୧୬ ଏପ୍ରିଲ, ୨୦୧୦
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସବୁଠାରୁ ଅଧିକ ଚର୍ଚ୍ଚିତ ମନ୍ତ୍ରୀ ହେଉଛନ୍ତି ତିନିଜଣ: ପି.ଚିଦାମ୍ବରମ-ଗୃହମନ୍ତ୍ରୀ, ଜୟରାମ ରମେଶ-ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା କପିଳ ସିବଳ-ମାନବସମ୍ବଳ ବିକାଶ ମନ୍ତ୍ରୀ । ଏମାନେ ସମସ୍ତେ କହି ପୋଛି ପାରିଲା ମନ୍ତ୍ରୀ । ଶିକ୍ଷାଗତ ଯୋଗ୍ୟତା ଓ ବୃତ୍ତଗତ ଦକ୍ଷତାରେ ଏମାନେ କୌଣସି ଦୃଷ୍ଟିରୁ ନୁ୍ୟନ ନୁହନ୍ତି । ତିନିଜଣ ଖୁବ୍ ଉଚ୍ଚଶିକ୍ଷିତ ଓ ସମ୍ପନ୍ନପରିବାରର ଦାୟାଦ । ବିଦେଶୀ ମାଟିରେ ବିଶେଷତଃ ଆମେରିକାର ନାମୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ ଓ କ୍ଷମତାସୀନ ସରକାରଙ୍କର ସବୁବେଳେ ନିକଟତର । କହିବା ବାହୁଲ୍ୟ ଯେ ଏକ ପ୍ରତିଶ୍ରୁତି ସୁରକ୍ଷାର ବଳୟ ଭିତରେ ତିନିହେଁ ହେଉଛନ୍ତି ବେପରୁଆ । ବିତର୍କିତ ବେଦାନ୍ତ କମ୍ପାନୀର ଏକଦା ଅନ୍ୟତମ ନିଦେ୍ର୍ଧଶକ ବା ଅପଦସ୍ଥ ଏନରନ୍ କମ୍ପାନୀର ଏକଦା ଓକିଲ ପି.ଚିଦାମ୍ବରମ ଅର୍ଥ ମନ୍ତ୍ରଣାଳୟରୁ ଗୃହ ମନ୍ତ୍ରଣାଳୟକୁ ସ୍ଥାନାନ୍ତରିତ ହେବା ଏକ ସଂଯୋଗ ମାତ୍ର- ଏହା କୁହାଯାଇ ପାରିବ ନାହିଁ । ବହୁଦେଶୀୟ କମ୍ପାନୀମାନଙ୍କର ଖଣିଖାଦାନ ଉପରେ ଲୋଲୁପ ଦୃଷ୍ଟି ଓ ଏମାନଙ୍କର ପ୍ରବେଶକୁ ବିରୋଧ କରୁଥିବା ଶକ୍ତି ଭିତରେ ବହୁଦେଶୀୟ କମ୍ପାନୀମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାପାଇଁ ପି.ଚିଦାମ୍ବରମଙ୍କର ଆବଶ୍ୟକତା ଅର୍ଥ ମନ୍ତ୍ରଣାଳୟ ଅପେକ୍ଷା-ଗୃହ ମନ୍ତ୍ରଣାଳୟର ଯେ ବେଶୀ ତାହା ଚିଦାମ୍ବରମଙ୍କର ପୃଷ୍ଠଭୂମି ସହ ପରିଚିତ, ଯେ କେହି ଅନୁମାନ କରିପାରିବ । ପି.ଚିଦାମ୍ବରମ ମଧ୍ୟ ଗୃହମନ୍ତ୍ରୀ ଭାବେ ସବୁଜ ଶିକାର (Green hunt)ରେ ଯେପରି ବାହାରି ପଡ଼ିଲେ ତାହା ତାଙ୍କର ଭୂମିକା ପ୍ରତି ନିଷ୍ଠାକୁ ପ୍ରତିଫଳିତ କଲା । ସେ ସ୍ୱାଭାବିକ ପ୍ରଗଳଭୁ ହେଲେ । ଜଣାପଡ଼ିଲେ ଅତ୍ୟନ୍ତ ସମ୍ବାଦପତ୍ର ପୃଷ୍ଠାରେ ଯେ ସେ ଜଣେ କାମିକା ମନ୍ତ୍ରୀ-କିଛି କରୁଛନ୍ତି ଓ ଅନେକ କିଛି କରିପାରିବେ । ଏହା ତ ଭିନ୍ନ କଥା ଯେ ଲୋହିତ ଶିକାର (Red Hunt)ରେ ମାତିଥିବା ବାହିନୀ-ଦାନ୍ତେୱାଡ଼ାରେ ଯେପରି ସିଆରପିଏଫ୍ର ୭୬ଜଣ ଜବାନଙ୍କୁ ହତ୍ୟାକଲେ- ତାହା ଚିଦାମ୍ବରମଙ୍କର ଶରୀରକୁ ନୀଳ କରିଦେଲା । ଚିଦାମ୍ବରମ ଇସ୍ତଫାର ଶରଣ ନେଲେ । ଏହା ଗୃହୀତ ନହେବାର ହିଁ ଥିଲା-ହେଲାନାହିଁ । ଚିଦାମ୍ବରମଙ୍କୁ ଏହି ଘଟଣା ନୀରବ କରିଦେଇଛି-ତାଙ୍କର ପ୍ରଗଳ୍ଭତାରେ ବିରାମ ପଡ଼ିଛି ।
ଜୟରାମ ରମେଶ ବିଟି ବାଇଗଣର ପ୍ରଚଳନକୁ ଯେପରି ପ୍ରତିହତ କଲେ; ତାହା ଜିଏମ୍ ବିହନ ଓ ଶସ୍ୟକୁ ବିରୋଧ କରୁଥିବା ସମସ୍ତଙ୍କୁ ଆନନ୍ଦିତ କରିଛି । ତାଙ୍କର ସହକର୍ମୀମାନେ ତାଙ୍କୁ ବିରୋଧ କରୁଛନ୍ତି ବୋଲି ସେ ଖୋଲାଖୋଲି ଭାବରେ କହୁଛନ୍ତି । କିନ୍ତୁ ମନମୋହନ ସିଂହ ଓ ସୋନିଆ ଗାନ୍ଧୀଙ୍କର ନୀରବତାକୁ ରମେଶ ତାଙ୍କ ପ୍ରତି ଏ ଦୁହିଁଙ୍କର ସମର୍ଥନ ବୋଲି ଭାବୁଛନ୍ତି ଓ ସେହିଭଳି ଧାରଣା ଆମ୍ଭମାନଙ୍କୁ ଦେଉଛନ୍ତି । ଏହି ସମର୍ଥନ ଆନ୍ତରିକ ବୋଲି ଜଣାପଡ଼ିବ ଯଦି ଜୟରାମ ରମେଶ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ଓ ଜଙ୍ଗଲ-ପରିବେଶ ମନ୍ତ୍ରୀତ୍ୱ ବଜାୟ ରଖିପାରନ୍ତି । ସୂଚନାଯୋଗ୍ୟ ଯେ ଜୟରାମ ରମେଶଙ୍କର ରାଜ୍ୟସଭା ସଦସ୍ୟତା ଚଳିତବର୍ଷ ଜୁନ୍୍ ମାସରେ ସରିବ ।
ଚିଦାମ୍ବରମ, ଜୟରାମ ରମେଶ ଓ କପିଳ ସିବଳଙ୍କ ଭିତରୁ ସବୁଠାରୁ ଅଧିକ କୁହାଳିଆ ମନ୍ତ୍ରୀ ହେଉଛନ୍ତି ଯେ କପିଳ ସିବଳ ଏହା ତାଙ୍କର ଗତିବିଧିକୁ ଲକ୍ଷ୍ୟ କରୁଥିବା ଯେ କେହି ପର୍ଯ୍ୟବେକ୍ଷକ କହିପାରିବ । ସବୁଦିନେ ନୂଆ ନୂଆ ପ୍ରସ୍ତାବ ଦେଇ ଚାଲିଛନ୍ତି । ଟେଲିକମ୍ ଜଗତରେ ଆସିଥିବା ବିପ୍ଳବଠାରୁ ଆହୁରି ବଡ଼ ଧରଣର ବିପ୍ଳବ ସେ ଶିକ୍ଷା ଜଗତରେ ଆଣୁଛନ୍ତି ବୋଲି ଉଚ୍ଚସ୍ୱରରେ ଘୋଷଣା କରୁଛନ୍ତି । କେହି କେହି ଯଦି ଟେଲିକମ୍ ଜଗତରେ ହେଉଥିବା ବିଭିନ୍ନ ସ୍କାମ ବିଷୟରେ ଶୁଣି ଶିକ୍ଷା ଜଗତରେ ଏହିଭଳି ସ୍କାମ୍ର ଆଶଙ୍କା କରୁଥାନ୍ତି; ତା’ହେଲେ ଏହି ଆଶଙ୍କାକୁ ଭିତ୍ତହୀନ କୁହାଯାଇପାରିବ ନାହିଁ । ବିଦେଶୀ ଶିକ୍ଷାନୁଷ୍ଠାନ ବିଧେୟକ ୨୦୧୦ (Foreign Educationl Institutions (Regulation of entry & operation-Bill 201)କୁ ସଂସଦରେ ପାରିତ କରାଇ ନେଇ ବିଦେଶୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତ ଭୂଇଁରେ ଠିଆ ହେବାର ସୁଯୋଗ ଦେବାକୁ ଯେଉଁ ବ୍ୟାକୁଳତା କପିଳ ସିବଳଙ୍କଠାରେ ଦେଖାଯାଉଛି-ତାହା ଏହି ଆଶଙ୍କାକୁ ଅଧିକ ବଳବତ୍ତର କରୁଛି । ଏହା ପୂର୍ବରୁ ବିଦେଶୀ କମ୍ପାନୀମାନଙ୍କୁ ଆମର ଖଣି, ଖାଦାନ, ଜଙ୍ଗଲ ଉନ୍ମୁକ୍ତ କରିବାକୁ ଯାଇ ଯେଉଁଭଳି ବୁଝାମଣା ପତ୍ର (MOU)ମାନ ଆମ ସରକାର ସ୍ୱାକ୍ଷର କରିଛନ୍ତି । ଏହି ସ୍ୱାକ୍ଷର ପଛରେ ପ୍ରଚୁର ଅର୍ଥର କାରବାରର ଅଭିଯୋଗ ବାରମ୍ବାର ଉଠିଛି । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ ବିଦେଶୀ ଶିକ୍ଷାନୁଷ୍ଠାନମାନେ ଯେତେବେଳେ ଭାରତ ମାଟିରେ ସେମାନଙ୍କର ବିପଣୀ ଖୋଲିବେ-ସେତେବେଳେ ଏହିଭଳି ଅର୍ଥ କାରବାର କାହିଁକି ବା ନ ହେବ?- ଏହି ଆଶଙ୍କା ସ୍ୱାଭାବିକ । କପିଳ ସିବଳ ଏହିଭଳି ଆଶଙ୍କାକୁ ଆଧାରହୀନ ବୋଲି ଉଚ୍ଚସ୍ୱରରେ କହିପାରନ୍ତି । କିନ୍ତୁ କପିଳ ସିବଳ ଯେ ସୁପ୍ରିମକୋର୍ଟର ବିଚାରପତି ଭି. ରାମସ୍ୱାମୀଙ୍କ ବିରୋଧରେ ସଂସଦରେ ଅଣାଯାଇଥିବା ମହାଭିଯୋଗକୁ ବିରୋଧ କରି ରାମସ୍ୱାମୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ- ତାହା ଯେଉଁମାନେ ସ୍ମରଣ କରିବେ-ସେମାନେ କପିଳ ସିବଳଙ୍କର ସ୍ୱଚ୍ଛତା ଓ ସାଧୁତା ପ୍ରତି ନିଷ୍ଠାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । କେହି କେହି ରାମସ୍ୱାମୀଙ୍କ ପକ୍ଷରେ ତାଙ୍କର ଠିଆ ହେବାକୁ ବୃତ୍ତଗତ ଦାୟିତ୍ୱ ନିର୍ବାହ ବୋଲି କହିପାରନ୍ତି । ମହାତ୍ମା ଗାନ୍ଧୀ ଏହିଭଳି ଦାୟିତ୍ୱ ନିର୍ବାହ କରିବେ ନାହିଁ ବୋଲି ଓକିଲାତି ଛାଡ଼ିଲେ, ଗୋପବନ୍ଧୁ ଦାସ ମଧ୍ୟ ଓକିଲାତି ଛାଡ଼ିଲେ । ଏମାନେ ଶିକ୍ଷା ଦାର୍ଶନିକ ଥିଲେ । ଭାରତମାଟିରେ ଶିକ୍ଷାର ସ୍ୱରୁପ କ’ଣ ହେବ- ସେମାନେ ସେହି ଦିଗରେ ଚିନ୍ତା ଭାବନା କରି-ଏକ ସ୍ୱାବଲମ୍ବନଶୀଳ ସମାଜ ପାଇଁ-ଶିକ୍ଷାର ଭିତ୍ତ ପକାଇବାର ଉଦ୍ୟମ କରିଥିଲେ । ତାହାହିଁ ଶିକ୍ଷାରେ ବିପ୍ଳବ ଥିଲା । ବିଦେଶୀ ଶିକ୍ଷାକୁ ବିରୋଧ ଥିଲା । ଏହି ପୃଷ୍ଠଭୂମିରେ ରାମସ୍ୱାମୀଙ୍କ ସପକ୍ଷରେ ଠିଆ ହୋଇଥିବା କପିଳ ସିବଳ, ବିଦେଶୀ ଶିକ୍ଷାନୁଷ୍ଠାନକୁ ଭାରତଭୂଇଁରେ ଠିଆ କରାଇବା ପାଇଁ ବ୍ୟାକୁଳ ହେବା ଗାନ୍ଧୀ-ଗୋପବନ୍ଧୁଙ୍କ ଶିକ୍ଷା ଦର୍ଶନର ସମ୍ପୂର୍ଣ୍ଣ ବିପରୀତମୁଖୀ । ତେଣୁ କପିଳ ସିବଳ ଶିକ୍ଷାରେ ଯେଉଁ ବିପ୍ଳବର ସୂଚନା ଦେଇଛନ୍ତି-ତାହା ହେଉଛି କର୍ପୋରେଟ୍ବଲମ୍ବୀ ଶିକ୍ଷାର ବ୍ୟାପକ ପ୍ରସାର-ଅଧିକରୁ ଅଧିକ ଶିକ୍ଷା ବିପଣୀର ଉଦ୍ଘାଟନ, ସ୍ୱତନ୍ତ୍ର ଶିକ୍ଷା ଅଞ୍ଚଳ (Special Education Zone)ର ପ୍ରତିଷ୍ଠା । କପିଳ ସିବଳଙ୍କ ପୃଷ୍ଠଭୂମି ଦେଖିଲେ ତାଙ୍କ ଦ୍ୱାରା ଏହିଭଳି ଉଦ୍ୟମ ଆଦୌ ଅପ୍ରତ୍ୟାଶିତ ମନେହୁଏ ନାହିଁ ।
କପିଳ ସିବଳ ତରତରରେ ଅଛନ୍ତି । ସ୍କୁଲ ସ୍ତରରେ ପରୀକ୍ଷା ଉଠେଇଦେବା ପାଇଁ ଚାହାନ୍ତି ସେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଯେଉଁ ଚାପ ସୃଷ୍ଟି ହେଉଛି-ସେଥିରୁ ସେମାନେ ମୁକ୍ତି ପାଇବେ । ଆତ୍ମହତ୍ୟା କରିବାର ପ୍ରବଣତା ହ୍ରାସ ପାଇବ । କିନ୍ତୁ ପରୀକ୍ଷା ସହିତ ଅନଭ୍ୟସ୍ତ ଛାତ୍ରଛାତ୍ରୀ-ବୃତ୍ତ ସନ୍ଧାନରେ ଯାଇ ଯେତେବେଳେ ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହେବେ-ସେତେବେଳେ ତାହାର ଚାପକୁ ସେମାନେ କିପରି ମୁକାବିଲା କରିବେ-ତାହା ଅନେକ ପ୍ରଶ୍ନ କରୁଛନ୍ତି । ଚାକିରି ନପାଇବାର ଚାପରେ-ସେମାନେ ଆତ୍ମହତ୍ୟା ପ୍ରବଣତାର ଶିକାର ହେବେ ନାହିଁ ତ । ଶୁଦ୍ରକର ମନେହେଉଛି-ପରୀକ୍ଷା ସ୍କୁଲସ୍ତରରେ ଉଠାଇଦେଇ ଆତ୍ମହତ୍ୟାର ବୟସକୁ ହିଁ କେବଳ ଘୁଞ୍ଚାଇ ଦିଆଯାଇପାରେ ।
କପିଳ ସିବଳ ତରତରରେ ଅଛନ୍ତି । ଆଗାମୀ ଦଶବର୍ଷରେ ୮୦୦ଟି ନୂଆ ବିଶ୍ୱବିଦ୍ୟାଳୟ ଓ ୩୫,୦୦୦ କଲେଜର ଆବଶ୍ୟକତା ପଡ଼ିବ ବୋଲି ଟଘଋଝଉଙ ଦ୍ୱାରା ଆୟୋଜିତ ଏକ ସଭାରେ କହିଛନ୍ତି । ବର୍ତ୍ତମାନ ୧୮ରୁ ୨୫ବର୍ଷ ବୟସ ଭିତରେ ଥିବା ୧୦୦ଜଣଙ୍କ ଭିତରୁ ମାତ୍ର ୧୨.୪ଜଣ ହିଁ ଉଚ୍ଚଶିକ୍ଷା ପାଉଛନ୍ତି । ସିବଳ ଚାହାନ୍ତି ଏହା ୩୦କୁ ବୃଦ୍ଧିପାଉ । କିନ୍ତୁ ଏହି ୮୦୦ଟି ବିଶ୍ୱବିଦ୍ୟାଳୟ ଓ ୩୫,୦୦୦କଲେଜର ସ୍ଥାପନା କିପରି ହେବ-ସେ ବିଷୟରେ କିଛି ସ୍ପଷ୍ଟତା ନାହିଁ । ଏକାଦଶ ଯୋଜନା କାଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟୟ ଅଟକଳ ୪୬,୫୦୦କୋଟି ଟଙ୍କା ହୋଇଥିବା ବେଳେ ଗତ ୩ବର୍ଷରେ ଖର୍ଚ୍ଚ ପାଇଁ ଦିଆଯାଇଛି ମାତ୍ର ୮୩୦୦ କୋଟି ଟଙ୍କା । ଅର୍ଥାତ ଯେଉଁ ଉଚ୍ଚସ୍ୱରରେ କପିଳ ସିବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ (ବା ବିପ୍ଳବ) ଆଣିବାକୁ ଚାହୁଁଛନ୍ତି, ସେହି ଆନୁପାତିକ ଗତିରେ ଉଚ୍ଚଶିକ୍ଷାକ୍ଷେତ୍ରରେ ସରକାର ବ୍ୟୟ କରୁନାହାନ୍ତି । ତେଣୁ ବିଶ୍ୱବିଦ୍ୟାଳୟ, କଲେଜ ଯାହାର ସ୍ୱପ୍ନ ସିବଳ ଦେଖୁଛନ୍ତି ତାହା ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ହାତକୁ ଟେକି ଦିଆଯିବ ନାହିଁ ତ? ଉଚ୍ଚଶିକ୍ଷାର ଏକ ବିରାଟ ବଜାର ଭାରତ ଭୂଇଁରେ ରହିଛି ବୋଲି ବିଶ୍ୱାସ କରି ଆକୃଷ୍ଟ ହେଉଥିବା ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କପିଳ ସିବଳଙ୍କର ସ୍ୱପ୍ନକୁ ସାକାର କରିବେ ନାହିଁ ତ?
ଅପେକ୍ଷା କରିବା କପିଳ ସିବଳ ଆଉ ସବୁ କ’ଣ କରୁଛନ୍ତି । -ଶୁଦ୍ରକ