୧୬-୨୮ ଫେବୃୟାରୀ, ୨୦୧୦
ମାଗଣା ବାଧ୍ୟତାମୂଳକ ଶିକ୍ଷା ପ୍ରତ୍ୟେକ ପିଲାକୁ ଉପଲବ୍ଧ କରାଇବା ଆମ ରାଷ୍ଟ୍ରର ଲକ୍ଷ୍ୟ ବୋଲି ସମ୍ବିଧାନର ପ୍ରଣେତାମାନେ ସମ୍ବିଧାନର ଧାରା ୪୫ରେ ଉଲ୍ଲେଖ କରିଥିଲେ । ଏହି ଲକ୍ଷ୍ୟକୁ ସମ୍ବିଧାନ ପ୍ରଣୟନର ଦଶବର୍ଷ ଭିତରେ ହାସଲ କରିବା ଦିଗରେ ସମସ୍ତ ଉଦ୍ୟମ କରିବେ ବୋଲି ନିଜର ସଂକଳ୍ପକୁ ଲିପିବଦ୍ଧ କରିଥିଲେ । କିନ୍ତୁ ଏହି ବ୍ୟବସ୍ଥାକୁ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ନକରି ସେମାନେ ଏହାକୁ ନିଦେ୍ର୍ଧଶିକା ନୀତି ଅନ୍ତର୍ଭୁକ୍ତ କାହିଁକି କରିଲେ ତାହା ଅନୁଶୀଳନ ସାପେକ୍ଷ । ବିଶେଷତଃ ଯେତେବେଳେ ସମ୍ବିଧାନର ପ୍ରଣୟନର ଛ’ଦଶନ୍ଧି ପରେ ଏହାକୁ ମୌଳିକ ଅଧିକାରଭୁକ୍ତ କରାଯାଇଛି । The right of children to free and compulsory Act ,୨୦୦୯ଦିନ ରାଷ୍ଟ୍ରପତିଙ୍କର ସ୍ୱୀକୃତି ଲାଭକରିଛି । ତେବେ ମାଗଣା ବାଧ୍ୟତାମୂଳକ ଶିକ୍ଷାକୁ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦେବା ଗତ ଦୁଇଦଶନ୍ଧି ବ୍ୟାପି ପ୍ରାଥମିକସ୍ତରରେ ଶିକ୍ଷାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଆହ୍ୱାନଗୁଡ଼ିକର ପରିଣତି ବୋଲି ଯଦି କେହି ବିଚାର କରନ୍ତି ତାହା ସମୁଦାୟ ପ୍ରସଙ୍ଗର ଏକ ଭିନ୍ନ ଅନୁଶୀଳନର ପଥ ପରିଷ୍କାର କରିବ ।
ଗତ ଶତାବ୍ଦୀର ୯୦ଦଶକ ଆରମ୍ଭ ହେଉ ହେଉ ଦକ୍ଷିଣପୂର୍ବ ରାଷ୍ଟ୍ର ଥାଇଲାଣ୍ଡର ଜୋମତିଏନ ସହରରୁ ଆହ୍ୱାନ ଦିଆଗଲା ସମସ୍ତଙ୍କ ପାଇଁ ଶିକ୍ଷା । ଏହି ଆହ୍ୱାନର ପୃଷ୍ଠପୋଷକତା ଯେଉଁ ଆନ୍ତର୍ଜାତିକ ସଙ୍ଗଠନମାନେ କରିଥିଲେ, ତାଙ୍କ ଭିତରେ ଥିଲା ବିଶ୍ୱବ୍ୟାଙ୍କ(World Bank)- ଅବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କର ମହାଜନ । ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF)ର ତାଗିଦ୍ରେ ଫୁଙ୍ଗୁଳା ହୋଇପଡ଼ୁଥିବା ଭାରତ(ଅର୍ଥନୀତି)ରେ ଏହି ଆହ୍ୱାନ ଅତି ଉଚ୍ଚସ୍ୱରରେ ପ୍ରତିଧ୍ୱନିତ ହେବାକୁ ଲାଗିଲା । ସରକାର, ନବ୍ୟସରକାର(Neo Government Organ-isation (NGO)))ତଥା ସଭା, ସେମିନାର, କନଫରେନ୍ସପ୍ରେମୀ ଶିକ୍ଷାବିଦ୍ମାନେ ଏହି ଆହ୍ୱାନ ଦ୍ୱାରା ରୋମାଞ୍ଚôତ ହେଲେ । ବହୁ ଆୟକାରୀ ଉଦ୍ୟମଗୁଡ଼ିକ ପାଇଁ ପଥ ଉନ୍ମୁକ୍ତ ହୋଇଗଲା । ଏହି ଆହ୍ୱାନ କ୍ରମଶଃ ରୂପାନ୍ତରିତ ହୋଇଗଲା ବିଶ୍ୱବ୍ୟାଙ୍କ ଓ ଡିଏଫ୍ଆଇଡି (DFID) ସାହାଯ୍ୟପ୍ରାପ୍ତ ଡିପିଇପି କାର୍ଯ୍ୟକ୍ରମରେ । ରାଜ୍ୟର ପ୍ରାଥମିକ ଶିକ୍ଷା ବିଦେଶୀପୁଞ୍ଜି ପାଇଁ ଏକ ନିବେଶପଥ ଯୋଗାଇଦେଲା । ଏହି ନବେ ଦଶକର ମଧ୍ୟଭାଗରେ ବିତର୍କିତ ଡଙ୍କେଲ ଚିଠାର ସୁପାରିଶରେ ପ୍ରତିଷ୍ଠା କରାଗଲା ବିଶ୍ୱବାଣିଜ୍ୟ ସଙ୍ଗଠନ ଯାହାର ନିୟମାବଳୀରେ ଶିକ୍ଷାରେ ବେପାରକୁ ଏକ ନୀତି ଭାବେ ଗ୍ରହଣ କରାଗଲା । କହିବା ବାହୁଲ୍ୟ ଯେ, ଶିକ୍ଷାପାଇଁ ଭାରତରେ ଏକ ବିରାଟ ବଜାର ରହିଛି- ବା ପୁଞ୍ଜିନିବେଶର ବା ଋଣଦେବାର ଏକ ବିରାଟ ସୁଯୋଗ ରହିଛି ତାହା ବିଶ୍ୱବ୍ୟାଙ୍କ ଓ ଡିଏଫ୍ଆଇଡି ଭଳି ଆନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ଅନୁଭବ କଲେ ଓ ଏଥିପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରାଇଲେ । ବୋଧହୁଏ ଏହି ଉପଯୁକ୍ତ ପରିବେଶ ସୃଷ୍ଟି ପାଇଁ ଉଦ୍ୟମର ଏକ ପରିଣତି ହେଉଛି ଶିକ୍ଷାର ଅଧିକାରକୁ ମୌଳିକ ଅଧିକାରଭାବେ ଗୃହୀତ କରାଇବା । ସମସ୍ତଙ୍କୁ ଶିକ୍ଷାଦେବାର ଦାୟିତ୍ୱକୁ ସରକାର ଯଦି ପୂର୍ଣ୍ଣତଃ ନିର୍ବାହ କରନ୍ତି, ତା’ହେଲେ ସରକାରଙ୍କୁ ଅତିରିକ୍ତ ୩,୨୧,୦୦୦କୋଟି ଟଙ୍କାରୁ ୪,୨୬,୦୦୦ କୋଟି ଟଙ୍କା ୬ବର୍ଷ ଭିତରେ ବ୍ୟୟ କରିବାକୁ ପଡ଼ିବ ବୋଲି କେନ୍ଦ୍ରୀୟ ପରାମର୍ଶଦାତା ଶିକ୍ଷାବୋର୍ଡ଼Central Advisory Board of Education (CABE) କମିଟି (୨୦୦୫)ଏକ ଆକଳନ କରିଛନ୍ତି । ଏହି ପରିମାଣର ଅର୍ଥ ପାଇଁ ଯଦି ଭାରତ ସରକାରଙ୍କୁ ବିଶ୍ୱବ୍ୟାଙ୍କ ବା ସେହିଭଳି ଆନ୍ତର୍ଜାତିକ ପୁଞ୍ଜି ନିବେଶକାରୀ ସଙ୍ଗଠନମାନଙ୍କର ଦ୍ୱାରସ୍ଥ ହେବାକୁ ପଡ଼େ ତା’ହେଲେ ପୁଞ୍ଜିନିବେଶର ଏକ ବିରାଟ ସୁଯୋଗ ଯେ ଏହି ସଙ୍ଗଠନମାନେ ପାଇଯିବେ- ଏହା କହିବା ଅତିଶୟୋକ୍ତି ହେବ ନାହିଁ । ଏହା ପରିଶେଷରେ ଭାରତର ସାମଗ୍ରିକ ଅର୍ଥନୀତିକୁ କିପରି ପ୍ରଭାବିତ କରିବ ତାହା ଅର୍ଥନୀତିଜ୍ଞମାନେ ଆଲୋଚନା କରିବା ଆବଶ୍ୟକ ।
ଏହି ପ୍ରସଙ୍ଗରେ ମନ ଭିତରକୁ ଆସେ ଯେ ଗାନ୍ଧୀଙ୍କର ମୌଳିକ ଶିକ୍ଷା ପ୍ରତି ଯଦି ଭାରତ ସରକାର ଆନ୍ତରିକତା ସହ କାର୍ଯ୍ୟକାରୀ କରିଥାନ୍ତେ, ତା’ହେଲେ ନିଦେ୍ର୍ଧଶିକା ନୀତି ଅନୁଯାୟୀ ସମ୍ବିଧାନ ପ୍ରଣୟନର ଦଶବର୍ଷ ଭିତରେ ଚଉଦବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷାର ଲକ୍ଷ୍ୟ ବୋଧହୁଏ ପୂରଣ ହୋଇପାରିଥାନ୍ତା । ଯଦି କେହି କହେ ଯେ ଭାରତ ଭଳି ରାଷ୍ଟ୍ରରେ ପ୍ରାଥମିକ ସ୍ତରରେ ସମସ୍ତଙ୍କୁ ଶିକ୍ଷା କେବଳ ମୌଳିକ ଶିକ୍ଷାଦ୍ୱାରା ସମ୍ଭବ- ତା’ହେଲେ ଏହିଭଳି ମତକୁ ଉପେକ୍ଷା କରାଯାଇ ନପାରେ ।