‘ରୁଦାଲି’, ‘ହଜାର ଚଉରାଶିର ମା’, ‘ଅରଣ୍ୟେର ଅଧିକାର’ ଆଦିର ଲେଖିକା ଆଦିବାସୀ ଓ ସାଧାରଣ ଲୋକର ସଂଘର୍ଷ ସହ ନିଜକୁ ସାମିଲ କରିପାରିଥିବାରୁ ବହୁ ସମ୍ମାନର ଅଧିକାରୀ, ବଙ୍ଗଳାର ପ୍ରତିଷ୍ଠିତ ବୁଦ୍ଧିଜୀବୀ ଶ୍ରୀମତୀ ମହାଶ୍ୱେତା ଦେବୀ ସେପ୍ଟେମ୍ବର ୮ ତାରିଖ ଦିନ ଭୁବନେଶ୍ୱରସ୍ଥିତ ପଞ୍ଚତାରକା ହୋଟେଲ ସଦୃଶ ଅତ୍ୟାଧୁନିକ ବୈଷୟିକ ପ୍ରତିଷ୍ଠାନ କିଟ୍ (KIIT)ର ଏକ ଅନୁଷ୍ଠାନ କିସ୍ (KISS) ପରିଦର୍ଶନ କରି ଯେଉଁଭଳି କିସ୍କୁ ଭାରତର ଏକ ତୀର୍ଥବୋଲି ଘୋଷଣା କରିଛନ୍ତି-ତାହା ଓଡ଼ିଶାର ବହୁ ସଚେତନ ନାଗରିକଙ୍କୁ ଚକିତ କରି ଦେଇଛି ।
ଅଶିତିପର ବର୍ଷୀୟାନ୍ ମହାଶ୍ୱେତା ଦେବୀଙ୍କର ଉପନ୍ୟାସ, ଗଳ୍ପରେ ସାଧାରଣ ଲୋକ, ଆଦିବାସୀର ସଂଘର୍ଷମୟ ଜୀବନର ଚିତ୍ରଣ ପଢ଼ିଲେ ସେ ଯେ ଗତାନୁଗତିକତାଠାରୁ ଭିନ୍ନ ଧରଣର ଲେଖିକା, ଏହା ମନେ ହେବା ସ୍ୱାଭାବିକ । ତାଙ୍କରି ଭାଷାରେ-‘ମଣିଷର ମହନୀୟ ଜୀବନ ସଂଗ୍ରାମରେ ହିଁ ମୁଁ ମୋର ଲେଖାପାଇଁ ପାଇଛି ଉପାଦାନର ଅସରନ୍ତି ଭଣ୍ଡାର । ଥରେ ଯେତେବେଳେ ମୁଁ ଏମାନଙ୍କୁ ଜାଣିଛି, ମୁଁ କାହିଁକି ଅନ୍ୟକେଉଁଠାରେ ଖୋଜିବି କଞ୍ଚାମାଲ’(’(for me endless source of ingredients for writing is in these amazingly noble, suffering human beings. Why should I look for raw material elsewhere, once I have started knowing them)
ମହାଶ୍ୱେତା ଯେ ଏକ ଭିନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ, ତାହା ସାଧାରଣରେ ଆହୁରି ଦୃଢ଼ ହୁଏ ଯେତେବେଳେ ସେ ପଶ୍ଚିମବଙ୍ଗର ସିଙ୍ଗୁରଠାରେ ଟାଟା ପ୍ରକଳ୍ପ ଓ ନନ୍ଦିଗ୍ରାମଠାରେ ସଲିମ କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ହେବାକୁଥିବା ବିସ୍ଥାପନ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ( ଦ୍ରଷ୍ଟବ୍ୟ-three articles on Singur-Mainstream weekly vol:XLIV, No 48 18.11.2006) ଏବଂ ବୁଦ୍ଧିଜୀବୀଙ୍କର ପଟୁଆରର ନେତୃତ୍ୱ ନିଅନ୍ତି । ଏହିଭଳି ଭୂମିକା ଦେଖି ଆମର ଧାରଣା ହେବା ସ୍ୱାଭାବିକ ଯେ ମହାଶ୍ୱେତା ଦେବୀ ବ୍ୟାପକ ଅର୍ଥରେ ଘରୋଇକରଣର ଆତଙ୍କ ବିରୋଧରେ ହିଁ ସ୍ୱର ଉତ୍ତୋଳନ କରୁଛନ୍ତି ।
ତେଣୁ ଯେଉଁ ଅନୁଷ୍ଠାନ ଟାଟାକମ୍ପାନୀର ପୃଷ୍ଠପୋଷକତାରେ ଏହି କମ୍ପାନୀଦ୍ୱାରା କଳିଙ୍ଗନଗରଠାରୁ ବିସ୍ଥାପିତ ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷାଦାନର ସୁଯୋଗ ସୃଷ୍ଟିକରୁଛି(ଦ୍ରଷ୍ଟବ୍ୟ-ସମାଜ:୮-୯-୨୦୦୯), ସେହିଭଳି ଅନୁଷ୍ଠାନକୁ ସେ ଆସିବେ ଓ ଏହାକୁ ଭାରତର ଏକ ତୀର୍ଥ ବୋଲି ଘୋଷଣା କରିବେ , ଏହା ମହାଶ୍ୱେତା ଦେବୀଙ୍କଠାରୁ ଆଶା କରାଯାଉନଥିଲା- ବିଶେଷତଃ ଯେତେବେଳେ ସେ ନିଜେ ସିଙ୍ଗୁରଠାରେ ଟାଟା ପ୍ର୍ରକଳ୍ପଜନିତ ବିସ୍ଥାପନକୁ ବିରୋଧ କରିଛନ୍ତି ଓ ଜାଣନ୍ତି ଯେ କଳିଙ୍ଗନଗରଠାରେ ଟାଟା କମ୍ପାନୀ ପ୍ରକଳ୍ପକୁ ବିରୋଧ କରି ୧୪ଜଣ ବିସ୍ଥାପନ ବିରୋଧୀ ଆଦିବାସୀ ପ୍ରାଣବଳି ଦେଇଛନ୍ତି ।(There the government acquired the lands of tribals and asked the Tatas to evict them at Kalinganagar – Mainstream weekly)
କହିବା ବାହୁଲ୍ୟ ଯେ ଯେଉଁମାନଙ୍କ ପାଇଁ କଳିଙ୍ଗନଗର ତୀର୍ଥ, ସେମାନଙ୍କପାଇଁ କିସ୍(KISS) ତୀର୍ଥ ହୋଇନପାରେ । କୌଣସି ବୌଦ୍ଧିକ ସାଧୁତା ଥିବା ବ୍ୟକ୍ତିପାଇଁ ଏକ ସମୟରେ ଉଭୟ କଳିଙ୍ଗନଗର ଓ କିସ୍ ତୀର୍ଥ ହୋଇନପାରେ ।
ବର୍ତ୍ତମାନ ଓଡ଼ିଶାରେ ଯେତେବେଳେ ବହୁ ବଡ଼ବଡ଼ କମ୍ପାନୀମାନେ ଭିଡ଼ ଜମାଇବା ଆରମ୍ଭ କରିଛନ୍ତି ଓ ବିଶାଳ ଆକାରର ଜମିଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି- ସେତେବେଳେ ବିସ୍ଥାପନ ଅବଶ୍ୟମ୍ଭାବୀ । ଏହି ବିସ୍ଥାପନରେ ଓଡ଼ିଶା ମାଟିରେ ଠିଆ ହୋଇଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ବଡ଼ବଡ଼ ଶିଳ୍ପାନୁଷ୍ଠାନ ସହ ବୁଝାମଣାର ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛନ୍ତି । ଟାଟା-କିସ୍କୁ ପୃଷ୍ଠପୋଷକତା ଦେଉଥିବାବେଳେ ବେଦାନ୍ତ, ଜିନ୍ଦଲ ଆଦି କମ୍ପାନୀମାନଙ୍କର ପୃଷ୍ଠପୋଷକତାକୁ ହାତଛଡ଼ା ନକରିବା ପାଇଁ ଅନେକ ଶିକ୍ଷାନୁଷ୍ଠାନ ଆଗ୍ରହ ଦେଖାଇବେ । ତେଣୁ କିସ୍ଭଳି ବହୁ ‘ତୀର୍ଥ’ସ୍ଥାନ ଓଡ଼ିଶାମାଟିରେ ଦେଖାଯିବାର ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ । କହିବା ବାହୁଲ୍ୟ ଯେ ବଡ଼ ବଡ଼ କମ୍ପାନୀମାନଙ୍କର ସାମ୍ରାଜ୍ୟ ଓଡ଼ିଶାମାଟିରେ ଯେତେ ଯେତେ ବୃଦ୍ଧି ପାଉଥିବ-ସେମାନଙ୍କ ଦ୍ୱାରା ବିସ୍ଥାପିତମାନଙ୍କୁ ମାଗଣା ଶିକ୍ଷା ଦେବାପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ କମ୍ପାନୀମାନଙ୍କର ପୃଷ୍ଠପୋଷକତା ସେତେ ସେତେ ବୃଦ୍ଧିପାଉଥିବ ଓ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ‘ତୀର୍ଥ’ରେ ପରିଣତ ହୋଇଛି ବୋଲି ମହାଶ୍ୱେତା ଦେବୀଙ୍କ ଭଳି ସୃଜନଶୀଳ ବୁଦ୍ଧିଜୀବୀମାନଙ୍କ ଠାରୁ ଶୁଣିବାକୁ ମିଳିବ । ଯଦି କେହି ଏହି ପ୍ରକ୍ରିୟାରେ ସାମନ୍ତବାଦୀ ଅତୀତର ପୁନରାବୃତ୍ତର ଆଶଙ୍କା କରୁଥାନ୍ତି-ତାହାହେଲେ ସେମାନଙ୍କର ଆଶଙ୍କାକୁ ଭିତ୍ତହୀନ ବୋଲି କୁହାଯାଇନପାରେ । ଅପରପକ୍ଷରେ ଆମର ରାଜରାଜୁଡ଼ା ଅତୀତ ଓ ଏମାନଙ୍କ ଦ୍ୱାରା ବିସ୍ଥାପିତ ବିଭିନ୍ନ ତୀର୍ଥସ୍ଥାନକୁ ସ୍ମରଣ କରି ଯେଉଁମାନେ ଉତ୍ଫୁଲ୍ଲିତ ହୋଇଥାନ୍ତି-ସେମାନେ କମ୍ପାନୀ ପୃଷ୍ଠପୋଷକତାରେ ଶିକ୍ଷାନୁଷ୍ଠାନର ତୀର୍ଥସ୍ଥାନକୁ ବିବର୍ତ୍ତନରେ ସାମନ୍ତବାଦୀ ଅତୀତର ଏକ ଆଧୁନିକ ସଂସ୍କରଣ ପାଇବେ ଓ ନିଜକୁ ଭାଗ୍ୟବାନ ମନେକରିବେ ।
ମହାଶ୍ୱେତା ଦେବୀ ଓଡ଼ିଆ ଖବରକାଗଜ ସମ୍ବାଦ ସହ ଏକ ସାକ୍ଷାତକାରରେ କହିଛନ୍ତି- ‘ମୁଁ ଭାଗ୍ୟବାନ,ମୋତେ ଆଦିବାସୀ ବିଶ୍ୱାସ କରନ୍ତି ।’(ଦ୍ରଷ୍ଟବ୍ୟ:ସମ୍ବାଦ-୯/୯/୦୯)
ନିଶ୍ଚିତଭାବେ ମହାଶ୍ୱେତା ଦେବୀ ଭାଗ୍ୟବାନ । କାରଣ ମୁଖ୍ୟସ୍ରୋତର ବାହାରେ ଥିବା ଆଦିବାସୀମାନେ ଯେ କେବଳ ତାଙ୍କୁ ବିଶ୍ୱାସ କରନ୍ତି-ସେପରି ନୁହେଁ । ମୁଖ୍ୟସ୍ରୋତ ଭିତରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସଙ୍ଗଠନମାନଙ୍କର ମଧ୍ୟ ସେ ସମ୍ମାନର ପାତ୍ର ହୋଇଛନ୍ତି । ଏହାର ନିଦର୍ଶନ ହେଉଛି ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୯)ଠାରୁ ଆରମ୍ଭ କରି ୨୦୦୬ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣରେ ଭୂଷିତହେବା ପର୍ଯ୍ୟନ୍ତ । ୧୯୯୬ରେ ବିଶିଷ୍ଟ ଭାରତୀୟ ବ୍ୟବସାୟୀ ସାଇ ଜୈନ ପରିବାର ଦ୍ୱାରା ଅନୁଷ୍ଠିତ ଜ୍ଞାନପୀଠ ପୁରସ୍କାର ପାଇବା ବା ୧୯୯୭ରେ ଆମେରିକାର ବିତର୍କିତ ଶିଳ୍ପପତି ରକ୍ଫେଲର୍ ଭ୍ରାତାମାନଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରେ ପ୍ରତିଷ୍ଠିତ ଟ୍ରଷ୍ଟ ଓ ଫିଲିପାଇନ୍ସ ସରକାରଙ୍କ ଦ୍ୱାରା ଅନୁମୋଦିତ ରାମନ୍ ମାଗାସେସ୍ ପୁରସ୍କାର ପାଇବା-ମୁଖ୍ୟସ୍ରୋତ ଦ୍ୱାରା ତାଙ୍କର ଗ୍ରହଣୀୟତାର ନିଦର୍ଶନ ।
ମୋ ଭଳି ଯେଉଁମାନେ ମହାଶ୍ୱେତା ଦେବୀଙ୍କର ପ୍ରତିଭାର ପ୍ରଶଂସକ ଓ ସିଙ୍ଗୁର୍ରେ ବିସ୍ଥାପିତ ହେଉଥିବା ଜନସାଧାରଣଙ୍କ ପ୍ରତିପକ୍ଷ ବିରୋଧରେ ଯୁଦ୍ଧର ଆହ୍ୱାନ ଦେବା ଓ ମୃତୁ୍ୟପୂର୍ବରୁ ଏହି ଯୁଦ୍ଧ ଦେଖିଯିବାକୁ ତାଙ୍କର ଶେଷ ଇଚ୍ଛା (wage war…yes war? I want to see it before I go– Mainstream Weekly) ବୋଲି ପଢ଼ିଛନ୍ତି-ସେମାନଙ୍କ ପାଇଁ ଏହା ବିଶ୍ୱାସ କରିବା କଷ୍ଟକର ହେଉଛି ଯେ ମହାଶ୍ୱେତା ଦେବୀ ବିସ୍ଥାପନକାରୀ ଟାଟାର ସହଯୋଗୀ ପାଲଟିଥିବା କିସ୍କୁ ତୀର୍ଥ ବୋଲି କହିବେ । ସେମାନେ ଆଶ୍ୱସ୍ତ ହେବେ ଯଦି କେହି କହେ ଯେ ଟାଟା-କିସ୍ ସହଭାଗିତା ସମ୍ପର୍କର୍ରେ ମହାଶ୍ୱେତା ଦେବୀ ଆଦୌ ଜାଣିନଥିଲେ ।