‘ବିଦେଶୀ ନାଗରିକ ଜିଲ୍ଲାପାଳ ହେବେ’ – ଧରିତ୍ରୀ (ତା ୨୫/୨/୨୦୦୭) ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଶିରୋନାମା ଅନେକେ ଦେଖିଥିବେ । ଯେଉଁମାନେ ଏବେବି ବ୍ରିଟିଶ ଶାସନ ଭଲଥିଲା, ଗୋରା ସାଇବମାନେ ଭଲଥିଲେ, କଡ଼ା ଥିଲେ, ଶାସନ କ’ଣ ଜାଣିଥିଲେ ବୋଲି ରୋମନ୍ଥନ କରନ୍ତି ବା ଏହିଭଳି ପୂର୍ବଜଙ୍କ ଦ୍ୱାରା ପ୍ରଭାବିତ ବର୍ତ୍ତମାନ ପିଢ଼ିର ଲୋକେ ଏହିଭଳି ଶାସନର ଜୟ ଜୟ ଗାନ କରନ୍ତି, ସେମାନଙ୍କ ପାଇଁ ଏହି ଖବର ଅତ୍ୟନ୍ତ ସୁଖକର ହୋଇଥିବ, ଏଥିରେ ସନେ୍ଦହ ନାହିଁ । ପୁରୁଣା ‘ସୁବର୍ଣ୍ଣ ଯୁଗ ପୁନଶ୍ଚ ଫେରିବ’ – ଏହି ଆଶାରେ ସେମାନେ ଉତ୍ଫୁଲ୍ଲିତ ହେଉଥିବେ ନିଶ୍ଚୟ । ବ୍ରିଟିଶ ଶାସନର ସବୁଠାରୁ ବଡ଼ ଅବଦାନ ଏକ ଦକ୍ଷ ପ୍ରଶାସନ ବୋଲି ତ ଆମର ବିଲାତ ଫେରନ୍ତା ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିବାର ପାଠକ ସ୍ମରଣ କରିପାରନ୍ତି । ତେଣୁ ବିଦେଶୀ ନାଗରିକଙ୍କ ହାତରେ ଜିଲ୍ଲା ପ୍ରଶାସନକୁ ଟେକିଦେଇ ରାଷ୍ଟ୍ରର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଶ୍ଚିତ ଭାବରେ ଆଶ୍ୱସ୍ତ ହେବେ ଓ ଇତିହାସର ଏକ ସୁବର୍ଣ୍ଣ ପ୍ରଶାସନ କାଳକୁ ଭାରତବର୍ଷକୁ ଫେରାଇ ନେଇ ପାରିବାର ଗୌରବ ବହନ କରିବେ ।
କେବଳ ବ୍ରିଟିଶ ଶାସନର ଇତିହାସ ଦ୍ୱାରା ସମ୍ମୋହିତ ଭାରତୀୟମାନେ ଏପରି ଏକ ସମୟକୁ ସ୍ୱାଗତ କରିବେ ନାହିଁ – ସ୍ୱାଗତ ମଧ୍ୟ କରିବେ ବର୍ତ୍ତମାନର ବିଦେଶୀ ମାଟି ପାଇଁ ବିକଳ ଅନେକ ଭାରତୀୟ । ବିଦେଶୀମାନଙ୍କ ଦ୍ୱାରା ଶାସିତ ହେବାର ଯେଉଁ କଣ୍ଡୁ ତାହା ଏତଦ୍ୱାରା ଲାଘବ ହେବ ।
ଅନେକେ ଭାବୁଥିବେ ଭାରତ ଏକ ସାର୍ବଭୌମ ସ୍ୱାଧୀନ ରାଷ୍ଟ୍ର । ଦୀର୍ଘଦିନର ଲଢ଼େଇ ପରେ ବ୍ରିଟିଶ ଶାସନରୁ ନିଜକୁ ମୁକ୍ତ କରିଛି । ଗାନ୍ଧୀ, ନେହେରୁ, ସୁଭାଷଙ୍କ ପରି ବିଲାତ ଫେରନ୍ତା ମାନେ ହିଁ ତ ବ୍ରିଟିଶ ଶାସନକୁ ଏଠାରୁ ଉତ୍ଖାତ କରିଛନ୍ତି । ଦେଶକୁ ବିଦେଶୀ ହାତରୁ ମୁକ୍ତ କରିଛନ୍ତି । ତେଣୁ ପୁଣି ବିଦେଶୀମାନେ ଆମକୁ ଶାସନ କରିବେ ଏହା ସମ୍ଭବ ନୁହେଁ । ‘ବିଦେଶୀ ନାଗରିକ ଜିଲ୍ଲାପାଳ’ ହେବେ ଏହା ସମ୍ଭବ ନୁହେଁ ।
କିନ୍ତୁ ଯେଉଁମାନେ ବିଦେଶୀ ପୁଞ୍ଜିନିବେଶର ନିରବଚ୍ଛିନ୍ନ ପ୍ରବାହକୁ ଲକ୍ଷ୍ୟ କରୁଥିବେ – ଶିଳ୍ପ କ୍ଷେତ୍ରରେ, ଖୁଚୁରା ବ୍ୟବସାୟରେ ଶିକ୍ଷା,ସ୍ୱାସ୍ଥ୍ୟ ଭଳି ସେବା କ୍ଷେତ୍ରରେ – ସେମାନେ ନିଶ୍ଚୟ ହୃଦୟଙ୍ଗମ କରିବେ ‘ବିଦେଶୀ’ ବିଶେଷଣର ଗୁରୁତ୍ୱ ବର୍ତ୍ତମାନ କେତେ । ଯଦି ଏହି ଧାରାର ଏକ ତାର୍କିକ ଉତ୍ତରଣ କରାଯାଏ – ତା’ହେଲେ ପ୍ରଶାସନ କ୍ଷେତ୍ରରେ ବିଦେଶୀ ନାଗରିକଙ୍କୁ ନିଯୁକ୍ତ କରାଯିବା ଆଦୌ ବିଚିତ୍ର ମନେହୁଏ ନାହିଁ । ବରଂ ମନେହୁଏ ବର୍ତ୍ତମାନର ନୀତି ନିର୍ଦ୍ଧାରକମାନେ ସେମାନଙ୍କର ଲକ୍ଷ୍ୟରେ ଠିକ୍ ଅଛନ୍ତି । ତାହା ଆମ ପାଇଁ ଗ୍ରହଣୀୟ ହେଉ ବା ନହେଉ ।
ଏହି ନୀତି ନିର୍ଦ୍ଧାରକମାନେ ତ ବିଶେଷ ଅର୍ଥନୈତିକ ଅଞ୍ଚଚଳ ଆଇନ ୨୦୦୫ପ୍ରଣୟନ କରି ଦେଶ ଭିତରେ ଏକ ବିଦେଶ ସୃଷ୍ଟି କରିବାକୁ ଆଇନ ସମ୍ମତ କରିଦେଲେ । ଏହି ବିଦେଶୀ ଅଞ୍ଚଚଳ ଗୁଡ଼ିକର ଶାସକ ତାହେଲେ ସ୍ୱାଭାବିକ ଭାବେ କିଏ ହେବା ଉଚିତ? ନିଶ୍ଚୟ ବିଦେଶୀ ନାଗରିକ – ଏହା ହୃଦୟଙ୍ଗମ କରିଥିବେ ଆମର ନୀତି ନିର୍ଦ୍ଧାରକମାନେ । ତେଣୁ ‘ବିଦେଶୀ ନାଗରିକ ଜିଲ୍ଲାପାଳ’ ହେବେ, ବିଶେଷତଃ ବର୍ତ୍ତମାନର ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣ ପର୍ଯ୍ୟାୟରେ, ଏହାହିଁ ପ୍ରତ୍ୟାଶିତ ସମ୍ଭାବନା । ଯେଉଁମାନେ ଏହିଭଳି ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରନ୍ତି – ସେମାନେ ଏହା ମୂଳରେ ଥିବା ଅର୍ଥନୈତିକ କାରଣ ଗୁଡ଼ିକୁ ପ୍ରଶ୍ନ କରିବା ଉଚିତ । କ୍ଷଣିକ ଉଲ୍ଲାସରେ ମାତି ଯାଉଥିବା ମଣିଷକୁ ବିପଥଗାମୀ ହେଲା ବୋଲି କୁହାଯାଏ । କାରଣ ବିପଦ ଆଗକୁ ଥାଏ । ସେହିଭଳି ବିପଦ ଏହି ରାଷ୍ଟ୍ରକୁ ମାଡ଼ି ଆସୁନାହିଁ ତ?
୧-୧୬ ମାର୍ଚ୍ଚ ୨୦୦୭