୧-୧୬ ଡିସେମ୍ବର, ୨୦୦୯
ଓଡ଼ିଶାର ଜମି, ଜଳ,ଜଙ୍ଗଲକୁ ଅକ୍ତିଆର କରିବା ପାଇଁ ବ୍ୟାକୁଳ କମ୍ପାନୀମାନେ ଇତ୍ୟବସରରେ ବିସ୍ଥାପନ ଆତଙ୍କରେ ଜୀବନ ଅତିବାହିତ କରୁଥିବା ଜନସମୁଦାୟ ପାଇଁ ‘ଗୁଣାତ୍ମକ’ ଶିକ୍ଷା ଯୋଗାଣ ଦିଗରେ ଉଦ୍ୟମ କରିବା ଆରମ୍ଭ କରିଛନ୍ତି ବୋଲି ସମ୍ବାଦପତ୍ରମାନଙ୍କରୁ ସୂଚନା ମିଳୁଛି । ଏତଦ୍ୱାରା ଏହି କମ୍ପାନୀମାନେ ଯେ ସେମାନଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱ (Corporate Social responsibility (CSR) ନିର୍ବାହ କରୁଛନ୍ତି ବୋଲି ଏହି ଧାରଣାର ପ୍ରଚାର ଓ ପ୍ରସାରରେ ନିୟୋଜିତ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି । ଯେହେତୁ ଏହି କମ୍ପାନୀମାନେ ସେମାନଙ୍କର ସାମାଜିକ ଦାୟିତ୍ୱ ନିର୍ବାହ କରିବା ଆରମ୍ଭ କଲେଣି, ତେଣୁ ଜମି, ଜଳ, ଜଙ୍ଗଲକୁ ଆତ୍ମସାତ କରିବାର ଅଧିକାର ଏହି କମ୍ପାନୀମାନଙ୍କର ଅଛି ବୋଲି ଏହି ‘ତତ୍ତ୍ୱବିଦ୍’ମାନେ ସାଧାରଣ ଲୋକଙ୍କ ଭିତରେ ଧାରଣା ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେଉଁ ଶିକ୍ଷା ବିସ୍ଥାପନ ଆତଙ୍କରେ ଥିବା ଜନସମୁଦାୟ ବିଭିନ୍ନ ଅଞ୍ଚଳରେ ଏଯାବତ୍ ବିସ୍ଥାପିତ ମଣିଷର ଦୁର୍ଦ୍ଧଶାରୁ ପାଇଛି ଓ ପାଉଛି ତଥା ବିସ୍ଥାପନ ବିରୋଧୀ ଆନେ୍ଦାଳନ ସହ ସମ୍ପୃକ୍ତ ରହି-ତାର ଏହି ଶିକ୍ଷାକୁ ଆହୁରି ପରିପକ୍ୱ କରୁଛି-ସେ ଭଳି କ୍ଷେତ୍ର ଶିକ୍ଷାକୁ କମ୍ପାନୀମାନଙ୍କର ଯୋଗାଣ ଶିକ୍ଷା କେତେଦୂର ଦୁର୍ବଳ କରିବାରେ ସମ୍ଭବ ହେବ,ତାହା ହିଁ ଦେଖିବାକୁ ରହିଲା ।