ଶିକ୍ଷାନୁଷ୍ଠାନରେ ବିଶୃଙ୍ଖଳା

  • 11/09/2015

୧-୧୬ ଜାନୁଆରୀ, ୨୦୧୦

ଶିକ୍ଷାନୁଷ୍ଠାନରେ ବିଶୃଙ୍ଖଳା କିଛି ନୂଆକଥା ନୁହେଁ । କିନ୍ତୁ ଯାହା ବିଚାରର ବିଷୟ, ତାହା ହେଉଛି ଗଣମାଧ୍ୟମରେ ଏହି ବିଶୃଙ୍ଖଳା କୈନ୍ଦ୍ରିକ ସମ୍ବାଦର ପରିବେଷଣ । ଏହା ନିଶ୍ଚିତ ଯେ ଗଣମାଧ୍ୟମରେ ଏହି ସମ୍ବାଦ ପ୍ରକାଶ ପାଇଲେ -ଲୋକଚକ୍ଷୁରେ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥାଏ । ଭାବମୂର୍ତ୍ତି କ୍ଷୁଣ୍ଣ ହେଲେ ଏହି ଶିକ୍ଷାନୁଷ୍ଠାନରୁ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ତେଣୁ ସ୍ୱାଭାବିକ ଯେ ଏହିଭଳି ସମ୍ବାଦ କିପରି ଗଣମାଧ୍ୟମରେ ପ୍ରକାଶିତ ନହେଉ ତା’ପାଇଁ ଶିକ୍ଷାନୁଷ୍ଠାନର ଅଧିକାରୀମାନେ ବା ପରିଚାଳକମାନେ ଉଦ୍ୟମ କରନ୍ତି । ଅପରପକ୍ଷରେ ଗଣମାଧ୍ୟମର ସମ୍ବାଦଦାତାମାନେ ଘଟୁଥିବା ବିଶୃଙ୍ଖଳାକୁ ଅତ୍ୟନ୍ତ ରୋଚକ ବା ସେନ୍ସେସନାଲ (Sensational)କରି ପରିବେଷଣ କରିବାକୁ ଉଦ୍ୟମ କରନ୍ତି । ଯେପରି ସାମାନ୍ୟ ଶକ୍ତିଶାଳୀ ଫୋଟକା ବିସ୍ଫୋରଣକୁ ‘ବୋମା ବିସ୍ଫୋରଣ’ ବୋଲି ଅଭିହିତ କରି ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଫୁଟୁଥିବା ବୋମାର ଭୟ ପାଠକ ଭିତରେ ସୃଷ୍ଟିକରନ୍ତି । ଏହିଭଳି ଦୁଇଉଦ୍ୟମ ମଧ୍ୟରେ ଦେଖାଯାଉଛି ଯେ ସରକାର ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ଉଚ୍ଚଦରରେ ଆଦାୟ କରାଯାଉଥିବା ଅର୍ଥରେ ପରିଚାଳିତ ଘରୋଇ ଶିକ୍ଷାନୁଷ୍ଠାନ ପରି ପ୍ରତିକୂଳ ସମ୍ବାଦ ପରିବେଷଣକୁ ଅଟକାଇ ପାରୁନାହାନ୍ତି । ତା’ନହେଲେ ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଘଟୁଥିବା ବିଶୃଙ୍ଖଳାର ସମ୍ବାଦ ଯେଉଁ ବେପରୁଆ ଭାବ ଓ ସଠିକ ଅନୁସନ୍ଧାନ ନକରି ପରିବେଷଣ ହେଉଛି- ତାହା ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ କ୍ଷେତ୍ରରେ ହେଉଥିବା ଦେଖାଯାଉ ନାହିଁ । ସତେଯେପରି ଏହି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଦୌ ଛାତ୍ର ବିଶୃଙ୍ଖଳା ନାହିଁ । ଯଦିବା କେତେବେଳେ କେମିତି ପ୍ରକାଶ ପାଉଛି-ସେଥିରେ ଶିକ୍ଷାନୁଷ୍ଠାନର ନାଁ ଉଲ୍ଲେଖ କରାଯାଉ ନାହିଁ । ଯେଉଁ ଅନୁଷ୍ଠାନମାନଙ୍କରେ ବହୁ ଅଧିକ ସଂଖ୍ୟାରେ ପିଲା ପଢ଼ୁଛନ୍ତି-ସେ ଅନୁଷ୍ଠାନମାନଙ୍କ କ୍ଷେତ୍ରରେ ତ ବିଶୃଙ୍ଖଳାର ସମ୍ବାଦ ପ୍ରାୟଃ ନାହିଁ । ଯେକେହି ସନେ୍ଦହ କରିବ ଗଣମାଧ୍ୟମର ନିରପେକ୍ଷତାକୁ । ଇତ୍ୟବସରରେ ଗଣମାଧ୍ୟମର ମାଲିକମାନେ ଛାତ୍ରଙ୍କ ଅର୍ଥରେ ଶିକ୍ଷାନୁଷ୍ଠାନ କରିବା ବା ଏହିଭଳି ଶିକ୍ଷାନୁଷ୍ଠାନମାନେ ସମ୍ବାଦପତ୍ର ବା ଚ୍ୟାନେଲର ମାଲିକ ହେବାପାଇଁ ଆଗଭର ହେଲେଣି । ଏହାଦ୍ୱାରା ଅର୍ଥକାରୀ ଶିକ୍ଷାନୁଷ୍ଠାନ ସପକ୍ଷରେ ଗଣମାଧ୍ୟମ ଭୂମିକା ନିର୍ବାହର ଅଧିକ ସମ୍ଭାବନା ବଢ଼ିଯାଇଛି ବୋଲି କହିବା ଅବାସ୍ତବ ହେବ ନାହିଁ । ଅପରପକ୍ଷରେ ଗଣମାଧ୍ୟମ ଯେଉଁଭଳି ଭାବରେ ‘Cash for coverage’(ଖବର ଛାପିବା ପାଇଁ ଅର୍ଥ)କୁ ଔପଚାରିକ ସ୍ୱୀକୃତି ଦେଲେଣି ଓ ସ୍ଥାନ ବିକ୍ରୟ କଲେଣି, ଠିକ୍ ବିଜ୍ଞାପନ ପାଇଁ ସ୍ଥାନ ବିକ୍ରି କଲାଭଳି (‘News establishments sell space for coverage much like they do for advertisments’ in Editorials, Economic and Political Weekly,December 12, 2009), ସେତେବେଳେ ନିଜ ସପକ୍ଷରେ ସ୍ଥାନ କିଣିପାରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ପର୍କରେ କୌଣସି ସୂଚନା ଯାହାର ପ୍ରଭାବ ଶିକ୍ଷାନୁଷ୍ଠାନର ଛବି ପାଇଁ ପ୍ରତିକୂଳ-ପ୍ରକାଶ ପାଇବା ସମ୍ଭବ ନୁହେଁ । ତେଣୁ ପ୍ରତିକୂଳ ସମ୍ବାଦପାଇଁ ବ୍ୟାକୁଳ ଗଣମାଧ୍ୟମର ସ୍ୱାଭାବିକ ଚରାଭୂମି ହେଉଛି ନିଜ ସପକ୍ଷରେ ଖବରକାଗଜରେ ସ୍ଥାନ କିଣିପାରୁନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ । ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଣମାଧ୍ୟମରେ ଖବର ଛପାଇବା ପାଇଁ ଅର୍ଥ ବ୍ୟବସ୍ଥା, ଯେ କଦାପି ସମ୍ଭବ ନୁହେଁ, ଏହା କହିବା ବାହୁଲ୍ୟ ମାତ୍ର । ତେଣୁ ଏହି ଶିକ୍ଷାନୁଷ୍ଠାନମାନଙ୍କରେ ବିଶୃଙ୍ଖଳା ଗଣମାଧ୍ୟମ ପାଇଁ ହୋଇଛି ଭୋଜ୍ୟ ।
ଗଣମାଧ୍ୟମର ଏତାଦୃଶ ଭୂମିକାକୁ ବ୍ୟାପକ ଅର୍ଥରେ ଅନୁଶୀଳନ କଲେ ଏହା ଯେ ଶିକ୍ଷାବ୍ୟବସ୍ଥାର ଘରୋଇକରଣ ସପକ୍ଷରେ ଏକ ଉଦ୍ୟମ-ଏହା କହିବା ଅତିଶୟୋକ୍ତି ହେବନାହିଁ । ‘ଉପଦ୍ରୁତ’ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପ୍ରତି ବୀତସ୍ପୃହ ଭାବ ଯେତେ ବୃଦ୍ଧିପାଇବ- ତାହା ଘରୋଇ ଶିକ୍ଷାନୁଷ୍ଠାନର ଅଭିବୃଦ୍ଧି ପାଇଁ ଶୁଭଙ୍କର । ବିଡ଼ମ୍ବନା ଯେ ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ପ୍ରଶାସନ ବା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରୋକ୍ଷ ବା ପ୍ରତ୍ୟକ୍ଷ ପୃଷ୍ଠପୋଷକତା ଦେଉଛନ୍ତି- ଅଥଚ ନିଜ ନିୟନ୍ତ୍ରଣରେ ଥିବା ଅନୁଷ୍ଠାନଗୁଡ଼ିକର ବିକାଶ ପାଇଁ ଆବଶ୍ୟକୀୟ ଆଗ୍ରହ ଦେଖାଉନାହାନ୍ତି । କାହିଁକି ଏପରି ହେଉଛି-ତାହା ପ୍ରତ୍ୟେକ ସଚେତନ ନାଗରିକ ପ୍ରଶ୍ନ କରିବା ଉଚିତ ।

Print Friendly, PDF & Email