କୁଳପତି ଚୟନ

  • 11/09/2015

ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଖବରକାଗଜ ଜରିଆରେ ଦରଖାସ୍ତ ଆହ୍ୱାନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ପୂର୍ବରୁ ଯିଏ ତା’ର ବାୟୋଡାଟା ନେଇ ଚୟନ କମିଟିର ସଭ୍ୟଙ୍କ ନିକଟରେ ପହଞ୍ଚାଇ ପାରୁଥିଲା ବା କୁଳାଧିପତିଙ୍କ ଦପ୍ତରରେ ପହଞ୍ଚାଇ ପାରୁଥିଲା- ସେହିମାନଙ୍କର ନାଁକୁ ହିଁ ବିଚାର କରାଯାଉଥିଲା । ତେଣୁ ଅନେକେ ସ୍ୱାଭିମାନୀ ବ୍ୟକ୍ତି ଯେଉଁମାନେ ଏ ଦୁଇଟି ଉପାୟ ଅବଲମ୍ବନ କରିପାରୁ ନଥିଲେ ଓ ଏକ ଔପଚାରିକ ମାର୍ଗରେ ଏହା ହେଉବୋଲି ଯୁକ୍ତି କରୁଥିଲେ ସେମାନେ ନିଶ୍ଚିତ ଏହି ଦରଖାସ୍ତ ଆହ୍ୱାନ ପ୍ରଣାଳୀ ଦ୍ୱାରା ଉତ୍ସାହିତ ହୋଇଛନ୍ତି । କିନ୍ତୁ ଯେପରି ସମସ୍ତଙ୍କୁ ନିର୍ବାଚନରେ ଲଢ଼ିବାର ସୁଯୋଗ ଥିଲେ ମଧ୍ୟ ଭଲ, ସତ୍ଚରିତ୍ର ଓ ଯୋଗ୍ୟ ଲୋକ ନିର୍ବାଚିତ ହୋଇପାରୁନଥିବା ଆମେ ସଚରାଚରରେ ଦେଖୁଛୁ, ସେହିଭଳି ବହୁ ଦରଖାସ୍ତ ଭିତରୁ ଯେଉଁ ଦରଖାସ୍ତକାରୀ ଯୋଗ୍ୟତମ ସେ ହିଁ ବଛାଯିବେ, ସେପରି କହିହେବ ନାହିଁ । ବର୍ତ୍ତମାନ ଯେଉଁ ରାଜନୈତିକ ସଂସ୍କୃତି ଆମକୁ ଗ୍ରାସ କରିଛି ତାହାର ସ୍ୱାଭାବିକ ପରିଣତି ହେଉଛି ଯୋଗ୍ୟତମ ବ୍ୟକ୍ତି ଅବହେଳିତ ହେବା । ସମୟ ଯେହେତୁ ବହୁତ ବଦଳି ଗଲାଣି- ଅଧ୍ୟାପକମାନେ ବିଭିନ୍ନ ଦୁର୍ନୀତି ଓ କୁକର୍ମରେ ଛନ୍ଦି ହୋଇଗଲେଣି- ତଦନ୍ତ କମିଶନମାନ ମଧ୍ୟ ସେମାନଙ୍କ ବିରୋଧରେ ବସିଲାଣି- କୁଳପତି ଭାବେ ନିର୍ବାଚିତବ୍ୟକ୍ତିକୁ ନିଯୁକ୍ତି ଦେବା ପୂର୍ବରୁ ସେ ବ୍ୟକ୍ତିଙ୍କର ପୃଷ୍ଠଭୂମିର ଏକ ସାମଗ୍ରିକ ଯାଞ୍ଚ ହେବା ଉଚିତ । ସେହିଭଳି ଚୟନ କମିଟିର ସଭ୍ୟମାନଙ୍କର ମଧ୍ୟ ଯୋଗ୍ୟତାର ବିଚାର ହେବା ଉଚିତ । କୁଳପତି ଭଳି ପଦବୀ ପାଇଁ ଯୋଗ୍ୟ ବ୍ୟକ୍ତି ବାଛିବା ଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ହେବାଉଚିତ । ଅବଶ୍ୟ ବର୍ତ୍ତମାନ ଯେତେବେଳେ ବିଧାନସଭା, ଲୋକସଭାରେ ବିଭିନ୍ନ ଅପରାଧରେଜଡ଼ିତ ସଭ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ସେମାନଙ୍କ ଭିତରୁ କେତେକଙ୍କୁ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଛି- ସେଠି କୁଳପତି ପଦବୀରେ ଯୋଗ୍ୟଲୋକ ରହୁଛନ୍ତି କି ନାହିଁ- ତାହା ନେଇ କାହିଁକି ବା କିଏ ବିବ୍ରତ ହେବ- କେତେକ ନିର୍ବୋଧଙ୍କ ଛଡ଼ା ।
-ଶୁଦ୍ରକ

Print Friendly, PDF & Email