ସ୍କୁଲରେ ଯୌନ ଶିକ୍ଷା

  • 10/09/2015

୧୬-୩୧ ଏପ୍ରିଲ ୨୦୦୭

ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଯୌନଶିକ୍ଷା ଦିଆଯିବାପାଇଁ ଆରମ୍ଭ ହୋଇଥିବା ଉଦ୍ୟମ ପ୍ରବଳ ହଇଚଇ ସୃଷ୍ଟି କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼,ମଧ୍ୟପ୍ରଦେଶ, ଗୁଜୁରାଟ ଆଦି ପ୍ରଦେଶରେ ସରକାରମାନେ ଏହାକୁ ପ୍ରଚଳନ କରିବେ ନାହିଁ ବୋଲି ନିଷ୍ପତ୍ତ ନେଇଛନ୍ତି । ଓଡ଼ିଶା ସରକାରଙ୍କଠାରୁ ଏପରି ନିଷ୍ପତ୍ତ ଅପେକ୍ଷା କରାଯାଉଛି । ଯେଉଁ ଶିକ୍ଷକମାନେ ଏହି ଶିକ୍ଷା କିପରି ଛାତ୍ରଛତ୍ରୀଙ୍କୁ ଦିଆଯିବ ତା’ର ତାଲିମ ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କହନ୍ତି ଯେ-ଏଭଳି ଶିକ୍ଷା ଯଦି ସେମାନେ ବିଦ୍ୟାଳୟରେ ଦିଅନ୍ତି-ତା’ହେଲେ ଲୋକେ ତାଙ୍କପିଠିରୁ ଛାଲ ଉତାରି ଦେବେ । ସେମାନେ ଅନୁଭବ କରନ୍ତି ଯେ-ଏଭଳି ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଦେବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । ଏଡ଼୍ସ୍କୁ ଆଳକରି-ଏ ଯୌନଶିକ୍ଷା-ବାସ୍ତବରେ ହେଉଛି ନିରାପଦ ଯୌନକ୍ରିୟା ପାଇଁ କଣ୍ଡୋମ୍ ବ୍ୟବହାର କରିବାର ଶିକ୍ଷା । ସମସ୍ତଙ୍କର ଆଶଙ୍କା ଯେ, ଏହି ଶିକ୍ଷା ପ୍ରଚଳନ ହେଲେ ବିଦ୍ୟାଳୟ ସ୍ତରରେ କିଶୋର କିଶୋରୀଙ୍କ ମଧ୍ୟରେ ଯୌନସମ୍ପର୍କ ହିଁ ବୃଦ୍ଧି ପାଇବ- ହୋଇପାରେ କଣ୍ଡୋମ୍ ବ୍ୟବହାର କରି, ଯାହା ଫଳରେ ଏହାକୁ ଏକ ଅନୈତିକ କାର୍ଯ୍ୟ ଭାବରେ ଆଉ ଦେଖାଯାଇ ପାରିବ ନାହିଁ । ଯୌନଶିକ୍ଷା ପାଇଲେ କିଶୋର କିଶୋରୀ ଅଧିକ ଦାୟିତ୍ୱବାନ ହେବେ ବୋଲି ଯେଉଁମାନେ ଯୁକ୍ତି କରି ଏହି ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଅନ୍ତି- ସେମାନେ ବହୁଦିନରୁ ଯୌନଶିକ୍ଷା ପାଇଆସୁଥିବା ପଶ୍ଚିମ ବିକଶିତ ଦେଶ, ବିଶେଷତଃ ଆମେରିକା ଓ ଇଂଲଣ୍ଡରେ ବୃଦ୍ଧି ପାଉଥିବା କିଶୋରୀ ଗର୍ଭବତୀଙ୍କ ସଂଖ୍ୟାର କାରଣ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରନ୍ତି ନାହିଁ । ତାହେଲେ ଏହି ଶିକ୍ଷା ଦେବାପାଇଁ ଏତେ ତପôରତା କାହିଁକି? ୟୁନେସ୍କୋ(UNESCO) , ୟୁନିସେଫ (UNICEF), ଭଳି ଆନ୍ତର୍ଜାତିକ ସଂସ୍ଥା, ନାକୋ (NACO), ଏନସିଇଆରଟି (NCERT) ଓ ସିବିଏସଇ (CBSE) ଭଳି ଜାତୀୟ ସଂଗଠନମାନେ ଏଥିରେ ଏତେ ମାତିଛନ୍ତି କାହିଁକି? ଏହାକୁ ବିଦ୍ୟାଳୟ ଶିକ୍ଷାର ଏକ ପାଠ୍ୟକ୍ରମ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଏତେ ବ୍ୟାକୁଳ କାହିଁକି?
କେବଳ ବେପାର ପାଇଁ । କାରଣ ବର୍ତ୍ତମାନର ବଜାର ଅର୍ଥନୀତିରେ ଶିକ୍ଷା ଏକ ଲାଭଜନକ ବ୍ୟବସାୟ ହୋଇଛି । ଏହି ବ୍ୟବସାୟରେ ଗରାଖ ହେଉଛି ଛାତ୍ରଛାତ୍ରୀଙ୍କର ଏକ ବିଶାଳ ସମ୍ପ୍ରଦାୟ । ସେ ଖେଳଣାର ଗରାଖ, ପାଠ୍ୟପୁସ୍ତକର ଗରାଖ, ସ୍କୁଲପୋଷାକର ଗରାଖ, ମଧ୍ୟାହ୍ନଭୋଜନର ଗରାଖ, ଲାପ୍ଟପ୍ର ଗରାଖ । ଏହି ଛାତ୍ରଛାତ୍ରୀଙ୍କ ଭିତରେ ଖେଳଣା କମ୍ପାନୀ ଯେପରି ଏକ ବିରାଟ ବଜାର ଦେଖୁଛି, ପାଠ୍ୟପୁସ୍ତକ ପ୍ରକାଶକ ମଧ୍ୟ ଦେଖୁଛି ଏକ ବିରାଟ ବଜାର, କପଡ଼ା କମ୍ପାନୀ ଦେଖୁଛି ଏକ ବିରାଟ ବଜାର, ମଧ୍ୟାହ୍ନ ଭୋଜନପାଇଁ ସୃଷ୍ଟି ହେଉଛି ଏକ ବିରାଟ ବଜାର । କମ୍ପୁ୍ୟଟର କମ୍ପାନୀମାନେ ମଧ୍ୟଦେଖୁଛନ୍ତି ଏକ ବିରାଟ ବଜାର । ସେହି ତାଳରେ କଣ୍ଡୋମ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ମଧ୍ୟ ଛାତ୍ର/ଛାତ୍ରୀଙ୍କ ଭିତରେ ଦେଖୁଛନ୍ତି ଏକ ବିରାଟ ବଜାର ।
ଏହି କଣ୍ଡୋମ୍ କମ୍ପାନୀମାନଙ୍କୁ ବେପାର ଯୋଗାଇବା ପାଇଁ ଯୌନଶିକ୍ଷାକୁ ପାଠ୍ୟକ୍ରମରେ ପ୍ରଚଳନ କରିବାଠାରୁ ଅଧିକ ସୂକ୍ଷ୍ମ କୌଶଳ କ’ଣ ବା ହୋଇପାରେ? ବଜାର ଅର୍ଥନୀତି ସହ ତାଳରଖି ଶିକ୍ଷା ଯେ ବଜାରୀ ହୋଇଯାଉଛି, ତାହା ବିଦ୍ୟାର୍ଥୀ ଜୀବନରେ ବ୍ରହ୍ମଚର୍ଯ୍ୟ ଉପରେ ଗୁରୁତ୍ୱ ଦେଉଥିବା ବ୍ୟକ୍ତିମାନେ ନିଶ୍ଚୟ କହିବେ ।

Print Friendly, PDF & Email