ଇତ୍ୟବସରରେ ଅରୁନ୍ଧତୀ ରାୟ, ନନ୍ଦିତା ଦାସଙ୍କ ଭଳି ବହୁ ଆକର୍ଷଣୀୟ ବ୍ୟକ୍ତିତ୍ୱମାନେ ଭୁବନେଶ୍ୱର ଆସି ଆମଦେଶର ସାମାଜିକ, ରାଜନୈତିକ, ଅର୍ଥନୈତିକ ଅବସ୍ଥା ଉପରେ ଆଲୋକପାତ କରି ନାନା କିସମର ଉଦ୍ବୋଧନମାନ ଶ୍ରୋତାବନ୍ଧୁମାନଙ୍କୁ ଶୁଣାଇ ଯାଇଛନ୍ତି । ପ୍ରତିରୋଧର ସ୍ୱରୂପ କିପରି ହେବ, ତାହା ଲୋକେ ସ୍ଥିର କରନ୍ତୁ ବୋଲି ଅରୁନ୍ଧତୀ ରାୟ ନିସାନ ସମ୍ମେଳନରେ (୨୧ନଭେମ୍ବର ୨୦୧୦) ଆହ୍ୱାନ ଦେଇଯାଇଥିବା ବେଳେ, ଯୁବପିଢ଼ି ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଯନôବାନ ହୁଅନ୍ତୁ ବୋଲି ନନ୍ଦିତା ଦାସ ‘ଅନହଦ୍’ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ (୨୧ଡିସେମ୍ବର ୨୦୧୦) ଆହ୍ୱାନ ଦେଇଛନ୍ତି । ଏହି ବ୍ୟକ୍ତିତ୍ୱମାନଙ୍କର ଉପସ୍ଥିତି ଫଳରେ ଗଣମାଧ୍ୟମ ଚଳଚଞ୍ଚଳ ହେଉଛି ।
ଏହା ନିଶ୍ଚିତଭାବରେ ଅନୁଷ୍ଠାନଗୁଡ଼ିକର ସଫଳତା ଯେ ସେମାନେ ଏହିଭଳି ବ୍ୟକ୍ତିତ୍ୱମାନଙ୍କୁ ସାମାଜିକ-ରାଜନୈତିକ-ଅର୍ଥନୈତିକ ସମସ୍ୟାଉପରେ ମତ ମନ୍ତବ୍ୟ ରଖିବାପାଇଁ ଓଡ଼ିଶା ଆସିବାକୁ ପ୍ରବର୍ତ୍ତାଇ ପାରୁଛନ୍ତି । ଏହି ସଫଳତା ସେହିଦିନ ଶୀର୍ଷରେ ପହଞ୍ଚôଥିଲା ବୋଲି ଶୁଦ୍ରକ ସ୍ୱୀକାର କରିବ, ଯେଉଁଦିନ ଚଳଚ୍ଚିତ୍ର ଜଗତର ଅଦ୍ୱିତୀୟ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରବର୍ତ୍ତାଇ ଓଡ଼ିଶା ମାଟିକୁ ଅଣାଯାଇପାରିବ-ଅରୁନ୍ଧତୀ ବା ନନ୍ଦିତାସଦୃଶ ଆହ୍ୱାନ ଆମର ଯୁବସମାଜକୁ ଦେବାପାଇଁ । -ଶୁଦ୍ରକ