ଆଇଆଇଟି ପାଇଁ ରୋଡ଼ ସୋ

  • 10/09/2015

କିଛିମାସ ତଳେ ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ ପାଇଁ ହୋଇଥିବା ଗଣଧାରଣା, ସାଂସଦମାନଙ୍କ ଧାରଣା, ଶୋଭାଯାତ୍ରା ଇତ୍ୟାଦି ଓଡ଼ିଶାର ଲୋକେ ପାଶୋରି ନଥିବେ । ଏହି ଦାବି ଯେ ଅଧିକ ରାଜନୈତିକ ଥିଲା-ତାହା ଏହି ପୃଷ୍ଠାରେ ପୂର୍ବରୁ ଦର୍ଶାଇ ଦିଆଯାଇଛି । ତେବେ ଏହି ଭଳି ଗୋଟିଏ ହୋ-ହାଲ୍ଲା ଫଳରେ ଭାରତ ସରକାରଙ୍କର ଆଣବିକ ଶକ୍ତି ବିଭାଗ-ଭୁବନେଶ୍ୱରସ୍ଥିତ ସେମାନଙ୍କର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ଏକ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ଆରମ୍ଭ କରିଛନ୍ତି ଯାହା ବର୍ତ୍ତମାନ ମଧ୍ୟ ବିଜ୍ଞାପନସ୍ତରରେ ରହିଛି । ଅତି ଚତୁରତାର ସହ ମାନବ ସମ୍ବଳ ବିଭାଗ ତାର ଦାୟିତ୍ୱକୁ ଆଣବିକ ଶକ୍ତି ବିଭାଗ ଉପରକୁ ଖସାଇ ଦେଇପାରିଛି ।
ଏବେ ଆଇ.ଆଇ.ଟି ପାଇଁ ସେହି ଦଳ ହିଁ ବାହାରିଛି । ଏମାନଙ୍କ ସହ ପୂର୍ବଭଳି ବି.ଜେ.ଡ଼ି. ଦଳର ସାଂସଦମାନେ ହିଁ ବାହାରିଛନ୍ତି-ସଙ୍ଗୀତଜ୍ଞ, ନାଟ୍ୟକାର, ପୂର୍ବତନ କୁଳପତି ଇତ୍ୟାଦିଙ୍କ ଭଳି ବିଶେଷ ବ୍ୟକ୍ତିମାନେ ମଧ୍ୟ ରାସ୍ତା ଉପରକୁ ଆସିଛନ୍ତି । ସମସ୍ତଙ୍କ ସ୍ୱରରେ କେନ୍ଦ୍ର ସରକାରଙ୍କର ଅବହେଳା ବିରୋଧରେ କ୍ଷୋଭ । ଆଶ୍ଚର୍ଯ୍ୟ ଲାଗେ ଯେ ଏହି ବ୍ୟକ୍ତିମାନଙ୍କୁ କାହିଁକି ଦେଖାଯାଉ ନାହିଁ ରାଜ୍ୟ ସରକାରଙ୍କର ଶିକ୍ଷା ପ୍ରତି ଅବହେଳା, କାହିଁକି ଦେଖାଯାଉ ନାହିଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକର ଦୁରବସ୍ଥା, ଯାହାପାଇଁ ରାଜ୍ୟ ସରକାର ହିଁ ମୁଖ୍ୟତଃ ଦାୟୀ । କାହିଁକି ଦେଖାଯାଉ ନାହିଁ ରାଜ୍ୟ ସରକାରଙ୍କର ଶିକ୍ଷକ ନିଯୁକ୍ତି ଉପରେ କଟକଣା; କାହିଁକି ଦେଖାଯାଉ ନାହିଁ ଯେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ବୃଦ୍ଧି ପାଉଥିବା ଠିକା ଶିକ୍ଷକ ନିଯୁକ୍ତି- କାହିଁକି ଦେଖାଯାଉ ନାହିଁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ରକ୍ଷଣାବେକ୍ଷଣର ଅବହେଳା-ସର୍ବୋପରି କାହିଁକି ଦେଖାଯାଉ ନାହିଁ ଯେ ରାଜ୍ୟ ସରକାରଙ୍କର ଉପଯୁକ୍ତ ପୃଷ୍ଠପୋଷକତା ଅଭାବରୁ, ଏକ ପ୍ରତିକୂଳ ମନୋଭାବ ଯୋଗୁଁ କିପରି ଶିକ୍ଷା ବ୍ୟବସ୍ଥା ଓଡ଼ିଶାରେ ଭୁଷୁଡ଼ୁଛି? ସଙ୍ଗୀତ ମହାବିଦ୍ୟାଳୟକୁ ରୁଦ୍ଧିମନ୍ତ କରାଯାଉ-ସେଥିପାଇଁ କେଉଁ ସଂଗୀତଜ୍ଞ ବା ଗାୟକ ରାସ୍ତା ଉପରକୁ ଆସୁଛି- ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶିକ୍ଷକ ଯୋଗାଇ ଦିଆଯାଉ-ଦାବିକରି କେଉଁ ପୂର୍ବତନ କୁଳପତି ରାସ୍ତା ଉପରକୁ ଆସୁଛି?
ଯାହା ଅଛି ତାକୁ ସଂଗଠିତ କରିବାପାଇଁ, ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ- ହାତପାଆନ୍ତାରେ ଥିବା ସରକାର ଉପରେ ଚାପ ସୃଷ୍ଟି କରିବାପାଇଁ କସ୍ମିନ କାଳେ ଆଗ୍ରହ ଦେଖାଇ ନଥିବା ବ୍ୟକ୍ତିମାନେ ଯାହା ନାହିଁ-ତାହା ପାଇଁ, ପୁଣି ଦୂରରେ ଥିବା ସରକାର ଉପରେ ଚାପ ସୃଷ୍ଟି କରିବାକୁ ରାସ୍ତା ଉପରକୁ ବାହାରିବା ପଛରେ କାହାର କେଉଁ ଉଦେ୍ଧଶ୍ୟ ରହିଛି- ତାହା ଅନୁସନ୍ଧାନ ସାପେକ୍ଷ । ତେବେ ରାଜ୍ୟ ସରକାରଙ୍କର ଶିକ୍ଷାକ୍ଷେତ୍ରରେ ଚରମ ବିଫଳତାକୁ ଘୋଡ଼ାଇ ପକାଇବାକୁ ଏହିଭଳି ଉଦ୍ୟମଗୁଡ଼ିକ ଯେ ବେଶ୍ ସହାୟକ ହେଉଛି ତାହା ସ୍ପଷ୍ଟ । ତା’ ନହେଲେ ରାଜ୍ୟର କ୍ଷମତାସୀନ ଦଳର ସାଂସଦମାନେ କାହିଁକି ବା ଏଭଳି ‘ରୋଡ଼୍ ସୋ’ରେ ଭାଗ ନିଅନ୍ତେ? ଯଦି ଆଇ.ଆଇ.ଟି ପାଇଁ ଦାବି କରି ରାସ୍ତାକୁ ବାହାରିଥିବା ସଂଗୀତଜ୍ଞ, ଶିକ୍ଷାବିତ୍ମାନେ ରାଜ୍ୟସରକାରଙ୍କ ଅଧିନସ୍ଥ ଶିକ୍ଷାବ୍ୟବସ୍ଥାର ବିପର୍ଯ୍ୟୟ ବିରୁଦ୍ଧରେ ରାସ୍ତାକୁ ବାହାରି ପାରନ୍ତେ, ତାହେଲେ ଓଡ଼ିଶାରେ ଏକ ସମୃଦ୍ଧ ଶିକ୍ଷା ବ୍ୟବସ୍ଥା ପାଇଁ ତାଙ୍କର ପ୍ରତିବଦ୍ଧତା ଜଣାପଡ଼ନ୍ତା । ଜଣାପଡ଼ନ୍ତା ଯେ ସେମାନେ ସାଧାରଣଙ୍କ ପାଇଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ଚାହାନ୍ତି, ଆଇ.ଆଇ.ଟି ଭଳି ଏକ ଏଲିଟ୍ (Elite) ଅନୁଷ୍ଠାନ ଦାବି କରିବା ସହିତ ।

Print Friendly, PDF & Email