ଉଚ୍ଚଶିକ୍ଷାର ପଦ ଅବନତି

  • 11/09/2015

ଉଚ୍ଚଶିକ୍ଷା ବିଭାଗ, ନିକଟରେ ହୋଇଯାଇଥିବା ଓଡ଼ିଶା ମନ୍ତ୍ରିମଣ୍ଡଳରେ ଅଦଳବଦଳ ବେଳେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଦାୟିତ୍ୱରୁ ଖସିଯାଇ ରାଷ୍ଟ୍ରମନ୍ତ୍ରୀଙ୍କ ଅଧିନକୁ ଚାଲିଯିବା-ପ୍ରମାଣ କରୁଛି ଯେ ଏହି ବିଭାଗ ଏକ ଅତ୍ୟନ୍ତ ଗୌଣ ବିଭାଗ । ଯଦି ୩ପାହ୍ୟା ମନ୍ତ୍ରିମଣ୍ଡଳ ଥାନ୍ତା-କିଏ ଜାଣେ ଏହାକୁ ଏକ ଉପମନ୍ତ୍ରୀ ହାତକୁ ଠେଲି ଦିଆଯାଇ ନଥାନ୍ତା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ମୁଖ୍ୟଧାରାର ଗଣମାଧ୍ୟମ ଏହି ଭଳି ପଦଅବନତିକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଛି । ଅବଶ୍ୟ ନବୀନ ସରକାରରେ ଏହା ନୂଆ କଥା ନୁହେଁ । ନବୀନ ଉଚ୍ଚଶିକ୍ଷାକୁ ତାଙ୍କ ଦଳରୁ ମନ୍ତ୍ରୀମାନଙ୍କୁ ନେଇନାହାନ୍ତି ପୂର୍ବ ଦୁଇ ମନ୍ତ୍ରିମଣ୍ଡଳରେ ଓ ଯଥାସମ୍ଭବ ଏହାକୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ଦାୟିତ୍ୱ ବାହାରେ ହିଁ ରଖିଛନ୍ତି । ପ୍ରଶାନ୍ତ ନନ୍ଦ, ବିମ୍ବାଧର କୁଅଁର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଥାଇ ଉଚ୍ଚଶିକ୍ଷା ଦାୟିତ୍ୱରେ ଥିଲେ । ସମୀର ଦେ ଅବଶ୍ୟ କ୍ୟାବିନେଟ ପାହ୍ୟାରେ ଉଚ୍ଚଶିକ୍ଷା ଦାୟିତ୍ୱରେ ରହିଥିଲେ । ଯେତେବେଳେ ବିଜେଡ଼ି କେବଳ ସରକାର ଗଢ଼ିଲେ-ସେତେବେଳେ ଦେବୀପ୍ରସାଦ ମିଶ୍ର ଉଚ୍ଚଶିକ୍ଷା ଦାୟିତ୍ୱରେ ରହିଲେ । ଏହା ନିଶ୍ଚିତ ଭାବରେ ନବୀନଙ୍କ ପାଇଁ ଅସ୍ୱସ୍ତିକର ହୋଇଥିବ । ତେଣୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ଜଣେ ମନ୍ତ୍ରୀଙ୍କ ହାତରେ ଉଚ୍ଚଶିକ୍ଷା ବିଭାଗକୁ ଟେକିଦେଇ ସେ ଆଶ୍ୱସ୍ତ ହୋଇଥିବେ । ବିଡ଼ମ୍ବନା ଯେ ଉଚ୍ଚଶିକ୍ଷା ପ୍ରତି ଏକ ହେୟ ମାନସିକତା ଦ୍ୱାରା ଆକ୍ରାନ୍ତ ରାଜନୈତିକ ନେତୃତ୍ୱ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରେ । ଉଚ୍ଚଶିକ୍ଷା ପାଇଁ ଓଡ଼ିଶାରେ ଗଢ଼ା ହୋଇଥିବା ଟାସ୍କ ଫୋର୍ସର ଶିକ୍ଷାବିତ୍ ସଦସ୍ୟମାନେ ଓ ଏହି ଟାସ୍କଫୋର୍ସକୁ ପୃଷ୍ଠପୋଷକତା କରୁଥିବା ଘରୋଇ ପ୍ରତିଷ୍ଠାନ ଏଚ୍.ଡି.ଏଫ୍-ଉଚ୍ଚଶିକ୍ଷାର ଏହିଭଳି ପଦ ଅବନତି ସମ୍ପର୍କରେ କିପରି ପ୍ରତିକ୍ରିୟା କରୁଛନ୍ତି- ତାହାହିଁ ଦେଖିବାକୁ ରହିଲା ।
-ଶୁଦ୍ରକ

Print Friendly, PDF & Email