ଓଡ଼ିଶାରେ ଉଚ୍ଚଶିକ୍ଷା : କଲେଜ ‘ପ୍ରିନ୍ସିପାଲ’ କନଫେରେନ୍ସ

  • 10/09/2015

୨୯ଜୁଲାଇ୨୦୦୮ ଦିନ ଓଡ଼ିଶାରେ ଯେତେ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଛି ସେମାନଙ୍କର ପ୍ରିନ୍ସିପାଲମାନଙ୍କର ଏକ ସମ୍ମେଳନ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦ୍ବୋଧନ ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦେ ଓ ସାଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ର । ଯେଉଁମାନେ ସାଂସଦ ପ୍ୟାରୀମୋହନଙ୍କର ଉପସ୍ଥିତିକୁ ଚପାଗଳାରେ ପ୍ରଶ୍ନ କରୁଥିଲେ, ସେମାନେ ବୋଧହୁଏ ପାଶୋରି ହୋଇଯାଇଥିଲେ ଯେ ପ୍ୟାରୀମୋହନ ସାଂସଦ ହେବାପୂର୍ବରୁ ଜଣେ ଉଚ୍ଚପଦସ୍ଥ ଅମଲା ଥିଲେ ଓ ଅନେକ ଦିନଧରି ଶିକ୍ଷା ସଚିବ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ ଅନେକ ଶିକ୍ଷା ସମ୍ପର୍କିତ ଆଇନ ପ୍ରଣୟନରେ ସକ୍ରିୟଭାବେ ଯୋଡ଼ି ହୋଇଥିଲେ । ତାଙ୍କରି ସମୟରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୬୬, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୬୬, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୬୬ ସେମାନଙ୍କର ସ୍ୱତନ୍ତ୍ରତା ହରାଇ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ଭଳି ଗୋଟିଏ ଆଇନଭିତରେ ଅନ୍ତର୍ଭୁକ୍ତ ହୋଇଗଲେ । ଏହି ଆକ୍ଟ ହେବାପୂର୍ବରୁ ୧୯୮୯ ମସିହାରେ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଜାରି ହୋଇଥିଲା । ଯାହା ତକ୍ରାଳୀନ ଶିକ୍ଷାବିତ୍ ଓ ଗଣତନ୍ତ୍ରପ୍ରେମୀ ଜନସାଧାରଣଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା । ଓଡ଼ିଶା ବିଧାନସଭାରେ ୧୦ଘଣ୍ଟା ବ୍ୟାପୀ ଏକ ଐତିହାସିକ ବିତର୍କ ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ ପାରିତ ହୋଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ୧୯୯୦ରୁ ୯୫ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ବେଶ୍ ସକ୍ରିୟ ଥିଲେ । ବର୍ତ୍ତମାନ ସେ ବିଜୁବାବୁଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଯେ ମୁଖ୍ୟ ପରାମର୍ଶଦାତା, ଏହା ସର୍ବବିଦିତ । ତେଣୁ ତାଙ୍କର ଶିକ୍ଷା ପ୍ରଶାସନରେ ଅଭିଜ୍ଞତା ଓ ରାଜନୈତିକ ପ୍ରଭାବ ଦୃଷ୍ଟିରୁ ଏହିଭଳି ଏକ ସମ୍ମିଳନୀରେ ତାଙ୍କର ଉପସ୍ଥିତି ଆଦୌ ଅପ୍ରତ୍ୟାଶିତ ନୁହେଁ ।
କିନ୍ତୁ ଯେଉଁମାନେ ପ୍ରଶ୍ନ କରୁଛନ୍ତି ଯେ ଏ କି ପ୍ରକାର ପ୍ରିନ୍ସିପାଲ ସମ୍ମିଳନୀ, ଯେଉଁଠାରେ ଅଧିକାଂଶ ହେଉଛନ୍ତି ପ୍ରିନ୍ସିପାଲ ଇନଚାର୍ଜ-ସେମାନେ ନିଶ୍ଚିତ ଏକ ଓଜନିଆ ପ୍ରଶ୍ନ କରୁଛନ୍ତି । ଯେଉଁମାନେ କହୁଛନ୍ତି ଯେ ସାଂସଦ ପ୍ୟାରୀମୋହନ ମହାପାତ୍ର ଏହି ସମ୍ମିଳନୀକୁ ଆସିବା ପୂର୍ବରୁ ମନ୍ତ୍ରୀ ସମୀର ଦେଙ୍କୁ ପ୍ରଭାବିତ କରି ଯଦି କଲେଜ୍ମାନଙ୍କରେ ନିୟମିତ ପ୍ରିନ୍ସିପାଲ ନିଯୁକ୍ତ କରାଇ ପାରିଥାନ୍ତେ-ତାହାଲେ ସେ ଅସଲି ପ୍ରିନ୍ସିପାଲ୍ମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେବାର ଆତ୍ମସନ୍ତୋଷ ଲାଭ କରିଥାନ୍ତେ-ସେମାନେ ବୋଧହୁଏ ପ୍ୟାରୀମୋହନ ମହାପାତ୍ରଙ୍କ ସମ୍ମାନଦୃଷ୍ଟିରୁ ଠିକ୍ କହୁଛନ୍ତି । କାରଣ ସାଂସଦ ପ୍ୟାରୀମୋହନଙ୍କର ବର୍ତ୍ତମାନର ସରକାର ଉପରେ ଯେଉଁ ପ୍ରଭାବରହିଛି-ତାହା ବଳରେ ଏହା ସେ ଅନାୟାସରେ କରାଇପାରନ୍ତେ । କିନ୍ତୁ ଏହା ଯେ ହେଉ ନାହିଁ-ତାହା ସୂଚାଇ ଦେଉଛି ପ୍ୟାରୀମୋହନଙ୍କର ପରାମର୍ଶରେ କିଛି ଅଭାବ । ଅବଶ୍ୟ ଯଦି ସରକାର ଭାବୁଥାନ୍ତି ଯେ ପ୍ରନ୍ସିପାଲ ହେବାପାଇଁ ଓଡ଼ିଶା ଶିକ୍ଷା ବିଭାଗରେ କେହି ଅଧ୍ୟାପକ ନାହାଁନ୍ତି-ତା’ହେଲେ ତ’ କଥା ଦୋସରା ।
ଏହିଭଳି ଏକ ସମ୍ମିଳନୀ ଜରିଆରେ ଅବଶ୍ୟ ଓଡ଼ିଶାର ସମଗ୍ର ଶିକ୍ଷକ ସମ୍ପ୍ରଦାୟକୁ ଉପଦେଶ ଦେବାଛଳରେ ଦୋଷାରୋପ କରିବାର ସୁଯୋଗକୁ ଉଭୟ ମନ୍ତ୍ରୀ ଓ ସାଂସଦ ହାତଛଡ଼ା କରିନାହାଁନ୍ତି । ମନ୍ତ୍ରୀ ମହୋଦୟ ଘରୋଇକ୍ଷେତ୍ରରେ ଲାଭକାରୀ ଶିକ୍ଷାନୁଷ୍ଠାନମାନଙ୍କର ତ୍ୱରିତ୍ ବୃଦ୍ଧି ପାଇଁ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ଓ ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କର ବିଫଳତାକୁ ହିଁ ଦାୟୀ କରିଛନ୍ତି । ଅପରପକ୍ଷରେ ସାଂସଦ ମହୋଦୟ ଶିକ୍ଷକମାନେ କାହିଁକି ଛାତ୍ର/ଛାତ୍ରୀଙ୍କୁ ନିଜର ସନ୍ତାନ ସନ୍ତତିଭାବେ ବିଚାର କରୁନାହାଁନ୍ତି-ସେ ନେଇ ବିସ୍ମୟ ପ୍ରକାଶକରିବା ସହ ରାସ୍ତାଘାଟରେ ଶିକ୍ଷକମାନଙ୍କର ଶୋଭାଯାତ୍ର ଛାତ୍ରଛାତ୍ରୀଙ୍କ ଉପରେ କି ପ୍ରକାର ପ୍ରଭାବ ପକାଉଥିବ-ସେ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । (The Statesman, Orissa Plus, 30/07/2008)
ବଡ଼ଲୋକଙ୍କୁ ଉତ୍ତରନାହିଁ ନ୍ୟାୟରେ ଯଦିଓ ଏହାର ସଶବ୍ଦ ଉତ୍ତର ସେଠାରେ କେହି ଦେଲେନାହିଁ, ତେବେ ମନ୍ତ୍ରୀ ମହୋଦୟଙ୍କର ଯୁକ୍ତି ଓ ସାଂସଦ ମହୋଦୟଙ୍କର କ୍ଷୋଭକୁ କେହି ହଜମ ବି କରିପାରିଲେ ନାହିଁ । କାରଣ ସରକାରୀ, ଅନୁଦାନପ୍ରାପ୍ତ ବେସରକାରୀ ଓ ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନରେ ତ୍ୱରିତ୍ ହାରରେ ଶିକ୍ଷକସଂଖ୍ୟା ହ୍ରାସ ପାଇବା ଓ ପଦବୀ ପୁରଣ ନହେବା ପାଇଁ ଶିକ୍ଷକମାନେ ତ’ ଦାୟୀ ନୁହଁନ୍ତି । ସେହିଭଳି ସେମାନେ ମଧ୍ୟ ଦାୟୀ ନୁହଁନ୍ତି ଘରୋଇ ଲାଭକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସ୍ୱୀକୃତି ଦେବାପାଇଁ, ସରକାରଙ୍କର ବ୍ୟାକୁଳତା ପାଇଁ । ମନ୍ତ୍ରୀ ମହୋଦୟ ମାର ମାର ଭଣ୍ଡାରିଆଙ୍କୁ ମାର ନୀତିରେ ଶିକ୍ଷକମାନଙ୍କୁ ଦାୟୀ କରୁଛନ୍ତି । ଏହା ବାସ୍ତବିକ ଦୁର୍ଭାଗ୍ୟଜନକ ଯେଉଁ ଶିକ୍ଷକମାନେ ଆଜି ରାଜରାସ୍ତାରେ-ସେମାନେ ଯେ ତାଙ୍କ ନ୍ୟାଯ୍ୟଦାବିରୁ ବଞ୍ଚିତ । ଯାହାଫଳରେ ସେମାନେ ନିଜ ପିଲାପିଲିଙ୍କୁ ଦେଖିବା ପାଇଁ ଅସମର୍ଥ ହେଲେଣି । ସେତେବେଳେ ସେମାନେ ଛାତ୍ରଛାତ୍ରୀଙ୍କୁ ନିଜର ପିଲାଭଳି ଦେଖି ନିଜ ଦୁର୍ଭାଗ୍ୟକୁ କାହିଁକି ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦେବେ? ସରକାର ଏହି ଶିକ୍ଷକମାନଙ୍କୁ ସେମାନଙ୍କର ପରିବାର ଚଳାଇବା ଭଳି ଆର୍ଥିକ ସାମର୍ଥ୍ୟ ସହିତ ଶିକ୍ଷକଙ୍କର ମର୍ଯ୍ୟାଦା ଦେଇଦେଖିବେ, କେହି ଶିକ୍ଷକ ରାଜରାସ୍ତାରେ ନ ଥିବେ ଓ ଛାତ୍ରଛାତ୍ରୀମାନଙ୍କୁ ନିଜର ସନ୍ତାନ ସନ୍ତତି ଭାବେ ଏହି ଶିକ୍ଷକମାନେ ବ୍ୟବହାର କରିବେ ।

Print Friendly, PDF & Email