ଏନ୍.ଏଫ୍.ଟି ବିବାଦକୁ କେନ୍ଦ୍ରକରି ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ସହ ସହବନ୍ଧିତ ବୈଷୟିକ ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ବିକ୍ଷୋଭ ପ୍ରଦର୍ଶନ କରି । ଏହି ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଘରୋଇ ବୈଷୟିକ ମହାବିଦ୍ୟାଳୟଗୁଡ଼ିକର । କ୍ରମାନ୍ୱୟରେ ତିନିଟି ପରୀକ୍ଷାରେ ୪.୫ଗ୍ରେଡ଼ ମାର୍କଠାରୁ କମ୍ ରଖିଥିବା ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାପାଇଁ ଯୋଗ୍ୟ ନୁହନ୍ତି – ବିଶ୍ୱବିଦ୍ୟାଳୟର ଏହି ନିୟମଟିକୁ ଉଚ୍ଛେଦ କରିବା ପାଇଁ ଦାବି କରୁଛନ୍ତି ବିକ୍ଷୋଭକାରୀ ଛାତ୍ରଛାତ୍ରୀ । ଏହି ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ଯେଉଁମାନେ କହୁଛନ୍ତି-ସେମାନେ ବୋଧହୁଏ ଏହି ଦିଗଟିକୁ ଅଣଦେଖା କରିଦେଉଛନ୍ତି ଯେ ଏହି ଛାତ୍ରଛାତ୍ରୀ ମାନେ ବହୁ ଅର୍ଥ ଦେଇ ଏହି ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଦାଖଲ ହୋଇଛନ୍ତି – ଲକ୍ଷ୍ୟ ଏକ ଡିଗ୍ରୀ ହାସଲ । ଯେଉଁ ଦିଗରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ବୃଦ୍ଧି ହେଉଛି ଓ ଆର୍ଥିକ ସାମର୍ଥ୍ୟ ଥିବା ଯେକୌଣସି ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଯୋଗାଇବା ପାଇଁ ଏହି ଅନୁଷ୍ଠାନମାନେ ବ୍ୟାକୁଳତା ଦେଖାଉଛନ୍ତି-ସେଥିରେ ସ୍ୱାଭାବିକ ଯେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କର ସର୍ବନିମ୍ନ ମାନ କ୍ରମଶଃ କୋହଳ ହୋଇଚାଲିଛି । ବେଶ୍ ଅର୍ଥଦେଇ ପ୍ରବେଶ କରିଥିବା ଛାତ୍ରଛାତ୍ରୀ କୋହଳମାନର ହେଲେ ହେଁ – ପଢ଼ାମଝିରୁ ଏନ୍.ଏଫ୍.ଟି. ଅପବାଦ ଧରି ବହିଷ୍କୃତ ହେବା ତା’ପକ୍ଷରେ ଆଦୌ ଗ୍ରହଣୀୟ ନୁହେଁ । ଘରୋଇ ଅନୁଷ୍ଠାନମାନେ ଯେଉଁମାନେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ମାଲଦାର୍ ଗ୍ରାହକ ଭାବେ ବିଚାର କରନ୍ତି-ସେମାନେ ମଧ୍ୟ ଚାହୁଁନଥିବେ ଗ୍ରାହକ ମଝିରୁ ଚାଲିଯିବା । ଅର୍ଥାତ୍ ପଇସା ଦେଇ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀ, ପଇସାନେଇ ଛାତ୍ରଙ୍କୁ ପ୍ରବେଶ କରାଉଥିବା ଘରୋଇ ଅନୁଷ୍ଠାନର ମାଲିକ-ଦୁହେଁ ଚାହିଁବେ ନାହିଁ ଏନ୍.ଏଫ୍.ଟି. ବ୍ୟବସ୍ଥାର ପ୍ରଚଳନ । ତେଣୁ ଏହାକୁ ଉଚ୍ଛେଦ ପାଇଁ ଦାବି କରିବା ସ୍ୱାଭାବିକ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଏହାକୁ କଡ଼ାକଡ଼ି କରି ଲାଗୁକରିବା ପାଇଁ ଜିଦ୍ ଧରିଛନ୍ତି, ତା’ହେଲେ ଏହି ବ୍ୟବସ୍ଥାକୁ ବ୍ୟାପକ କରାଯାଉ । ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷା ପାଇଁ ଫିଟ୍ ନୁହନ୍ତି ବୋଲି କହିବା ପୂର୍ବରୁ-ରାସ୍ତାକଡ଼ରେ କ୍ୟାବିନ ପକାଇଲା ଭଳି ରାତାରାତି ଯେଉଁମାନେ ଶିକ୍ଷାନୁଷ୍ଠାନ ଠିଆ କରାଉଛନ୍ତି ସେହି ମାଲିକମାନେ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ିବା ପାଇଁ କେତେଦୂର ଫିଟ୍, ତାହାର ଆକଳନ ବିଶ୍ୱବିଦ୍ୟାଳୟ କରିବା ଉଚିତ । ଯେଉଁମାନେ ବୈଷୟିକ ଶିକ୍ଷାନୁଷ୍ଠାନ ଠିଆ କରାଇବାପାଇଁ ଯୋଗ୍ୟନୁହଁନ୍ତି -ଯଦି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଦୋକାନ ବୋଲି ଆମେ ନଭାବୁ, ସେମାନଙ୍କୁ ଏହି ଅନୁଷ୍ଠାନ ଠିଆ କରାଇବାପାଇଁ ଅନୁମତି ଦେବା ଓ ଯେକୌଣସିମାନର ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ମାନଙ୍କରେ ପ୍ରବେଶ କରିବା ପାଇଁ ପରିବେଶ ସୃଷ୍ଟି କରିବା ପରେ ପ୍ରବେଶ କରୁଥିବା ପିଲାଙ୍କୁ ତିନୋଟି ସେମିଷ୍ଟାର ପରେ ବୈଷୟିକ ଶିକ୍ଷା ପାଇଁ ଅଯୋଗ୍ୟ ବୋଲି କହିବା ଫଳରେ ବିଶ୍ୱବିଦ୍ୟାଳୟ ଯେ ଦ୍ୱୈତମାନ (Double Standard) ଅବଲମ୍ବନକରୁଛି-ଏହା ଯେଉଁମାନେ କହୁଛନ୍ତି – ସେମାନେ ଖୁବ୍ ଗୋଟାଏ ଭୁଲ୍ କହୁନାହାନ୍ତି । ତେବେ ବିପିୟୁଟିର ଏହିଭଳି କଟକଣାରୁ ବର୍ତ୍ତିବା ପାଇଁ ଶୁଦ୍ରକର ପରାମର୍ଶ ହେଉଛି-ଘରୋଇ ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ଲାଗିପଡ଼ି ଗୋଟିଏ ଗୋଟିଏ ଡିମଡ଼୍ ବିଶ୍ୱବିଦ୍ୟାଳୟ ହୋଇଯାଆନ୍ତୁ ।