ମୁଖ୍ୟଧାରାର ରାଜନୈତିକ ଦଳମାନଙ୍କ କର୍ତ୍ତୃତ୍ୱ ଥିବା ଯୁବ-ଛାତ୍ର ଗୋଷ୍ଠୀ ଇତ୍ୟବସରରେ ଆମ ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଜଣାପଡ଼ୁଛି । ବିଜୁ ଜନତା ଦଳର ଏହି ବାହିନୀ କେନ୍ଦ୍ରର ଅବହେଳା ବିରୋଧରେ-ମୂଳ ଦଳର ସ୍ୱରକୁ ପ୍ରତିଧ୍ୱନିତ କରୁଥିବା ବେଳେ, କଂଗ୍ରେସ ଦଳର ଯୁବ-ଛାତ୍ର ବାହିନୀ କ୍ଷମତାସୀନ ବିଜୁ ଜନତା ଦଳ ବିରୋଧରେ କଂଗ୍ରେସର ସ୍ୱରକୁ ହିଁ ଶାଣିତ କରୁଛି । ବିଜେପି ଦଳର ଯୁବ-ଛାତ୍ର ବାହିନୀ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ କ୍ଷମତାସୀନ ଦଳର ଦୁର୍ନୀତି ଓ ଅନ୍ୟାନ୍ୟ ଅବହେଳା ତଥା ବିଫଳତା ବିରୁଦ୍ଧରେ ତାହାର ମୂଳ ଦଳର ସ୍ୱର ସହ ହିଁ ସ୍ୱର ମିଶାଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଯୁବ-ଛାତ୍ର ଗୋଷ୍ଠୀଗୁଡ଼ିକ ଓଡ଼ିଶାରେ ଶିକ୍ଷାର ସ୍ଥିତି, ଅଶ୍ଳୀଳତା,ସାଂସ୍କୃତିକ ଅବକ୍ଷୟ ସମ୍ପର୍କରେ କୌଣସି ସ୍ୱର ଉତ୍ତୋଳନ କରାଯିବା ଦେଖାଯାଉ ନାହିଁ । ଏହା ଯେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବିବ୍ରତ କରିଛି ତାହାର ନଜିର ପାଇ ଯେତେବେଳେ ଗୁଟ୍ଖା, ପାନମସଲା ଇତ୍ୟାଦିରେ ପ୍ଲାଷ୍ଟିକ ପୁଡ଼ିଆର ବ୍ୟବହାର ଉପରେ ରହିତାଦେଶ ଜାରି କରିବା ଅବସରରେ (୭ଡିସେମ୍ବର ୨୦୧୦)ମାନ୍ୟବର ବିଚାରପତି ଏ.କେ.ଗାଙ୍ଗୁଲି କହନ୍ତି ‘ଛାତ୍ରଗୋଷ୍ଠୀ ଭିତରେ ପ୍ରତିବାଦ କାହିଁ? ଆଦର୍ଶ କାହିଁ? ଏପରିକି ବଙ୍ଗଳାରେ ଯେଉଁଠି ଛାତ୍ର ଆନେ୍ଦାଳନ ସକ୍ରିୟ ଥିଲା-ସେଠାରେ ଆଜି ନୀରବତା । ଅନ୍ତତଃ ମୁଁ ଆଦର୍ଶର ପରିପ୍ରକାଶ କେଉଁଠାରେ ଦେଖୁନାହିଁ ।’
(Where is the Protest in the student’s community? Where is the idealism? Even in Bengal, where student movements have been vibrant, there is silence. At least I don’t see any manifestation of it (idealism).’
ରାଜ୍ୟ ସରକାରଗୁଡ଼ିକ ଯେ ଗୁଟ୍ଖା ଇତ୍ୟାଦି ବିକ୍ରି କରୁଥିବା ଦୋକାନଗୁଡ଼ିକ ବାଜ୍ୟାପ୍ତି ପାଇଁ ଦାୟୀ ଓ ଏହା ଆମର ଭାରତୀୟ ସଂସ୍କୃତିକୁ ବିପନ୍ନ କରୁଛି ତଥା ଯୁବଗୋଷ୍ଠୀଙ୍କୁ ନଷ୍ଟ କରୁଛି- ଏହି ମତ ପୋଷଣ କରିଛନ୍ତି ମାନ୍ୟବର ବିଚାରପତି ଗାଙ୍ଗୁଲି । ସେ ଚିନ୍ତିତ ଯେ ଏହିଭଳି ଅବକ୍ଷୟୀ ଯୁବ ସମ୍ପ୍ରଦାୟ ଭିତରୁ ହିଁ ମନ୍ତ୍ରୀ, ବିଚାରପତି ସମାଜ ପାଇବ । (ଦ୍ରଷ୍ଟବ୍ୟ: ‘The Grand Sbi Hoon, Nileem Putatunda, The Statesman, 5th Jan 2011, P-7)
କ୍ଷମତାସୀନଦଳଗୁଡ଼ିକର ଯାହା ଚରିତ୍ର-ସେମାନେ ଏକ ଅବକ୍ଷୟୀ ଯୁବ ଛାତ୍ର ସମ୍ପ୍ରଦାୟକୁ ହିଁ ସବୁବେଳେ ଉତ୍ସାହିତ କରିବେ । ତେଣୁ ଏକ ଏପରି ଯୁବ-ଛାତ୍ର ଗୋଷ୍ଠୀର ଆବଶ୍ୟକତା ରହିଛି ଯେଉଁ ଗୋଷ୍ଠୀ ଯୁବ-ଛାତ୍ରର ମୌଳିକ ସମସ୍ୟାର ସମାଧାନପାଇଁ ନଛୋଡ଼ ବନ୍ଧା ସଂଘର୍ଷ କରିପାରିବ । ତାହାର ଶକ୍ତିକୁ ସେ କ୍ଷମତାସୀନ ଦଳମାନଙ୍କର ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥରେ ଅପଚୟ ହେବାକୁ ଦେବନାହିଁ । -ଶୁଦ୍ରକ