ବଡ଼ ବଡ଼ ସହରମାନଙ୍କରେ ‘ବିଗ୍ବଜାର’ ନାଁରେ ଗୋଟିଏ ଗୋଟିଏ ଚକଚକିଆ ପ୍ରତିଷ୍ଠାନ ଠିଆହେଲାଣି । ଏହାର ମାଲିକମାନେ ହେଉଛନ୍ତି ନାମକରା ବେପାରୀ । ଏହିଭଳି ପ୍ରତିଷ୍ଠାନ ପଛରେ ଧାରଣା ହେଉଛି ଯେ ଯାହା ପଣ୍ୟ ତାହାସବୁ ଗୋଟିଏ ଜାଗାରୁ ମିଳିବ – ଭିନ୍ନ ଭିନ୍ନ ଦୋକାନକୁ ଯିବାକୁ ପଡ଼ିବ ନାହିଁ । ପରିବା ମିଳିବ, ଜୋତା ମିଳିବ, ଠାକୁର ପୂଜା ପାଇଁ ସାମଗ୍ରୀ ମିଳିବ, ମାଛ, ମାଂସ ମଧ୍ୟ ମିଳିବ – ସବୁ ଗୋଟିଏ ଜାଗାରେ ମିଳିବ । ତେଣୁ ଶିକ୍ଷା ଯେତେବେଳେ ପଣ୍ୟ ହେଲାଣି ଆମ ମନକୁ ଆସୁଛି ଏହାକୁ ବିଗ୍ବଜାରରୁ କାହିଁକି କିଣା ନଯିବ? ତେବେ ବିଗ୍ବଜାର ମାଲିକମାନେ ଏହାକୁ ତାଙ୍କ କାଉଣ୍ଟରରେ ରଖିଲେ ହେଲା । ଯଦି ରଖନ୍ତି ତା’ହେଲେ ଆମଘରର ପଢ଼ୁଆ ପୁଅ ବିଗ୍ବଜାରକୁ ଯାଇ ପନିପରିବା, ସଉଦାପତ୍ର ସହ ଡାର୍ଉଇନ୍ଙ୍କ ତତ୍ତ୍ୱ ବା ସେହିପରି ଭାରତର ସମ୍ବିଧାନ ଇତ୍ୟାଦି ବିଷୟରେ ଶିକ୍ଷା ପାଇ ଘରକୁ ଫେରିବ । ତା ଇଚ୍ଛା ମୁତାବକ ପାଠଗୁଡ଼ିକ ସେ ପାଇପାରିବ କିଛି ପଇସାର ବିନିମୟରେ । ବହୁଦିନରୁ ଆମର କୁହାଳିଆ ଶିକ୍ଷାବିତ୍ ଓ ଶିକ୍ଷା ପ୍ରଶାସକମାନେ ତ ଶିକ୍ଷାଯୋଗାଣରେ କାଫେଟେରିଆ (Cafeteria) ଭଙ୍ଗୀ ଅନୁକରଣ କରିବା ପାଇଁ ତାଗିଦ୍ କଲେଣି-ଅର୍ଥାତ ଭୋଜନାଳୟରେ ଯେପରି ଯିଏ ଯେଉଁପ୍ରକାର ଖାଦ୍ୟ ଚାହେଁ ତାକୁ ଦିଆଯାଇଥାଏ । ସେହିଭଳି ବିଶ୍ୱବିଦ୍ୟାଳୟରେ ଯିଏ ଯେଉଁଭଳି ପାଠ ଚାହିଁବ ତାହା ଦିଆଯିବାକୁ ହିଁ Cafeteriaଭଙ୍ଗୀ କୁହାଯାଏ । କୌଣସି ବିଶ୍ୱବିଦ୍ୟାଳୟରେ ଏହା ସମ୍ଭବ ହୋଇପାରୁ ନାହିଁ ବୋଲି ଏହି କୁହାଳିଆ ଶିକ୍ଷାବିତ୍ ଓ ପ୍ରଶାସକମାନଙ୍କର କ୍ଷୋଭ । ତେବେ ବିଗ୍ବଜାରରେ ପାଠ ବିକ୍ରିହେଲେ ଏହି ଭଙ୍ଗୀରେ ମୂଲ୍ୟ ଦେଇପାରୁଥିବା ବ୍ୟକ୍ତିକୁ ପାଠ ମିଳିଯିବ – ଏଥିରେ ସନେ୍ଦହ ନାହିଁ । ବହୁଦିନରୁ ଆମର କୁହାଳିଆ ଶିକ୍ଷାବିତ୍ ମାନେ ଦେଖୁଥିବା ସ୍ୱପ୍ନ ସହସା ବାସ୍ତବରେ ପରିଣତ ହୋଇଯିବା କମ୍ କଥା ନୁହେଁ ।
ଅନେକେ ଆମର ଏହିଭଳି ଧାରଣାକୁ ଉଦ୍ଭଟ ବୋଲି ମନେ କରିପାରନ୍ତି । ଶିକ୍ଷା ସମ୍ପର୍କରେ ରକ୍ଷଣଶୀଳ ମନୋବୃତ୍ତ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କ ପାଇଁ ହିଁ ଏହା ହୋଇପାରେ ଉଦ୍ଭଟ । କିନ୍ତୁ ଏହା ଆଦୌ ଉଦ୍ଭଟ ନୁହେଁ । ଶ୍ୟାମ ପିଟ୍ରୋଦାଙ୍କ ଭଳି ଉଦାର ମନୋବୃତ୍ତର ମଣିଷ ନଲେଜ କମିଶନ (National Knowledge Commission)ର ଅଧ୍ୟକ୍ଷ ଭାବେ ଯେଉଁ ରିପୋର୍ଟ ଜାନୁଆରୀ ମାସରେ ସରକାରଙ୍କୁ ଦେଇଛନ୍ତି – ତାହାକୁ ନିରିଖେଇ ଅଧ୍ୟୟନ କଲେ ଏହିଭଳି ଧାରଣା ଯେ ବାସ୍ତବ ହେବାକୁ ଯାଉଛି ତାହା ବୁଝିହେବ ।
ଏହି ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ଯେ, ବିଶ୍ୱବିଦ୍ୟାଳୟ ଗୁଡ଼ିକ ନିକଟରେ ଥିବା ଜମିକୁ ଅର୍ଥ ଉପାର୍ଜନ ପାଇଁ ବ୍ୟବହାର କରାଯାଉ – ଅର୍ଥାତ ବ୍ୟବସାୟିକ ଉଦେ୍ଧଶ୍ୟରେ ବ୍ୟବହାର କରାଯାଉ । ଏହା ହେଲେ ଶିକ୍ଷା ଓ ବେପାର ଖୁବ୍ ପାଖାପାଖି ଚାଲିବ-ଶିକ୍ଷା ପରିସର ଏକ ବିଗ୍ବଜାରରେ ପରିଣତ ହେବ । ତା’ହେଲେ ବିଗ୍ବଜାରରେ ପାଠ ବିକ୍ରି ହେଲାନାହିଁ କି? ଜ୍ଞାନର ସୃଷ୍ଟିପାଇଁ ଶିକ୍ଷା । ସହରର କୋଳାହଳ ଠାରୁ ଦୂରରେ ଶିକ୍ଷାନୁଷ୍ଠାନର ପରିକଳ୍ପନା ହେଉଥିଲା । କିନ୍ତୁ ଶ୍ୟାମ ପିଟ୍ରୋଦାଙ୍କ ଜ୍ଞାନ କମିଶନ ଅନୁସାରେ ଶିକ୍ଷାନୁଷ୍ଠାନ ହେବ ବଜାରର କେନ୍ଦ୍ରରେ ।
ବିପରୀତ ବୁଦ୍ଧିର ଏହାଠାରୁ ଚରମ ଉଦାହରଣ କ’ଣ ହୋଇପାରେ? ବିନାଶକାଳ ଆସିଗଲାଣି କି?