ଏଇ ଗତ କିଛିବର୍ଷ ହେଲା ଓଡ଼ିଶା ମାଟି ଯେଉଁଭଳି ଶିଳ୍ପପାଇଁ ଖୁବ୍ ଆକର୍ଷଣୀୟ ହୋଇଉଠିଛି -ପ୍ରାୟ ସେହିଭଳି ଆକର୍ଷଣୀୟ ହୋଇଛି ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ । ବାହାରୁ ଆସୁଥିବା ଶିଳ୍ପପତି, ବାବା ଓ ଭିତରର ଖୁଚୁରା ଶିକ୍ଷା ବେପାରୀମାନେ ବିଶ୍ୱବିଦ୍ୟାଳୟ ସ୍ଥାପନାର ପ୍ରସ୍ତାବ ବାଢ଼ିବା ଏବେ ସମ୍ବାଦପତ୍ରରେ ଏକ ସାଧାରଣ ସମ୍ବାଦ ହୋଇଗଲାଣି । ସମସ୍ତେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାମାଟିରେ ଠିଆ କରାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଗୁଣାତ୍ମକ ଶିକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ବିଶ୍ୱ ପରିକ୍ରମା କରୁଥିବା ଏହି ଶିଳ୍ପପତି ଓ ବାବାମାନେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଓଡ଼ିଶା ଭୂଇଁକୁ ହିଁ କାହିଁକି ବାଛୁଛନ୍ତି – ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ ।
୧୯୩୬ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ୧୯୩୭ମସିହାରେ ଓଡ଼ିଶାଭୂଇଁରେ ନିଜସ୍ୱ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେଲା । ଯାହାଙ୍କର ଅନୁମୋଦନ କାର୍ଯ୍ୟକାରୀ ହେଲା ୧୯୪୩ ମସିହାରେ, ଯେତେବେଳେ ଜୁନ୍ ୩୦ ତାରିଖ ଦିନ ତକ୍ରାଳୀନ ଓଡ଼ିଶା ବିଧାନସଭାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଆଇନ ପାରିତ ହେଲା । ୧୯୪୩ ମସିହା ନଭେମ୍ବର ୨୭ତାରିଖରେ ବିଶ୍ୱବିଦ୍ୟାଳୟ ରେଭେନ୍ସା କଲେଜଠାରେ କାର୍ଯ୍ୟକରିବା ଆରମ୍ଭ କଲା । ଭାରତରେ ସପ୍ତଦଶ ବିଶ୍ୱବିଦ୍ୟାଳୟର ଏତଦ୍ୱାରା ସ୍ଥାପନା ହେଲା । ବର୍ତ୍ତମାନ ଯେଉଁଠାରେ ଆମେ ଉକ୍ରଳ ବିଶ୍ୱବିଦ୍ୟାଳୟ ଦେଖୁଛୁ – ସେ ପରିସରକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରିତ ହେଲା ୧୯୬୨ ମସିହାରେ । ଏହି ପରିସରର ବର୍ତ୍ତମାନ କ୍ଷେତ୍ରଫଳ ପ୍ରାୟଃ ୪୦୦ ଏକର । ଏହାହିଁ ସାରା ଓଡ଼ିଶା ପାଇଁ ଏକମାତ୍ର ବିଶ୍ୱବିଦ୍ୟାଳୟ ଥିଲା ୧୯୬୬ ମସିହା ପର୍ଯ୍ୟନ୍ତ -୧୯୬୩ ଜାନୁଆରୀ ମାସରେ ସ୍ଥାପନା ହେଲା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ୧୯୯୯ ମସିହାରେ ଯାଇ ସ୍ଥାପନା କରାଗଲା ଆଉ ଦିଓଟି ବିଶ୍ୱବିଦ୍ୟାଳୟ । ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ । ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଏହି ପାଞ୍ଚଟି ବିଶ୍ୱବିଦ୍ୟାଳୟ ସହିତ ଆଉ ଚାରୋଟି ବିଶ୍ୱବିଦ୍ୟାଳୟ ମଧ୍ୟ ସରକାର ପ୍ରତିଷ୍ଠା କରିଛନ୍ତି ତାହା ହେଉଛି-ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, କୃଷି ବିଶ୍ୱବିଦ୍ୟାଳୟ ଓ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ଏହିଭଳି ବିଚାରକଲେ ସରକାରଙ୍କ ଉଦ୍ୟମରେ ଗତ ସାତଦଶକ ମଧ୍ୟରେ ୯ଟି ବିଶ୍ୱବିଦ୍ୟାଳୟର ସ୍ଥାପନା ହୋଇଛି । କିନ୍ତୁ ପରିତାପର ବିଷୟ ଯେ ଆଜି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବେଶ୍ ଅବହେଳିତ-ଶିକ୍ଷକ ଅଭାବଦ୍ୱାରା ପୀଡ଼ିତ, ଭରଣ ପୋଷଣର ଅଭାବ କୋଠାବାଡ଼ିରୁ ପରିଲକ୍ଷିତ । ସତେ ଯେପରି ଯେଉଁ ସରକାରଙ୍କ ଉଦ୍ୟମରେ ଆଧୁନିକ ଓଡ଼ିଶା ଗଠନ ପାଇଁ ଆମର ପୂର୍ବସୂରୀମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ବିଶ୍ୱବିଦ୍ୟାଳୟ ସ୍ଥାପନା ଓଡ଼ିଶା ମାଟିରେ ଆରମ୍ଭ ହୋଇଥିଲା – ସେହି ଅନୁଷ୍ଠାନକୁ ଯେପରି ଆଜି ଦୁର୍ବଳ କରିଦେବା ପାଇଁ ସରକାରଙ୍କ ତରଫରୁ ଏକ ସଚେତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଓ.ଏସ୍.ଆର୍.ଟି.ସି ବା ଓ.ଆର୍.ଟି ପରିବହନ ପରିଚାଳନା ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇଯିବା ଦ୍ୱାରା ଯେପରି ଘରୋଇ ବସ୍ ବ୍ୟବସ୍ଥାର ବିକାଶ ହେଲା-ସେହିପରି ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଦୁର୍ବଳ ହୋଇଯିବା ବା କରାଇ ଦିଆଯିବା ଫଳରେ ଘରୋଇ ବିଶ୍ୱବିଦ୍ୟାଳୟ ମାନଙ୍କର ପ୍ରବେଶ ପଥ ସୁଗମ ହୋଇଛି ଓ ହେଉଛି । ଶିକ୍ଷାର ବ୍ୟବସାୟ ବିଶ୍ୱବାଣିଜ୍ୟ ସଙ୍ଗଠନ (WTO) ଦ୍ୱାରା ସ୍ୱୀକୃତି ପାଇଲାପରେ ଘରୋଇ ବ୍ୟବସାୟିକ ସଂସ୍ଥାମାନେ ଶିକ୍ଷା ବ୍ୟବସାୟରେ ମନ ଦେବା ଓ ଏହି ସନ୍ଦର୍ଭରେ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ବାଢ଼ିବା ଅସ୍ୱାଭାବିକ ନୁହେଁ । ପୁଣି ଓଡ଼ିଶାର ଅମଲାତନ୍ତ୍ର ଓ ତା’ର ରାଜନୈତିକ ନେତୃତ୍ୱ ଯାହାଙ୍କୁ ପ୍ରଭାବିତ କରିବା ବଡ଼ ବଡ଼ ଶିଳ୍ପପତି ଓ ବାବାମାନଙ୍କର ବାଁ ହାତର ଖେଳ, ସେମାନଙ୍କଠାରୁ ଜମି, ଜଳ, ବିଦୁ୍ୟତ ଯୋଗାଣ ପାଇଁ ନିଜ ସପକ୍ଷରେ ନିଷ୍ପତ୍ତ କରାଇନେବା ଅତ୍ୟନ୍ତ ସହଜ, ନିଶ୍ଚିତ ଭାବରେ ଓଡ଼ିଶାଭୂଇଁକୁ ବିଶ୍ୱବିଦ୍ୟାଳୟ ଅମଳ ପାଇଁ ଆକର୍ଷଣୀୟ କରିଛି । ଏହା ତ ଭିନ୍ନ କଥା ଯେ ସାଧାରଣ ଲୋକଟି ଜମି, ଜଳ, ଜଙ୍ଗଲକୁ ରକ୍ଷାକରିବା ପାଇଁ ଶପଥ ନେଇଛି ଓ ଭୁବନେଶ୍ୱରରେ ହେଉଥିବା ନିଷ୍ପତ୍ତକୁ ସ୍ଥାନୀୟ ସ୍ତରରେ କାର୍ଯ୍ୟକାରୀ ହେବାକୁ ଦେଉନାହିଁ ।
ନିକଟ ଅତୀତରେ କୃପାଳୁ ମହାରାଜ ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଆର୍ଟ ଅଫ୍୍ ଲିଭିଂର ବାବାଜୀ ରବିଶଙ୍କରଙ୍କ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ବା କବାଡ଼ିବାଲା ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ଦ୍ୱାରା ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ଧାରାବାହିକତାରେ ରଖିବାକୁ ହେବ । ଏହି ଧାରାବାହିକତାରେ ଭବିଷ୍ୟତରେ ଆହୁରି ଅନେକ ବିଶ୍ୱବିଦ୍ୟାଳୟ ସ୍ଥାପନାର ପ୍ରସ୍ତାବ ଆସିବାକୁ ଅସ୍ୱୀକାର କରାଯାଇନପାରେ । ଏହାଛଡ଼ା ସ୍ଥାନୀୟସ୍ତରରେ ଥିବା ଶିକ୍ଷା ବ୍ୟବସାୟକେନ୍ଦ୍ରଗୁଡ଼ିକ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟକୁ ସନ୍ତୁଷ୍ଟ କରି ଡିମ୍ଡ଼ ବିଶ୍ୱବିଦ୍ୟାଳୟର ମାନ୍ୟତା ମଧ୍ୟ ହାସଲ କରିପାରିଛି । ସାରା ଭାରତରେ ଇତ୍ୟବସରରେ ଡିମ୍ଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଏପରି ଭାବରେ ବୃଦ୍ଧି ପାଉଛି ଯେ ଏହା ଉଚ୍ଚଶିକ୍ଷା-ସଂସଦୀୟ କମିଟିର ଦୃଷ୍ଟି ଆକର୍ଷଣ କରିଛି ।
ବ୍ୟବସ୍ଥାପିକା ସଭାର ସ୍ୱୀକୃତିରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ଥାପନା ହେବାର ଯେଉଁ ପଦ୍ଧତି ରହିଛି – ତାହାକୁ ଡିମ୍ଡ଼ ବିଶ୍ୱବିଦ୍ୟାଳୟ ସ୍ଥାପନା ନାଁରେ ଏଡ଼ାଇ ଦିଆଯାଉଛି ବୋଲି ଏହି କମିଟି ଅନୁଭବ କରିଛି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଦ୍ୱାରା ହିଁ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାପନା ହୋଇଯାଉଛି । ଏହା ଉଚ୍ଚଶିକ୍ଷାର ଘରୋଇକରଣକୁ ଯେ ତ୍ୱରାନ୍ୱିତ କରୁଛି ଓ ଶିକ୍ଷା ବେପାରୀମାନଙ୍କ ହାତକୁ ଉଚ୍ଚଶିକ୍ଷାକୁ ଟେକିଦେବା ପାଇଁ ଏକ ଆଇନସମ୍ମତ ବାଟ ହୋଇଛି-ଏଥିରେ ସନେ୍ଦହ ନାହିଁ । ଶିକ୍ଷାର ଘରୋଇକରଣ ଭାରତବର୍ଷରେ ବିକଶିତ ରାଷ୍ଟ୍ରମାନଙ୍କଠାରୁ ଅଧିକ କ୍ଷୀପ୍ରଗତିରେ ଚାଲିଛି ବୋଲି ପରିସଂଖ୍ୟାନରୁ ଜଣାପଡ଼ୁଛି ।
ଆୟର ଯେତିକି ଅଂଶ ଜଣେ ଭାରତରେ ଘରୋଇ ଶିକ୍ଷାରେ ଖର୍ଚ୍ଚକରିବା ପାଇଁ ବାଧ୍ୟ ହେଉଛି-ତାହା ବିକଶିତ (OECD) ରାଷ୍ଟ୍ରମାନଙ୍କରେ ଅନୁରୂପ ଅଂଶର ଦୁଇଗୁଣ । କହିବା ବାହୁଲ୍ୟ ଯେ ଏହି ଅଂଶ କିପରି ବଢ଼ିବ – ସେଥିପାଇଁ ଶିକ୍ଷା ବେପାରୀମାନେ ସ୍ୱାଭାବିକ ବ୍ୟାକୁଳ ହେଉଥିବେ । ଏହି ବ୍ୟାକୁଳତାର ପରିଣତି ହିଁ ଘରୋଇ ଡିମ୍ଡ଼ ବିଶ୍ୱବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି । ଡିମ୍ଡ଼ ବିଶ୍ୱବିଦ୍ୟାଳୟ ବିଜ୍ଞପ୍ତି ଜାରି କରୁଥିବା ଅଧିକାରୀମାନେ ଏହି ବ୍ୟାକୁଳତାର କାହିଁକି ବା ଫାଇଦା ନନେବେ?