ଉକ୍ରୋଚ ଓ ଉଚ୍ଚଶିକ୍ଷା

  • 11/09/2015

୧-୧୬ଜୁନ୍, ୨୦୧୦

ଲାଇସେନ୍ସ-ପରମିଟ୍ରାଜର ବିଲୟ ଘଟିଛି ଉଦାର ଅର୍ଥନୀତିର ପରିବେଶରେ । ମନମୋହନ ସିଂହଙ୍କୁ ଏହି ବିଲୟର ଶ୍ରେୟ ଯିବ ନିଶ୍ଚୟ । କିନ୍ତୁ ଦୁର୍ନୀତିର ଉତ୍ସ ବୋଲି ଅଭିହିତ କରି ଯେଉଁମାନେ ‘ଲାଇସେନ୍ସ-ପରମିଟ୍ରାଜ’ର ବିଲୟକୁ ସମର୍ଥନ କରୁଥିଲେ, ସେମାନେ ବର୍ତ୍ତମାନ ଉଦାର ଅର୍ଥନୀତିର ପରିବେଶରେ ଦୁର୍ନୀତିର ପରିମାଣ ଓ ବ୍ୟାପ୍ତିକୁ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ପୂର୍ବେ ହେଉଥିବା ଦୁର୍ନୀତିର ଯେ କେତେହଜାର ଗୁଣ ଦୁର୍ନୀତି ବର୍ତ୍ତମାନ ହେଉଛି-ତାହା ତାଙ୍କର କଳ୍ପନାକୁ ଅସ୍ତବ୍ୟସ୍ତ କରିଦେଉଥିବ । ଅନ୍ତତଃ ସେ ସମୟରେ ଆମେ ଶିକ୍ଷା କ୍ଷେତ୍ରରେ ଏ ଦୁର୍ନୀତି ବିଷୟ ଶୁଣୁନଥିଲେ ଯେପରି ବର୍ତ୍ତମାନ ଶୁଭୁଛି । ପ୍ରଶ୍ନପତ୍ର ପ୍ରଘଟ ହେବା, ବିଶେଷତଃ ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କରେ, ଗୋଟିଏ ସାଧାରଣ ଘଟଣା ହୋଇଗଲାଣି । ଶିକ୍ଷାର ମାନକୁ ନିୟନ୍ତ୍ରଣ କରିବା ପାଇଁ ଗଠିତ ଷ୍ଟାଚୁ୍ୟଟାରୀ ସଙ୍ଗଠନ, ଯେପରି ମେଡ଼ିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆ, (MCI), ଅଲ୍ ଇଣ୍ଡିଆ କାଉନ୍ସିଲ ଅଫ୍ ଟେକ୍ନୋଲୋଜିକାଲ ଏଜୁକେସନ (AICTE) ଇତ୍ୟାଦିର ଅଧିକାରୀମାନେ ଉକ୍ରୋଚ ନେଉଥିବା ଅବସ୍ଥାରେ ସିବିଆଇ (CBI)ଦ୍ୱାରା ଧରାପଡ଼ି ଜେଲ୍ ଯିବା ମଧ୍ୟ ଦେହସୁହା ହେବାକୁ ବସିଲାଣି । ଏହି ସଂସ୍ଥାଗୁଡ଼ିକୁ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ସମେତ ଭାଙ୍ଗି ଦେଇ ଗୋଟିଏ ଉଚ୍ଚଶିକ୍ଷା ପ୍ରାଧିକରଣ ଗଢ଼ିବା ପାଇଁ ଜାତୀୟ ଜ୍ଞାନ କମିଶନ ଓ ଯଶପାଲ କମିଟି ପ୍ରସ୍ତାବ ଦେବା, ଏହି ସଂସ୍ଥାଗୁଡ଼ିକର ଅବକ୍ଷୟକୁ ପରୋକ୍ଷରେ ସ୍ୱୀକାର କରିବା ।
କିନ୍ତୁ ଏହା ସ୍ୱୀକାର ନକରିବା କୃତଘ୍ନତା ତୁଲ୍ୟ ହେବ ଯେ ଏହି ଦୁର୍ନୀତିଗ୍ରସ୍ତ ସଙ୍ଗଠନଗୁଡ଼ିକରୁ ଲବ୍ଧ ସ୍ୱୀକୃତି ଫଳରେ ହିଁ ସାରା ଭାରତବର୍ଷରେ ବୈଷୟିକ ଶିକ୍ଷା, ତାହା ଡାକ୍ତରୀଶିକ୍ଷା ହେଉ ବା ଇଞ୍ଜିନିୟରିଂ ଶିକ୍ଷା ହେଉ ଅଥବା ପରିଚାଳନା ଶିକ୍ଷା ହେଉ; ଘରୋଇ ସଂସ୍ଥାମାନଙ୍କର ନିୟନ୍ତ୍ରଣାଧିନ ହୋଇଛି ଓ ଘରୋଇସଂସ୍ଥାଗୁଡ଼ିକ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଛି । ଶିକ୍ଷା ଏକ ଶିଳ୍ପରେ ରୂପାନ୍ତରିତ ହୋଇପାରିଛି । ଗତ ଦୁଇଦଶନ୍ଧି ଭିତରେ ଓଡ଼ିଶାରେ ବୈଷୟିକ ଶିକ୍ଷା ଯେଉଁ ବେଗରେ ଘରୋଇ ମାଲିକାନାର ନିୟନ୍ତ୍ରଣାଧିନ ହୋଇଚାଲିଛି-ତାହା ବୋଧେ ସମ୍ଭବ ହୋଇନଥାନ୍ତା ଉପରୋକ୍ତ ସଙ୍ଗଠନ ଗୁଡ଼ିକରେ ଦୁର୍ନୀତି ନଥିଲେ । ତେଣୁ ଯେଉଁମାନେ ଓଡ଼ିଶାକୁ ପୂର୍ବ ଭାରତରେ ଏକ ଶିକ୍ଷା ପୀଠ (educational hub)ମନେ କରି ଗର୍ବ କରୁଛନ୍ତି-ସେମାନେ ଏହି ସଙ୍ଗଠନଗୁଡ଼ିକ ପ୍ରତି ନିଜର ପ୍ରଣତି ଜଣାଇବା ଉଚିତ । ସେମାନେ ମଧ୍ୟ ଏହି ସଙ୍ଗଠନ ଗୁଡ଼ିକ ପ୍ରତି କୃତଜ୍ଞ ରହିବା ଉଚିତ ଯେଉଁମାନେ ଅବସରପରେ ଏହି ସଙ୍ଗଠନମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ସହସା ଚାକିରି ପାଇପାରୁଛନ୍ତି, କାରଣ ଏହି ଅବସର ନେଇ ପୁନଶ୍ଚ ଚାକିରି କରିଥିବା ବ୍ୟକ୍ତିମାନେ ବେଳେ ବେଳେ ପ୍ରାତଃ ଭ୍ରମଣ ବା ସାନ୍ଧ୍ୟ ଭ୍ରମଣ କାଳରେ ଉପରୋକ୍ତ ସଙ୍ଗଠନମାନଙ୍କରେ ଚାଲିଥିବା ଦୁର୍ନୀତି ବିରୋଧରେ ବହୁ କଟୁ ମନ୍ତବ୍ୟ କରିଥାନ୍ତି ।
ଅବଶ୍ୟ ଏହି ସଙ୍ଗଠନଗୁଡ଼ିକୁ ସୁଧାରିବା ପାଇଁ ଚେଷ୍ଟା କରିବା ଅର୍ଥ ସଙ୍ଗଠନ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା-ଏହା ଏ.ଆଇ.ସି.ଟି.ଇ(A.I.C.T.E)ର ଏକଦା ଅଧ୍ୟକ୍ଷ ଓ ସମ୍ପ୍ରତି ଖଡ଼ଗପୁର ଆଇ.ଆଇ.ଟିର ନିଦେ୍ର୍ଧଶକ ଦାମୋଦର ଆଚାର୍ଯ୍ୟଙ୍କର ଅଭିଜ୍ଞତାରୁ ଜଣାପଡ଼େ । ଦାମୋଦର ବାବୁ ଏ.ଆଇ.ସି.ଟି.ଇ (A.I.C.T.E) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲାପରେ ଏହି ସଙ୍ଗଠନର ସଚିବ ଉକ୍ରୋଚ ନେଇଥିବା ଅବସ୍ଥାରେ ଧରାପଡ଼ିବା ଓ ଏହାର ଅଧ୍ୟକ୍ଷଙ୍କୁ ସରକାର ନିଲମ୍ବିତ କରିବା-ଏହି ସଙ୍ଗଠନକୁ ସୁଧାରିବା ପାଇଁ ସରକାରଙ୍କର ଏକ ପଦକ୍ଷେପ ବୋଲି କୁହାଯାଇପାରେ । ସେହିଭଳି ୧୩ବର୍ଷ ଧରି ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆ (MCI)ର ଅଧ୍ୟକ୍ଷ ପଦବୀରେ ଥିବା ବି.ସି.ରାୟ ସ୍ମାରକୀ ପଦକ ଲାଭ କରିଥିବା କେତନ ଦେଶାଇ ୨କୋଟି ଟଙ୍କା ଉକ୍ରୋଚ ଗ୍ରହଣ କରୁଥିବା ଅବସ୍ଥାରେ ଗିରଫ ହେବାପରେ, ସରକାର ଗଉଓକୁ ଭାଙ୍ଗିଦେବା ଏହି ଭଳି ସଙ୍ଗଠନର ସୁଧାର ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନେ ହୋଇପାରେ ।
କିନ୍ତୁ ଶୁଦ୍ରକ ମନରେ ପ୍ରଶ୍ନ ଯେ ସରକାରଙ୍କର ଏହିଭଳି ଉଦ୍ୟମ କ’ଣ ପ୍ରକୃତରେ ଏହି ନିୟନ୍ତ୍ରକ ସଙ୍ଗଠନଗୁଡ଼ିକୁ ଦୁର୍ନୀତିମୁକ୍ତ କରିପାରିବ ଯେତେବେଳ ଯାଏ ଶିକ୍ଷା ଓ ସ୍ୱାସ୍ଥ୍ୟର ଅପ୍ରତିହତ ବଜାରୀକରଣ ଚାଲିଛି? ଶୁଦ୍ରକର ଭୟ ଯେ ଦୁର୍ନୀତିର ପରିମାଣ ଆହୁରି ବଢ଼ିବ; ବିଦେଶୀ ବିଶ୍ୱବିଦ୍ୟାଳୟ ଆସିଲେ ଉକ୍ରୋଚର ଦେଣ ନେଣ ବିଦେଶୀ ଭୂଇଁରେ ହେବା ଅଧିକ ନିରାପଦ ମନେ ହେବ ।
-ଶୁଦ୍ରକ

Print Friendly, PDF & Email