ଓଡ଼ିଆ ସାରସ୍ୱତ ଜଗତ ଯେ ଆଉ ଏକ ଚିତ୍ତଦାସ ପାଇବ ନାହିଁ, ଏହା କହିବା ଅନାବଶ୍ୟକ । ତୀର୍ଯ୍ୟକ ମତ ମନ୍ତବ୍ୟର ଲଳିତ ଅଭିବ୍ୟକ୍ତିରେ ତାଙ୍କର ଲେଖନୀ ଥିଲା ଧୁରୀଣ । କଠୋର ଶବ୍ଦଗୁଡ଼ିକ ମସୃଣ ହୋଇଯାଉଥିଲା ତାଙ୍କର ସ୍ୱରରେ । ସମସ୍ତଙ୍କଠାରୁ ଭିନ୍ନ ଦେଖିବା, ଭିନ୍ନକହିବା ଓ ନିଜ ସହିତ ଆଦୌ ପ୍ରବଞ୍ଚନା ନକରିବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଅନନ୍ୟ ଦିଗ । ପୁରୀ ସ୍ୱର୍ଗଦ୍ୱାରରେ ନୁହେଁ ବରଂ ଗାଁ ବାଗଲପୁରର ଶ୍ମଶାନରେ ତାଙ୍କର ମରଶରୀରକୁ ପୋଡ଼ିବା ପାଇଁ ତାଙ୍କର ଥିଲା ତୀକ୍ଷ୍ଣ ନିଦେ୍ର୍ଧଶ । ଗୋପବନ୍ଧୁ ଶତବାର୍ଷିକୀ ପାଳନବେଳେ, ଯେତେବେଳେ ସମସ୍ତେ ଗୋପବନ୍ଧୁଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନ-ବିଦ୍ୟାଳୟକୁ ସ୍ମରଣ କରି ପ୍ରଚୁର ଗୌରବ ଅନୁଭବ କରୁଥିଲେ ସେତେବେଳେ, ଏକ ସାଧାରଣ ସଭାରେ, ସେ ପ୍ରଶ୍ନ କରୁଥିଲେ ଯେ ସତ୍ୟବାଦୀ ବନବିଦ୍ୟାଳୟରୁ ଛାତ୍ରମାନେ କାହିଁକି ଛାଡ଼ି ଚାଲିଯାଉଥିଲେ? ଦାବି କରୁଥିଲେ ଏକ ଅନୁଶୀଳନ । ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ବିପନ୍ନ ବୋଲି ଯେତେବେଳେ ହେଉଥାଏ ପ୍ରତିକ୍ରିୟା (୧୯୮୮ମସିହାରେ ତକ୍ରାଳୀନ ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ବିରୁଦ୍ଧରେ) ଓ ସମସ୍ତେ ସରକାରଙ୍କୁ ଖଳନାୟକ ଭାବେ ଚିତ୍ରଣ କରୁଥାନ୍ତି-ସେତେବେଳେ ସେ କହୁଥାନ୍ତି, ‘ସରକାରଙ୍କୁ ମୁଁ ବ୍ୟକ୍ତିଗତ ଭାବେ-ଆପଣମାନେ ତ’ ମୋ ସହିତ କେଭେ ଏକମତ ହେବେନି, ଗଭୀର କୃତଜ୍ଞତା ପ୍ରକାଶ କରୁଛି ଯେ ସରକାର କ’ଣ ଗୋଟାଏ ଖଞ୍ଜ କରିଦେଲେ, ଜାଣତରେ ହେଉ କି ଅଜାଣତରେ ହେଉ, ଯାହା ଫଳରେ ଆମେ, ମୁଣ୍ଡଗୁଡ଼ାକ ଥାଇକରି ମଧ୍ୟ ଯାହା ହୃଦୟଙ୍ଗମ କରିପାରୁନଥିଲୁ, ଏତେବେଳେ ହୃଦୟଙ୍ଗମ କଲୁ ଯେ ମେରୁଦଣ୍ଡଭଳିଆ କିଛି ଗୋଟାଏ ଏ ଦେଶରେ ଆମମାନଙ୍କର ଅତିକମ୍ରେ ଥିବା ଦରକାର । ଅଛି କି ନାହିଁ- ତା’ତ ପରେ ହୃଦୟଙ୍ଗମ କରିବା ।’ (ଦ୍ରଷ୍ଟବ୍ୟ:University Autonomy Trampled: Proceedings of the Seminar on University Autonomy, 29th January 1989). ଶିକ୍ଷା ଦର୍ଶନରେ ପ୍ରାଜ୍ଞ ଓ ପ୍ରୟୋଗରେ ବିଚକ୍ଷଣ ଚିତ୍ତରଞ୍ଜନ ବରଣ କରିନେଇଥିଲେ ଅଣପାରମ୍ପରିକ ଶିକ୍ଷକତାକୁ, ସମସାମୟିକ ବିଶ୍ୱବିଦ୍ୟାଳୟଗୁଡ଼ିକ ତାଙ୍କ ପାଇଁ ଥିଲା ଗୁହାଳ । ସେ କହୁଥିଲେ, ‘ଏ ଗୁହାଳ ଆଉ ବେଶୀଦିନ ଚାଲିପାରିବ ନାହିଁ । ଏ ଗୁହାଳ ଭିତରେ ଷଣ୍ଢ ଭଳିଆ ଗତ ୪୦ବର୍ଷ ହେଲା ରହିଆସିଛନ୍ତି, ସେମାନେ କହୁଛନ୍ତି ସବୁ କ୍ଷମତା ଆମକୁ ଦେଇଦିଅ । ଆମ୍ଭେମାନେ ସମସ୍ତଙ୍କୁ ଶୁଦ୍ଧ କରିଦେବୁ । ଏ ଷଣ୍ଢଗୁଡ଼ାକୁ ବି ଆଉ ବିଶ୍ୱାସ ନାହିଁ । ସମୁଦାୟ ଗୁହାଳ ସଫା ହେବ ।’ କିନ୍ତୁ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଉପରେ ଡିବେଟ ଓ ବିତର୍କ ଯାହା ବହୁପୂର୍ବରୁ ଆରମ୍ଭ ହେବା କଥା ତାହା ଯେ ହୋଇପାରି ନାହିଁ, ସେଥିପାଇଁ ସେ ‘ଗୟଳ’ମାନଙ୍କୁ ଦାୟୀ କରି କହୁଥିଲେ,‘ଆମ୍ଭେମାନେ ଯେଉଁ ୟୁନିଭରସିଟିରୁ ବାହାରିଛୁ ଗୟଳମାନେ-ସେମାନେ ଜାଣି ଜାଣି କରି ଏ ଡିବେଟ୍ଟାକୁ ବନ୍ଦକରି ରଖିଛୁ ଏବଂ ୟୁନିଭରସିଟିକୁ ଏକ ଦ୍ୱୀପରେ ପରିଣତ କରିଦେଇଛୁ । ତା ପାଇଁ ଗୋଟିଏ ଝଷବଳସଦ୍ଭଶ କ୍ଟଲ ଗ୍ଧଷର ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ ଆରମ୍ଭ ହେଉ ।’ ଏହି ମନ୍ତବ୍ୟର ପ୍ରାୟଃ ୧୬/୧୭ବର୍ଷ ପରେ ସେ କହୁଥିଲେ ବିଶ୍ୱବିଦ୍ୟାଳୟର ଫାଉଣ୍ଡେସନ ଡେ (Foundation Day) ପାଳନ ଅବସରରେ ଯେ ବିଶ୍ୱର ବିଶ୍ୱବିଦ୍ୟାଳୟ ଇତିହାସରେ କିପରି ଘଟିଛି ଏକ ବିରଳ ଘଟଣା: ଏକଦା ବିଶ୍ୱବିଦ୍ୟାଳୟର କୁଳପତି କିପରି ନିଯୁକ୍ତି ପାଇଛି ଅବକାରୀ କମିଶନର ଭାବେ ।
ଯାହା ଅନ୍ୟମାନଙ୍କୁ ଦୃଶ୍ୟ ହୁଏନାହିଁ, ତାହା ତାଙ୍କୁ ଦୃଶ୍ୟ ହୁଏ । ସ୍ୱର ଉଚ୍ଚ ହୁଏନାହିଁ-ଅଥଚ କାନକୁ ଯେତିକି ଭେଦେ,ତାହାଠାରୁ ଅଧିକ ଭେଦେ ମରମକୁ ।
ପ୍ରବନ୍ଧ ସାହିତ୍ୟରେ ତାଙ୍କର ଲେଖନୀ ସୃଷ୍ଟି କରିଛି ଏକ ନୂତନ ସ୍ପନ୍ଦନ । ପ୍ରତିଟିଧାଡ଼ିରେ ପାଠକ ପାଇଚି ନୂତନ ସ୍ପର୍ଶର ଆନନ୍ଦ-ତାହା ଶବ୍ଦର ହେଉ ବା ଦୃଷ୍ଟିର ହେଉ । ଅତୀତର ବୁ୍ୟପôତ୍ତରେ ଯେଉଁ ମୌଳିକତା ଓ ଗଭୀରତା, ସେହି ମୌଳିକତା ଓ ଗଭୀରତା ଦୃଶ୍ୟ ହୋଇଛି ସମସାମୟିକ ସ୍ଥିତିର ବୁ୍ୟପôତ୍ତରେ । ଏକ ଅବକ୍ଷୟମାଣ ରାଜନୈତିକ ସଂସ୍କୃତିରେ ଯେତେବେଳେ ନବକୃଷ୍ଣଚୌଧୁରୀଙ୍କ ଭଳି ରାଜନେତା ଜନସ୍ମୃତିରୁ ଅପମୃୟମାଣ, ସେତେବେଳେ ସେ ସାହିତ୍ୟକୁ ଦେଇଛନ୍ତି ନବକୃଷ୍ଣ ଚୌଧୁରୀଙ୍କର ଜୀବନୀ, ଯାହା ନବକୃଷ୍ଣ ଚୌଧୁରୀଙ୍କର ଜୀବନୀ ରଚନାପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିଛି । ଏଇଥିପାଇଁ ବୋଧହୁଏ, ନବକୃଷ୍ଣ ଚୌଧୁରୀଙ୍କ ଉପରେ ଯେତିକି ସଂଖ୍ୟାର ଜୀବନୀ ପୁସ୍ତକ ଲେଖା ହୋଇଛି- ତାହା ଓଡ଼ିଶାର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ଉପରେ ଲେଖା ହୋଇନାହିଁ ।
ଚିତ୍ତ ଦାସ ତାଙ୍କ ଚିତ୍ତର ମୁନିବ ଥିଲେ । ତାଙ୍କ ସହ କିଏ ଏକମତ ହେଲା ନହେଲା, ତାହା ତାଙ୍କୁ ବିଚଳିତ କରୁନଥିଲା । ସେ ତାଙ୍କର ଭୂମିକା ସମ୍ପର୍କରେ ସ୍ପଷ୍ଟ ଥିଲେ । ତାଙ୍କର ଅନନ୍ୟ ଶୈଳୀରେ ନିଜର ମତକୁ ପାଠକ/ଶ୍ରୋତା ସମ୍ମୁଖରେ ରଖୁଥିଲେ । ପ୍ରତିକ୍ରିୟା ହେଉ ସେ ଚାହୁଁଥିଲେ । ଚାହୁଁଥିଲେ ଦେଖିବାକୁ ମେରୁଦଣ୍ଡ ଥିବା ମଣିଷମାନଙ୍କୁ, ମୁଣ୍ଡ ଟେକିପାରୁଥିବା ମଣିଷମାନଙ୍କୁ । ସେ ଦୃଢ଼ତାର ସହ ବିଶ୍ୱାସ କରୁଥିଲେ ଯେ କେବଳ ଏହିଭଳି ମଣିଷମାନଙ୍କର ଉପସ୍ଥିତି ହିଁ ମାନବିକ ମର୍ଯ୍ୟାଦା ଉପରେ ଆକ୍ରମଣକୁ ପ୍ରତିହତ କରିପାରିବ ।
ବୋଧହୁଏ ଏହାହିଁ ଚିତ୍ତ ଦାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ- ଯଦି ଓଡ଼ିଶା ମାଟିରେ ମେରୁଦଣ୍ଡ ଥିବା ମଣିଷମାନେ ଅଧିକରୁ ଅଧିକ ବିଚରଣ କରିବା ଦୃଶ୍ୟ ହୁଅନ୍ତି । -ଶୁଦ୍ରକ