ଶିକ୍ଷା ଶିଳ୍ପ

  • 10/09/2015

୧-୧୬ ସେପ୍ଟେମ୍ବର, ୨୦୦୭

ଘରୋଇ ମେଡ଼ିକାଲ କଲେଜମାନଙ୍କରେ ସିଟ୍ ପୂରଣ ନହେବା ଏକ ବିରାଟ ଚର୍ଚ୍ଚାର ବିଷୟ ଇତ୍ୟବସରରେ ହୋଇଯାଇଛି । ଏଥିପାଇଁ ଉଚ୍ଚ ହାରରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଫିସ୍କୁ ଦାୟୀ କରାହୋଇଛି । ଏପଟେ ଅବଶ୍ୟ ସରକାରୀ ମେଡ଼ିକାଲ କଲେଜମାନଙ୍କରେ ସବୁ ସିଟ୍ ପୂରଣ ହୋଇଛି । ଏଥିରୁ ଜଣାପଡ଼ୁଛି ଯେ ଏତେ ଉଚ୍ଚହାରରେ ଫିସ୍ ଦେଇ ପଢ଼ିବା ପାଇଁ ମେଧାବୀ ଛାତ୍ର ସମର୍ଥ ନୁହନ୍ତି । ତେବେ ଏହି ସିଟ୍ଗୁଡ଼ିକ ପ୍ରକୃତରେ କ’ଣ ଖାଲି ନାହିଁ? ନା ମ୍ୟାନେଜମେଣ୍ଟ ସିଟ୍ ହୋଇ ସରକାରଙ୍କ ଦ୍ୱାରା ପୂରଣ ହେବ? ଯଦି ଏହା ହୋଇଥାଏ ତା’ହେଲେ ତ ସରକାର ଓ ଘରୋଇ ଅନୁଷ୍ଠାନ ଭିତରେ ଏକ ସଲାସୁତୁରାରେ ଏପରି ବ୍ୟବସ୍ଥା କରାହୋଇଛି ବୋଲି ଅଭିଯୋଗ ଆଦୌ ଅମୂଳକ ହେବ ନାହିଁ । କିନ୍ତୁ ଯାହା ସବୁଠାରୁ ମଜା କଥା ତାହା ହେଉଛି ସ୍ଥାନପୂରଣ ନହେବାକୁ ଆଳ କରି ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ଭବିଷ୍ୟତ ବିପନ୍ନ ବୋଲି ଯୁକ୍ତି କରିବା ଓ ଏଥିରୁ ସୁରକ୍ଷା ଦେବାପାଇଁ ସରକାରୀ ସାହାଯ୍ୟ ମାଗିବା । ହୁଏତ ଏହା ଆଦୌ ଅପ୍ରତ୍ୟାଶିତ ମନେ ହେବନାହିଁ ଯଦି ଏହି ଘରୋଇ ପ୍ରତିଷ୍ଠାନଗୁଡ଼ିକର ଏତାଦୃଶ ଯୁକ୍ତି ଦ୍ୱାରା ସନ୍ତୁଷ୍ଟ ହୋଇ ସରକାର ସାହାଯ୍ୟ ଯୋଗାଇବାକୁ ଆଗେଇ ଆସନ୍ତି । ସରକାରୀ ନୀତି ଘରୋଇକରଣ ହେଲେ ଏହାହିଁ ତାର ତାର୍କିକ ପରିଣତି – ଲାଭ ହେଲେ ଯିବ ମାଲିକର ଥଳିକୁ – କ୍ଷତି ହେଲେ ଭରଣା କରିବେ ଲୋକଙ୍କ ସରକାର – ଅର୍ଥାତ ମାଲିକ କେତେବେଳେ କ୍ଷତିରେ ରହିବ ନାହିଁ । ଶିକ୍ଷା ଶିଳ୍ପରେ ଏହା ଅନ୍ୟଥା ହେବ ବା କିପରି? ତେବେ ଦେଖାଯାଉ ପ୍ରକୃତରେ କ’ଣ ହେଉଛି ।

Print Friendly, PDF & Email