ଶିଳ୍ପ ସହିତ ଉଦ୍ୟୋଗର ପ୍ରୟୋଗ ସହ ଅଭ୍ୟସ୍ତ ଜ୍ଞାନକୁ ‘ସାମାଜିକ ଉଦ୍ୟୋଗ’ ଭଳି ବାକ୍ୟଖଣ୍ଡ ନିଶ୍ଚୟ ଅଖାଡ଼ୁଆ ଲାଗିବ । କିନ୍ତୁ ‘ସାମାଜିକ ଉଦ୍ୟୋଗ’ ଭଳି ଏକ ବ୍ୟବସ୍ଥା ଇତ୍ୟବସରରେ ସୃଷ୍ଟି ହୋଇନଥିଲେ – ‘ସାମାଜିକ ଉଦ୍ୟୋଗୀ’ ଆସନ୍ତେ କେଉଁଠୁ ଓ ‘ବିଶ୍ୱର ୧୫ଜଣ ଶ୍ରେଷ୍ଠ ସାମାଜିକ ଉଦ୍ୟୋଗୀଙ୍କ ମଧ୍ୟରେ ଡଃ ଅଚୁ୍ୟତ ସାମନ୍ତ’ ଏଭଳି ସମ୍ବାଦ ପ୍ରକାଶ ପାଆନ୍ତା କିପରି? (ଦ୍ରଷ୍ଟବ୍ୟ ଧରିତ୍ରୀ, ତା୧୨/୧/୨୦୦୮,ପୃ-୧୩) । ଉଦ୍ୟୋଗୀଙ୍କୁ ୨୦,୦୦୦ଡଲାର (ଅର୍ଥାତ୍ ୯ଲକ୍ଷ ଟଙ୍କା)ର ଏକ ଫେଲୋସିପ ଦିଆଯିବା କଥା ମଧ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଏହି ପରିମାଣର ଅର୍ଥ ଦେଇ ଭାରତର ଅନେକ ଇଞ୍ଜିନିୟରିଂ/ମେଡ଼ିକାଲ କଲେଜର ପିଲା ପାଠ ପଢ଼ୁଥିବା କାହାରିକୁ ଅଛପା ନାହିଁ । ଯେଉଁଠି ଗବେଷଣା ନକରି ଡକ୍ଟରେଟ୍ ହାସଲ କରାଯାଇ ପାରୁଛି- ସେଠି ଏହି ଉଦ୍ୟୋଗୀମାନେ ମାତ୍ର ୯ଲକ୍ଷ ଟଙ୍କାରେ ଫେଲୋସିପ ନିଜକୁ ଦିଆଇଦେବା ଆଦୌ ଅପ୍ରତ୍ୟାଶିତ ନୁହେଁ । କିନ୍ତୁ ଔପନିବେଶିକ ମାନସିକତା ଦ୍ୱାରା ଆକ୍ରାନ୍ତ – ଏହି ଉପମହାଦେଶ ଓ ବିଶେଷତଃ ଓଡ଼ିଶାର ଜନସାଧାରଣଙ୍କ ଉପରେ ଏହାର ଯେ ଏକ ପ୍ରଭାବ ରହିଛି ଏହାକୁ ଅସ୍ୱୀକାର କରିହେବ ନାହିଁ ଓ ଏହା ଏହି ଉଦ୍ୟୋଗୀମାନଙ୍କର ଉଦ୍ୟୋଗ ପାଇଁ ଯେ ଅଧିକ ଲାଭଜନକ ହେବ, ଏହା ନିଶ୍ଚିତ । ‘ସାମାଜିକ’ ଶବ୍ଦ ସହ ଯେଉଁ ଶବ୍ଦଗୁଡ଼ିକର ପ୍ରୟୋଗ ଏଯାବତ୍ ଆମ କାନ ଶୁଣି ଆସୁଥିଲା – ତାହା ହେଉଛି ‘କାର୍ଯ୍ୟ’ ଓ ‘କର୍ମୀ’: ସାମାଜିକ କାର୍ଯ୍ୟ ଓ ସାମାଜିକ କର୍ମୀ । ସମାଜ ଏଡ଼େ ବିରାଟ ଓ ଏଡ଼େ ମୌଳିକ ଧାରଣା ଯେ, ତା ସାମନାରେ ପ୍ରତ୍ୟେକ ମଣିଷ ଖୁବ୍ ବିନମ୍ର ହେବା ଉଚିତ । ଏହି ବିନମ୍ରତା ପ୍ରକଟିତ ହୁଏ ଯେତେବେଳେ ସାମାଜିକ କାର୍ଯ୍ୟ କରୁଥିବା ବ୍ୟକ୍ତି ନିଜକୁ ସାମାଜିକ କର୍ମୀ ବୋଲି କୁହେ । ‘କର୍ମୀ’ ଶବ୍ଦ ସେବା ଓ ତ୍ୟାଗର ମହନୀୟ ଧାରଣାକୁ ବହନ କରେ । ‘ଉଦ୍ୟୋଗ’ ଶବ୍ଦ ଭିତରୁ ଲାଭ, ବେପାର, ବଜାରର ଗନ୍ଧ ଆସେ । ତେଣୁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ପ୍ରାତଃସ୍ମରଣୀୟ ବ୍ୟକ୍ତି ନିଜକୁ ‘ସାମାଜିକ କର୍ମୀ’ କହୁଥିଲେ – ‘ସାମାଜିକ ଉଦ୍ୟୋଗୀ’ ବୋଲି କହୁ ନଥିଲେ । ଯଦିଓ ସେତେବେଳେ ମଧ୍ୟ ଅଭିଧାନରେ ଏହି ଶବ୍ଦ ଥିଲା ।