ପୁରୀ-କୋଣାର୍କ ବେଳାଭୂମିରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଚାଲିଥିବା ତର୍କ-ବିତର୍କ ଦ୍ୱାରା ବିଚଳିତ ହୋଇ ବେଦାନ୍ତ ବିଶ୍ୱବିଦ୍ୟାଳୟ ସମ୍ପର୍କରେ କିଛି ‘ସତ୍ୟ,ପ୍ରାମାଣିକ ତଥ୍ୟ ଅବତାରଣା’ କରିଛନ୍ତି ବୋଲି ଦାବି କରନ୍ତି ଶ୍ରୀଯୁକ୍ତ କବିପ୍ରସାଦ ମିଶ୍ର ତାଙ୍କ ଦ୍ୱାରା ଲିଖିତ ତର୍କ ବିତର୍କ ଓ ସତର୍କତାର ବଳୟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ’ ପ୍ରବନ୍ଧରେ (ଦ୍ରଷ୍ଟବ୍ୟ: ସମାଜ,୨୪/୯/୨୦୦୯) । ତାଙ୍କର କ୍ଷୋଭ ଯେ ‘ଅନେକ ଲୋକ ପ୍ରକଳ୍ପ ବିଷୟରେ ସବିଶେଷ ନଜାଣି, ସବୁତଥ୍ୟ ସଂଗ୍ରହ ନକରି,ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଅନୁସନ୍ଧାନ ନ କରି, ଯୋଜନାର ନକ୍ସା ନଦେଖି ମତାମତ ଦେଉଛନ୍ତି ।’
ଉକ୍ତ ପ୍ରବନ୍ଧରୁ ଶ୍ରୀଯୁକ୍ତ କବି ପ୍ରସାଦ ମିଶ୍ରଙ୍କର ପରିଚୟ ମିଳୁଛି ଯେ ସେ ହେଉଛନ୍ତି ଅନୀଲ ଅଗ୍ରୱାଲଙ୍କ ପୃଷ୍ଠପୋଷକତାରେ ଗଢ଼ାହେବାକୁ ଥିବା ବେଦାନ୍ତ ବିଶ୍ୱବିଦ୍ୟାଳୟର ଜଣେ ପରାମର୍ଶଦାତା ଯଦିଓ ସେ ଅନୀଲ ଅଗ୍ରୱାଲଙ୍କୁ ‘ଭେଟି ନାହାନ୍ତି’ ବା ତାଙ୍କ ସଙ୍ଗେ ଦିନେ ହେଲେ ସମ୍ପର୍କ ରଖିନାହାନ୍ତି ବା ‘କଥାବାର୍ତ୍ତା’ ମଧ୍ୟ ହୋଇ ନାହାନ୍ତି ।
ଯାହାର ପୃଷ୍ଠପୋଷକତାରେ ବିଶ୍ୱବିଦ୍ୟାଳୟ ହେଉଛି-ତାହା ସହିତ ଆଳାପ ଆଲୋଚନା ନ କରି ପରାମର୍ଶଦାତାର ନିଯୁକ୍ତି ସ୍ୱୀକାର କରିନେବା ନିଶ୍ଚିତ ଭାବରେ କବିପ୍ରସାଦ ଓ ଅନୀଲ ଅଗ୍ରୱାଲାଙ୍କର ପରସ୍ପର ଉପରେ ଗଭୀର ଆସ୍ଥାର ହିଁ ସମ୍ବାଦ ଦିଏ । ତଥାପି କବି ପ୍ରସାଦଙ୍କ ପ୍ରବନ୍ଧର ପ୍ରଥମ ଧାଡ଼ି- ‘ଲେଖକ ଅନୀଲ ଅଗ୍ରୱାଲଙ୍କୁ ଭେଟି ନାହିଁ କିମ୍ବା ତାଙ୍କ ସଙ୍ଗେ ଦିନେ ହେଲେ ସମ୍ପର୍କ ରଖିନାହିଁ ଅଥବା କଥାବାର୍ତ୍ତା ହୋଇନାହିଁ’- ପଢ଼ି ଯଦି କେହି କେହି ‘ଠାକୁର ଘରେ କିଏ? ନା ମୁଁ କଦଳୀ ଖାଇ ନାହିଁ’ର ପ୍ରତିଧ୍ୱନି ଶୁଣୁଥିବେ , ତାହେଲେ ଏହାକୁ ଅସ୍ୱାଭାବିକ କୁହାଯାଇ ପାରିବ ନାହିଁ । ଅନୀଲ ଅଗ୍ରୱାଲା ଇତ୍ୟବସରରେ କେତେଥର ଓଡ଼ିଶା ଆସି ମଧ୍ୟ ନିଜର ପ୍ରକଳ୍ପର ପରାମର୍ଶଦାତାମାନଙ୍କୁ ନ ଭେଟି ଚାଲିଯାଉଛନ୍ତି, ତାହା କବି ପ୍ରସାଦ ମିଶ୍ରଙ୍କର ପ୍ରବନ୍ଧରୁ ଜଣାପଡୁଛି । ଏହାକୁ କେହି କେହି ପରାମର୍ଶଦାତାମାନଙ୍କ ପ୍ରତି ଅନୀଲ ଅଗ୍ରୱାଲାଙ୍କର ହେୟ ମନୋଭାବ ବୋଲି ଯୁକ୍ତି କରିପାରନ୍ତି । କିନ୍ତୁ କବି ପ୍ରସାଦଙ୍କ ପ୍ରବନ୍ଧରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସମର୍ଥନରେ ଯେଉଁ ଭାବନାର ଝଲକ ଆମେ ପାଉ-ସେଥିରୁ ଜଣାପଡୁଛି ଯେ କବିପ୍ରସାଦ ପରାମର୍ଶଦାତାଙ୍କ ପ୍ରତି ଅନୀଲ ଅଗ୍ରୱାଲାଙ୍କର ହେୟ ମନୋଭାବ ଦ୍ୱାରା ପ୍ରଭାବିତ ହେବା ବ୍ୟକ୍ତି ନୁହଁନ୍ତି ।
ଆମ୍ଭେ ଶ୍ରୀଯୁକ୍ତ କବିପ୍ରସାଦ ମିଶ୍ରଙ୍କର ପରିଚୟ ଖୋଜିପାଇଲୁ ଯେ ସେ ଜଣେ ବହୁପ୍ରଚାରିତ ହୃଦ୍ରୋଗ ବିଶେଷଜ୍ଞ ଯିଏ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବାବେଳେ ଚେନ୍ନାଇସ୍ଥିତ ଘରୋଇ ଆପୋଲୋ ହସ୍ପିଟାଲରେ ମେଡ଼ିକାଲ ଶିକ୍ଷା ନିଦେ୍ର୍ଧଶକ ଓ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଏହି ନିଯୁକ୍ତି ସୂଚନା, ଘରୋଇ ବେଦାନ୍ତ ବିଶ୍ୱବିଦ୍ୟାଳୟର ଏକ ସାଲିସବିହୀନ ସମର୍ଥକ, ଆମେରିକାର ଏକ ସରକାରୀ ବିଶ୍ୱବିଦ୍ୟାଳୟ ଆରିଜୋନା ଷ୍ଟେଟ ୟୁନିଭରସିଟିରେ ଅଧ୍ୟାପକରତ ଡକ୍ଟର ଚିତ୍ତ ବରାଳଙ୍କ ଦ୍ୱାରା ପରିଚାଳିତ ‘ଆମ ଓଡ଼ିଶା (A Platform to discus and Act about Education in Odisha) ର ୱେବସାଇଟ(http://www.orissalinks.coms/archives/1415)) ରେ ନିମ୍ନୋକ୍ତ ଶିରୋନାମାରେ ପରିବେଷିତ ହୋଇଥିଲା: Vedanta University hires advisors for its medical college, 20th August 2008
ଏହି ଶିରୋନାମାର ଆକ୍ଷରିକ ଓଡ଼ିଆ ଅନୁବାଦ- ବେଦାନ୍ତ ବିଶ୍ୱବିଦ୍ୟାଳୟ ମେଡିକାଲ୍ କଲେଜପାଇଁ ପରାମର୍ଶଦାତାଙ୍କୁ ଭଡ଼ାରେ ନେଲେ: ନିଶ୍ଚିତ ଭାବରେ ଶ୍ରୁତିକଟୁ । କିନ୍ତୁ ଆମ ସ୍ୱପ୍ନର ଆମେରିକାରେ ଏହାହିଁ ହେଉଛି ଭାଷା- କାରଣ ଷସକ୍ସର ସହିତ ଲସକ୍ସରର ବା ବିତାଡ଼ନର ଖଣ୍ଡା ସବୁବେଳେ ମୁଣ୍ଡଉପରେ ଝୁଲୁଥାଏ-ଆମେରିକୀୟ ନିଯୁକ୍ତି ପ୍ରକ୍ରିୟାରେ ।
କିନ୍ତୁ ଅନୀଲ ଅଗ୍ରୱାଲାଙ୍କ ଅଭିଧାନରେ ବିତାଡ଼ନ ବୋଧହୁଏ ଏକ ନିରୀହ ଶବ୍ଦ । ତା’ ନହେଲେ ସେ କାହିଁକି ତାଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ରଜତ୍ ଭାଟିଆଙ୍କୁ ଚାକିରୀରୁ ବରଖାସ୍ତ କରିଲା ବେଳେ କହିଥାନ୍ତେ ‘ମୋର ଭୟଙ୍କର ଦିଗକୁ ତୁମେ ଦେଖିନାହଁ । ମୁଁ ଏପରି କରିବି ଯେ ତୁମେ ଦୁନିଆରେ ରହିବାପାଇଁ ସ୍ଥାନଟିଏ ପାଇବ ନାହିଁ । ମୁଁ ତୁମକୁ ଧ୍ୱଂସ କରିଦେବି ।’ (You have not seen my negative side and I will make sure that you donot have a place on this planet. I will destroy you) ରଜତ ଭାଟିଆଙ୍କର ଦୋଷଥିଲା ଯେ ସେ ଭାଇସ୍ ପ୍ରେସିଡ଼େଣ୍ଟ,ମର୍ଜର ଓ ଆକ୍ୱିଜିସନ (vice president Marger and Acquisition) ଭାବେ ଅନୀଲ ଅଗ୍ରୱାଲଙ୍କର ବେଆଇନ ଉଦ୍ୟମକୁ ବିିରୋଧ କରିଥିଲେ । ଏହିଭଳି ଧମକ ଓ ରଜତ ଭାଟିଆଙ୍କୁ ଚାକିରିରୁ ବହିଷ୍କାରକୁ ଆଇନବିରୋଧୀ ବୋଲି ଦର୍ଶାଇ ଲଣ୍ଡନ ଏମ୍ପ୍ଲୟମେଣ୍ଟ ଟ୍ରିବୁ୍ୟନାଲ (London Employment Tribunal) ରଜତ ଭାଟିଆଙ୍କୁ କ୍ଷତିପୂରଣ ବାବଦରେ ଆଠଲକ୍ଷ ପାଞ୍ଚହଜାର ତିନିଶହ ଚୌରାଅଶୀ ପାଉଣ୍ଡ (୮,୦୫,୩୮୪) ଦେବାପାଇଁ ଅନୀଲ ଅଗ୍ରୱାଲାଙ୍କୁ ନିଦେ୍ର୍ଧଶ ଦେଇଥିଲେ । କବି ବାବୁ ‘ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ବିଷୟରେ ଗତ ଦୁଇବର୍ଷ ଧରି ଯେଉଁ ତଥ୍ୟ ଓ ସଠିକ ବିଷୟ’ ସଂଗ୍ରହରେ ପ୍ରବୃତ୍ତ ହୋଇଛନ୍ତି- ସେ ସନ୍ଧାନକୁ ଆଉ ସାମାନ୍ୟ ବ୍ୟାପକ କରିଦେଲେ ଉପରୋକ୍ତ ସୂଚନା ମଧ୍ୟ ତାଙ୍କର ତଥ୍ୟସଂଗ୍ରହ ପରିସର ଭିତରକୁ ଆସିଯିବ । ସେ ଦେଖିପାରନ୍ତି http://www.telegraph.co.uk/finance/markets/2870769/Mining chief accused of illegal-dealings.html
ଭଗବାନ କରନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତ କବିବାକୁ ବା ଅନ୍ୟାନ୍ୟ ପରାମର୍ଶଦାତା ମାନେ ଏପରି ବ୍ୟବହାରର ଶିକାର ନହୁଅନ୍ତୁ ।
କବିବାବୁ ‘ତଥ୍ୟ ଓ ସଠିକ ବିଷୟ’ ସଂଗ୍ରହ କରି ତାଙ୍କ ପ୍ରବନ୍ଧର ପାଠକମାନଙ୍କୁ ଯେଉଁ ସୂଚନା ଦେଇଛନ୍ତି, ତାହା ବେଦାନ୍ତ ବିଶ୍ୱବିଦ୍ୟାଳୟର ଯୋଗାଯୋଗ/ ଜନସମ୍ପର୍କ ବିଭାଗର ଅଧିକାରୀଙ୍କ ଦ୍ୱାରା ବେଦାନ୍ତ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଭିନ୍ନ ଭିନ୍ନ ସମୟରେ ଜାରି କରାଯାଉଥିବା ବିଜ୍ଞପ୍ତିର ଅଂଶ, ଯେଉଁମାନେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ବିରୋଧ କରୁଛନ୍ତି- ସେମାନେ ଯେ ବେଦାନ୍ତ ତରଫରୁ ଦିଆଯାଇଥିବା ଓ କବିବାବୁଙ୍କ ଦ୍ୱାରା ତାଙ୍କ ପ୍ରବନ୍ଧରେ ଦୋହରାଯାଇଥିବା ତଥ୍ୟ ସମ୍ପର୍କରେ ଅବଗତ ନୁହଁନ୍ତି -ଏହା ଭାବିବା ଭୁଲ । ବରଂ ଓଡ଼ିଶା ସରକାର ଓ ବେଦାନ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରର ସବିଶେଷ ଅନୁଶୀଳନ ହୋଇଛି ପ୍ରାୟ ୩ବର୍ଷ ତଳେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ (ଦ୍ରଷ୍ଟବ୍ୟ ସଂଖ୍ୟା ୪,୧-୧୫ ଅଗଷ୍ଟ,୨୦୦୬)ଯେଉଁଠାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିକୂଳ ପରିବେଶଗୁଡ଼ିକର ସୂଚନା ଦିଆଯାଇଛି ଯାହାର ଏ ଯାବତ୍ ଖଣ୍ଡନ ହୋଇନାହିଁ । କବିବାବୁଙ୍କ ଭଳି ଡକ୍ଟର ଚିତ୍ତ ବରାଳଙ୍କ ବେଦାନ୍ତ ସପକ୍ଷରେ ଯୁକ୍ତିର ( ଦ୍ରଷ୍ଟବ୍ୟ -My perspective on Vedanta University, 8thNov 2008)ପ୍ରତିଯୁକ୍ତି ବୀରେନ୍ଦ୍ର ନାୟକ ବାଢ଼ିଛନ୍ତି, ଯାହା ପ୍ରକାଶିତ ହୋଇଛି ‘ସମଦୃଷ୍ଟି’ ରେ । (ଦ୍ରଷ୍ଟବ୍ୟ ସଂଖ୍ୟା ୫ଓ୬; ୧-୧୫ ଓ୧୬-୩୦ ସେପ୍ଟମ୍ବର ୨୦୦୯) । ଏହି ଅନୁଶୀଳନ ଗୁଡ଼ିକୁ ଅଧ୍ୟୟନ କଲେ କବିବାବୁ ବୁଝିପାରିବେ ଯେ ଲୋକାଭିମୁଖୀ ଓ ବ୍ୟାପକ ଦୃଷ୍ଟିଭଙ୍ଗୀ ନେଇ ଯେଉଁମାନେ ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରସ୍ତାବକୁ ନିରୀକ୍ଷଣ କରୁଛନ୍ତି, ସେମାନେ ସଠିକ ତଥ୍ୟ ଦୃଷ୍ଟିରୁ ଆଦୌ ଦରିଦ୍ର ନୁହଁନ୍ତି ।
କବିବାବୁ ତାଙ୍କ ପ୍ରବନ୍ଧରେ ପ୍ରଫେସର ନବକିଶୋର ମାହାଲିକଙ୍କର ସମାଜରେ (୨୭ ଅଗଷ୍ଟ ୨୦୦୯)ପ୍ରକାଶିତ ଏକ ପ୍ରବନ୍ଧ (ବେଦାନ୍ତ ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ କେତେ ମଙ୍ଗଳ?) ସମ୍ପର୍କ ସୂଚନା ଦେଇ, ତାଙ୍କର ମତ ଯେ, ‘ପ୍ରସ୍ତାବିତ ପ୍ରକଳ୍ପଟି କିଛିବର୍ଷ ପରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ, ଆନୁଷଙ୍ଗିକ କର୍ମଚାରୀ, ସେବକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ପରିବାର ଆଦି ସମସ୍ତଙ୍କୁ ନେଇ ପ୍ରାୟ ୪/୫ ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ଛୋଟ ପରିବେଶ ଅନୁକୂଳ ସହର ହେବବୋଲି ଯୋଜନା କରାଯାଇଛି ସାରିଛି’-ଏହା ପ୍ରତି ପ୍ରଫେସର ନବକିଶୋର ମାହାଲିକଙ୍କର ସମର୍ଥନ ରହିଛି ବୋଲି ଧାରଣା ଦେବା ପାଇଁ ଚେଷ୍ଟା କରିଛନ୍ତି । ଏହା ଠିକ୍ ଯେ ପରିବେଶକୁ କେନ୍ଦ୍ର କରି ଯେଉଁ ଯୁକ୍ତି ବିଶ୍ୱବିଦ୍ୟାଳୟ ବିରୋଧରେ କରାଯାଉଛି, ତାହା ସହିତ ପ୍ରଫେସର ମାହାଲିକ ଏକମତ ନୁହନ୍ତିି । କିନ୍ତୁ ପ୍ରଫେସର ମାହାଲିକ ମୂଳତଃ ପୁରୀ-କୋଣାର୍କ ବେଳାଭୂମିରେ ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ସପକ୍ଷରେ ନୁହନ୍ତି, ତାହା ସେ ଅତି ସ୍ପଷ୍ଟଭାବରେ କହିଛନ୍ତି ତାଙ୍କର ଉଲ୍ଲଖିତ ପ୍ରବନ୍ଧରେ ।
ତାଙ୍କ ଭାଷାରେ, ‘ସମସ୍ତେ ଜାଣନ୍ତି ଆଗକୁ ଜମି ଦୁଷ୍ପ୍ରାପ୍ୟ ହେବ ଏବଂ ମୁଣ୍ଡପିଛା ଜମି ପରିମାଣ କମିବ । ଆଗକୁ ଆଗକୁ ଜମି ଅତ୍ୟନ୍ତ ମୂଲ୍ୟବାନ ହେବ । ତେଣୁ ବର୍ତ୍ତମାନଠାରୁ ଆମେ କମ୍ ଜମି ବ୍ୟବହାର କରି ଆସନ୍ତା ଦିନର ବିକାଶ ପାଇଁ ପ୍ରସ୍ତୁତ ରହିବା ବା‚ନୀୟ । ଅଳ୍ପଜମିରେ ଆମକୁ ବହୁତଳ ପ୍ରାସାଦ କରିବାକୁ ପଡ଼ିବ । ଆଗ ଦିନ ପାଇଁ ଜମି ବଞ୍ଚାଇବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ୬୦୦୦ଏକର ଜମି ମାଗିବା ଯଥେଷ୍ଟ ବେଶୀ ମନେହେଉଛିି । ଖବରକାଗଜରେ ବାହାରୁଛି ବିଦେଶରେ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ପାଇଁ ଏହିପରି ବଡ଼ ବଡ଼ ଜାଗା ନିଆଯାଇଛି । ଆମେ ସବୁ କଥାରେ ବାହାର ଦେଶସହ ତୁଳନା କରିବାକୁ ଚାହୁଁ । କିନ୍ତୁ ଏହା ନ କରିବା ଭଲ । ଙ୍ଘଙ୍ଘଙ୍ଘଙ୍ଘ ତେଣୁ ୬୦୦୦ଏକର ଜମି ଦରକାର କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।ଙ୍ଘଙ୍ଘଙ୍ଘ ବେଦାନ୍ତ ପାଇଁ ୬୦୦୦ ଏକର ଜମି ଦରକାର ଅର୍ଥ ଓଡ଼ିଶା ଜମିକୁ ବର୍ତ୍ତମାନ ଶସ୍ତାରେ ହାତେଇ ଭବିଷ୍ୟତ ପାଇଁ କବ୍ଜାରେ ରଖିବା । ତା’ସାଙ୍ଗକୁ ଏ ଜମି ପୁରୀ କୋଣାର୍କ ଭଳି ପୃଥିବୀ ପ୍ରସିଦ୍ଧ ଏବଂ ସମୁଦ୍ରକୂଳିଆ ଲୋଭନୀୟ ଅଞ୍ଚଳରେ ଅନୁଷ୍ଠିତ ହେବ । ଏପରି ପ୍ରାଧାନ୍ୟଭରା ଅଞ୍ଚଳରେ ଏତେ ବେଶୀ ଜମି ଓଡ଼ିଶାବାସୀ ପସନ୍ଦ କରିବେ ନାହିଁ ବେଦାନ୍ତ ସଂସ୍ଥା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରନ୍ତୁ ଏ ଅଞ୍ଚଳରେ ନୁହେଁ କିମ୍ବା ଏତେ ପରିମାଣ ଜମିରେ ନୁହେଁ । ଙ୍ଘଙ୍ଘଙ୍ଘ ମୋର ମତ ହେଲା ବେଦାନ୍ତ ବିଶ୍ୱବିଦ୍ୟାଳୟ ହେଉ ଏବଂ ଏହା କୌଣସି ଅପେକ୍ଷାକୃତ ଅନୁନ୍ନତ ଆଭ୍ୟନ୍ତରୀଣ ଅଞ୍ଚଳରେ, କମ୍ ଜମିରେ ହେଉ ।’
ଅର୍ଥାତ୍ ପରାମର୍ଶଦାତା କବିବାବୁ ବେଦାନ୍ତ ବିଶ୍ୱବିଦ୍ୟାଳୟର ଯେଉଁ ସ୍ୱରୂପ ଓ ସଂରଚନାକୁ ସମର୍ଥନ କରୁଛନ୍ତି- ପ୍ରଫେସର ନବକିଶୋର ମାହାଲିକଙ୍କର ପରାମର୍ଶ ତା’ର ବିରୋଧରେ ହିଁ ଆସୁଛି ।
ତେବେ କବିବାବୁଙ୍କର ଏହି ପ୍ରବନ୍ଧଟି ବେଦାନ୍ତ ବିଶ୍ୱବିଦ୍ୟାଳୟ ସମର୍ଥକମାନଙ୍କ ଭିତରେ ଯେ ଏକ ଉତ୍ସାହ ସୃଷ୍ଟିକରିଛି, ତାହା ଡକ୍ଟର ଚିତ୍ତ ବରାଳଙ୍କର ଆଶ୍ୱସ୍ତିମୂଳକ ମନ୍ତବ୍ୟ ଯେ ‘ଶେଷକୁ କେହି ଜଣେ ତ ବାହାରିଲା ଓ ଖୋଲାଖୋଲି ସ୍ଥାନୀୟ ଖବରକାଗଜରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସପକ୍ଷରେ ଲେଖିଲା । ଏକ ଗୁରୁତ୍ୱପୂର୍ଣ୍ଣ ବେଳାରେ କେହି ଜଣେ ତ କଲା ।’ (finally someone comes out and openly writes in favour of Vedanta University in the local papers. Its hightime someone did that.)(\âÁaý:http://www.orissalinks.coms/archives/1415). କିନ୍ତୁ କବିବାବୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ସମର୍ଥନରେ ଯେପରି ବାହାରିଲେ ତାହା ଆମକୁ ନିରାଶ କରିଛି । ବେଦାନ୍ତ ବିଶ୍ୱବିଦ୍ୟାଳୟର ଏକ ପରାମର୍ଶଦାତା ଭାବେ ତାଙ୍କଠାରୁ ଜନସମ୍ପର୍କ ଅଧିକାରୀ ଭଳି ସୂଚନା ପରିବେଷଣ ଆମେ ଆଶା କରୁନଥିଲୁ । ଆମେ ତାଙ୍କଠାରୁ ଆଶା କରୁଥିଲୁ ବଳିଷ୍ଠ ଯୁକ୍ତି ଓ ଏକ ବସ୍ତୁନିଷ୍ଠ ନିରପେକ୍ଷ ଆକଳନ-ଯାହା ପରାମର୍ଶଦାତା ପଦବୀର ଗାମ୍ଭୀର୍ଯ୍ୟ ଅନୁରୂପ ହୋଇଥାନ୍ତା । ଭବିଷ୍ୟତରେ କବିବାବୁ ଏହି ଦିଗଟି ପ୍ରତି ଦୃଷ୍ଟିଦେବେ ବୋଲି ଆଶା ।