+୨ ପରୀକ୍ଷାଫଳ

  • 11/09/2015

+୨ ପରୀକ୍ଷାଫଳ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶ ପାଇବା ପରେ ବହୁ ଶିକ୍ଷା ସଚେତନ ବ୍ୟକ୍ତିଙ୍କର ଚକ୍ଷୁ ବିସ୍ଫାରିତ ହୋଇଯାଇଛି । ବେଷ୍ଟଟେନ୍ (ବିଜ୍ଞାନ) ଭିତରେ ଥିବା ଷୋହଳଜଣ ଛାତ୍ରଛାତ୍ରୀଙ୍କ ଭିତରୁ ଘରୋଇ ଆବାସିକ ମହାବିଦ୍ୟାଳୟ କଳିଙ୍ଗଭାରତୀର ଆଠଜଣ ଛାତ୍ର ସ୍ଥାନ ପାଇବା ସମସ୍ତଙ୍କୁ ଚକିତ କରିଦେଇଛି । ମେଧା ତାଲିକାରେ କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ଛାତ୍ରଛାତ୍ରୀଙ୍କ ନାଁ ଦେଖିବାରେ ଅଭ୍ୟସ୍ତ ଆଖି ସଦ୍ୟତମ ମେଧା ତାଲିକାକୁ ଗ୍ରହଣ କରିପାରୁନାହିଁ । ତେଣୁ ଗୋଟିଏ ପଟେ ବିଭିନ୍ନ ଗୁଜବ କାନରୁ କାନ ଲମ୍ଫ ଦେଉଥିବା ବେଳେ ଉଚ୍ଚଶିକ୍ଷା ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ସରକାରୀ କଲେଜଗୁଡ଼ିକର ବିଫଳତା ସମ୍ପର୍କରେ ଅନୁସନ୍ଧାନ ହେବ ବୋଲି ସୂଚନା ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଶିକ୍ଷାଯୋଗାଣ ସଂସ୍ଥା ମାନ ଆବିର୍ଭାବ ହେବା ପୂର୍ବରୁ ସ୍ୱାଭାବିକ ମେଧା ତାଲିକାରେ ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀମାନେ ହିଁ ସ୍ଥାନିତ ହେଉଥିଲେ ଏବଂ ଏହି ମେଧା ତାଲିକାରେ ବିଜେବି ଓ ରେଭେନ୍ସା କଲେଜର ଛାତ୍ରଛାତ୍ରୀମାନେ ହିଁ ଅଧିକାଂଶ ସ୍ଥାନ ଅକ୍ତିଆର କରୁଥିଲେ । ଯେହେତୁ ଏହି ଦୁଇ କଲେଜରେ ଓଡ଼ିଶା ମାଧ୍ୟମିକ ବୋର୍ଡ଼, ସି.ବି.ଏସ୍.ଇ, ଆଇ.ସି.ଏସ୍.ଇ ଦ୍ୱାରା ପରିଚାଳିତ ଦଶମଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ସବୁଠାରୁ ଭଲ ପିଲାମାନେ ଏହି ଦୁଇ କଲେଜରେ ନାମ ଲେଖାଉଥିଲେ- +୨ମେଧା ତାଲିକାରେ ଏହି ଦୁଇ କଲେଜର ଛାତ୍ରଛାତ୍ରୀ ସ୍ଥାନ ପାଇବାକୁ କେହି ପ୍ରାୟତଃ ପ୍ରଶ୍ନ କରିପାରୁନଥିଲେ । ଯଦିଓ କଟକ-ଭୁବନେଶ୍ୱର ଛାତ୍ରଛାତ୍ରୀମାନେ ହିଁ କେବଳ ମେଧା ତାଲିକାରେ ରହୁଛନ୍ତି-ଏହିଭଳି ଅଭିଯୋଗ ବେଳେ ବେଳେ ଶୁଣିବାକୁ ମିଳୁଥିଲା । ଏହାଛଡ଼ା ଯେଉଁମାନେ ମେଧା ତାଲିକାରେ ସ୍ଥାନ ପାଉଥିଲେ ସେମାନେ ଟୁ୍ୟସନ ହେଉଥିଲେ କି ନାହିଁ, ଟୁ୍ୟଟୋରିଆଲମାନଙ୍କୁ ଯାଉଥିଲେ କି ନାହିଁ- ସେଭଳି ପ୍ରଶ୍ନ ସେତେବେଳେ ଉଠାଯାଉନଥିଲା ।
ବର୍ତ୍ତମାନର ‘ବିବ୍ରତ’ସରକାର ଅତୀତରେ ଯେତେବେଳେ ଛାତ୍ରଛାତ୍ରୀଙ୍କଠାରୁ ମୋଟା ଟଙ୍କା ଆଦାୟ କରି ଶିକ୍ଷାଯୋଗାଣ ପାଇଁ ଆଗ୍ରହୀ ଶିକ୍ଷା ବେପାରୀମାନଙ୍କୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଲେ ଓ ନିଜ ଅଧିନରେ ଥିବା କଲେଜଗୁଡ଼ିକୁ ଦୁର୍ବଳ କରିଦେବାରେ ଲାଗିପଡ଼ିଲେ(ଶିକ୍ଷକ ନିଯୁକ୍ତି ନକରି, ଲାଇବ୍ରେରୀ ଇତ୍ୟାଦିକୁ ସୁଦୃଢ଼ ନକରି) ସେତେବେଳେ ବହୁ ଅଭିଭାବକ ଏହି ଶିକ୍ଷା ବେପାରୀଙ୍କର ଶରଣାପନ୍ନ ହେବାକୁ ବାଧ୍ୟ ହୋଇଥିବେ । ବିଜେବି-ରେଭେନ୍ସା ଭଳି କଲେଜରେ ପଢ଼ାଇବାର ଆକର୍ଷଣକୁ ମନଭିତରେ ଦବାଇ ଦେବା ପାଇଁ ବାଧ୍ୟ ହୋଇଥିବେ । ଯେପରି ଜଣେ ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ କହିଲେ ‘ମୋ ଝିଅକୁ ମୁଁ ଆମ କଲେଜରେ ନପଢ଼ାଇ ଭୁବନେଶ୍ୱରର ଏକ ଆବାସିକ କଲେଜରେ ପଢ଼ାଉଛି, କାରଣ ଆମ କଲେଜରେ ବିଜ୍ଞାନବିଭାଗଗୁଡ଼ିକରେ ଶିକ୍ଷକ ପ୍ରାୟ ନାହାନ୍ତି ।’ଅପରପକ୍ଷରେ ଏହି ଆବାସିକ ମହାବିଦ୍ୟାଳୟଗୁଡ଼ିକରେ ବୋର୍ଡ଼ ପାଠ୍ୟକ୍ରମ ଅନୁସାରେ ପାଠପଢ଼ା ସହିତ ଟୁ୍ୟସନ ପରିବେଶର ଏକୀକରଣ ହୋଇଥିବାରୁ ଏହା ଅଭିଭାବକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ମନେ ହୋଇଥିବ । ଅନେକ ଭଲ ପିଲା ଯେଉଁମାନେ ନାଁ ଥିବା ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ କଲେଜମାନଙ୍କରେ ପଢ଼ି ପାରିଥାନ୍ତେ, ସେମାନେ ଏହି ଆବାସିକ କଲେଜ ମାନଙ୍କରେ ଦାଖଲ ହୋଇଥିବେ । ଅବଶ୍ୟ ସେହିମାନେ, ଯେଉଁମାନଙ୍କର ପଇସା ଅଛି ବା ପଇସା ଯୋଗାଡ଼ କରିବାର ସାମର୍ଥ୍ୟ ଅଛି ।
କଳିଙ୍ଗଭାରତୀ ଆବାସିକ ମହାବିଦ୍ୟାଳୟ, ପ୍ରସିଦ୍ଧ ପାଢ଼ୀ ଟୁ୍ୟଟୋରିଆଲର କଲେଜ ସଂସ୍କରଣ । ଏହି ଟୁ୍ୟଟୋରିଆଲକୁ ରେଭେନ୍ସା ଓ ବିଜେବି ତଥା ଅନ୍ୟାନ୍ୟ ନାମକରା କଲେଜମାନଙ୍କର ଛାତ୍ରଛାତ୍ରୀ ବିଭିନ୍ନ କୋଚିଂନେବାକୁ ଯାଇଥାନ୍ତି ତାଙ୍କର +୨ପଢ଼ିବା ଅବସ୍ଥାରେ । ଖବରକାଗଜରେ ପ୍ରକାଶିତ ବିଜ୍ଞାପନ ଅନୁସାରେ ଏହିଠାରୁ କୋଚିଂ ପାଇଥିବା ଛାତ୍ର-ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇଥାନ୍ତି । ସଫଳତାର ସ୍ୱାଦ ଖୋଇବା ପାଢ଼ୀ ଟୁ୍ୟଟୋରିଆଲ୍ର ପରମ୍ପରା । ତେଣୁ ପାଢ଼ୀ ଟୁ୍ୟଟୋରିଆଲର ପୃଷ୍ଠଭୂମି ଥିବା କଳିଙ୍ଗଭାରତୀ ଆବାସିକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ବେଷ୍ଟ ଟେନ୍ର ଅଧା ସ୍ଥାନ ମାଡ଼ିବସିବା ଶୁଦ୍ରକ ପାଇଁ ଆଦୌ ବିସ୍ମୟର ବିଷୟ ନୁହେଁ । କିନ୍ତୁ ଏହି ତାଲିକା ଦେଖିଲେ ଅବଶିଷ୍ଟ ଆଠଟିସ୍ଥାନରୁ ସାତଟି ସ୍ଥାନ ବିଜେବି କଲେଜର ଛାତ୍ରଛାତ୍ରୀମାନେ ମାଡ଼ିବସିବାକୁ ଅଣଦେଖା କରିହେବ ନାହିଁ । ଦ୍ୱିତୀୟ ସ୍ଥାନଟିରେ ଫକୀରମୋହନ କଲେଜର ତେଜସ୍ୱିନୀ ସାହୁ ସ୍ଥାନପାଇବା ନିଶ୍ଚିତ ଭାବରେ ଏକ ଉଲ୍ଲେଖନୀୟ ସଫଳତା ।
ଶିକ୍ଷାକୁ ଏକ ବ୍ୟୟକାରୀ କାର୍ଯ୍ୟକ୍ରମଭାବେ ଦେଖୁଥିବା ସରକାର, ଶିକ୍ଷାକୁ ଏକ ଆୟକାରୀ ଉଦ୍ୟୋଗଭାବେ ଦେଖୁଥିବା ଘରୋଇ ସଙ୍ଗଠନ ମାନଙ୍କଠାରୁ ଯେ ପଛେଇ ଚାଲିଛନ୍ତି-ତାହାହିଁ +୨ର ମେଧାତାଲିକା ଉପରେ ହେଉଥିବା ବିତର୍କର ନିଷ୍କର୍ଷ । ଅବଶ୍ୟ ଜଣେ ଅବସରପ୍ରାପ୍ତ କୁଳପତିଙ୍କ ଦୃଷ୍ଟିରେ ଓଡ଼ିଶା ସରକାର ‘ବିନା ଶିକ୍ଷକରେ ଶିକ୍ଷା’ର ଯେଉଁ ଅଭିନବ ପ୍ରୟୋଗ ଓଡ଼ିଶା ଶିକ୍ଷାଜଗତରେ ଆରମ୍ଭ କରିଛନ୍ତି- ତାହାକୁ ବିଚାରକୁ ନେଲେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଛାତ୍ରଛାତ୍ରୀଙ୍କର ସଫଳତା କିଛି କମ୍ ନୁହେଁ ।
ଶୁଦ୍ରକ କେବଳ ଆଶ୍ଚର୍ଯ୍ୟ ହେଉଛି ଯେ ମୋଟା ଅଙ୍କ ନେଇ ଶିକ୍ଷା ଯୋଗାଉଥିବା କଳିଙ୍ଗଭାରତୀଠାରୁ ଯଥେଷ୍ଟ ପୂର୍ବରୁ ସ୍ଥାପିତ ହୋଇଥିବା ଶିକ୍ଷା ଯୋଗାଣ କେନ୍ଦ୍ରଗୁଡ଼ିକର ଛାତ୍ରଛାତ୍ରୀମାନେ କାହିଁକି ମେଧା ତାଲିକାରେ ସ୍ଥାନ ପାଇଲେ ନାହିଁ ।
ତେବେ ଆଗାମୀ ଶିକ୍ଷାବର୍ଷ କଳିଙ୍ଗଭାରତୀ ପାଇଁ ଅଧିକ ଫଳପ୍ରଦ ହେବ, ଏଥିରେ ସନେ୍ଦହ ନାହିଁ । ଶିକ୍ଷାର ବ୍ୟବସାୟୀକରଣ ଯେ ବିଫଳ ହେଉନାହିଁ- ଏହା ଅନ୍ୟ ଶିକ୍ଷା ଯୋଗାଣ କେନ୍ଦ୍ରମାନଙ୍କ ପାଇଁ ଏକ ଶୁଭସଙ୍କେତ ନିଶ୍ଚୟ ।
-ଶୁଦ୍ରକ

Print Friendly, PDF & Email