ଇ-ଆଡ଼ମିଶନ ଦ୍ୱାରା କଲେଜରେ ପଢ଼ିବା ପାଇଁ ବ୍ୟାକୁଳ ବିଦ୍ୟାର୍ଥୀଙ୍କର କେତେ ସୁବିଧା ହେଉଛି ତାହା ଏକ ବିତର୍କିତ ବିଷୟ ହୋଇଥିବା ବେଳେ ଯାହା ଉପରେ କୌଣସି ବିତର୍କର ପ୍ରଶ୍ନ ଉଠେ ନାହିଁ, ତାହା ହେଉଛି ସରକାରଙ୍କର ବା ସରକାରଙ୍କର ପୃଷ୍ଠପୋଷକତାରେ ଇ-ଆଡ଼ମିଶନ ପରିଚାଳନା କରିବାର ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାର ଆୟର ଆକଳନ ଉପରେ । ୨୦୧୧-୧୨ ଶିକ୍ଷାବର୍ଷ ପାଇଁ ଇ-ଆଡ଼ମିଶନର ପରିସରଭୁକ୍ତ ହୋଇଛନ୍ତି +୨ ସ୍ତରରେ ୧୩୧୬ଟି କଲେଜ ଯେଉଁଠାରେ ସିଟ୍ ସଂଖ୍ୟା ହେଉଛି ୩,୦୫,୩୫୬ ଓ +୩ସ୍ତରରେ ୧୬୨ଟି କଲେଜ ଯେଉଁଠାରେ ସିଟ୍ ସଂଖ୍ୟା ହେଉଛି ୫୭,୩୧୨ । ଦୁଇଟି ସ୍ତରରେ ସିଟ୍ ସଂଖ୍ୟାକୁ ଯୋଗକଲେ ଇ-ଆଡ଼ମିଶନ କରାଯାଇଛି ୩,୬୨,୬୬୮ ସିଟ୍ ପାଇଁ । ଇ-ଆଡ଼ମିଶନର ନିୟମ ଅନୁସାରେ ପ୍ରତ୍ୟେକ ଆବେଦନକାରୀ ତା’ର ଆଡ଼ମିଶନ ଫର୍ମରେ କେଉଁ କେଉଁ କଲେଜ ତାହାର ପସନ୍ଦ , ତାହାକୁ ଉଲ୍ଲେଖ କରିବ । ପ୍ରଥମ ପସନ୍ଦ ପରେ ଆଉ ପାଞ୍ଚଟି ପସନ୍ଦ କ୍ରମାନ୍ୱୟରେ ଉଲ୍ଲେଖ କରିପାରିବ । କିନ୍ତୁ ପ୍ରଥମ ପସନ୍ଦ ପାଇଁ ୧୦୦ଟଙ୍କା ଓ ଅନ୍ୟ ପସନ୍ଦ ପାଇଁ ୫୦ଟଙ୍କା ହାରରେ ଦେୟ ଫର୍ମ ସହ ଦାଖଲ କରିବାକୁ ହେବ । ଧରି ନିଆଯାଉ ଯେତିକି ସିଟ୍, ସେତିକି ହିଁ ଆବେଦନକାରୀ ଅଛନ୍ତି, ତା’ହେଲେ ଆବେଦନକାରୀଙ୍କ ସଂଖ୍ୟା ୩,୬୨,୬୬୮ ବୋଲି ଧରିନେବା । ଯଦି ଏମାନେ ସମସ୍ତେ କେବଳ ପ୍ରଥମ ପସନ୍ଦ ହିଁ ନିଜ ନିଜ ଫର୍ମରେ ଉଲ୍ଲେଖ କରିଥାନ୍ତି ଓ ଅତିରିକ୍ତ କୌଣସି ପସନ୍ଦ ଦେଇନଥାନ୍ତି, ତା’ହେଲେ ସମୁଦାୟ ଆୟ ହେବ ୩,୬୨,୬୬୮ ଢ ୧୦୦= ୩କୋଟି ୬୨ଲକ୍ଷ ୬୬ହଜାର ୮୦୦ ଟଙ୍କା । ଯଦି ସମସ୍ତେ ପ୍ରଥମ ପସନ୍ଦ ସହ ସମସ୍ତ ଅତିରିକ୍ତ ପସନ୍ଦ ଉଲ୍ଲେଖ କରିଥାନ୍ତି, ତା’ହେଲେ ସମୁଦାୟ ଆୟ ହେବ ୩,୬୨,୬୬୮ ଢ ୩୫୦= ୧୨ କୋଟି ୬୯ଲକ୍ଷ ୩୩ହଜାର ୮୦୦ଟଙ୍କା । ଯଦି ଧରାଯାଏ, ପ୍ରଥମ ପସନ୍ଦକୁ ଛାଡ଼ି ହାରାହାରି ଦୁଇଟି ପସନ୍ଦ ଆବେଦନକାରୀମାନେ ଦେଇଛନ୍ତି ତା’ହେଲେ ଆୟ ହେବ ୩,୬୨,୬୬୮ ଢ ୨୦୦ = ୭କୋଟି ୨୫ଲକ୍ଷ ୩୩ହଜାର ୬୦୦ ଟଙ୍କା । ଅର୍ଥାତ ଇ-ଆଡ଼ମିଶନ୍ ଦ୍ୱାରା ଏହାର ପରିଚାଳକ ହାରାହାରି ସାତ, ଆଠ କୋଟି ଟଙ୍କା, କଲେଜ ଆଡ଼ମିଶନ ପାଇଁ ବ୍ୟାକୁଳ ପ୍ରାର୍ଥୀଙ୍କଠାରୁ ଅନାୟାସରେ ଆଦାୟ କରିନେଇ ପାରୁଛି । ଏହି ଆଦାୟର ପୃଷ୍ଠଭୂମିରେ, କଲେଜମାନଙ୍କ ପ୍ରତି ସରକାରଙ୍କର ଅବହେଳା ଦେଖିଲେ, ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଯେ ନିଜେ ଏକ ଶୋଷକର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି- ଏହା କହିବା ସତ୍ୟର ଅପଳାପ ହେବ ନାହିଁ । ଛାତ୍ରର ମସ୍ତିଷ୍କ ଅପେକ୍ଷା ତା’ର ମୁଣ୍ଡ ସରକାର ପାଇଁ ଅଧିକ ଆକର୍ଷଣୀୟ ହୋଇଛି । କାରଣ ପ୍ରତ୍ୟେକ ମୁଣ୍ଡପିଛା ଆଦାୟ କୋଟି କୋଟି ଟଙ୍କା ଆୟର ଯେ ବାଟ ଫିଟାଇ ଦେଇଛି! -ଶୁଦ୍ରକ