୧୬-୩୧ ଅଗଷ୍ଟ, ୨୦୦୯
ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଗଲା ୩୦ଜୁଲାଇ ୨୦୦୯ଦିନ । ଏଥିପାଇଁ ବିଧାନସଭା ଅଧିବେଶନକୁ ଗୋଟିଏ ଦିନ ବଢ଼ାଇ ଦିଆଗଲା । ଏହା ପୂର୍ବରୁ ଗତ ୯ବର୍ଷ ଭିତରେ ବହୁବାର ବିଧାନସଭା ତା’ର ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ହେବା ଯେଉଁମାନେ ଜାଣିଛନ୍ତି ବା ସ୍ମରଣ କରିପାରୁଛନ୍ତି – ସେମାନେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ପାଇଁ ଏତାଦୃଶ ଉଦାରତା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିବେ । ଅନେକଙ୍କର କ୍ଷୋଭ ଯେ ଏଥିପାଇଁ ସରକାରଙ୍କ ତହବିଲ୍ରୁ ଅଧିକା ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା । କିନ୍ତୁ ୩୦ଲକ୍ଷ ଟଙ୍କା କେତେ? ୩କୋଟି ଟଙ୍କାର ଶତକଡ଼ା ୧୦ଭାଗ, ୩୦କୋଟି ଟଙ୍କାର ଶତକଡ଼ା ୧ଭାଗ ଓ ୩୦୦କୋଟି ଟଙ୍କାର ମାତ୍ର ଶତକଡ଼ା ୦.୧ଭାଗ । ତେଣୁ ଖୁବ୍ ଗୋଟିଏ ବେଶୀ ଟଙ୍କା ନୁହେଁ ୩୦ଲକ୍ଷ ଟଙ୍କା ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପ୍ରସ୍ତାବିତ ପୁଞ୍ଜିନିବେଶ ତୁଳନାରେ ଓ ଏହାର ପ୍ରତିଷ୍ଠାତା ଅନୀଲ ଅଗ୍ରୱାଲଙ୍କର ସମ୍ପତ୍ତ ତୁଳନାରେ ।
ଅଥଚ ୩୦ଲକ୍ଷ ଟଙ୍କା ବିନିମୟରେ ଆମେ ପାଉଛେ ଏକ ‘ବିଶ୍ୱସ୍ତରୀୟ’ ବିଶ୍ୱବିଦ୍ୟାଳୟ ଯେଉଁଠି ‘ଗୁଣାତ୍ମକ’ଶିକ୍ଷା ହିଁ କେବଳ ଉପଲବ୍ଧ ହେବ । ଅନେକଙ୍କର କ୍ଷୋଭ ଯେ ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ବିଶେଷ ସୁବିଧା ନାହିଁ । ଏହି କ୍ଷୁବ୍ଧ ମଣିଷମାନେ ବୁଝିପାରୁ ନାହାନ୍ତି ଯେ ଓଡ଼ିଆ ପିଲା ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପା’ନ୍ତୁ ବା ନ’ପାନ୍ତୁ; ଯେଉଁ ପିଲାମାନେ ଏଠି ପଢ଼ିବେ- ସେମାନେ ତାଙ୍କର ଠିକଣାରେ ଜିଲ୍ଲା ପୁରୀ, ଓଡ଼ିଶା ତ ଲେଖିବେ । ସେତେବେଳେ ସାରାବିଶ୍ୱରେ ପୁରୀ ଜିଲ୍ଲା, ଓଡ଼ିଶା ପ୍ରଦେଶ ଏକ ପରିଚିତ ଓ ଆକାଂକ୍ଷିତ ନାଁ ହୋଇଯିବ ନାହିଁକି? ଆମ ଭୂଇଁରୁ ଯେତେବେଳେ ଲୋକମାନେ ବାହାର ପ୍ରଦେଶକୁ ବା ଦେଶକୁ ଯିବେ ସେତେବେଳେ ଲୋକେ ତ ପାଛୋଟି ନେବେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଅଞ୍ଚଳର ଅଧିବାସୀ ବୋଲି କହି, ଆଦର କରିବେ ଯେମିତି ଜଗନ୍ନାଥଧାମରୁ ଆସିଛନ୍ତି ବୋଲି କହି ଏପର୍ଯ୍ୟନ୍ତ ଓଡ଼ିଆଙ୍କୁ ଆଦର କରନ୍ତି । କହିବାବାହୁଲ୍ୟ ଯେ ଜଗନ୍ନାଥଧାମର ଓଡ଼ିଆକୁ ଏକ ନୂତନ ପରିଚୟ ମିଳିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଧାମର ଓଡ଼ିଆ ଭାବେ । ଏସବୁ ସମ୍ଭବ ହେଉଛି ମାତ୍ର ୩୦ଲକ୍ଷ ଟଙ୍କା ବ୍ୟୟରେ- ଏହା ଆମେ ଓଡ଼ିଆ ବୁଝିବା ଉଚିତ ।
ଜଗନ୍ନାଥ ଧାମ ମଣିଷଭାବେ ଓଡ଼ିଆ ପରିଚିତିକୁ ପଛରେ ପକାଇଦେବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଧାମର ଓଡ଼ିଆ ପରିଚିତି । କାରଣ ଏହି ବିଶ୍ୱବିଦ୍ୟାଳୟରୁ ଅମଳ ହେବେ ନୋବେଲ ପୁରସ୍କାର ବିଜେତା । ଏହିଭଳି ଅମଳ ପାଇଁ ମାତ୍ର ୩୦ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶାମାଟିକୁ ଊର୍ବର କରିବା ନିଶ୍ଚିତ ଭାବରେ ଏକ କ୍ଷତିକାରକ ମୂଲଚାଲ ନୁହେଁ ।
ପୁଣି ଆମେ ତ କଥା ଦେଇଛୁ ଯେ ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ନିଶ୍ଚୟ କରାଇବୁ । କଥାରୁ ମୁକରିଯିବୁ କିପରି? ସାରାବିଶ୍ୱରେ ଓଡ଼ିଶାର ଭାବମୂର୍ତ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ କି? ସାରା ବିଶ୍ୱରେ ଜାଣିବାଶୁଣିବା ଲୋକେ କହିବେ ଦେଖ ନୋବେଲ ପୁରସ୍କାର ବିଜେତା ଅମଳ ହେବାର ଏକ ନିଶ୍ଚିତ ସମ୍ଭାବନାକୁ ଓଡ଼ିଆମାନେ ବନ୍ଦ କରିଦେଲେ । ଏହି ଅପବାଦରୁ ଓଡ଼ିଆଙ୍କୁ ରକ୍ଷା କରିବାକୁ ମାତ୍ର ୩୦ଲକ୍ଷ ଟଙ୍କା ଅଧିକ ବ୍ୟୟ କରିବାକୁ ଗୋଟାଏ କ୍ଷୋଭ ଉଦ୍ରେକକାରୀ ବ୍ୟୟ ବୋଲି କହିବା କି?
ବରଂ ଆମେ ଓଡ଼ିଆ ତ୍ୟାଗ କରିବା । ଜମି ଛାଡ଼ିଦେବା-ଭିକ ମାଗିବାକୁ ପଡ଼ୁ ପଛେ । କାରଣ ଅଧିକ ଜମିରେ ନୋବେଲ ପୁରସ୍କାର ବିଜେତାଙ୍କର ଅମଳ ଯେ ଅଧିକ ହେବ । ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ସବୁ ବିଜୁଳି ଦେଇ ଅନ୍ଧାରରେ ରହିବା, ସବୁ ପାଣି ଦେଇ ଶୋଷରେ ରହିବା । ଆଉ ଯଦି ଆମେ ଓଡ଼ିଆ ତ୍ୟାଗ କରିବା ତା’ହେଲେ ଆମ ଜଗନ୍ନାଥ କାହିଁକି ବାଦ୍ ପଡ଼ିବେ । ତାଙ୍କ ନାଁରେ ଜମିକୁ ମଧ୍ୟ ସେ ଛାଡ଼ିବେ ।
ଏହିଭଳି ତ୍ୟାଗ ଉପରେ ସମୁଦ୍ର ଆଡ଼କୁ ଅନାଇ ଯେତେବେଳେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଠିଆ ହୋଇଯିବ ସେତେବେଳେ କୁଣ୍ଢେମୋଟ ହୋଇଯିବ ନାହିଁ କି ଓଡ଼ିଆଙ୍କ ଛାତି? ତେଣୁ ୩୦ଲକ୍ଷ ଟଙ୍କା ବ୍ୟୟକୁ ଆମେ ଆଦୌ ଗୁରୁତ୍ୱ ଦେବାନାହିଁ । ଆମେ କୃତଘ୍ନ ନୋହୁଁ ତାହା ଅନୀଲ ଅଗ୍ରୱାଲଙ୍କୁ ଜଣାଇବା ପାଇଁ ୩୦ଲକ୍ଷ ଟଙ୍କା ଆଦୌ ଗୋଟିଏ ବଡ଼ ପରିମାଣର ଅର୍ଥ ବୋଲି ଭାବିବା ନାହିଁ ବରଂ ଆମେ ବର୍ତ୍ତମାନର ସରକାରଙ୍କ ନିକଟରେ କୃତଜ୍ଞ ରହିବା ଯେ ନଷ୍ଟ ହେବାକୁ ବସିଥିବା ଓଡ଼ିଆଙ୍କର ଭାବମୂର୍ତ୍ତିକୁ ସେ ଏତେ କମ୍ ଅର୍ଥବ୍ୟୟରେ ରକ୍ଷା କରିଦେଲେ!
କୃତଜ୍ଞତାର ଏତାଦୃଶ ଅଭିବ୍ୟକ୍ତି ଦେଖି ଯେଉଁମାନେ ଓଡ଼ିଆମାନେ ମେଣ୍ଢା ହୋଇଗଲେଣି ବୋଲି କହୁଛନ୍ତି-ସେମାନେ ମେଣ୍ଢା ହେବାର ମଜା ବୋଧହୁଏ ପାଇନାହାନ୍ତି