥାଟିଏ ପାଇଁ ଆନେ୍ଦାଳନ କଲେ । ସ୍ୱାଧୀନ ଭାରତର ଶାସନ ବ୍ୟବସ୍ଥାରେ ଯଦି ଲୋକ ନିଜକୁ ବାହାରର ମଣିଷ ବୋଲି ଭାବିବାକୁ ବାଧ୍ୟ ହୁଏ ତା’ହେଲେ ଏହି ଦେଶକୁ ସ୍ୱାଧୀନ କରିଥିବା ଓ ଏହି ଦେଶ ଲୋକଙ୍କର ବୋଲି ସମ୍ବିଧାନ ରଚନା କରିଥିବା ବ୍ୟକ୍ତିମାନଙ୍କର ସଂଗ୍ରାମ ଓ ତ୍ୟାଗ ବ୍ୟର୍ଥ ବୋଲି ବୁଝିବାକୁ ହେବ ।
ତେଣୁ କଳିଙ୍ଗନଗର ଘଟଣା ଯେଉଁ ବ୍ୟାପକ ପ୍ରଶ୍ନ ଉତ୍ଥାପିତ କରୁଛି ତାହା ବେଶ୍ ଗମ୍ଭୀର ପ୍ରଶ୍ନ ଯାହାର ଉତ୍ତର ପାଇଁ ସବୁ ସ୍ତରରେ ବିଚାରବନ୍ତ ଆଲୋଚନାର ଆବଶ୍ୟକତା ରହିଛି । ସବାତଳେ ଥିବା ମଣିଷକୁ ବିଚାରରେ ସ୍ଥାନ ଦେବାର ଅପରିହାର୍ଯ୍ୟତା ବଢ଼ୁଛି ।
୧୬-୩୧ ମାର୍ଚ୍ଚ ୨୦୦୭