ଅନେକେ ସାତ୍ତ୍ୱିକ କ୍ରୋଧ ପ୍ରଦର୍ଶନ କରୁଛନ୍ତି – ଏହିଭଳି ପ୍ରସ୍ତାବରେ । କିନ୍ତୁ ଏହାର ତ ମଞ୍ଜି ରହିଛି ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣରେ । ଶିକ୍ଷାର ସବୁ ଖୁଚୁରା ବେପାରୀ (ଯେଉଁମାନେ ଟୁ୍ୟଟୋରିଆଲ ଇତ୍ୟାଦି କରିଥିଲେ) ଆଜି ଶିକ୍ଷା ଶିଳ୍ପର ମାଲିକ ହୋଇ ଗଲେଣି । ତାଙ୍କ ଶିଳ୍ପକୁ ୟୁ.ଜି.ସି. (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ଏ.ଆଇ.ସି.ଟÿି. ଭଳି ସଂସଦରେ ଗୃହୀତ ଆଇନ ଦ୍ୱାରା ପ୍ରତିଷ୍ଠିତ ସଂସ୍ଥାମାନେ ସ୍ୱୀକୃତି ଦେଲେଣି । କ୍ଷମତାର ସର୍ବୋଚ୍ଚ ଅଧିକାରୀମାନେ ଏଗୁଡ଼ିକୁ ପ୍ରୋତ୍ସାହିତ କଲେଣି । ନିଜ କତ୍ତୃତ୍ୱରେ ଥିବା ଅନୁଷ୍ଠାନଗୁଡ଼ିକୁ ଯଥା ସମ୍ଭବ ଦୁର୍ବଳ କରି ଘରୋଇ ଶିକ୍ଷା ଶିଳ୍ପକୁ ବଳୁଆ କରିବାରେ ଲାଗି ପଡ଼ିଲେଣି ଅତି ନିର୍ଲଜ୍ଜ ଭାବେ । ତେଣୁ ବିଦେଶୀ ପୁଞ୍ଜି ନିବେଶକୁ ସେମାନେ କାହିଁକି ଅନୁମତି ଦେବେ ନାହିଁ ।
ଘରୋଇ ପୁଞ୍ଜିର ପ୍ରେମରେ ପଡ଼ି ନିଜ କତ୍ତୃତ୍ୱରେ ଥିବା ଅନୁଷ୍ଠାନଗୁଡ଼ିକରୁ ମନ ଛାଡ଼ିଯିବାର ଶେଷ ପରିଣତି ତ ବିଦେଶୀ ପୁଞ୍ଜିର ପ୍ରେମରେ ପଡ଼ିବା । ଏହି ଭାରତ ଭୂଇଁରେ ନବେ ଦଶକ ପରେ ସବୁ କ୍ଷେତ୍ରରେ ଯେତେବେଳେ ଏହା ହେଲାଣି ସେତେବେଳେ ଶିକ୍ଷା ବାଦ ପଡ଼ନ୍ତା କିପରି । ଦେଖିବାକୁ ରହିଲା ଘରୋଇ ପୁଞ୍ଜି ଓ ବିଦେଶୀ ପୁଞ୍ଜି ଦୁହେଁ ଏକ ସଙ୍ଗରେ ସରକାରଙ୍କୁ କିପରି ସମ୍ମୋହିତ କରି ରଖୁଛନ୍ତି । କିନ୍ତୁ ଏହା ନିଧାର୍ଯ୍ୟ ଯେ ସରକାରୀ ଅନୁଷ୍ଠାନ ଗୁଡ଼ିକ ଏହି ଦୁଇ ପୁଞ୍ଜିର ଦୌରାତ୍ମ୍ୟରେ ଅବହେଳିତ ହୋଇ ହିଁ ରହିବେ ଓ ଏହି ଅନୁଷ୍ଠାନ ଗୁଡ଼ିକ ଉପରେ ନିର୍ଭର କରୁଥିବା ଜନତାର ବର୍ତ୍ତମାନ ସ୍ଥିର ହୋଇଯିବ ।
ଟାଟା ଆକାଶରେ, ସିଙ୍ଗୁର ମାଟିରେ ମାଟିରେ କଳିଙ୍ଗନଗର
ଲଢ଼ୁଆ ମଣିଷ, ଲଢ଼ୁଥିବ ନିଶ୍ଚେ
ଜନ୍ମଠାରୁ ଜନ୍ମାନ୍ତର ।
ରତନ ଟାଟା ଇତ୍ୟବସରରେ ସହ ପାଇଲଟ ହୋଇ ଏକ ପ୍ରଦର୍ଶନୀରେ ଲଢ଼ୁଆ ବିମାନ ଉଡ଼ାଇବା ଖବରକାଗଜ ପୃଷ୍ଠା ମାନଙ୍କରେ ବେଶ ପ୍ରାଧାନ୍ୟ ପାଇଛି । ଏହା ପୂର୍ବରୁ ରତନ ଟାଟା ଉଡ଼ାଜାହାଜ ଉଡ଼ାନ୍ତି – ତାହା ଆମଭଳି ଅନେକେ ଜାଣିନଥିଲେ ଯେଦିଓ ଜାଣିଥିଲେ ଯେ ତାଙ୍କର ପୂର୍ବଜ ଜେ.ଆର.ଡି. ଟାଟା ଜଣେ ନାମକରା ପାଇଲଟ ଥିଲେ ଓ ବହୁ ରେକର୍ଡ଼ କରିଥିଲେ । ତେବେ ଯେତେବେଳେ ରତନ ଟାଟାଙ୍କର ସମସ୍ତ ପ୍ରକଳ୍ପ ବିତର୍କର ଘେରରେ ଓ ଟାଟା କମ୍ପାନୀର ଭାବମୂର୍ତ୍ତି କ୍ଷୁର୍ଣ୍ଣ, ମାଟିରେ ସାଧାରଣ ଲୋକର ଅପ୍ରତିହତ କ୍ଷୋଭ ସେତେବେଳେ ରତନ ଟାଟାଙ୍କର ଆକାଶରେ ଉଡ଼ିବାର ନିଷ୍ପତ୍ତ କ’ଣ ସମ୍ବାଦ ଦେଉଛି? ଲୋକଙ୍କ କ୍ଷୋଭ ପ୍ରତି ବେଖାତିର? ସରକାର ଉପରେ ଦୃଢ଼ ବିଶ୍ୱାସ? ନା, ତଳେ ରହି ଭାରାକ୍ରାନ୍ତ ହୋଇପଡ଼ିଥିବା ମନକୁ ଉପରେ ଯାଇ ହାଲୁକା କରିଦେବାର ଚେଷ୍ଟା ନା କଳିଙ୍ଗନଗର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କର ଉଡ଼ାଜାହାଜ ଉଡ଼ାଇବା ନିଶା ତାଙ୍କର ମଧ୍ୟ ରହିଛି ଏହା ଦର୍ଶାଇବାର ପ୍ରଚେଷ୍ଟା? କହିହେବ ନାହିଁ କିଛି ସଠିକ୍ ଭାବେ । କାରଣ ଏମାନେ ଏତେ ବଡ଼ ଲୋକ ଓ ଏମାନଙ୍କୁ ବିଭିନ୍ନ ପରିସ୍ଥିତିରେ ଉପଦେଶ ଦେବା ପାଇଁ -ଏତେ ବାବା, ଯୋଗୀ ଭିନ୍ନ ଭିନ୍ନ କିସମର ଗୁରୁ ଅଛନ୍ତି ଯେ -କେଉଁ ଉଦେ୍ଧଶ୍ୟରେ ଏହିଭଳି ଏକ ସଙ୍କଟମୟ ପରିସ୍ଥିତିରେ ରତନ ଟାଟା ଲଢ଼ୁଆ ବିମାନ ଉଡ଼ାଇବାର ନିଷ୍ପତ୍ତ ନେଲେ ପୁଣି ମୁଖ୍ୟ ପାଇଲଟ ଭାବରେ ନୁହେଁ – ମାତ୍ର ଜଣେ ସହପାଇଲଟ ଭାବରେ – ତାହା ଏକ ଦୃଶ୍ୟ ଯାହାକୁ ଅଣଦେଖା କରିଦିଆଯାଇ ନପାରେ ।