ଡିମଡ଼୍ ବା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ

  • 10/09/2015

୧୬-୩୦ ଫେବୃୟାରୀ, ୧-୧୫ ମାର୍ଚ୍ଚ, ୨୦୦୮

‘ହରି ଗୌତମ କୀଟ୍ (KIIT)ର ନୂଆ କୁଳାଧିପତି’ – ସମ୍ବାଦ ଅନେକଙ୍କର ଦୃଷ୍ଟିରେ ପଡ଼ିଥିବ । (ଦ୍ରଷ୍ଟବ୍ୟ ଧରିତ୍ରୀ – ୯/୨/୨୦୦୮, ପୃ – ୧୩) । ହରି ଗୌତମ କିଏ ବୋଲି ଅନେକେ ଜାଣିବା ପାଇଁ ଉତ୍ସୁକ ହେବା ସ୍ୱାଭାବିକ । କାରଣ କୀଟ୍ (KIIT) ହେଉଛି ଏକ ବହୁଳ ବିଜ୍ଞପିତ ଶିକ୍ଷା ବେପାର ପ୍ରତିଷ୍ଠାନ – ଯାହା ଓଡ଼ିଶା ମାଟିରେ ନବ୍ୟ (Denovo) ପ୍ରତିଷ୍ଠାନ ଭାବେ ପ୍ରଥମ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ (Deemed to be a university) । ଘରୋଇକରଣ ପାଇଁ ସରକାରୀ ପୃଷ୍ଠପୋଷକତାକୁ ଏହି ଅନୁଷ୍ଠାନଟି ଯେ ଶିକ୍ଷା ବେପାରର ଅଭିବୃଦ୍ଧି ପାଇଁ ଅତି ଦକ୍ଷତାର ସହ ଉପଯୋଗ କରିପାରିଛି ତାହାର ନିଦର୍ଶନ ହେଉଛି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି, ବିଭିନ୍ନ କ୍ଷମତାସୀନ ରାଜନେତା, ସରକାରୀ ଅମଲାଙ୍କର ଏହି ଅନୁଷ୍ଠାନକୁ ଗସ୍ତ ଓ ପରିଦର୍ଶନ । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ, ଏହି ବିଶ୍ୱବିଦ୍ୟାଳୟ ଉପରେ ଆୟକର ବିଭାଗର ଚଢ଼ଉ ଓ ଏହାର କର୍ତ୍ତାମାନଙ୍କ ଘରୁ ଓ ବ୍ୟାଙ୍କ ଲକର୍ରୁ ଲକ୍ଷାଧିକ ଟଙ୍କା ଓ ଆପତ୍ତଜନକ କାଗଜପତ୍ର ଜବତ ହେବାର ସମ୍ବାଦ (Yahoo India News, Wed, Aug 10, 2005) ଉକ୍ତ ଗସ୍ତ ଓ ପରିଦର୍ଶନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ପାରିନାହିଁ । ଏପରିକି ସି.ବି.ଆଇ.ର ନିଦେ୍ର୍ଧଶକ (ଯିଏ ଇତ୍ୟବସରରେ ଅବସର ନେଲେଣି) ମଧ୍ୟ କୀଟ୍ ପରିଦର୍ଶନ ମୋହକୁ ଏଡ଼ାଇ ପାରିନାହାନ୍ତି । ଏହାଛଡ଼ା ବମ୍ବେ ସିନେମା ଜଗତର ବେପରୁଆ, ବସ୍ତ୍ରବୀତଃସ୍ପୃହ, ସାହସୀ ଚିତ୍ରତାରକା ବା ଟି.ଭି. ପରଦା ଉପରେ ଦୃଶ୍ୟମାନ ବାବାଜୀମାନଙ୍କର ପରିଦର୍ଶନ ତ’କୀଟକୁ କୌଣସି ତାରକା ହୋଟେଲଠାରୁ କମ୍ ଆକର୍ଷଣୀୟ କରିନାହିଁ । ଗ୍ଲାମର (Glamour) ଓ ଉଚ୍ଚଶିକ୍ଷାକୁ ମିଶାଇବାର ଏକ କିମ୍ଭୁତକିମାକାର ପ୍ରୟୋଗ ଏହି ଶିକ୍ଷା ବେପାର ଅନୁଷ୍ଠାନଟି ଆରମ୍ଭ କରିଛି ଯାହା ଶିକ୍ଷା ସମ୍ପର୍କରେ ରବୀନ୍ଦ୍ରନାଥ, ଅରବିନ୍ଦ, ମହାତ୍ମା ଗାନ୍ଧୀ ଆଦି ମହାପୁରୁଷମାନଙ୍କର ପ୍ରଦତ୍ତ ଯେଉଁ ମୌଳିକ ଧାରଣା ଥିଲା, ତାହା ଓଲଟ ପାଲଟ ହୋଇଯାଇଛି । ଏହାକୁ ଅବଶ୍ୟ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣର ପ୍ରବକ୍ତାମାନେ ଏକ ବୈପ୍ଳବିକ ପରିବର୍ତ୍ତନ କହିବା ପାଇଁ ଆଦୌ ପଶ୍ଚାଦପଦ ହେବେ ନାହିଁ -‘ପୁରୁଣାକାଳିଆ’ମାନେ ଏହାକୁ ଯେତେ ନିର୍ଲ୍ଲଜତାର ଆଖ୍ୟା ଦେଲେ ମଧ୍ୟ ।
ଯେକୌଣସି ଉପାୟରେ ହେଉ ନା କାହିଁକି ଦଶବର୍ଷ ଠାରୁ କମ୍ ସମୟ ଭିତରେ ଏକ ସାଧାରଣ ଘରୋଇ ଇଞ୍ଜିନିୟରିଂ କଲେଜରୁ ଆରମ୍ଭ ହୋଇ-ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ସ୍ତରକୁ ଆସିବା ଓ ଏହାର ସଙ୍ଗଠକ ଅଚୁ୍ୟତ ସାମନ୍ତ ଏକ ଘରୋଇସ୍ନାତକ ମହାବିଦ୍ୟାଳୟରେ ସାଧାରଣ ମ୍ୟାନେଜମେଣ୍ଟ୍ପୋଷ୍ଟ ଅଧ୍ୟାପକ ସ୍ତରରୁ ଉଠି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.)ର ସଭ୍ୟ ହେବା -ପାରିବା ପଣିଆର ଯେ ଏକ ଅନନ୍ୟ ଉଦାହରଣ ଏଥିରେ ସନେ୍ଦହ ନାହିଁ । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଭ୍ୟହେବାର ସୌଭାଗ୍ୟ ଏଯାବତ୍ ଓଡ଼ିଶାର କୌଣସି ଶିକ୍ଷାବିତ୍ଙ୍କ ଭାଗ୍ୟରେ ଆସି ନାହିଁ- ସେ ପ୍ରଫେସର ପ୍ରାଣକୃଷ୍ଣ ପରିଜା ହୁଅନ୍ତୁ ବା ପ୍ରଫେସର ରାଧାନାଥ ରଥ ହୁଅନ୍ତୁ ବା ପ୍ରଫେସର ବିଧୁଭୂଷଣ ଦାସ ହୁଅନ୍ତୁ- ଯେଉଁମାନଙ୍କର ଶିକ୍ଷାଦାନ, ଗବେଷଣା ଓ ଶିକ୍ଷା ପ୍ରଶାସନକ୍ଷେତ୍ରରେ ଭାରତର ସମସାମୟିକ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ବହୁ ଖ୍ୟାତି ଥିଲା । ଅଥଚ ଅଚୁ୍ୟତ, ଯିଏ କି କୌଣସି ଶିକ୍ଷାନୁଷ୍ଠାନରେ ନିୟମିତ ଅଧ୍ୟାପକଟିଏ ମଧ୍ୟ ହୋଇପାରିନଥିଲେ, ନିଜ ସଂସ୍ଥା କୀଟ୍ରେ ନିଜକୁ କେମେଷ୍ଟ୍ରି ପ୍ରଫେସର ବୋଲି ଘୋଷଣା କରି, ଏହି ଯୋଗ୍ୟତାଭିତ୍ତରେ ସେ ହେଲେ ଆୟୋଗର ସଭ୍ୟ । ପାରିବାପଣିଆର ବୋଧହୁଏ ଆଉ ଏକ ଉଦାହରଣ ହେଉଛି ଭୁବନେଶ୍ୱରରେ ଶତାଧିକ ଏକର ଦୁର୍ଲଭ ଜମି ଏହି ଶିକ୍ଷା ପ୍ରତିଷ୍ଠାନଟି ଅକ୍ତିଆର କରିବ । ଏଥିପାଇଁ ଓ ବିଶାଳକାୟ ପଞ୍ଚତାରକା ସଦୃଶ କୋଠାବାଡ଼ି ନିର୍ମାଣପାଇଁ ଅର୍ଥ କେଉଁଠାରୁ ଆସୁଛି ତାହା ଆଉ ଏକ ପ୍ରଶ୍ନ ଓ ଅନୁସନ୍ଧାନ ସାପେକ୍ଷ ।
ଏହିଭଳି ଏକ ପୃଷ୍ଠଭୂମିରେ ଉଲ୍ଲିଖିତ ସମ୍ବାଦଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ହରି ଗୌତମ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଥିବାବେଳେ ହିଁ ନବ୍ୟ ପ୍ରତିଷ୍ଠାନ (denovo Institution) ଗୁଡ଼ିକୁ ମାନ୍ୟତା ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପାଠକେ ବିଶ୍ୱବିଦ୍ୟାଳୟ, ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ପୁନଶ୍ଚ ନବ୍ୟପ୍ରତିଷ୍ଠାନ ଭାବେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଉତ୍ସୁକ ହେଉଥିବେ । ଏତିକି ଜାଣିଲେ ବର୍ତ୍ତମାନ ପାଇଁ ଯଥେଷ୍ଟ ହେବ ଯେ, ବିଶ୍ୱବିଦ୍ୟାଳୟର ସ୍ଥାପନା ବିଧାନସଭା ବା ସଂସଦରେ ଗୃହୀତ ବିଧେୟକ ଦ୍ୱାରା ହିଁ ହୋଇଥାଏ । ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଧାନସଭାରେ ଗୃହୀତ ବିଧେୟକ ଦ୍ୱାରା ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂସଦରେ ଗୃହୀତ ବିଧେୟକ ଦ୍ୱାରା ହିଁ ସ୍ଥାପନା ହୁଏ । ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏହିଭଳି ବିଧେୟକର ଆବଶ୍ୟକତା ହୁଏ ନାହିଁ । ୟୁ.ଜି.ସି. ଆକ୍ଟ ୧୯୫୬ର ଧାରା ୩ରେ କୁହାଯାଇଛି ‘The central Government may, on the advice of the commission, declare by notification in the official gazette that any institution for higher education, other than a university, shall be deemed recognised to be a university for the purpose of this Act and on such declaration being made, all the provisions of this Act shall apply to such institution as if it were a university within the meaning of clause (f) of Section 2’.
ଅର୍ଥାତ୍ କେନ୍ଦ୍ର ସରକାର, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସୁପାରିଶ ଉପରେ ଯେକୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିପାରିବେ । କହିବା ବାହୁଲ୍ୟ ଯେ ୫୦ବର୍ଷ ତଳୁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର ଧାରଣା ରହିଛି । କେଉଁ ସର୍ତ୍ତମାନ ଅନୁ୍ୟନ ପୂରଣ କରାଗଲେ ଏହି ସ୍ୱୀକୃତିପାଇଁ ବିଚାର କରାଯିବ, ତା’ର ମଧ୍ୟ ଏକ ଗାଇଡ୍ÿଲାଇନ (guideline) ରହିଛି । ଯେପରି ସ୍ୱୀକୃତି ପାଇଁ ଆବେଦନ କରୁଥିବା ଅନୁଷ୍ଠାନଟି ଅନୁ୍ୟନ ୧୦ବର୍ଷ ପୁରୁଣା ହୋଇଥିବ । ଏହାର ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକ ଏ.ଆଇ.ସି.ଟି.ଇ (AICTE), ଏମ୍.ସି.ଆଇ (MCI) ଇତ୍ୟାଦି ସର୍ବଭାରତୀୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକ Statutory authoritiesବଙ୍କଗ୍ଧଷକ୍ଟକ୍ସସଗ୍ଧସରଗ୍ଦ ଦ୍ୱାରା ଗୃହୀତ ହୋଇଥିବ ଇତ୍ୟାଦି । କିନ୍ତୁ ନବ୍ୟ ପ୍ରତିଷ୍ଠାନ (denovo institution) ଭାବେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ସ୍ୱୀକୃତି ପାଇଁ ଆବେଦନ କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ଏହି ସର୍ତ୍ତ ପୂରଣ କରିବାର ଆବଶ୍ୟକତା ନାହିଁ । କୁହାଯାଉଛି ଯେ, ‘denovo institutions in the emerging areas with promise of excellence, not yet fulfilling the prescribed guidlines of the UGC may be inspected by a committee of the UGC for recommending to the government of India for granting them provisional status of deemed to be university subject to its confirmation after five years on the basis of performance report of the UGC Review Committee done annually for a five year period.’ (guidelines for considering proposals for declaring an institution as deemed to be university under section 3 of the UGC Act). ଅର୍ଥାତ୍ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଏକ ପରିଦର୍ଶନ ଦଳକୁ ଯଦି ଅନୁଷ୍ଠାନର ଉଦ୍ୟୋକ୍ତାମାନେ ସନ୍ତୁଷ୍ଟ କରିଦେଇ ପାରନ୍ତି, ଯାହାଫଳରେ ସେମାନଙ୍କୁ ଏହି ଅନୁଷ୍ଠାନର ବିରାଟ ଭବିଷ୍ୟତ ଜଳ ଜଳ ଦେଖାଯିବ – ତା’ହେଲେ ଏହି ନବ୍ୟ ଅନୁଷ୍ଠାନ ପାଇଁ ମାନବସମ୍ବଳ ବିଭାଗ ତରଫରୁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ ସ୍ୱୀକୃତି ଅର୍ଜନ କରିବା ଆଦୌ କଷ୍ଟକର ହେବ ନାହିଁ । ଅବଶ୍ୟ ଏହି ସ୍ୱୀକୃତି ଅସ୍ଥାୟୀ ଓ ପାଞ୍ଚବର୍ଷ ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପରିଦର୍ଶକ ଦଳର ପୁନଃ ପରିଦର୍ଶନ ଓ ସନ୍ତୁଷ୍ଟି ପରେ ହିଁ ସ୍ଥାୟୀ କରାଯିବ ବୋଲି ସର୍ତ୍ତ ରଖାଯାଏ । ତେଣୁ କୀଟ୍ (KIIT)କୁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି ମାନବସମ୍ବଳ ବିଭାଗ ମନ୍ତ୍ରଣାଳୟ ପ୍ରକାଶିତ ବିଜ୍ଞପ୍ତି (No.F.9-49/2001-U.3 dated 16th February 2004)ùe Kjòùf, ‘In exercise of the powers conferred by section 3 of the University Grants Commission Act 1956 (3 of 1956), the central Government on the advice of the University Grants Commission, hereby by declare Kalinga Institute of Industrial Technology, Bhubaneswar, Orissa as deemed to be University for the purpose of the aforesaid Act with immediate effect subject to a review after give years.’
ଏଠାରେ ସ୍ମରଣ କରାଯାଇ ପାରେ ଯେ କୀଟ୍ (KIIT) ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ ସ୍ୱୀକୃତି ପାଇବା ପୂର୍ବରୁ ହରିଗୌତମ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଥିଲେ । ନବ୍ୟ ପ୍ରତିଷ୍ଠାନଗୁଡ଼ିକୁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ପ୍ରଦାନର ଧାରଣା ତକ୍ରାଳୀନ ମାନବସମ୍ବଳ ବିକାଶ ମନ୍ତ୍ରୀ ମୁରଲୀ ମନୋହର ଯୋଶୀଙ୍କ ପୃଷ୍ଠପୋଷକତାରେ ହରି ଗୌତମଙ୍କ ଅଧ୍ୟକ୍ଷତା କାଳରେ ହିଁ ଗୁରୁତ୍ୱ ପାଇଲା ।
ବର୍ତ୍ତମାନ ଯେତେବେଳେ ହରିଗୌତମ କୀଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଏଯାବତ୍ ସ୍ୱଘୋଷିତ କୁଳାଧିପତି ଅଚୁ୍ୟତ ସାମନ୍ତଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି, ସେତେବେଳେ ଏହି ସନେ୍ଦହ ଅସ୍ୱାଭାବିକ ନୁହେଁ ଯେ ହରିଗୌତମ ତାଙ୍କର କାର୍ଯ୍ୟକାଳ ସମୟରେ ଶିକ୍ଷାବିତ୍ମାନଙ୍କର ଅବସର ପର (କ୍post retirement) ଭବିଷ୍ୟତକୁ ଦୃଷ୍ଟିରେ ରଖି ଘରୋଇ ଅନୁଷ୍ଠାନଗୁଡ଼ିକୁ ଉତ୍ସାହିତ କରିବାରେ ନିଜକୁ ନିବିଷ୍ଟ କରୁଥିଲେ କି? ଏହିଭଳି ସନେ୍ଦହ ଉଙ୍କିମାରିବା ଅବଶ୍ୟ ଦୁର୍ଭାଗ୍ୟଜନକ । କିନ୍ତୁ ଯେଉଁଭଳି ଭାବେ ସରକାରୀ ବା ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନଗୁଡ଼ିକରୁ ଅବସର ନେଇଥିବା ଅଧିକାରୀମାନେ ସଦୃଶ ଘରୋଇ ସଂସ୍ଥାମାନଙ୍କରେ ଯୋଗ ଦେଉଛନ୍ତି (ଯେପରି ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିଦେ୍ର୍ଧଶକ ସନକ ମିଶ୍ର ଅବସର ପରେ ଆର୍ସେଲର ମିତ୍ତଲ ଇସ୍ପାତ କାରଖାନାରେ ଯୋଗ ଦେବା ବା ନାଲ୍କୋର ପରିଚାଳନା ନିଦେ୍ର୍ଧଶକ ତାମୋଟିଆ ବେଦାନ୍ତରେ ଯୋଗଦେବା ଇତ୍ୟାଦି) ତାହାର ପୃଷ୍ଠଭୂମିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଭଳି ଉଚ୍ଚଶିକ୍ଷାର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥାର ଅଧ୍ୟକ୍ଷ ହରି ଗୌତମ ଅବସରପରେ କୀଟ୍ ବିଶ୍ୱବିଦ୍ୟାଳୟ ଭଳି ଏକ ଘରୋଇ ସଂସ୍ଥାର କୁଳାଧିପତି ଭାବେ ଯୋଗ ଦେବା ଅବଶ୍ୟ ଆଉ ନେତ୍ର ବିସ୍ଫାରିତକାରୀ ଘଟଣା ହୋଇନପାରେ । ଶୁଦ୍ଧିବାଦୀମାନେ ଅବଶ୍ୟ ବିବ୍ରତ ହୋଇପାରନ୍ତି ଯେ, ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦବୀ ନୁ୍ୟନ ହୋଇଯାଉଛି । କିନ୍ତୁ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପଦକୁ ପ୍ରତ୍ୟାଖ୍ୟାନ କରି ବା ରାଜ୍ୟ ବିଶ୍ୱବିଦ୍ୟାଳୟ କୁଳପତି ପଦରୁ ଅବସର ନେଇ ଘରୋଇ ବୈଷୟିକ ଅନୁଷ୍ଠାନମାନଙ୍କରେ ଚାକିରି କରିବାର ଯେଉଁ ପର୍ଯ୍ୟାୟ ଆମେ ଓଡ଼ିଶାରେ ଲକ୍ଷ୍ୟ କରୁଛୁ, ତାହାର ପୃଷ୍ଠଭୂମିରେ ହରିଗୌତମଙ୍କର କୀଟ୍ରେ କୁଳାଧିପତି ଭାବେ ଯୋଗଦାନକୁ ଏହାର ଏକ ଚରମ ଉଦାହରଣଭାବେ ଉଲ୍ଲେଖ କରାଯାଇପାରେ । ହରିଗୌତମଙ୍କ ଯୋଗଦାନ ପରେ, ଖଡ଼ଗପୁର ଆଇ.ଆଇ.ଟିର ପୂର୍ବତନ ନିଦେ୍ର୍ଧଶକ ପ୍ରଫେସର ଦୁବେ, କୀଟ୍ର ପ୍ରୋ-ଚାନ୍ସେଲର୍ଭାବେ ଯୋଗ ଦେଉଛନ୍ତି ବୋଲି ସମ୍ବାଦରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତେବେ ହରିଗୌତମ, ପ୍ରଫେସର ଦୁବେ ମୁରଲୀମନୋହର ଯୋଶୀଙ୍କର ପ୍ରିୟ ଲୋକ ବୋଲି ଯେଉଁମାନେ ଜାଣନ୍ତି ଓ ସ୍ମରଣ କରନ୍ତି ଯେ ନବ୍ୟ ପ୍ରତିଷ୍ଠାନଭାବେ କୀଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପାଇଲା, ମୁରଲୀ ମନୋହର ଯୋଶୀଙ୍କର ମନ୍ତ୍ରୀତ୍ୱ କାଳରେ ସେମାନେ ଏହି ନିଯୁକ୍ତି ଗୁଡ଼ିକୁ କୀଟ୍ ତରଫରୁ କୃତଜ୍ଞତାର ଅଭିବ୍ୟକ୍ତି ବୋଲି ମନେ କରିପାରନ୍ତି ଯାହାକୁ ଆମର ପରମ୍ପରା ଭିତରେ ଗ୍ରହଣୀୟ ବୋଲି ଯୁକ୍ତି କରାଯାଇପାରେ ।
କିନ୍ତୁ ଏଠାରେ ଆମେ ଭୁଲିଯିବା ଉଚିତ ନୁହେଁ ଯେ, ୧୫ଫେବୃୟାରୀ ୨୦୦୯ମସିହାରେ କୀଟ୍ (KIIT) ବିଶ୍ୱବିଦ୍ୟାଳୟ ୫ବର୍ଷ ପୂରଣ କରିବ । ତେଣୁ ସ୍ୱୀକୃତିପତ୍ରରେ ଉଲ୍ଲେଖ କରାହୋଇଥିବା ସର୍ତ୍ତ ଅନୁସାରେ – ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଏକ ପରିଦର୍ଶକମଣ୍ଡଳୀ ଦ୍ୱାରା ଏହାର କାର୍ଯ୍ୟ ସମୀକ୍ଷା ହେବ । ତେଣୁ ଏକବର୍ଷ ପୂର୍ବରୁ ପୂର୍ବତନ ଆୟୋଗ ଅଧ୍ୟକ୍ଷ ହରି ଗୌତମଙ୍କୁ କୁଳାଧିପତି ଭାବେ ନିଯୁକ୍ତି ଦେବା ତାପôର୍ଯ୍ୟପୂର୍ଣ୍ଣ । ଏହାର ଅନୁକୂଳ ପ୍ରଭାବ ପରିଦର୍ଶକ କମିଟିଉପରେ ପଡ଼ିବ – ଏହା ଆଶା କରାଯାଇପାରେ । ଅଚୁ୍ୟତ ସାମନ୍ତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଭ୍ୟ (୧୧.୨.୨୦୦୮ରୁ ୧୦.୨.୨୦୧୧) ହୋଇଥିବା ହେତୁ ଏହି ଆୟୋଗର ପରିଦର୍ଶକ ଦଳ କୀଟ୍ ଉପରେ କୌଣସି ପ୍ରତିକୂଳ ମନ୍ତବ୍ୟ ଦେବାପାଇଁ ସାହସ କରିପାରିବେ କି?
ସାଧାରଣ ଲୋକ ତ ଦୂରର କଥା, ମୁଖ୍ୟଧାରାର ଅନେକ ସାମ୍ବାଦିକ ବିଶ୍ୱବିଦ୍ୟାଳୟ, ଡିମଡ଼ (deemed) ବା ମାନତ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ନବ୍ୟ ପ୍ରତିଷ୍ଠାନ (denovo institution) ଭାବେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ ବୋଲି ଜଣେ ସାମ୍ବାଦିକ ଶୁଦ୍ରକ ନିକଟରେ ସ୍ୱୀକାର କରିଛନ୍ତି । ଶୁଦ୍ରକର ମତରେ ଏହି ଅଜ୍ଞତା ମୁଖ୍ୟଧାରାର ସମ୍ବାଦପତ୍ର ପାଇଁ ଶୁଭଙ୍କର । କାରଣ ଏହି ପାର୍ଥକ୍ୟ ଜାଣିଲେ ସେମାନେ ହୁଏତ ଏହି ପ୍ରତିଷ୍ଠାନ ଗୁଡ଼ିକ କିପରି ମାନ୍ୟତା ପାଉଛନ୍ତି, କେଉଁ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କଗୁଡ଼ିକ ଏହି ନିଷ୍ପତ୍ତ ପଛରେ କାର୍ଯ୍ୟ କରୁଛି – ତାହାକୁ ଅନୁସନ୍ଧାନ କରିବାର ପ୍ରବଣତା ଦ୍ୱାରା ଆକ୍ରାନ୍ତ ହେବେ ଓ ପ୍ରାପ୍ତ ତଥ୍ୟ ଓ ସୂଚନାଗୁଡ଼ିକୁ ପ୍ରକାଶ କରିବା ପାଇଁ ବ୍ୟାକୁଳତା ଦେଖାଇବେ । ଏହା ଫଳରେ ଏହି ପ୍ରତିଷ୍ଠାନଗୁଡ଼ିକର ଭିତରି କଥା ଯେ ପଦାକୁ ପଡ଼ିବ କେବଳ ସେତିକି ନୁହେଁ – ସେମାନଙ୍କଠାରୁ ବିଜ୍ଞାପନ ଓ ଅନ୍ୟାନ୍ୟ ଅନୁଗ୍ରହ ପାଉଥିବା ମୁଖ୍ୟଧାରା ସମ୍ବାଦପତ୍ର ପ୍ରତିଷ୍ଠାନ ଭିତରେ ଅଶାନ୍ତି ବଢ଼ିବ । ଅଧିକ ପ୍ରକାଶ ବ୍ୟାକୁଳ ସାମ୍ବାଦିକମାନେ ଚାକିରୀ ହରାଇବା ଅସମ୍ଭବ ନୁହେଁ । ମୁଖ୍ୟଧାରାର ସାମ୍ବାଦିକମାନେ ‘ପ୍ରଫେସନାଲ’ ହେବାରେ ହିଁ ଉଭୟ ଘରୋଇ ଶିକ୍ଷାବେପାର ସଂସ୍ଥା ଓ ସମ୍ବାଦପତ୍ର ପ୍ରତିଷ୍ଠାନଗୁଡ଼ିକର ମଙ୍ଗଳ ନିହିତ ରହିଛି – ନିଜର ବୃତ୍ତ ସୁରକ୍ଷା ସହ ।
କହିବା ବାହୁଲ୍ୟ ଯେ ଘରୋଇକରଣ ପର୍ଯ୍ୟାୟରେ ଘରୋଇ କମ୍ପାନୀ, ଘରୋଇ ଶିକ୍ଷାନୁଷ୍ଠାନ, ଘରୋଇ ମାଲିକାନାରେ ସମ୍ବାଦପତ୍ର ଏକାଠି ହୋଇଛନ୍ତି । ବଜାରୀକରଣ (marketisation) ସମସ୍ତଙ୍କୁ ପଣ୍ୟ କରିଦେଇଛି । ସମସ୍ତଙ୍କୁ ଟଙ୍କା ଦେଇ କିଣାଯାଇପାରେ, ଏହା ଅଧିକରୁ ଅଧିକ ସ୍ପଷ୍ଟ ହୋଇଛି । ତେଣୁ ସମସ୍ତ ପଦମର୍ଯ୍ୟାଦାକୁ ବେଖାତିର କରି ଅଧିକ ଅର୍ଥର ପ୍ରଲୋଭନ ଦ୍ୱାରା ଆକୃଷ୍ଟ ହେବା ଆଜି ସାଧାରଣ ଦୃଶ୍ୟ ହୋଇଛି । ଏହି ଦୃଶ୍ୟ ବିରୋଧରେ ଉଜାଣି ସୃଷ୍ଟି କରିବା ପ୍ରତ୍ୟେକ ସଚେତନ ନାଗରିକ ସମ୍ମୁଖରେ ଏକ ଆହ୍ୱାନ ହୋଇ ଦଣ୍ଡାୟମାନ ହୋଇଛି ।

Print Friendly, PDF & Email