ବିଶେଷତଃ ସରକାରୀ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ସରକାରୀ ଅନୁଦାନପ୍ରାପ୍ତ ପ୍ରତିଷ୍ଠାନଗୁଡ଼ିକରୁ ଅବସର ନେବାର ସମୟ ଆସିଗଲେ (ଯାହା ୫୮,୬୦ ବା ୬୫) ବୋଧହୁଏ ମସ୍ତିଷ୍କରୁ ଏକ ପ୍ରକାର ରାସାୟନିକ ଦ୍ରବ୍ୟର କ୍ଷରଣ ହୁଏ ଯାହା ପୁନଃନିଯୁକ୍ତି ପାଇଁ ବ୍ୟାକୁଳତାକୁ ଉତ୍ତେଜିତ କରାଏ । ଏହା ସେତେବେଳେ ପ୍ରଶମିତ ହୁଏ ଯେତେବେଳେ ଔପଚାରିକ ଭାବେ ଅବସର ନେଉଥିବା ବ୍ୟକ୍ତିଟି ତା’ର ପୂର୍ବପଦବୀ ଅନୁରୂପ କୌଣସି ଘରୋଇ ବୈଷୟିକ ପ୍ରତିଷ୍ଠାନର ଅଧ୍ୟାପକ ଭାବେ ନିଯୁକ୍ତି ପାଇଯାଏ ବା କୁଳପତି ବା ଉପକୁଳାଧିପତି ହୋଇଯାଏ । କୌଣସି କମିଶନର ଅଧ୍ୟକ୍ଷ ହୋଇଯାଏ ବା କୌଣସି କମ୍ପାନୀର ପରାମର୍ଶଦାତା ହୋଇଯାଏ । ଅବଶ୍ୟ ସମସ୍ତଙ୍କୁ ଏହି ସୁଯୋଗ ଆସେ ନାହିଁ- ଏଥିପାଇଁ ପୂର୍ବପ୍ରସ୍ତୁତିି ଯେଉଁମାନେ କରିଥାନ୍ତି- ବା ଯେଉଁମାନଙ୍କୁ ନିଯୁକ୍ତି ଦେଲେ ସରକାରୀ ସ୍ତରରେ ସେମାନଙ୍କର କାର୍ଯ୍ୟକୁ ଅନାୟାସରେ କରାଇ ପାରିବେ ବୋଲି ଘରୋଇ ପ୍ରତିଷ୍ଠାନଗୁଡ଼ିକ ବିଶ୍ୱାସ କରନ୍ତି- ସେହିମାନେ ହିଁ ଏହିଭଳି ନିଯୁକ୍ତି ପାଇଥାନ୍ତି । ସରକାର ତାଙ୍କର ଅନୁଗତ ଅଧିକାରୀମାନଙ୍କୁ ଅନୁଗୃହୀତ କରିଥାନ୍ତି । ତେଣୁ ବ୍ୟାକୁଳତାକୁ ଉତ୍ତେଜିତ କରାଇଥିବା ରାସାୟନିକ ଦ୍ରବ୍ୟ ଅନେକଙ୍କ କ୍ଷେତ୍ରରେ କ୍ଷରଣ ହୋଇ ହୋଇ ଶୁଖିଯିବା ବିଚିତ୍ର ନୁହେଁ ।
ଅବସର ପରେ ନିଯୁକ୍ତି ଯେ ପ୍ରଚୁର ଆନନ୍ଦର ଉତ୍ସ୍ୱ ହୋଇପାରେ, ଏହା କହିବା ବାହୁଲ୍ୟ ମାତ୍ର । ଜଣେ ଅବସର ନେଇ ନିଯୁକ୍ତି ପାଇଥିବା ଅଧ୍ୟାପକ ମୋତେ ଆନନ୍ଦରେ ଅଧିର ହୋଇ କହିଲେ, ‘ଦେଖନ୍ତୁ ଯେଉଁଦିନ ମୁଁ ଅବସର ନେଲି- ତା’ ପରଦିନ ମୁଁ ନିଯୁକ୍ତି ପାଇଲି । ଘରୋଇ ଶିକ୍ଷାନୁଷ୍ଠାନ ଯଦି ନଥାନ୍ତା ତା’ହେଲେ ଏହା କ’ଣ ସମ୍ଭବ ହୋଇଥାନ୍ତା । ଆପଣମାନେ ବିରୋଧ କରୁଛନ୍ତି ଶିକ୍ଷାର ଘରୋଇକରଣକୁ ।’ ମୁଁ ଏହା ଶୁଣି ଭାବୁଥିଲି,‘ପୂର୍ବେ ଆମେ କହୁଥିଲୁ ଯେ ପିଲାଟା ପାଠ ସାରୁ ସାରୁ ଚାକିରି ପାଇଗଲା । ଏବେ ଆମେ କହିପାରିବା ଯେ ଅବସର ନେଉ ନେଉ ବୁଢ଼ାଟା ଚାକିରି ପାଇଗଲା ।’ ଯେଉଁମାନେ ଶିକ୍ଷାର ଘରୋଇକରଣକୁ ବିରୋଧ କରୁଛନ୍ତି, ସେମାନେ ବୁଝିବା ଦରକାର ଯେ ଏହି ପ୍ରକ୍ରିୟାର ଏକ ବିଶାଳ ସମର୍ଥନର ଭିତ୍ତ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ଭିତରେ ରହିଛି । କାରଣ ଏମାନେ ଅଧ୍ୟାପକ, ଅଧ୍ୟକ୍ଷ, କୁଳପତି ଓ ଉପକୁଳପତି ହେବାର ଏକ ବିରାଟ ସୁଯୋଗ ଏହି ପ୍ରକ୍ରିୟା ଭିତରେ ଦେଖୁଛନ୍ତି । କେବଳ ଘରୋଇ ଶିକ୍ଷା ବ୍ୟବସ୍ଥାରେ କାହିଁକି, ଘରୋଇ କମ୍ପାନୀମାନଙ୍କର ମଧ୍ୟ ସେମାନେ ଦେଖୁଛନ୍ତି ନିଯୁକ୍ତିର ଅପୂର୍ବ ସୁଯୋଗ । ତେଣୁ ସରକାରରେ ଥିବା ସମୟରେ ଉଚ୍ଚ ପଦାଧିକାରୀଙ୍କର କମ୍ପାନୀମାନଙ୍କ ପ୍ରତି ଦରଦ ପଛରେ ଅବସର ପରେ ନିଯୁକ୍ତିର ଲାଳସା ହିଁ କାର୍ଯ୍ୟକରୁଛି । ଏହା ତ ଅନୁସନ୍ଧାନସାପେକ୍ଷ ଯେ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଷମତାସୀନ ଅଧିକାରୀ ଓ ରାଜନୈତିକ ନେତାମାନଙ୍କର ସନ୍ତାନସନ୍ତତି କେତେ? ସେହି ଅନୁଷ୍ଠାନ ମାନଙ୍କରେ ଚାକିରି କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କ ମଧ୍ୟରେ କ୍ଷମତାସୀନ ଅଧିକାରୀ ଓ ରାଜନୈତିକ ନେତାଙ୍କର ନିକଟ ସମ୍ପର୍କୀୟଙ୍କ ସଂଖ୍ୟା କେତେ ବା ଏହିମାନଙ୍କ ମଧ୍ୟରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ସଂଖ୍ୟା କେତେ? ସେହିଭଳି ଓଡ଼ିଶା ମାଟିରେ ସକ୍ରିୟ ଘରୋଇ କମ୍ପାନୀମାନଙ୍କରେ କାର୍ଯ୍ୟରତ ଉପରିସ୍ଥ କର୍ମଚାରୀଙ୍କ ଭିତରୁ କେତେଜଣ କ୍ଷମତାସୀନ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କର ସନ୍ତାନସନ୍ତତି; ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ ।
ତେଣୁ ସରକାରରେ ଥାଇ ସରକାରୀ କର୍ମଚାରୀମାନେ ସରକାରୀ ନୀତି ପ୍ରଣେତାମାନେ, ନୀତିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱରେ ଥିବା ସରକାରୀ ପଦାଧିକାରୀମାନେ କାହିଁକି ଘରୋଇ ଶିକ୍ଷାବ୍ୟବସ୍ଥା, ସ୍ୱାସ୍ଥ୍ୟବ୍ୟବସ୍ଥା, ଶିଳ୍ପବ୍ୟବସ୍ଥା ପାଇଁ ଅଧିକ ଆଗ୍ରହୀ, ତାହା ଉପରୋକ୍ତ ସୂଚନା ଓ ଆଲୋଚନାରୁ ସ୍ପଷ୍ଟ । ଅବସର ଜୀବନରେ ନିଯୁକ୍ତିର ପ୍ରଲୋଭନ, ନିଜର ସନ୍ତାନସନ୍ତତିଙ୍କ ପାଇଁ ଏକ ‘ସୁରକ୍ଷିତ’ ଭବିଷ୍ୟତର ‘ପ୍ରତିଶ୍ରୁତି’, ଏହି ସରକାରୀ ଅଧିକାରୀମାନଙ୍କୁ ଘରୋଇ ବ୍ୟବସ୍ଥା ପ୍ରତି ଅନୁଗତ କରାଇ ଦେଇଛି ଓ ଦେଉଛି । -ଶୁଦ୍ରକ