ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନୀତିଶଙ୍କୁ ପଛରେ ପକାଇ ନବୀନ ନମ୍ବର ୱାନ ବୋଲି ସମ୍ବାଦ (ଧରିତ୍ରୀ – ୨୪/୧/୨୦୦୭) ବେଶ୍ ଚର୍ଚ୍ଚିତ ହେଉଛି । ବିହାର ଓ ଓଡ଼ିଶା ଦୁଇ ରାଜ୍ୟ ମଧ୍ୟରେ ସବୁ ସମୟରେ ହୋଇ ଆସିଛି ଦରିଦ୍ରତମ ବିଶେଷଣ ପାଇଁ ପ୍ରତିଦ୍ୱନ୍ଦିତା । କେତେବେଳେ ଓଡ଼ିଶା ଦରିଦ୍ରତମ ତ କେତେବେଳେ ବିହାର ଦରିଦ୍ରତମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ମଧ୍ୟ ଏହି ଦୁଇ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି – ତାହା ଆମକୁ ଆମୋଦିତ କରୁଛି । ଯେଉଁ ରାଜ୍ୟ ଦରିଦ୍ର ତାର ମୁଖ୍ୟମନ୍ତ୍ରୀ ହିଁ ଲୋକପ୍ରିୟ ଏହି ସମ୍ବାଦ ମିଳୁଛି । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି କେଉଁ ଲୋକମାନଙ୍କର ଏମାନେ ହୋଇଥିବେ ପ୍ରିୟ?
ନବୀନ ଯଦି ପ୍ରକୃତରେ ଲୋକପ୍ରିୟ ହୋଇଥାନ୍ତେ ତା’ହେଲେ କଳିଙ୍ଗନଗରରେ ମୃତ ତେରଜଣ ପରିବାରକୁ ଶଙ୍ଖୋଳିବାକୁ ସହସା ଯାଇଥାନ୍ତେ । ବର୍ଷେ ହୋଇଗଲା ଘଟଣାକୁ । କିନ୍ତୁ ସେ ଯାଇପାରିଲେ ନାହିଁ । ନବୀନଙ୍କର ନିଜର ଲୋପ୍ରିୟତା ଉପରେ ଭରସା ନାହିଁ । ଯଦି ଏହିଭଳି ଗଣମାଧ୍ୟମ ଦ୍ୱାରା ସର୍ବେକ୍ଷଣ ତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିପାରେ । କିନ୍ତୁ ସେ ନିଶ୍ଚିତ ଭାବରେ ଟାଟା, ମିତ୍ତଲ, ଜିନ୍ଦଲ, ଅନୀଲ ଅଗ୍ରୱାଲଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ଓ ତାଙ୍କର କର୍ମଚାରୀ ମାନଙ୍କର ଅତି ପ୍ରିୟ – ଏଥିରେ ସନେ୍ଦହ ନାହିଁ ।
ନବୀନ ନିଶ୍ଚିତ ସେହି ଲୋକମାନଙ୍କର ପ୍ରିୟ ଯେଉଁମାନେ ତାଙ୍କ ଠାରୁ ଏ ରାଜ୍ୟର ଜଳ, ଜମି, ଜଙ୍ଗଲ ପାଇବେ ବୋଲି ପ୍ରତିଶ୍ରୁତି ପାଉଛନ୍ତି । ସେହିମାନଙ୍କର ପ୍ରିୟ ଯେଉଁମାନେ ଋଣ ପଇସାରେ ତିଆରି ହେଉଥିବା ଚଉଡ଼ା ରାସ୍ତା ଆଉ କମ୍ପାନୀ ଚାକିରୀର ସମ୍ଭାବନା ଦ୍ୱାରା ସମ୍ମୋହିତ । ସେହିମାନଙ୍କର ପ୍ରିୟ ଯେଉଁମାନେ ଏମ.ଓ.ୟୁରୁ ପାଉଛନ୍ତି ମହୁର ସ୍ୱାଦ ।
କିନ୍ତୁ ଯେଉଁଠି ସାଧାରଣ ଲୋକ ତାର ଜୀବିକା ହରାଇବାର ଭୟରେ ଅହର୍ନିଶ ଆତଙ୍କିତ, ସେଠି ନବୀନ ପ୍ରିୟ ନୁହନ୍ତି ବୋଲି ସେ ନିଜେ ଜାଣନ୍ତି । ଯଦି ଗାନ୍ଧୀଙ୍କ ଉକ୍ତିକୁ ଆମେ ଗ୍ରହଣ କରୁ ଯେ ଏହି ସାଧାରଣ ମଣିଷ ଭିତରେ ହିଁ ଭାରତର ଆତ୍ମା ରହିଛି ଓ ସବା ତଳ ଲୋକର ସ୍ୱାର୍ଥର ସୁରକ୍ଷା ହିଁ ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ, ତା’ହେଲେ ଏହି ଆତ୍ମାଗୁଡ଼ିକର ପ୍ରିୟ ହୋଇ ନଥିବା ନବୀନ ନମ୍ବରୱାନ ହେବେ କିପରି? ଯଦି ଭାରତବର୍ଷର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସବା ତଳଲୋକଙ୍କର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ପାଶୋରି ଦେଲେଣି ବୋଲି କୁହାଯାଏ ଏବଂ ପାଶୋରିବାରେ ନବୀନ ସବା ପଛରେ ଅଛନ୍ତି ବୋଲି ଯୁକ୍ତି ପାଇଁ କୁହାଯାଏ, ତା’ହେଲେ ତ କଥା ଭିନ୍ନ । ଲୋକପ୍ରିୟତା ଲୋକ ଉପରେ ଆଉ ନିର୍ଭର କରୁନାହିଁ । ଲୋକପ୍ରିୟତା ନିର୍ମାଣ କରାଯାଉଛି ଗଣମାଧ୍ୟମ ଶିଳ୍ପରେ । ସମସ୍ତେ ଜାଣନ୍ତି ଗଣମାଧ୍ୟମର ପ୍ରିୟ କେଉଁମାନେ । କେଉଁ ଲୋକମାନଙ୍କୁ ଗଣମାଧ୍ୟମ ସାମିଲ କରେ ଏହିଭଳି ସର୍ବେକ୍ଷଣରେ । ତେଣୁ ଏଭଳି ‘ନମ୍ବର ୱାନ’ ସମ୍ବାଦ, ଖୋସାମଦିଆଙ୍କ ପାଇଁ ଏକ ନୂଆ ଅବସର ଯୋଗାଇଛି ସତ, କିନ୍ତୁ ଏହାକୁ ଆଦୌ ଢ଼ୋକି ହେଉନାହିଁ ।
୧-୧୬ ଫେବୃୟାରୀ ୨୦୦୭