ଧନୀ ଗରିବ ଭିତରେ ପାର୍ଥକ୍ୟକୁ କମାଇବା ହିଁ ସମତା ବିଚାରର ମୂଳ କଥା ବୋଲି ତତ୍ତ୍ୱବିଦ୍ମାନେ କହନ୍ତି । କିନ୍ତୁ ଏଥିପାଇଁ ଯେ ସମତାର ଆବଶ୍ୟକତା ରହିଛି ଚିନ୍ତା, ଉଚ୍ଚାରଣ ଓ ଆଚରଣ ଭିତରେ – ତାହା ପ୍ରାୟ କୁହାଯାଉ ନାହିଁ । ଆଧୁନିକ ମଣିଷ ଯାହା ଚିନ୍ତା କରୁଛି – ଯାହା ଉଚ୍ଚାରଣ କରୁଛି ଓ ଯେପରି ଆଚରଣ କରୁଛି – ତାହା ମଧ୍ୟରେ ପାର୍ଥକ୍ୟ ଦେଖିଲେ – ଅନେକ ସମୟରେ ମଣିଷ ହୋଇପଡ଼ୁଛି ନୈରାଶ୍ୟଗ୍ରସ୍ତ । ଚିନ୍ତା ଠାରୁ ଭିନ୍ନ ହେଉଛି ଉଚ୍ଚାରଣ ଓ ଆଚରଣ ତ ହେଉଛି ଆହୁରି ଭିନ୍ନ । ଏହି ଭିନ୍ନତାକୁ ଯିଏ ଚତୁରତାର ସହ ଚଳାଇ ନେଇପାରୁଛି – ସେ ସମାଜରେ ସଫଳ ମଣିଷ ବୋଲି ପରିଗଣିତ ହେଉଛି । ତେଣୁ ଲୋକାଭିମୁଖୀ ଉଚ୍ଚାରଣ ପଛରେ ସଠିକ୍ ଚିନ୍ତା ଓ ପରେ ସଙ୍ଗତିପୂର୍ଣ୍ଣ ଆଚରଣରେ ହିଁ ରହିଛି ଅମିଶ୍ରିତ ସମତାର ପ୍ରତିଶ୍ରୁତି । ସମତା ଚିନ୍ତନର ଅବିବାଦ୍ୟ ପ୍ରବକ୍ତା ଡକ୍ଟର ରାମମନୋହର ଲୋହିଆଙ୍କର ମଧ୍ୟ ଏହାହିଁ ବୋଧହୁଏ ଥିଲା ଧାରଣା । ତା’ନହେଲେ ତାଙ୍କର ବ୍ୟକ୍ତିତ୍ୱରେ ଚିନ୍ତା – ଉଚ୍ଚାରଣ ଓ ଆଚରଣର ଏକ ଦ୍ୱନ୍ଦ୍ୱହୀନ ସମନ୍ୱୟ ଘଟିନଥାନ୍ତା; ସାଧାରଣ ଲୋକ ପାଇଁ ଚିନ୍ତା, ତାର ସମର୍ଥନରେ ଉଚ୍ଚାରଣ ଓ ତାରି ଭଳି ଆଚରଣ ତାଙ୍କର ସମଗ୍ର ଜୀବନକୁ ଆଚ୍ଛାଦିତ କରି ରଖି ନଥାନ୍ତା ।
୧-୧୬ ଫେବୃୟାରୀ ୨୦୦୭